Unknown

 

 

 

 

 

 

 

 

 

ମନେ ମନେ

ବୈଷ୍ଣବ ଚରଣ ଦାସ

 

ନିବେଦନ

 

କେତେକ ବର୍ଷ ପୂର୍ବେ ‘ମନେ ମନେ’ର ପ୍ରଥମ ଖଣ୍ଡ ଗଳ୍ପାକାରରେ ସେହି ନାମରେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ହୋଇଥିଲା । ମୋର ଏ ଉଦ୍ୟମ ପ୍ରଶଂସନୀୟ ହେଉ ବା ନ ହେଉ, କେତେକ ବନ୍ଧୁଙ୍କ ଅନୁରୋଧରେ ମୁଁ ଗଳ୍ପଟିକୁ କ୍ରମେ ଉପନ୍ୟାସରେ ପରିଣତ କରିପକାଇ ବର୍ତ୍ତମାନର ଉତ୍କଳର ପାଠକପାଠିକାଙ୍କ ସମକ୍ଷରେ ଉପସ୍ଥାପିତ କରୁଅଛି । ପ୍ରଥମରୁ ଉପନ୍ୟାସର ଧାରଣା ମାତ୍ର ନଥାଇ କ୍ଷୁଦ୍ର ଗଳ୍ପକୁ ଏପରି ଭାବରେ ପରିବର୍ଦ୍ଧନ କରି ତାକୁ ଉପନ୍ୟାସ ନାମରେ ଅବିହିତ କରୁଛି ବୋଲି ମୁଁ ନିଜେ କୁଣ୍ଠିତ ପାଠକପାଠିକା ‘ମନେ ମନେ’କୁ କୃପାଦୃଷ୍ଟିରେ ଦେଖି ମତେ ବାଧିତ କରିବେ ଏତିକି ମାତ୍ର ମୋର ଆଶା ।

 

‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ ଅଂଶକୁ ମୋର ବର୍ତ୍ତମାନ ‘ମନେ ମନେ’ରେ ସନ୍ନିବେଶିତ କରିବାର ଅନୁମତି ଓ ତାଙ୍କର ଆଦ୍ୟୋପ୍ରାନ୍ତ ସହାନୁଭୂତି ଓ ସର୍ବାଙ୍ଗୀନ ସହାୟତା ପାଇଁ ‘ଉତ୍କଳ ସାହିତ୍ୟ’ର ମାନନୀୟ ସଂପାଦକ ମହୋଦୟଙ୍କଠାରେ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି ।

ରଜସଂକ୍ରାନ୍ତି

ଲେଖକ

୧୩୩୪

 

Image

 

ପ୍ରଥମ ଖଣ୍ଡ

ମେରା ଭାଇରେ !

(୧)

 

ସେଦିନ ହରିବାବୁ କଚେରିରୁ ସହଳ ସହଳ ଆସି ନିଜ ଦାଣ୍ଡଦୁଆରେ ପହଞ୍ଚିଲାବେଳକୁ ବେଳ ଆସି ବୁଡ଼ିଲାଣି । ତାଙ୍କ ଦାଣ୍ଡ ଅଗଣା ପକ୍‌କା ଚଉରା ଉପରେ ବସି ଗାଁ ଝିଅଯାକ କଇଁଫୁଲର ଅପୂର୍ବ କୋଠିମାନ–ଅବଶ୍ୟ ବଡ଼ ଓଷେଇତୀଙ୍କ ଫରମାସ ଅନୁସାରେ–କାଟିବାରେ ବ୍ୟସ୍ତ ହୋଇଗଲେଣି । ଆଜି ସେମାନଙ୍କର ବଡ଼ଘର, କାଲି କୁମାରପୂର୍ଣ୍ଣିମା । ହରିବାବୁ ସେ ଆଡ଼କୁ ଚାହିଁ ଡାକିଲେ–‘କନକ’ । କେହି ଉତ୍ତର ଦେଲେ ନାହିଁ । ମୁହଁ ଫେରାଇ ପିଣ୍ଡା ଉପରକୁ ଉଠିଲେ । ଉଠିବା ମାତ୍ରକେ ତାଙ୍କ ପରିଶ୍ରମ-ମଳିନ ମୁଖରେ ଟିକିଏ ଦରହାସ ଫୁଟି ଉଠିଲା କିଛିକ୍ଷଣ ପରେ ସହାସ୍ୟ ବଦନରେ ସ୍ନେହଭରା କଣ୍ଠରେ ସେ କହିଲେ–‘‘କି ଲୋ କଙ୍କି, ତମର ଆଜି ପରା ବଡ଼ଘର, ଏଠି ବସିଛୁ ଯେ ?’’ ଉତ୍ତରରେ କେବଳ ଶଦ୍ଦ ହେଲା–‘‘ଉଁ ଉଁ ଉଁ, ସୁଁ ସୁଁ ସୁଁ ! ‘‘କିଲୋ, କାନ୍ଦୁଛୁ କାହିଁକି ?’’ କିଛି ଉତ୍ତର ଦେଲା ନାହିଁ-ଦ୍ୱିଗୁଣିତ ବେଗରେ କ୍ରନ୍ଦନ ! ହରିବାବୁ ହସି ହସି ନଇଁପଡ଼ି ଧୂଳି ଧୂସରିତା ଦଶମବର୍ଷୀୟା ବାଳିକାଟିର ନତ ମସ୍ତକଟି ସ୍ୱହସ୍ତରେ ଟେକି ଧରିବାକୁ ଚେଷ୍ଟା କଲେ, କିନ୍ତୁ କ୍ରନ୍ଦନତତ୍ପରା କୌଣସିମତେ ମୁଣ୍ଡ ଟେକିଲା ନାହିଁ–ପୁଣି ରାଗିଯାଇ କାନ୍ଥ ଆଡ଼କୁ ବୁଲି ବସି ନିଜର କ୍ଷୁଦ୍ର ସୁଗୋଲ ହସ୍ତଦ୍ୱୟରେ କାନ୍ଥଟିକୁ ପ୍ରହାର କରିବାକୁ ଲାଗିଲା । ହରିବାକୁ କ’ଣ ବୁଝି ହୋ ହୋ କରି ହସି ଉଠି, ନିଜ ଛତାଟି ଭିତରୁ ଖଣ୍ଡେ ବିଲାତୀ ପାଛାପାଢ଼ୀ ଲୁଗା ବାହାର କରି ଅତି କଷ୍ଟରେ ହାସ୍ୟ ସମ୍ବରଣ କରି ମଜାଟା ଦେଖିବା ପାଇଁ ସମାଗତ ଦୁଇ ତିନୋଟି ପିଲାଙ୍କୁ ଆଖିଠାରି କରି କହିଲେ–‘‘ଦେଖିଲୁ କନକ, ଏ ଲୁଗାଟା ଏବେ ତୋ ମନକୁ ଲାଗୁଛି କି ନା ?’’ ଏହା କହି ଲୁଗାଖଣ୍ଡିକ ବାଳିକା ହସ୍ତରେ ଗୁଞ୍ଜିଦେଇ ବିଜୟୋଲ୍ଲାସରେ ହସି ହସି ଭିତରକୁ ଚାଲିଯିବାକୁ ବସିଲେ । କିନ୍ତୁ ବାଳିକାଟି ଲୁଗା ଆଡ଼କୁ ଥରେ ମାତ୍ର ନ ଚାହିଁ ନିର୍ମମ ଭାବରେ ତାହା ବାବୁଙ୍କ ଉପରକୁ ଫୋପାଡ଼ି ଦେଲା; ଆଉ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ହରିବାକୁ ଟିକିଏ ବିସ୍ମିତ ହୋଇ ଫେରିଲେ, କନକର ଦୁଇ ହାତ ଧରି କହିଲେ–‘‘ସୁନା ଭଉଣୀଟି ପରା, କ’ଣ ହେଇଛି କହିଲୁ । ତୋ ପାଇଁ ଆଜି ଏଇ ସୁନ୍ଦର ଲୁଗାଟି ଆଣିଛି । ଏଇ ଦେଖ୍, ଗୁଡ଼ିଆ ପାଖରୁ ବଡ଼ଘର ଭୋଗ ତୋ ପାଇଁ ଆଣିଛି । କହିଲୁ କଙ୍କି କଥା କ’ଣ ? ନୂଆବୋଉ କିଛି କହିଲା-? କେହି ପିଲାଏ ମାରଧର କଲେ ?’’ ଏଇଥର ବାଳିକାଟି କଥା କହିଲା–ଅବଶ୍ୟ ବହୁ କଷ୍ଟରେ । କହିଲା କି, ନୀଳୁ ଭାଇ କାହିଁକି ମତେ ଜହ୍ନିଖାଇ ବୋଲି କହିଲା ? ଉଁ ଉଁ ଉଁ-ମୁଁ ଓଷା କରିବି ନାହିଁ–ଉଁ ଉଁ ଉଁ ! ମୁଁ ଲୁଗା ପିନ୍ଧିବି ନାହିଁ–ଉଁ ଉଁ ଉଁ ?’’ ହରିବାବୁ ହସି ଉଠୁଥିଲେ, କିନ୍ତୁ ତାଙ୍କ ମୁହଁ ଉପରେ ସ୍ଥାପିତ ଯୋଡ଼ିଏ ଦିବ୍ୟଚକ୍ଷୁର ଅଶ୍ରୁପୂର୍ଣ୍ଣ ଝଲସରେ ତାଙ୍କ ହୃଦୟର କେଉଁ ସୂକ୍ଷ୍ମ ତନ୍ତ୍ରୀ କି ମଧୁର ଭାବରେ ତାଡ଼ିତ ହେଲା କେଜାଣି, ହସିବେ କ’ଣ, ସେ ହଠାତ୍ ବାଳିକାଟିକୁ କୋଳ କରି ଧରି ଗୃହ ମଧ୍ୟକୁ ଚାଲିଗଲେ-କିଛି କହିଲେ ନାହିଁ ।

 

ପର ଦିନର କଥା, ଆଜି କୁମାରୀପୂର୍ଣ୍ଣମା–କୁମାରୀମାନଙ୍କର ସୌନ୍ଦର୍ଯ୍ୟ-ଉପାସନାର ଦିବସ । ଘରେ ଘରେ ଅତି ଆନନ୍ଦର ଢେଉ ଖେଳି ଯାଉଅଛି । କି ଧନୀ, କି ନିର୍ଦ୍ଧନ, ସମସ୍ତେ ନିଜ ନିଜ ପିଲାମାନଙ୍କୁ ଯଥାଶକ୍ତି ସଜାଇ ସୌନ୍ଦର୍ଯ୍ୟ-ଉପାସନାର ଚରମ ସହଯୋଗିତା ଅନ୍ତରରେ ଅନୁଭବ କରିବାକୁ ଛାଡ଼ୁନାହାନ୍ତି । ଘରେ ଘରେ ଆନନ୍ଦକଲ୍ଲୋଳ–ଘରେ ଘରେ ଶୋଭାର ହାଟ ବସି ଯାଇଅଛି । ସରଳ ବାଳିକବାଳିକାମାନେ ସ୍ୱଭାବ-ସୌନ୍ଦର୍ଯ୍ୟର ଚରମ ବିକାଶ ପୂଜାଫୁଲ ଅଙ୍ଗେ ଅଙ୍ଗେ ଖେଳାଇ ଷୋଡ଼ଶୋପଚାରରେ ସୌନ୍ଦର୍ଯ୍ୟ ଦେବତାଙ୍କୁ ପୂଜା ଦେଉଅଛନ୍ତି ।

 

ସନ୍ଧ୍ୟା ପହରେ ବି ଦୁଇଘଡ଼ି ଥାଉଁ ଚାନ୍ଦ ବଢ଼ାବଢ଼ିର ଧୂମ୍ ପଡ଼ିଗଲାଣି-ପିଲାଟିଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିହାତି ବ୍ୟସ୍ତ ଥିଲାପରି ଯଥାସମ୍ଭବ ଧାଁ-ଦଉଡ଼ ଲଗାଇଅଛନ୍ତି, କେଉଁଠାରେ ବୋହୂ ଝିଏ ରୁଣ୍ଡ ହୋଇ ଚକ୍ରାକାରରେ ବସି ହସଖୁସିରେ ଆପଣା ଆପଣା କେଶ ବିନ୍ୟାସ କରିବାରେ ବ୍ୟସ୍ତ, କେଉଁଠାରେ କେତେଗୁଡ଼ିଏ ପ୍ରୌଢ଼ା ନିଜ ନିଜ ପିତ୍ରାଳୟ, ତଥା ମାତୃଭୂମିର ପ୍ରଶଂସାଦ୍ୱାରା ଅତ୍ରତ୍ୟ ଶ୍ୱଶୁରଗୃହ ଓ ଗ୍ରାମର ଦ୍ରବ୍ୟସାମଗ୍ରୀ, ରୀତିନୀତି ଆଦିର ନିକୃଷ୍ଟତା ସ୍ପଷ୍ଟଭାବରେ ପ୍ରତିପାଦିତ କରି ପକାଉ ଅଛନ୍ତି । କିନ୍ତୁ ଏ ପ୍ରକାର ଅଯଥା ବଡ଼ିମା ଏ ଘର ଗ୍ରାମର ଝିଅଗୁଡ଼ାକଙ୍କ ଦିହରେ କେଭେ ଯାଉନାହିଁ । ସେମାନେ ଯଥା ସମ୍ଭବ ଥଟ୍ଟା ସମ୍ବନ୍ଧମାନ ସ୍ମରଣ ବା ଆବିଷ୍କାର କରି ପ୍ରୌଢ଼ାମାନଙ୍କୁ ରୀତିମତ ଗାଳିଦେବାକୁ ଛାଡ଼ୁନାହାନ୍ତି–ହେଲେ, ବୟସ୍କତ୍ୱ ଓ ବିଜ୍ଞତ୍ଵର ପରିଚାୟକ ସେମାନଙ୍କର ଗୋଟିଏ ଗୋଟିଏ ମସ୍ତକ ସଞ୍ଚାଳନରେ ସେମାନେ ସଳଖେ ସଳଖେ ନିଜ ନିଜ ନ୍ୟୂନତା ଜ୍ଞାନରେ ଉପନୀତ ହୋଇ ତୁନି ହୋଇ ଯାଉଅଛନ୍ତି । ଗୋଟିଏ ଘରେ ସାନ୍ତାଣୀ ଖଣ୍ଡେ ଗାମୁଛା ଦେହରେ ବେଢ଼ାଇ ଦେଇ ନସରପସର ହୋଇ ଚାନ୍ଦ ବାଢ଼ିବାରେ ବ୍ୟସ୍ତ । ପିଲାଗୁଡ଼ାକ ନୂଆ ଲୁଗା ପିନ୍ଧିବେ ବୋଲି ତାଙ୍କ ପିଛା ଧରିଅଛନ୍ତି, ବୋହୂଗୁଡ଼ାକ ତାଙ୍କ ମୁଣ୍ଡ ବାନ୍ଧିଦେବାକୁ ଚୁଁ ଚୁଁ କରି ଭିଡ଼ାଭିଡ଼ି ଲଗାଇଛନ୍ତି । ସାନ୍ତାଣୀ କିନ୍ତୁ ଗମ୍ଭୀର ଭାବରେ ସହସ୍ର ଅଦୃଷ୍ଟପୂର୍ବ ଚାନ୍ଦର ପ୍ରତିକୃତି ଥାଳି ଥାଳିଆମାନଙ୍କରେ ବେଧଡ଼କ୍ ବସାଇଦେଇ ଯାଉଅଛନ୍ତି । ହେଲେ, ବେଳେବେଳେ ତାଙ୍କ କଣ୍ଠନିର୍ଗତ ବାକ୍ୟସ୍ରୋତରେ ତିଷ୍ଠିବାର ଆଉ ବାଟ ରହୁ ନାହିଁ । ଗାଁ ଓଷେଇତୀର ଆଉ ତର ନାହିଁ–ଜହ୍ନ ବୁଢ଼ା ହୋଇଯିବ ବୋଲି ପିଣ୍ଡି ଉପରେ ଆସି ଦିନ ଘଡ଼ିଏ ଥାଉଁ ଜହ୍ନ ଫୁଲର ଗୋଟିଏ ପୂର୍ଣ୍ଣଚନ୍ଦ୍ର ଆଙ୍କି ପକାଇଲାଣି ।

 

ଆଜି କନକ ଅଝଟ ଧରି ବସିଛି–ନୀଳୁ ଭାଇ ପାଇଁ ଚାନ୍ଦ ବଢ଼ା ନ ହେଲେ ସେ ଚାନ୍ଦ ବନ୍ଦାଇବାକୁ ଯିବ ନାହିଁ–ଲୁଗା ଚୁଡ଼ି କିଛି ପିନ୍ଧିବ ନାହିଁ, ଚୁଲି ଓଷାମୁହଁରେ ନିଆଁ ଜାଳି ଦେବ ହରିବାବୁଙ୍କ ଗୃହିଣୀ ଧରି ବସିଛନ୍ତି–ସେଇଟା କାହାର କିଏ, ତା’ ପାଇଁ ଆମେ ଗୋଟାଏ ଚାନ୍ଦ ବାଢ଼ିବୁ କ୍ୟାଁ ! କନକ ପାଇଁ ଡାକ ଉପରେ ଡାକ ଆସୁଛି । ସେ ତ ନ ଘୁଞ୍ଚିଲେ ସରିଲା–ସେମିତି ବାଡ଼କୁ ଆଉଜି ବସିଛି । ହରିବାବୁ କଚେରି ଫେରନ୍ତା ଆସି ଏସବୁ ଦେଖି କେଉଁ ଆଡ଼କୁ ହେବେ, କିଛି ସ୍ଥିର କରିପାରୁନାହାନ୍ତି, ଥରେ କାର୍ଯ୍ୟବସ୍ତତା ଅର୍ଦ୍ଧାଙ୍ଗିନୀଙ୍କ ଆଡ଼କୁ ଚାହିଁ କନକର କରୁଣ ମୂର୍ତ୍ତିଟି ଆଡ଼କୁ ଚାହିଁଲା ବେଳକୁ ଦୁଇଆଡ଼ୁ ମହା ଧନ୍ଦା ଲାଗିଯାଉଛି । ଇତି ମଧ୍ୟରେ ପୁଣି ପତ୍ନୀଙ୍କ କଠୋର, ପ୍ରତିଜ୍ଞାସ୍ଥିର ନୟନର ବିଦ୍ୟୁତ୍-କଟାକ୍ଷ ମଧ୍ୟ ତାଙ୍କ ହୃଦୟର ଅପରିଜ୍ଞେୟ କୌଣସି ସ୍ଥାନରେ ଆଘାତ କଲାଣି । ହେଲେ, ହରିବାବୁ ଯେତେବେଳେ ସେହି ପିତୃମାତୃହୀନା ସରଳା ବାଳିକାଟିର କଥା ସ୍ମରଣ କରୁଛନ୍ତି, ସେତେବେଳେ ସେ ଅସ୍ୱାଭାବିକ ବଳ ସଞ୍ଚୟ କରି ପତ୍ନୀଙ୍କୁ ଅବଜ୍ଞା କରିବାକୁ ଯାଉଅଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି କଚେରିଆ ବୁଦ୍ଧି ଛାଡ଼ି ଯାଇନାହିଁ । ଅତଏବ ଶେଷରେ ସିଦ୍ଧାନ୍ତ ହୋଇଗଲା ଯେ, ଯଥାସମ୍ଭବ ଦୁଇପକ୍ଷ ରକ୍ଷା କରିବାକୁ ହେବ, ଅତଏବ କିଛି ଗୋଟାଏ ଦୋମୁଣ୍ଡିଆ କରି କହିବାକୁ ହେବ । ସୁତରାଂ ହରିବାବୁ କହିଲେ, ‘‘ଆହା, ଗରିବ ଛେଉଣ୍ଡ ପିଲାଟି, ତା ପାଇଁ ଆଉ କିଏ ଚାନ୍ଦ ବାଢ଼ିବ’’ ?

 

ବାସ୍ତବିକ ନୀଳୁ ବଡ଼ ଗରିବ ପିଲାଟିଏ । ବାପ ନାହିଁ, ମା’ ନାହିଁ–ପିଲାଟି ସାତବର୍ଷ କାଳରୁ ଆସି ଏଠାରେ ଭଉଣୀ ଘରେ ଅଛି । ଭଉଣୀର ପୁଣି ଭାଇଭଗାରୀ ଘର, ସେଥିକି ପୁଣି ନିଜେ ଭଉଣୀ ବର୍ଷେ ହେଲା ଇହଧାମ ଛାଡ଼ି ଚାଲିଗଲେଣି, ଅଛନ୍ତି କେବଳ ଭିଣୋଇ ନିତେଇ ବାବୁ । ନିତେଇ ବଡ଼ ଭଲ ଲୋକ । ହେଲେ, ଅବସ୍ଥା ଏତେ ଭଲ ନୁହେଁ ।

 

ନୀଳୁ ପିଲାଟି ଗାଁଯାକରେ ଗୋଟିଏ ପିଲା ଏକା–ଦେଖିବାକୁ ଯେମିତି ସୁନ୍ଦର ବୁଦ୍ଧିଶୁଦ୍ଧିରେ, ପାଠଶାଠରେ, ବ୍ୟବହାରରେ ତତୋଽଧିକ, ସେଥିପାଇଁ ସେ ପିଲାଟି ଗାଁ ଖଣ୍ଡିକରେ ପୁଅ–ତାକୁ କିଏ ନ ଦେଖିପାରେ ? ଏକେତ ଗରିବ, ପୁଣି ଏଡ଼େ ସୁବୋଧ, ତେଣୁ ତା’ ପାଇଁ ଗାଁ ମାଇପଯାକଙ୍କ କଥା ତ ଛାଡ଼ିଦିଅ, ଅଣ୍ଡାଟିଠାରୁ ଭେଣ୍ଡାଟିଏ ଯାଏଁ–ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ଧାଇଁଥାନ୍ତି । ନୀଳୁ ଦିନେ ବାଧିକି ପଡ଼ିଲେ ଗାଁର ସାତପିଲାଙ୍କର ଖିଆପିଆ ବନ୍ଦ–ସାତ ଲୋକଙ୍କର ଧାଁ’ଧଉଡ଼ର ପର୍ଯ୍ୟନ୍ତ ନ ଥାଏ ।

 

ଆଜି କୁମାରୀପୂର୍ଣ୍ଣିମାରେ ନୀଳୁ ବଡ଼ ବ୍ୟସ୍ତ–ସବୁଠାରୁ ତା’ର ପାଟି ଓ ପେଟ ତା’ ପାଇଁ ଖଣ୍ଡେ ନୂଆଲୁଗା ହୋଇଛି ସତ, ହେଲେ, ତାହା ହଳଦିଆ ହୋଇନାହିଁ । କିଏ ଅଛି ଯେ, ହଳଦାଇବ ! ଚାନ୍ଦ ତ ବଢ଼ା ହୋଇନାହିଁ ! ଏଥିରେ କିନ୍ତୁ ନୀଳୁର ଅଣୁମାତ୍ର ଦୁଃଖ ଥିବାର ବୋଧ ହେଉନାହିଁ–ଆନନ୍ଦ ମନରେ ଧାଇଁ ଧାଇଁ ବୁଲୁଅଛି ।

 

ଚାନ୍ଦବନ୍ଦାଣ ପୂର୍ବରୁ ନୀଳୁ ହସି ହସି ଆସି କନକର ସଯତ୍ନନିର୍ମିତ ଖୋଷାଟି ଭିଡ଼ିଦେଇ କହିଲା, ‘‘କି ଲୋ ଶୁଖୁଆଖାଇ–ଇସ୍, ଶୁଖୁଆଖାଇ, ଜହ୍ନିଖାଇ ପୁଣି ଓଷା କରୁଛନ୍ତି–ଦିଅ, ଏଇଟାକୁ ତଡ଼ି ଦିଅ ଏଠଉଁ ।’’ ଏସବୁର ଗୋଟିଏ କିଛି ଉତ୍ତର ଆଶାକରି ବୋଧହୁଏ ନୀଳୁ କନକ ଆଡ଼କୁ ଚାହିଁଲା, କିନ୍ତୁ ଦୁଃଖର ବିଷୟ କନକ ଅନ୍ୟଆଡ଼େ ମନ ଦେଇଥିଲା–ନ ହେଲେ ଗୋଟାଏ କଳିଗୋଳ ନ ହୋଇଯାଇ ନଥାନ୍ତା ।

 

ବାସ୍ତବିକ୍, ନୀଳୁ ପିଲାଟା ଏତେ ମେଳିଆ, ଏଡ଼େ ସୁବୋଧ, ହେଲେ, ଦିନରେ ଦୁଇଓଳି କନକ ସଙ୍ଗରେ ଟିକିଏ କଳିଗୋଳ ମାରପିଟ୍, ଦଙ୍ଗାଫିସାଦ ନ ହେଲେ ତାକୁ ଆଉ ଭାତ ରୁଚେ ନାହିଁ । ଯେତେବେଳେ ଦୁହିଁଙ୍କର ଭେଟ ହେଲା–ଆଉ ସେମାନଙ୍କର ଛାଡ଼ବାଡ଼ ସହଜରେ ଦେଖାଯାଏନାହିଁ–କାହାରି କିଛି ଅନିଷ୍ଟ ନ ହେବାଯାକେ କେଭେ ସାଙ୍ଗ ଛାଡ଼ନ୍ତି ନାହିଁ; ଯାହା ବା ଛଡ଼ାଛଡ଼ି ହୁଅନ୍ତି, ତାହା କେବଳ ଅନ୍ୟ କାହାରି କଥାରେ-କଳିଗୋଳ ଦେଖି କେହି ଛଡ଼ାଇ ଦେଲେ ଯାଇଁ । ନ ହେଲେ–ଶୁଣାଶୁଣିରୁ ଜଣାଯାଏ, ଦିନେ ପରା ଦୁହେଁ ବସି ବାଗ୍‌ବିତଣ୍ଡା, ହସଖୁସି, ରୁଷା ବେଉଷା, ମାରପିଟ୍, କନ୍ଦାକଟାରେ ଓଳି ଗୋଟାଏ କଟାଇ ଦେଇ ପୁଣିଥରେ ସେହି ସେହି ବ୍ୟବସାୟ ନୂଆକରି ଆରମ୍ଭ କରିବାକୁ ଯାଇଥିଲେ; କନକ ନୂଆବୋଉ ଆସି ଦୁହିଁଙ୍କୁ ଦୁଇବାଡ଼ି ଦେଇ କନକକୁ ଅଡ଼ାଇ ନେଇଗଲେ । ତଥାପି କନକ ନୀଳୁ ଭାଇକି ନ ଦେଖିଲେ ଦଣ୍ଡେ ରହିପାରେ ନାହିଁ, ଦେଖିଲେ ପୁଣି ଟିକିଏ ଚିମୁଟିଚାମୁଟି ଦେବାକୁ, ଟିକିଏ ଖତେଇ ବିଗୁଲେଇ ହେବାକୁ ଛାଡ଼େ ନାହିଁ, ନୀଳୁ ଟିକିଏ ଯଦି ଦଶାବିପାକରୁ ଅବଶ୍ୟ–ଏ ସବୁର ପ୍ରତିବ୍ୟବହାର ଦେବାକୁ ଯାଏ, ତାହାହେଲେ ଭୋ ଭୋ କରି ଡକା ପାରିବାକୁ ମଧ୍ୟ କୁଣ୍ଠିତ ହୁଏନାହିଁ । କନକର ଏସବୁ ପାଠରେ ଭାରି ଦଖଲ–ଗୋଟିଏ ଆଖିରେ କାନ୍ଦିବା ସଙ୍ଗେ ସଙ୍ଗେ ଅନ୍ୟ ଆଖିରେ ହସିବାରେ ଯେମିତି, ଆଖିରୁ ଲୁହ ପୋଛୁ ପୋଛୁ କାନରେ (ନୀଳୁର) ଛେପ ପକାଇବାରେ ଯେମିତି, ନୀଳୁ ଭାଇ ହାତ ଧରି ଚାଲୁଚାଲୁ ରାଗିଯାଇ ତା’ ଆଡ଼କୁ ପଛକରି ତାହାରି ପଛେ ପଛେ ଚାଲିବାରେ ଯେମିତି ଦଖଲ, ନୀଳୁ ଭାଇ ଏସବୁ ମାଳରୁ କିଛି ବରବାଦ୍ କରି ପକାଇଲେ ରଡ଼ିବାରେ ମଧ୍ୟ ତତୋଧିକ ! ନୀଳୁ ପିଲା ଚଲାଖ–ଲୁହା ଜାଣି ପାଣି ଦିଏ । ଦିନେ ଦିନେ ପ୍ରକାରାନ୍ତରେ ଏ କଠୋର ଶାସନର ପ୍ରତିବାଦ କରିବାକୁ ମଧ୍ୟ ଛାଡ଼େ ନାହିଁ । କନକ ଘରଠାକୁ ନ ଆସିଲେ ଚୂଡ଼ାନ୍ତ ପ୍ରତିବାଦ ହୁଅନ୍ତା ତଥାପି ତତୋଧିକ ଆତ୍ମ ପରୀକ୍ଷା ସହ୍ୟ କରିବା ଅସମ୍ଭବ–କନକକୁ ନ ଦେଖିଲେ ତା’ଦ୍ୱାରା ପ୍ରପୀଡ଼ିତ ନ ହେଲେ ତ ନ ହୁଏ ! ଅତଏବ ଯେଉଁଦିନ ଖିଆଲ ଉଠେ ଯେ, ଆଜି କନକକୁ ଜବତ୍ କରିବି, ସେ ଦିନ ତାକୁ ବରଂ ଟିକିଏ ସହଳ ସହଳ ତାଙ୍କ ଘର ଠାକୁ ଯିବାକୁ ହୁଏ, ଯାଇଁ, କନକ ଆସିବା ଆଗରୁ ବଉଳଗଛ ଉପରେ ବସି ରହେ–କନକ ଆସିଲେ ମଜାଟା ଦେଖିବ । ଯାହାହେଉ ଏ ଆଶାରେ ତାକୁ ଦିନେ ହେଲେ ନିରାଶ ହେବାକୁ ପଡ଼େ ନାହିଁ–ବାସ୍ତବିକ୍, ମଜାଟା ଦେଖିବାର ଭଳିଆ ଜିନିଷ ଏକା !

 

ଫୁଁ ଫୁଁ କରି ଶଙ୍ଖ ବାଜି ଉଠିଲା । ବଡ଼ ଓଷେଇତୀ ନିଜ ଶଙ୍ଖଟି ତଳେ ଥୋଇଦେଇ ଭୋଗ ପାଣିଛଡ଼ାଇ ଦେଲେ-ଚାନ୍ଦବନ୍ଦାଣ ହୋଇଗଲା । ତେଲଦୀପରେ ଚନ୍ଦ୍ର କେତେଦୂର ପ୍ରୀତ ହେଲେ କେଜାଣି, କିନ୍ତୁ ପିଣ୍ଡିଟି ଉପରେ ଶହେ ଚନ୍ଦ୍ର ଝଲସି ଉଠିଲା–ସେ ଠିକ୍ ନୈବେଦ୍ୟ ଗ୍ରହଣ କଲେ ପରା !

 

ସବୁ ସରିଗଲା । ସମ୍ମାନସ୍ଥାନୀୟା କୌଣସି ପ୍ରୌଢ଼ା ଆସି ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅର୍ଘ୍ୟ ଦେଇଗଲେ । ନିଜ ନିଜ ‘ଚାନ୍ଦ’ ଧରି ଯେ ଯାହା ଘରକୁ ଚାଲିଗଲେ, ଏକା ନୀଳୁ ଖାଲି ହାତରେ ସେହିଠାରେ ଥକ୍‌କା ହୋଇ ଛିଡ଼ା ହୋଇଥାଏ । ଏହି ସମୟରେ ଦୁଇ ହାତରେ ଦୁଇଟା ଥାଳିଧରି ‘ନୀଳୁଭାଇ’ ‘ନୀଳୁଭାଇ’ ବୋଲି ଡାକି ଡାକି ଦେଖାଦେଲା କନକ ଦୂରରୁ କହିଲା–‘‘ନୀଳୁଭାଇ, ଦେଖ ଦେଖ ମୋର ଦିଇଟା ଚାନ୍ଦ । ଛି ଛି, ତୋର–ତୋ ଚାନ୍ଦ କାହିଁ ? ଛି ଲୋ ଛି ? ୟାର ଚାନ୍ଦ ନାହିଁ ଲୋ ନାହିଁ !’’ ନୀଳୁ କିଛି କହିଲା ନାହିଁ ଦେଖି ହସି ହସି ଆସି ତା’ କପାଳରେ ଟିକା ମାରିଲା । ନୀଳୁ ତା’ର ଯେଉଁଠି ସେଇଠି କାଠପିତୁଳାଟି ପରି ଛିଡ଼ା ହୋଇଥାଏ–ମୁହଁ ତଳକୁ, ଏ ଶରତ୍‌କାଳରେ ସୁଦ୍ଧା ଦେହରୁ ବିନ୍ଦୁ ବିନ୍ଦୁ ଝାଳ, ମୁହଁରେ କଥା ନାହିଁ । କନକକୁ ଦେଖି ନୀଳୁ ହାତପିଠିଟା ଚଟ୍ କରି ଆଖିରେ ଘଷି ଦେଲା । କନକ ଏଣେ ନୀଳୁ ଲୁଗାକୁ ଲକ୍ଷ୍ୟ କରି କହିଲା–‘‘ଦେଖ ନୀଳୁ ଭାଇ, ମୋର କେମିତି ହଳଦିଆ ଲୁଗା । ତୋ ଲୁଗାଟା ଧୂଆ ବି ହୋଇ ନାହିଁ-। ଛି, ଛି ! ମୁହଁକୁ ଲାଜ ନାହିଁ–ଆହୁରି କାନ୍ଦୁଛନ୍ତି !’’ ନୀଳୁ ଏତେବେଳକୁ ଲୁହ ପୋଛି ପୋଛି ଦେଇ ଗଳା ସଫା କରୁଥିଲା, କନକ କଥା ଶୁଣି ଆଉ ସମ୍ଭାଳି ନ ପାରି ଫୁଲି ଫୁଲି କାନ୍ଦି ଉଠି ସେଠାରୁ ଦଉଡ଼ି ପଳାଇଗଲା ।

 

କନକ ତ କେଭେଁ ନୀଳୁ ଭାଇକି ଏପରି ଭାବରେ କାନ୍ଦିବାର ଦେଖିନାହିଁ-ବଡ଼ ବିଷମ ସମସ୍ୟା, ‘ନୀଳୁ ଭାଇଟା ଇମିତି କାନ୍ଦୁଛି କାହିଁକି ?’ ମନକୁ କୌଣସି ପ୍ରକାରେ ବୁଝାଇ ନପାରି ନିଜେ ବସି ବିଧିମତେ ଉଚ୍ଛ୍ୱସିତ ଭାବରେ କାନ୍ଦିବାକୁ ଲାଗିଲା । ଆଉ କ’ଣ କରିବ ବିଚାରୀ–ଚାନ୍ଦଯୋଡ଼ାକ ଦୁଇ ହାତରେ ଧରି ପୁଳାପୁଳା କରି ଛିଣ୍ଡାଇ ଚକଟାଚକଟି ପରସ୍ତେ କରିଦେଲା, କିନ୍ତୁ ସେଥିରୁ ତ କିଛି ବୁଦ୍ଧି ବାହାରିଲା ନାହିଁ ! ଅତଏବ ଥାଳିଯୋଡ଼ାକ ଠେଲି ଦେଇ ସ୍ଥିରପ୍ରତିଜ୍ଞ ଭାବରେ ମନମାଫିକ ଦମେ କାନ୍ଦି ନେବାକୁ ବସିଗଲା । କାନ୍ଦୁଛି, ଲୁହ ଶୁଖୁ ନାହିଁ, କୌଣସି ଆଡ଼କୁ ଭ୍ରୂକ୍ଷେପ ନ କରି କାନ୍ଦୁଛି । ହଠାତ୍ କାହାର ଗୋଟିଏ କ୍ଷୁଦ୍ର ସୁକୋମଳ ହସ୍ତ ତାହାର ଢଳଢଳ ପଦ୍ମପରି ଭରା ଚକ୍ଷୁ ଯୋଡ଼ିକୁ ଚାପି ଧରିଲା, ଆଉ ଗୋଟିଏ ହାତ ତାହାର ରକ୍ତିମାଭ ଚିକ୍‌କଣ କପୋଳରେ ଟିକା ମାରିଲା । ଭରାକଣ୍ଠରେ ନୀଳୁ କହିଲା, ‘ଇଃ !’ ବାଳିକା ଚମକି ଉଠି ହାତ ଛଡ଼ାଇବାକୁ ଗଲା, କିନ୍ତୁ ହାତ ଆପେ ଛାଡ଼ିଗଲା, ଆଉ ନୀଳୁ ଆଗକୁ ଡେଇଁ ଆଙ୍ଗୁଳି ଦେଖାଇ କହିଲା, ‘‘କି ଲୋ, ମୋତେ କହୁଥିଲୁ ପରା !’’ ନୀଳୁର ଇଚ୍ଛା–କନକ ଆଉ ଟିକିଏ କାନ୍ଦୁ, କିନ୍ତୁ କାନ୍ଦିବା କଥା ଦୂରେ ଥାଉ, କନକ ଏକଦମକେ ପୂରା ଗମ୍ଭୀର ହୋଇଗଲା–ଯେମିତି ଆଉ କାନ୍ଦିବ ନାହିଁ । ନୀଳୁକୁ ଏଇଟା କେମିତି ନୂଆବୋଧ ହେଲା–ସେ ବିସ୍ମିତ ହୋଇ ତା’ ଆଡ଼କୁ ଚାହିଁ ରହିଲା-। କନକର ସଦ୍ୟସ୍ନାତ ମୁଖଟି ରଙ୍ଗ ପଡ଼ିଗଲା । ସେ ତରତର ହୋଇ କହିଲା–‘‘ନୀଳୁ ଭାଇ, ତମ ଚାନ୍ଦ ନିଅ, ଏଇଟା ତମ ଚାନ୍ଦ !’’

 

ନୀଳୁ ନ ଶୁଣିଲା ପରି କହିଲା–‘‘କହିଲୁ କନକ, ତୁ କାନ୍ଦୁ ନାହୁଁ କାହିଁକି, କହିଲୁ ?’’

 

‘‘ମୁଁ ତୋପରି ହେଇଛି, ନୁହେଁ ?’’

 

‘‘କାନ୍ଦୁଥିଲୁ କେମିତି ? ଇଃ !’’

 

‘‘କାହୁଁ, କିଏ କାନ୍ଦୁଥିଲା, କେତେବେଳେ ? ତୁ ତ କାନ୍ଦୁଥିଲୁ, ମୁଁ କୁଆଡ଼େ କାନ୍ଦିବି !’’

 

ନୀଳୁ ! କିନ୍ତୁ ହଠାତ୍ କନକର ହାତ ଯୋଡ଼ିକ ଦୁଇ ହାତରେ ଧରି ଆଖି ଛଳଛଳ କରି କହିଲା–‘‘ଆଚ୍ଛା କଙ୍କି, ତତେ ମୋ ରାଣଟି, କହ କାହିଁକି କାନ୍ଦୁଥିଲୁ ?’’

 

‘‘ତୁ କାନ୍ଦିବୁ, ମୁଁ ଟିକିଏ କାନ୍ଦିଲେ ଅଖ ଲାଗିଗଲା ! ଯା, ମୁଁ ଫେର୍ କାନ୍ଦିବି ଯେ !’’

 

‘‘ବସ୍ ବସ୍, ରହ, କାହିଁକି କାନ୍ଦୁଥିଲୁ କହ, ନ ହେଲେ ଛାଡ଼ିବି ନାହିଁ !’’

 

‘‘ତୁ କାହିଁକି କାନ୍ଦୁଥିଲୁ କହୁ ନାହୁଁ ?’’

 

‘‘ମୁଁ କ’ଣ ଆଉ କାନ୍ଦୁଛି ? ଆଉ କାନ୍ଦିବି ନାହିଁ, ଯା !’’

 

‘‘ଆଉ କ’ଣ ମୁଁ କାନ୍ଦୁଛି,–ଭାରି ଚାଇଁ ! ନିଅ ଏବେ ତମ ଚାନ୍ଦ ଖାଇବ ତ ଖା, ନ ହେଲେ ମୁଁ ମୋର ଯାଉଛି !’’

 

ନୀଳୁ ଆଉ ଗାମ୍ଭୀର୍ଯ୍ୟ ରଖିପାରିଲା ନାହିଁ, ହୋ ହୋ, କରି ହସି ଉଠିଲା ।

 

ନିଜ ନିଜ ଚାନ୍ଦ ହାତରେ ଧରି ଦୁହେଁ ଉଠିଲେ, ଖାଇ ଖାଇ ଚାଲିଲେ । ଦୁହିଁଙ୍କ ମୁଖରେ ମଧୁର ହାସ୍ୟରେଖା ଫୁଟି ଉଠୁଅଛି । ଦୁହେଁ ନିର୍ବାକ୍ ଭାବରେ ଚାଲିଅଛନ୍ତି । ଉପରେ ସ୍ୱଚ୍ଛ ଶାରଦୀୟ ଆକାଶର ମଧୁର ପୂର୍ଣ୍ଣିମା ଚାନ୍ଦ–ଜଗତ୍ ବିମଳ ଜ୍ୟୋସ୍ନାରେ ଭାସୁଅଛି, ଆଉ ପିଲା ଯୋଡ଼ିକଙ୍କ ନବୀନ ପ୍ରାଣ କିପରି ଗୋଟିଏ ମଧୁର ଛାଇ ଯାଇଅଛି ! ଆଜି ଏ ଶୋଭାର ଅସୀମ ପ୍ରବାହରେ ନିୟତିର ସ୍ଥିର ଅଧୀରତାର ମନ୍ଦ ପବନରେ ଏ କ୍ଷୁଦ୍ର ହୃଦୟଯୋଡ଼ିକ କେଉଁ ଆଡ଼କୁ ଭାସିଯାଇଛି, କେଜାଣି !

 

(୨)

 

ହରିହର ପଟ୍ଟନାୟକଙ୍କ ଘର ଭଦ୍ରକ ସହର ନିକଟସ୍ଥ ଗୋବିନ୍ଦପୁର ଗ୍ରାମରେ । ସେ ଗ୍ରାମର ଜଣେ ମୁଖିଆ ଲୋକ । ତାଙ୍କ ଛଡ଼ା ଆଉ କେହି ସେ ଗ୍ରାମରୁ ଇଂରାଜୀ ଶିକ୍ଷା ପାଇ ନ ଥିଲେ । ହରିବାବୁଙ୍କ ସ୍ୱର୍ଗତ ପିତା ମୁକ୍ତାରି କରି ଅନେକ ଟଙ୍କା ଉପାର୍ଜନ କରିଥିଲେ ଓ ତାଙ୍କୁ ଇସ୍କୁଲରେ ପଢ଼ାଇ ଓକିଲ କରିବାର ଇଚ୍ଛା କରିଥିଲେ, କିନ୍ତୁ ହରିବାବୁ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ପୂର୍ବରୁ ତାଙ୍କର ଅକାଳ ବିୟୋଗ ହେବାରୁ ପାଠପଢ଼ା ଛାଡ଼ି ହରିବାବୁଙ୍କୁ ଚାକିରି କରିବାକୁ ପଡ଼ିଲା । ଭଦ୍ରକ କଲେକ୍ଟରୀ କଚେରିରେ କିରାଣୀ କାମରେ ପଶି ବର୍ତ୍ତମାନ ସେ ନାଜର କାମରେ ସୁପ୍ରତିଷ୍ଠିତ ଅଛନ୍ତି ।

 

ଗୋବିନ୍ଦପୁର ଗ୍ରାମଟିରେ ସମସ୍ତେ କଚେରିଆ । ଅନେକଗୁଡ଼ିଏ କରଣରଙ୍କର ସେଠାରେ ବାସ; କିନ୍ତୁ ସମସ୍ତେ ପ୍ରାୟ ଦରିଦ୍ର–କଚେରିରେ ମୋହରିର ବା ଟାଉଟରି ହେଲା ଅଧିକାଂଶଙ୍କର ପେସା । କେବଳ ଏହି ପଟ୍ଟନାୟକଙ୍କ ଘରଟି ଚଳେ ଭଲ । ହରିବାବୁ ମଧ୍ୟବିତ୍ତ ଗୃହସ୍ଥ ତାଙ୍କ ଘରକୁ ସେ ନିଜେ, ତାଙ୍କ ସ୍ତ୍ରୀ ସରସ୍ୱତୀ ଦେଈ ଓ ଗୋଟିଏ ସାନ ଭଉଣୀ କନକ ବା କଙ୍କି । ବାପାଙ୍କ କାଳ ହେଲା ପୂର୍ବରୁ ମାତା ଇହଲୋକ ଛାଡ଼ି ଯାଇଥିଲେ । ୫/୬ ବର୍ଷ ବେଳକୁ କନକ ମାତୃହୀନା ସେହିଦିନୁ ସେ ନୂଆବୋଉଙ୍କ (ସରଦେଈ) ହାତରେ ବଢ଼ୁଅଛି ଓ ଗଢ଼ା ହୋଇ ଆସୁଅଛି । ସେ ଗଢ଼ାହେବା ପୁଣି ସାଧାରଣ ରକମର ନୁହେଁ, କୁମ୍ଭକାର ଯେପରି ମାଟି ପିଣ୍ଡୁଳାଟିକୁ ବାଡ଼େଇ ନିଜ ଇଚ୍ଛାନୁରୂପ ପାତ୍ର ଗଢ଼େ, ଏ ସେହିପରି । ପାର୍ଥକ୍ୟ ମଧ୍ୟରେ ଏତିକି ଯେ, କନକ ମାଟି ପିଣ୍ଡୁଳାଟି ସହଜ ନୁହେଁ–ତା’ ହାତଗୋଡ଼ କଥା କହେ ସରଦେଈଙ୍କର ପ୍ରକୃତି ଟିକିଏ ଖର ହରିବାବୁ କଚେରିରେ ଯାହା ହୁଅନ୍ତୁ ଘରେ କିନ୍ତୁ ଏ ହାକିମଙ୍କ ପାଖରେ କୁକୁର ହୋଇଥାନ୍ତି । କନକ ଘରେ ସ୍ନେହ ଆଦର ଯାହା ପାଏ, ସେ ସବୁ ଭାଇଙ୍କଠାରୁ ନୂଆବୋଉଙ୍କଠାରୁ ଗାଳି ମାଡ଼, ବକାଝକା ଛଡ଼ା ଆଉ କିଛି ପାଇବାର ସୌଭାଗ୍ୟ ତା’ର ବେଶି ହୁଏ ନାହିଁ । ତା’ ବୋଲି ସେ ସରଦେଈ କନକକୁ ସ୍ନେହ ନ କରନ୍ତି, ତାହା ବୋଲାଯାଇ ନ ପାରେ–କେବଳ ତାଙ୍କ ବାହ୍ୟ ବ୍ୟବହାରରୁ କିଛି ଜାଣିପାରିବା କଷ୍ଟ । ଯେ ହେଉ, କନକ ସେ ଯୋଗେ ଘରେ ପଶେ ନାହିଁ–ପୁଅପୁଅକା ଲୁଗାଖଣ୍ଡେ ପିନ୍ଧି ଦାଣ୍ଡରେ ଚାରିଆଡ଼େ ତା’ ନୀଳୁଭାଇ ସାଙ୍ଗରେ ଖେଳି ବୁଲେ ଓ ଭାଇଙ୍କ ଆସିବା ବେଳ ହେଲେ ଦାଣ୍ଡରୁ ତାଙ୍କ ସଙ୍ଗ ନେଇ ନୂଆବୋଉଙ୍କ ନାମରେ ନାଲିସ୍ ଫେରାଦ କରୁଁ କରୁଁ ଘରକୁ ଆସେ ।

 

ଏହିପରି ନୀଳୁ ଓ କନକର ବାଲ୍ୟଜୀବନଟା କଟିଗଲା । ନୀଳୁ ଇସ୍କୁଲରେ ପଢ଼ିଲା ଦିନଠୁଁ ଦୁହିଁଙ୍କୁ ଦେଖାସାକ୍ଷାତର ସୁଯୋଗ କ୍ରମେ କମିଆସିଲା । କନକକୁ କିଛି ପାଠ ପଢ଼ାଇବା ମଧ୍ୟ ହରିବାବୁଙ୍କ ଇଚ୍ଛା, କିନ୍ତୁ କନକର ପାଠରେ ମନ ନାହିଁ । ନୀଳୁ ଦିନେ ମୁରବିୟାନା କରି ବସିଲାରୁ ଆଶାତୀତ ଫଳ ଫଳିବାର ଦେଖି ହରିବାବୁ ତାକୁ ହିଁ କନକର ଭାର ଦେଇଦେଲେ । ନୀଳୁ ତ ହରିବାବୁଙ୍କ ଘରେ ପଢ଼ାପଢ଼ି କରେ, ଏବେ କନକ ମଧ୍ୟ ବହି ବସ୍ତାନି ନେଇ ତା’ ଆଗରେ ବସିବାକୁ ଆରମ୍ଭ କଲା । କ୍ରମେ ନୀଳୁର ମନଯୋଗ ଦେଖି କନକର ମଧ୍ୟ ପାଠରେ ମନ ବସିଲା, କିନ୍ତୁ ନୀଳୁଭାଇ ଛଡ଼ା ଆଉ କାହାରି ପାଖରେ ସେ ପଢ଼ିବ ନାହିଁ–ଏତକ ସେ ସ୍ପଷ୍ଟ ସମସ୍ତଙ୍କୁ ଜଣାଇ ଦେଇଥିଲା ।

 

କନକର ମଧ୍ୟ ବୟସ ହେଲା । ସରଦେଈ ତାକୁ ଆଉ ଘରୁ ଛାଡ଼ିବାକୁ, ନୀଳୁ ସହ ଦେଖାସାକ୍ଷାତ ହେବାକୁ ଅମଙ୍ଗ ହେଲେ । ଫଳରେ ନୀଳୁ ଏଣ୍ଟ୍ରାନ୍ସ ପାସ୍ କରିସାରିଲା ବେଳକୁ ଦୁହିଁଙ୍କର ଦେଖା ପର୍ଯ୍ୟନ୍ତ ପ୍ରାୟ ବନ୍ଦ ହୋଇଗଲାଣି । ଏହି କେତେଦିନର ବିଚ୍ଛେଦରେ ଦୁହେଁ ନିଜ ବାଲ୍ୟସ୍ମୃତି ଉପରେ ଆହୁରି ରଙ୍ଗୀନ ଚିତ୍ରମାନ ନ୍ୟୂନାଧିକ ରଚନା କରି କି ସୁଖ, କି ଦୁଃଖ ଯେ ଅନୁଭବ କରିଥିଲେ, ତାହା କିଏ କହିବ ? କିନ୍ତୁ ସମ୍ପୂର୍ଣ୍ଣ ବିଚ୍ଛେଦ ବାକି ଥିଲା ଏବେ ହେଲା । ନୀଳୁ ଏଣ୍ଟ୍ରାନ୍ସରେ ବୃତ୍ତି ପାଇଲେ । ହରିବାବୁଙ୍କ ଚେଷ୍ଟା ଓ ସାହାଯ୍ୟରେ କଟକ ଯାଇ ତାଙ୍କର ଏଫ୍.ଏ. ପଢ଼ିବାର ସ୍ଥିର ହୋଇଗଲା । ସେତେବେଳକୁ କନକର ବୟସ ୧୪ବର୍ଷ ।

 

ନୀଳୁ କଟକ ଯିବାର ସ୍ଥିର ହୋଇଗଲା ଦିନୁ ଯିବା ଦିନଯାଏ ପ୍ରାୟ ଏକ ମାସ କାଳ ଦୁହିଁଙ୍କର ସାକ୍ଷାତ ହୋଇ ନାହିଁ–କ’ଣ ଭାବି ଦୁହେଁ ଦୁହିଁଙ୍କି ଲୁଚି ଲୁଚି ବୁଲୁଛନ୍ତି । କନକର ସେ ହାସ୍ୟମୟୀ ପ୍ରକୃତି, ସେ ଚଞ୍ଚଳତା କୁଆଡ଼େ ଗଲାଣି; ନୀଳୁ ମଧ୍ୟ କିପରି ଗମ୍ଭୀର ହୋଇ ଉଠିଅଛି । ଦୁହିଁଙ୍କର ଏପରି ଭାବର କାରଣ ଦୁହେଁ ସ୍ପଷ୍ଟ ବୁଝିଥିଲେ ହେଁ କେହି କାହାରି ଆଗକୁ ଆସିବାକୁ ସାହସ କରୁନାହାନ୍ତି । ଆଜି ବିଦାୟ ମୁହୂର୍ତ୍ତରେ ନୀଳୁ ମଧ୍ୟ କନକକୁ ଖୋଜିଲା ନାହିଁ । ନୂଆବୋଉଙ୍କଠାରୁ ବିଦାୟ ନେଇ ଆସିବାବେଳେ ସେଠାରେ କନକ ନ ଥିବା ଦେଖି ସୁଦ୍ଧା କିଛି କହିଲା ନାହିଁ । ଛଳ ଛଳ ନେତ୍ରରେ ସେ ଘରୁ, ବାହାରି ଆସିଲାବେଳେ ସେପଟ କୋଣଘର ଉପରେ ସ୍ୱତଃ ତାହା ଦୃଷ୍ଟି ପଡ଼ିଗଲା । ଠିକ୍ ସେହି ମୁହୂର୍ତ୍ତରେ କାହାର ଗୋଟାଏ ଚଞ୍ଚଳ ଶାଢ଼ୀପଣନ୍ତ ଝଟ୍ ସେ ଘର ଭିତରେ ପଶି ଲୁଚିଗଲା–କିଏ ଗୋଟିଏ ତାକୁ ଥରେ ମାତ୍ର ଦେଖିବା ଆଶାରେ ଛିଡ଼ା ହୋଇଥିଲା–ଧରା ପଡ଼ିବା ଭୟରେ ହଠାତ୍ ଭିତରେ ଅଦୃଶ୍ୟ ହୋଇଗଲା ଯେମିତି-। ନୀଳୁ ସେ ଆଡ଼କୁ ନ ଅନାଇ ଏକମୁହାଁ ହୋଇ ବାହାରି ଚାଲିଗଲା ।

 

(୩)

 

‘‘ହଇ ହୋ, କ’ଣ କରିବା ? କନକର ତ ଆସି ବୟସ ହୋଇଗଲା, ବାହାଘରଟା କରିପକାଇଲେ ହୁଅନ୍ତା, କଥା ହେଉଛି–ସୁପାତ୍ର ମିଳୁଛି କାହିଁ ? ମୁଁ ତ ରହିଲି କଚେରିରେ, ତମେ ତ ରହିଲ ଘରକାମରେ; ଏସବୁ କଥା ଦେଖୁଛି ଶୁଣୁଛି କିଏ ? ଗୋପୀନାଥପୁର ମଧୁ ପିସାଙ୍କ ସାଙ୍ଗରେ ଦେଖା ହୋଇଥିଲା । ସେ କହିଲେ–‘‘ଝିଅଟା ଆସି ବୁଢ଼ୀ ହେଲା, ବାହା ନାଁ ତ ଧରିବାକୁ ନାହୁଁ । ତୁ ନ କଲେ କିଏ କରିବ ? ତା’ ମା’ ଯଦି ଥାନ୍ତା–’’

 

‘‘ମା’ ଥିଲେ ଖାଲି ସରଗରେ ନେଇ ଥୋଇ ଆସନ୍ତେ ପରା ! ତମ ଝିଅ, ତମ ଭଉଣୀ, ତମର ସବୁ । ତମେ ରଖ, ଆମକୁ ଏତେ ଖୁଣ୍ଟା କାହିଁକି ଲୋ ମା’ ! ଏ ଜଳଜଳା ଜୀବନଟା ଯା ମୋର ଗଲା ନାହିଁ ! କ’ଣ ନା, ମା’ ଥା’ନ୍ତା । କିଲୋ ମା–‘ମୁଁ ତ ଖାଏଁ ମୋର ଭାତ, ତୋର କାହିଁକି ଗାଲରେ ହାତ !’ ନାହିଁ ନାହିଁ, ସେ ପୋଡ଼ା ଝିଅ ଖଣ୍ଡକ ପରା ମତେ ଜଳେଇ ପୋଡ଼େଇ ଖାଇବ ! କି, ମୁଁ ତ ତମକୁ ସେ ଦିନଠୁଁ କହୁଛି । ଆମ ଗାଁ ନଟ ତ ତେରସ୍ତା ବାହା ହୋଇଗଲା, ତାକୁ ତ ଦେଇଥିଲେ ହେଇଥାନ୍ତା । ମୁଁ ତ ତମକୁ କହୁଛି, ମତେ କାହିଁକି ଇଏ ସିଏ ଖୁଣ୍ଟା ଦେବ । କିଏ କାହିଁକି ପଦେ କହିବ ନା ?’’

 

‘‘କିଏ ତମକୁ କ’ଣ କହିଲା ମ ? ମୁଁ ତ ଭଲ କଥା କହୁଛି, ତମେ ଏତେ ଖପା ହୋଇଯାଉଛ କାହିଁକି ? ନଟ ତ ବାହା ହୋଇଗଲାଣି, ସେଥିପାଇଁ ତ ଝିଅ ବାଡ଼ୁଅ ରହିବ ନାହିଁ ! କାହାକୁ ଦେବା, ମୁଁ ସେଇଆ ପଚାରୁଛି ?’’

 

‘‘ତମ କଥା ତମେ ଜାଣ, ମୁଁ କାହିଁକି କହିବି ଲୋ ମା’ ! ମୁଁ କାହାର କିଏ ? ତମ ଭଉଣୀ ରାଣୀ ହେବେ–ମୁଁ ତ ଗରିବ ଘର ଝିଅ, ବଡ଼ ବଡ଼ କଥାରେ ମୋ ମୁଣ୍ଡ ପଶେ ନାହିଁ !’’

 

‘‘ଗଲା ତ ଆଉ; ଗଲା ସବୁ ସରିଗଲା ଯେ ! ତମ ନଟ ତ ବାହା ହେଇ ଗଲାଣି, ନ ହେଲେ ଭଲା ତାକୁ ଦିଆ ହୋଇଥାନ୍ତା । ମୋରି କସୁର୍ ହେଲା, ମୁଁ ତମ କଥା ଶୁଣି ନାହିଁ । ଏବେ କାହାକୁ ଦେବା କହିଲ ? ମୁଁ କହୁଛି ଏଇ, ଏଇ–ନୀଳୁ କଥା ହେଲେ ହୁଅନ୍ତା ନାହିଁ ନା ? ଏଥର ତ ଏଫ୍.ଏ.ରେ ସ୍କଲାରସିଫ୍–ଜଳପାନୀ ପାଇ ବି.ଏ. ପଢ଼ୁଛି–ପୁଣି ଓକିଲାତି ପଢ଼ିବ । ପିଲାଟା ଯେମିତି ବୁଦ୍ଧିଆ, ସେମିତି ଉଦ୍‌ଯୋଗୀ–ଆପଣା ବାହୁବଳରୁ ମାରିଗଲା ନା, ଆଉ କ’ଣ ? କ’ଣ କହୁଛ ? ଏମିତି ନାକସିଟକା ମତେ ଭଲଲାଗେ ନାହିଁ । କ’ଣ ସଫା କଥାଟା କହୁ ନାହଁ କାହିଁକି ?’’

 

‘‘କର, ତମର କରୁ ନାହିଁ; ମୋର କ’ଣ ଅଛି ? ତୁମ ଭଉଣୀକି ତମର ଗଛ ମୂଳରେ ବସାଇଲେ ବସାଇବ, ରାଣୀ କଲେ କରିବ–ସେ ତମକୁ ଶୋଭା ଦିଶିବ । ଆମେ କାହିଁକି ସେଥିରେ ପାଟି ଫିଟାଇବୁ ଲୋ ମା–’’

 

‘‘ଆରେ ଯାଉଛ କୁଆଡ଼େ ମ ? ଶୁଣ, ମୁଁ ଗୋଟିଏ କଥାକୁ କହୁଥିଲି ନା–ଯାଃ, ମଲା ମଣିଷ ଆସି !’’

 

ଯେତେବେଳେ ଦୁଆର ପିଣ୍ଡାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏପରି କଥୋପକଥନ ଚାଲିଥିଲା, ସେତେବେଳେ ନିକଟସ୍ଥ ଗୃହ ମଧ୍ୟରେ ଗୋଟିଏ ନବୀନା ଯୁବତୀ ଖଣ୍ଡିଏ ସଉପ ଉପରେ ଶୋଇଥିଲେ–ଜାଗ୍ରତ କି ନିଦ୍ରିତ ହଠାତ୍ ଜଣାଯିବ ନାହିଁ; ତେବେ ଏପରି ନିଶ୍ଚଳ ନିସ୍ତବ୍ଧ ଭାବରେ ପଡ଼ି ରହିଛନ୍ତି ଯେ, ଘରେ କେହି ଥିବାର ବାହାର ଲୋକ ଜାଣିପାରିବେ ନାହିଁ; ଏଥକୁ ଅଘୋର ନିଦ୍ରାରେ ପଡ଼ିଥିବାର ବିଶେଷ ସମ୍ଭାବନା । ହେଲେ, ନିଦ୍ରିତ ବ୍ୟକ୍ତିର ନିଶ୍ୱାସ ପ୍ରଶ୍ୱାସରେ ଟିକିଏ ଶବ୍ଦ ହେବା ବିଶେଷ ସମ୍ଭବ–ୟାଙ୍କର କିନ୍ତୁ ଘନ ଘନ ଶ୍ୱାସକ୍ରିୟା ଚଳୁଥିଲେ ହେଁ ଟିକିଏ ମାତ୍ର ଶବ୍ଦ ଶୁଣାଯାଉ ନାହିଁ । ସେ ଯାହାହେଉ, ପୂର୍ବୋକ୍ତ କାଥୋପକଥନର ଶେଷାଂଶଦ୍ୱାରା ତାଙ୍କର ପୂର୍ଣ୍ଣ ଚେତନା ଆସିବାର ଜଣାଗଲା । କାରଣ, ତାହା ସରୁ ନ ସରୁଣୁ ନବୀନାଟି ଅତି ସନ୍ତର୍ପଣରେ ଉଠି ଓଷ୍ଠାଧର ଦଂଶନ କରି, ଗୋଡ଼ର ମଲ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଧରି ନିଃଶବ୍ଦ ଭାବରେ ସେ ଘରୁ ଅନ୍ୟ ଦ୍ୱାର ଦେଇ ବାହାରିଗଲେ–ଆଉ ଯାହା କରନ୍ତୁ, ଅନ୍ତତଃ ଅତ୍ୟନ୍ତ ସଚେତ ନିଦ୍ରାର ପରିଚୟ ଦେଇଗଲେ ।

 

ନବୀନା ଯୁବତୀଟି କିଏ ? ଆମ୍ଭମାନଙ୍କର ପୂର୍ବପରିଚିତା କନକ ବା ‘କଙ୍କି’କୁ ବର୍ତ୍ତମାନ ଯୁବତୀ ଛଡ଼ା କିଛି ବୋଲାଯାଇ ନ ପାରେ ।

 

ବାସ୍ତବିକ୍, ଦୁଇବର୍ଷ ବିତିଗଲାଣି, କନକର ବର୍ତ୍ତମାନ ବିବାହ ଯୋଗ୍ୟ ବୟସ ମଧ୍ୟ ଉତ୍ତୀର୍ଣ୍ଣ ହୋଇଗଲାଣି । ଅଧିକ କ’ଣ, କନକ ବର୍ତ୍ତମାନ ଭାଇ ଭାଉଜଙ୍କ କଣ୍ଟକ, ସାଇପଡ଼ିଶାଙ୍କର ଲଜ୍ଜାର ବିଷୟ, ଗ୍ରାମର ନିନ୍ଦାର କାରଣ, ଶତ୍ରୁମାନଙ୍କର ଉପଭୋଗର ସହାୟ, ପ୍ରତିଦ୍ୱନ୍ଦ୍ୱୀ କରଣ–ସାଆନ୍ତମାନଙ୍କର ଗମ୍ଭୀର ଆଲୋଚନାର କେନ୍ଦ୍ର । ଗୃହରେ ଗୂଢ଼ ଆନ୍ଦୋଳନ, ସାଙ୍ଗ ମେଳରେ ମଧୁର ପରିହାସ ଜ୍ୱାଳା, ତୁଠରେ-ଘାଟରେ-ବାଟରେ-ଚାରିଆଡ଼େ ତୀବ୍ର କଟାକ୍ଷ ସଙ୍ଗେ ସଙ୍ଗେ କର୍ଣ୍ଣଚୁମ୍ଭୀ ଗୁପ୍ତ ସମ୍ଭାଷଣ, ସାଧାରଣ ସ୍ତ୍ରୀ ମହଲରେ ଗଭୀର ଆନ୍ଦୋଳନ–ଏ ସବୁ କନକର ଜୀବନକୁ ଏହି ଦିନରୁ ସ୍ୱପ୍ନ କରି ପକାଇଲାଣି ।

 

ସେଦିନ କନକ ଆଉ କୁଆଡ଼େ ନଯାଇ ଭାଇଙ୍କ ଶୋଇବା ଘରେ ବସି ଟିକିଏ ନିର୍ଜନତା ଭୋଗ କରୁଥିବାବେଳେ ଦୂରରେ ଭାଇଙ୍କ ପାଟି ଶୁଣି ସେ ଘରୁ ବାହାରି ଯିବାକୁ ମନସ୍ଥ କରିଅଛି, ଏତିକିବେଳେ ଭାଇ ଭାଉଜ ଦୁହେଁ ଆସି ସେହି ପିଣ୍ଡାରେ ବସି ପୂର୍ବୋକ୍ତମତେ କଥୋପକଥନ କରିବାକୁ ଲାଗିଲେ । ଜାଣି ରଖିବା ଆବଶ୍ୟକ ଯେ, ଏତେବେଳେ ଆଉ ପୂର୍ବ କଥା ନାହିଁ । କନକ ଅନେକ ଦିନରୁ ହରିବାବୁଙ୍କ ଆଗକୁ ସୁଦ୍ଧା ଯାଉ ନାହିଁ । ବିବାହ ଯୋଗ୍ୟ ବୟସର ବା କିଛି ଗୋପନୀୟ ଭାବ ଥିବ ! ଯା ହେଉ, ନିଜ ବିଷୟରେ କଥୋପକଥନ ହେଉଥିବାର ଜାଣି ସେ ଅପ୍ରତିଭ ଓ ଉତ୍କଣ୍ଠିତ ହୋଇ ସେହିଠାରେ ଶୟନ କରିଥିଲା ।

 

(୪)

 

ସେ ବର୍ଷ ଶ୍ରୀପଞ୍ଚମୀ ପଡ଼ିଲା ସୋମବାର । ସୋମବାର ମଙ୍ଗଳବାର କଲେଜ ବନ୍ଦ–ରବିବାରକୁ ମିଶାଇ ତିନିଦିନ ଛୁଟି । ନୀଳୁବାବୁଙ୍କର ଏଇଟା ଥାର୍ଡ଼ ଇୟର । ଏ ଛୁଟିରେ ସେ ଘରକୁ ବାହାରିଲେ । ତାଙ୍କର ଘର ତ ଏକପ୍ରକାର ନାହିଁ କହିଲେ ଚଳେ–ତେବେ ଭିଣୋଇଙ୍କ ଘରକୁ ଯିବେ । ଅନେକଙ୍କୁ ଏଇଟା ଆଶ୍ଚର୍ଯ୍ୟ ବୋଧ ହେଲା । ନୀଳୁବାବୁ ପୂଜା ଛୁଟିରେ ସୁଦ୍ଧା କଟକ ଛାଡ଼ି ଯିବାର ଦେଖା ନାହିଁ, ତିନିଦିନ ଛୁଟିରେ ଭିଣୋଇଙ୍କ ଘରକୁ ଆଶ୍ଚର୍ଯ୍ୟ ଲାଗିବାର କଥା ଏକା ।

 

କଥା କ’ଣ କି, ନୀଳୁବାବୁ ନିଜେ ମଧ୍ୟ ଏଥିରେ କମି ଆଶ୍ଚର୍ଯ୍ୟ ବୋଧ କରି ନ ଥିଲେ । ଏହି କେତେଦିନ ହେଲା ନୀଳୁବାବୁଙ୍କ ମନ ସ୍ଥିର ନାହିଁ–ସବୁବେଳେ ଚଞ୍ଚଳ, କାହିଁରେ ଲାଗୁ ନାହିଁ; କ’ଣ ଗୋଟାଏ ଅଜଣା କାରଣରୁ ମନ ଖାଲି ଘାଣ୍ଟିଚକଟି ହେଉଅଛି । ଅଦୃଶ୍ୟ ବନ୍ଧନଦ୍ୱାରା ଟାଣି ହୋଇ ବାଲ୍ୟକାଳର ଶତ ମଧୁର ଦୃଶ୍ୟ ମଧ୍ୟରେ ତାଙ୍କ ମନ ଖେଳି ବୁଲୁଅଛି, ଆଉ ପ୍ରତ୍ୟେକ ଦୃଶ୍ୟର ପଶ୍ଚାଦ୍‌ଭାଗରେ ଥାଇ କନକର ମଧୁର ମୂର୍ତ୍ତି ଚାରିଆଡ଼ୁ ଗୋଟିଏ ମଧୁର ଭାବରାଜ୍ୟର ସୃଷ୍ଟି କରୁଅଛି । ପ୍ରତି କଥାରେ କନକର ମୂର୍ତ୍ତିଟି ଧରି ବାଲ୍ୟସ୍ମୃତି ଆଜି କେଜାଣି କାହିଁକି ନୀଳୁବାବୁଙ୍କ ମନକୁ ଅସ୍ଥିର କରୁଅଛି, କେତେବେଳେ ପ୍ରଗଲଭା ବାଳିକା ତାଙ୍କୁ ବିଦ୍ରୂପ ବହ୍ନିରେ ଜାଳି ଦେଉଅଛି, କେତେବେଳେ ଦୁଷ୍ଟା ଆସି ହସି ହସି ତାଙ୍କର କର୍ଣ୍ଣ ମର୍ଦନ କରୁଅଛି, କେତେବେଳେ ବା ଅଭିମାନିନୀ ତାଙ୍କ ହସ୍ତ ଉପରେ ଅଜସ୍ର ଅଶ୍ରୁ ବୃଷ୍ଟି କରୁଅଛି, କେତେବେଳେ ଅବା ଛଳ କ୍ରୋଧରେ ହାସ୍ୟପୂର୍ଣ୍ଣ ଆଖି ଯୋଡ଼ିକ ଛଳ ଛଳ କରି ମୁହଁ ଫେରାଇ ଚାଲିଯାଉଛି କେତେବେଳେ ଅବା ତାହାର ମଧୁର ହସ ହସି ସ୍ନେହମୟୀ ବୀଣାଜିଣା କଣ୍ଠରେ ସରଳ ଭାଷାରେ ମଧୁବୃଷ୍ଟି କରୁଅଛି, କେତେବେଳେ ପୁଣି ତାଙ୍କ ଅଶ୍ରୁ ସହିତ ଆପଣାର ଅଶ୍ରୁଧାରା ମିଶାଇ ଦେଇ ତାଙ୍କ କୁଞ୍ଚ କାନିଟି ଧରି ମୋଡ଼ି ମୋଡ଼ି ବିନା ବାକ୍ୟବ୍ୟୟର ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଅଛି । ଏହି ପ୍ରକାର ଶତ ଶତ ଛବି ତାଙ୍କ ଆଖି ଆଗରେ ଦିନ ରାତି ଖେଳି ବୁଲୁଅଛି । ସବୁଠି କନକ–କନକର ମୋହିନୀ ଛବିରେ ଯେମନ୍ତ କି ସଂସାର ପୂରି ରହିଅଛି । ଏହି କେତେଦିନ ହେଲା କେତେ ଯେ ତାଙ୍କର ଅଘଟନ ଘଟି ଗଲାଣି, ତାହାର ସୀମା ନାହିଁ । କେତେବେଳେ ବସୁ ବସୁ କନକର ଛବି ଦେଖି ଚମକି ଉଠୁଅଛନ୍ତି, ଜାଗରଣରେ ସ୍ୱପ୍ନ ଦେଖି କେତେବେଳେ ବା କନକର ସଙ୍ଗ ଉପଭୋଗ କଲା ପରି ବୋଧକରି, ସେହି ବହୁଦିନର ନିର୍ମଳ ହାସ୍ୟରେ ହୃଦୟ ତାଙ୍କର ପୂର୍ଣ୍ଣ ହୋଇଯାଉଅଛି, ଆଉ ସାଙ୍ଗେ ସାଙ୍ଗେ କଠୋର ସତ୍ୟ ଆସି ସେ ହାସ୍ୟ ମୂଳରେ କୁଠାରାଘାତ କରି ଯାଉଅଛି; କେତେବେଳେ ବସୁ ବସୁ ନିଦ୍ରାକର୍ଷଣ ହେଉଅଛି; କେତେବେଳେ ବା ଶତ ଚେଷ୍ଟାରେ ସୁଦ୍ଧା ନିଦ୍ରାର ଅଭାବ–ଏ ସବୁରେ ପଡ଼ି ନୀଳୁବାବୁଙ୍କୁ ଜୀବନ ସ୍ୱପ୍ନମୟ ବୋଧ ହେଉଅଛି । ମସ୍ତକଟା ଯେପରି ଗୋଟିଏ ଦୁଃସ୍ୱପ୍ନ-ସ୍ୱପ୍ନୋଚିତ ଅବସନ୍ନତା ଯେପରି ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଭିଣିଦେଇ ଯାଉଅଛି । ବାସ୍ତବିକ୍ ଏହିସବୁ ସ୍ମୃତିର ଅନ୍ତରାଳରେ ଥାଇ କାହାର ଗୋଟିଏ ଅଜ୍ଞେୟ ହସ୍ତ ପ୍ରତ୍ୟେକଟିକୁ ବିଷାଦର ସୂକ୍ଷ୍ମ ଆବରଣରେ ମଣ୍ଡିତ କରି ଦେଉଅଛି–ଯେମନ୍ତ କି ଏ ସବୁ ସ୍ମୃତିର ଉପଭୋଗ ଅନ୍ୟ ପ୍ରକାରେ ହୋଇ ନ ପାରେ; ଯେମନ୍ତ କି, ସେ ସ୍ମୃତିରାଜ୍ୟର ଅଧିକାରୀ ସେହି ଦୁର୍ବହ ବିଷାଦ । ହୃଦୟ-ତନ୍ତ୍ରୀ ଚଞ୍ଚଳ ଭାବରେ ତାଡ଼ିତ ହେଉଅଛି–କିନ୍ତୁ କାହିଁ ସେ ମଧୁର ରାଗିଣୀ, କାହିଁ ସେ ଉନ୍ମାଦିନୀ, କାହିଁ ସେ ବିଧୁରା ମଧୁର ଗାୟିକା ! କାହିଁ, କାହିଁ ? ଏହି ଯେ, ଏ କ’ଣ ? ଏ ବିଷାଦ ଓଢ଼ଣାର ତାତ୍ପର୍ଯ୍ୟ କ’ଣ ? –ଓଃ–ଏ କ’ଣ ?

 

ନୀଳୁବାବୁ ମନ୍ତ୍ରମୁଗ୍ଧବତ୍ ଆହାରପାନାଦି କରୁଅଛନ୍ତି-କିଛି ଠିକଣା ନାହିଁ । ସେହିପରି ଯନ୍ତ୍ରଚାଳିତ ପରି ଆଜି ବାହାରି ଅଛନ୍ତି ଗ୍ରାମକୁ । ସେ ନିଜେ ଜାଣନ୍ତି ନାହିଁ କାହିଁକି–ଯନ୍ତ୍ରପରି ଚାଳକର ଅଲଙ୍ଘ୍ୟ ଆଦେଶରେ ଯେପରି ପ୍ରେରିତ ହେଉଅଛନ୍ତି । ଯୋଡ଼ିଏ ପ୍ରିୟ ଆଖିର ଅର୍ଦ୍ଧପରିଚିତ ଗୋଟାଏ ସ୍ଥିର ଦୃଷ୍ଟି ତାଙ୍କ ଉପରେ ଚାରିଆଡ଼ୁ ଯେପରି ଅଜାଡ଼ି ହୋଇପଡ଼ୁଅଛି । ସେଥିରେ ଆଶା ନାହିଁ, ନିରାଶା ବି ନାହିଁ । ଅଛି କେବଳ ଗୋଟାଏ ଅସୀମ ଧୈର୍ଯ୍ୟ, ଆଉ ଗୋଟିଏ ସ୍ଥିର ନିର୍ଭରତା ଓ କରୁଣ ବାଚାଳତା । ସେ ଦୃଷ୍ଟି ବା ପ୍ରହେଳିକାର ଅର୍ଥ ଗ୍ରହଣ ଅସମ୍ଭବ ।

 

(୫)

 

ରାତି ପାହି ଆସିଲାଣି, ପୂର୍ବ ଆକାଶ ରଙ୍ଗା ପଡ଼ିଗଲାଣି । ସୁଲୁସୁଲିଆ ପାହାନ୍ତି ବାଆ ନୂତନ ଦିବସର ନୂତନ ଜୀବନର ସମ୍ବାଦ ବହି ଆଣୁଅଛି, ଆଉ ବହି ଆଣୁଅଛି–ସେହି ସଲଜ୍ଜ ପାହାନ୍ତି ତାରାର ବିଦାୟ ଚାହାଣି, ସେ ଦୂରାଗତ ବଂଶୀସ୍ୱନ । ସେ ବଂଶୀସ୍ୱନରେ ଗଛପତ୍ର ଜାଗି ବିନୀତ ଭାବରେ ସେ ଆଦର୍ଶ ଗ୍ରହଣ କରି ଆନନ୍ଦରେ ହଲୁଅଛନ୍ତି, ଦୋହଲି ଦୋହଲି ନବ ଜୀବନର ନୂତନ କ୍ରୀଡ଼ାର ଆଦିବାସ ଉପଭୋଗ କରୁଅଛନ୍ତି । କାଉକୋଇଲିଙ୍କ ନିଦ ଭାଙ୍ଗିଲାଣି–‘କା କା’ ‘କୁହୁ କୁହୁ’ ରାବରେ ଗାଁ-ମାଇପି ପିଲାଙ୍କ ମଧ୍ୟରୁ ସ୍ୱପ୍ନ ଭାଙ୍ଗିଗଲାଣି ।

 

ଏହିପରି ସମୟରେ ପଟ୍ଟନାୟକଙ୍କ ଘର ଦାଣ୍ଡରେ ବାଇଦ ବାଜି ଉଠିଲା–ଦଶ ବାର ହାତ ନହବତ ଉପରୁ ଯୋଡ଼ିନାଗରା ଓ ମହୁରୀ ମଧୁର ପ୍ରଭାତୀ ତାନ ଛାଡ଼ିଦେଲା । ସ୍ୱରଲହରୀ ଗ୍ରାମର ନିସ୍ତବ୍ଧତା ଭଙ୍ଗ କରି ନାଚି ନାଚି ଖେଳି ଖେଳି ମୁକ୍ତ ବାୟୁକୋଳରେ ପଶି ସମସ୍ତଙ୍କୁ ସଂସାରର ମୁକ୍ତ ନିମନ୍ତ୍ରଣ ଶୁଣାଇ ଦେଲା ।

 

ହରିବାବୁ ଏଣେ ଶଯ୍ୟା ତ୍ୟାଗ କରି ପିଣ୍ଡା ଉପରେ ବସି ଦାନ୍ତ ଘଷୁ ଘଷୁ ନାନାପ୍ରକାର ବରାଦ ଦେଉଛନ୍ତି । ସାଇପଡ଼ିଶା, ବନ୍ଧୁବାନ୍ଧବ ବିଚାର ସାରି କରି ନାନାପ୍ରକାର କାର୍ଯ୍ୟରେ ଲାଗି ଯାଇଅଛନ୍ତି । ଗୃହିଣୀ ଇତିପୂର୍ବରୁ ଉଠି କେତେ ପାଇଟି ମଧ୍ୟରେ ନିଜ ମୁଣ୍ଡଟି ଦୁଇ ହାତରେ ଚାପିଧରି ହୁକୁମ୍ ଜାରି କରି ସାଇ ମାଇପଙ୍କ ମନରେ ଏତିକିବେଳୁ ‘କଳ୍ପନା’ ଆଣି ସାରିଲେଣି ।

 

ହରିବାବୁ ଦାନ୍ତ ଘଷି ସାରି ପାଇଖାନା ଯିବାର ବନ୍ଦୋବସ୍ତ ଲଗାଇଅଛନ୍ତି, ଏହିପରି ସମୟରେ ଭିତରଆଡ଼ୁ ଗୋଟିଏ ମୁକ୍ତ ଦ୍ୱାର ଦେଇ ଚଞ୍ଚଳ ଗତିରେ କିଏ ଗୋଟିଏ ଆସି ଲଥ୍ କରି ତାଙ୍କ ଗୋଡ଼ ପାଖରେ ବସି ତାଙ୍କ ଲୁଗାକାନି ଧରି ଉଚ୍ଚୈଃସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା । ଏହାଦେଖି ହରିବାବୁ ବ୍ୟସ୍ତ ହୋଇ କହିଲେ, ‘‘କଙ୍କି, କଙ୍କି, ମତେ ତୁ ମାରିପକା ନା ଭଲା ।’’ କନକ କିନ୍ତୁ ଏତେ ଦିନକେ ଭାଇଙ୍କୁ ପାଇଅଛି । କାରଣ ହରିବାବୁ ବଡ଼ ପୁରୁଷତ୍ୱ କରି ବାହାଘର ପ୍ରସଙ୍ଗ ହେବାଦିନୁ ଲୁଚି ଲୁଚି ବୁଲୁଅଛନ୍ତି, କନକ ଆଡ଼କୁ ଚାହିଁବାକୁ ସୁଦ୍ଧା ମନ ବଳାଉ ନାହାନ୍ତି । ସ୍ତ୍ରୀ ପ୍ରଶ୍ନ କରିବାରୁ କହିଲେ, ‘‘ମୁଁ ତାକୁ ଚାହିଁଲେ ବାହାଘର କରିପାରିବି ନାହିଁ, ତା’ କାନ୍ଦଣା ବି ମୁଁ ଶୁଣିପାରିବି ନାହିଁ ।’’ କନକ ଏତେଦିନେ ତାଙ୍କୁ ଧରି କାନ୍ଦିବାର ସୁବିଧା ପାଇଅଛି । ଏ ସୁବିଧାଟା ଯେ କେଡ଼େ, ତାହା ବୋଧହୁଏ ପୁରୁଷମାନଙ୍କର, ବିଶେଷତଃ ନବ୍ୟ ଭଦ୍ରଲୋକଙ୍କର କଳନା କରିବା ଅସାଧ୍ୟ । ବାହାଘର ପୂର୍ବରୁ ଯେତେ ମନର କଥା, ଯେତେ ଦୁଃଖର କଷାଘାତ, ତାହା ସହିବା ପାଇଁ ଦୃଢ଼ତମ ହୃଦୟ ଆବଶ୍ୟକ । ଅଳ୍ପବୟସ୍କା କନ୍ୟା ମାତ୍ରକେ ବାହା ପୂର୍ବରୁ ଯେଉଁ କେତେଦିନ ଏକ ପ୍ରକାର ମୂକଭାବାପନ୍ନ ହୋଇ ଏ ବିଷମ ପରୀକ୍ଷାରେ ପଡ଼ନ୍ତି, ସେହି ଅବସ୍ଥାର ଯତ୍‌କିଞ୍ଚିତ୍ ସାନ୍ତ୍ୱନାସ୍ୱରୂପ ବୋଧହୁଏ ଦୟାମୟ ଏ ଓଡ଼ିଆଘରର ଝିଅଙ୍କପାଇଁ ‘ବାହୁନା’ ସୃଷ୍ଟି କରିଥିଲେ । ହା ଦୈବ ! କି କଠୋର ବିଧାନ ! ଯେଉଁ ଗୃହରେ ଜୀବନ ଲାଭକରି, ଲାଳିତପାଳିତ ହୋଇ, ସ୍ନେହର ବସ୍ତୁମାନ ପଲକମାତ୍ରକେ ପ୍ରତିକଣାରେ ନିରୀକ୍ଷଣ କରିବାକୁ ହୁଏ, ସେହି ଗୃହ ଏତେ ଅଳ୍ପ ବୟସରେ ଛାଡ଼ି ଯିବାକୁ ହେବ–ଚିରଦିନପାଇଁ ଛାଡ଼ିଯିବାକୁ ହେବ–ଅଥଚ ଆପଣଙ୍କ ମୁଖରେ କିଏ ଆସି ବଳପୂର୍ବକ ଯୋଡ଼ା ପଟି ଲଗାଇଦେବ, ହୃଦୟ ଖୋଲି ପଦେ କଥା ଶେଷଥର ପାଇଁ କହିବାକୁ ଆପଣଙ୍କ ସୁବିଧା କାଢ଼ି ନେବ ଏ କଠୋର ଶାସନରେ ନିୟନ୍ତ୍ରିତ ହୋଇ ଆପଣଙ୍କ ହୃଦୟର ଅବସ୍ଥା କ’ଣ ହେବ, ଥରେ ଭାବି ଦେଖନ୍ତୁ । ଆଉ ଭାବନ୍ତୁ, ସେହି ଅବସ୍ଥାରେ ଯଦି ଦଣ୍ଡକପାଇଁ ମାତ୍ର ଟିକିଏ ସୁବିଧା ମିଳେ, ଆପଣ ବାହୁନିବେ କି ନାହିଁ–ସେହି ତୁଚ୍ଛ ମାଇକିନିଆଙ୍କ ପରି ନୀଚଭାବରେ ଡକାପାରି କାନ୍ଦିବେ କି ନାହିଁ–ଅବଶ୍ୟ ଯଦି ସେ ପର୍ଯ୍ୟନ୍ତ ଆପଣଙ୍କ ପୁରୁଷ ହୃଦୟ ନ ଭାଙ୍ଗି ରହିଥାଏ ! ଏହି କ୍ଷୁଦ୍ର ପରୀକ୍ଷାଟି ପୁଣି ଶ୍ୱଶୁରାଳୟର କଠୋର କାରାବାସର, ନିର୍ମମ ଶାସନର ପୂର୍ଣ୍ଣ ସଙ୍କେତ ମାତ୍ର ।

 

ଅତଏବ କନକ କାନ୍ଦିଲା । ବଡ଼ କରୁଣ କାନ୍ଦଣା ସେ, ବଡ଼ ହୃଦୟଭେଦୀ ! ବାଲ୍ୟକାଳରୁ ଆରମ୍ଭ କରି ଯେତେ ସ୍ମୃତି, ସମସ୍ତ ଟିକି ଟିକି କରି ସ୍ମରଣକରି ବର୍ତ୍ତମାନ ଅବସ୍ଥା ସହିତ ତାହାର ତୁଳନା କରି ସେ ଅତି ବିକଳ ଭାବରେ କାନ୍ଦିଲା । ଓହୋ, ସେ କାନ୍ଦଣାର ଅର୍ଥ ଅନ୍ୟ ଲୋକେ କ’ଣ ବୁଝିବେ ! ହରିବାବୁ କୌଣସିମତେ ସେଠାରୁ ପଳାଇ ଯାଇ ନ ପାରି ନିଜେ ପିଲାଙ୍କ ପରି କାନ୍ଦିବାକୁ ଲାଗିଲେ ।

 

କନକ ଅଧଘଣ୍ଟାଏ କାଳ ଆତ୍ମବିସ୍ମୃତ ପରି କାନ୍ଦିଲା–ଯେତେ ତୁନି କଲେ ତୁନି ହେଲା ନାହିଁ । ସେଠାରେ ଯେତେ ଲୋକ ଥିଲେ, ସମସ୍ତେ କାନ୍ଦିଲେ–ଜଣେ ଲୋକ କାନ୍ଦିଲା ନାହିଁ । ସେ କେବଳ କାନ୍ଦଣା ଆରମ୍ଭ ହେବାର ଟିକିଏ ପରଠୁ ଆସି ଯେଉଁଠାରେ ଯେମିତି ଛିଡ଼ା ହୋଇଥିଲା, ସେହିଠାରେ ସେମିତି ଛିଡ଼ା ହୋଇଥାଏ । ଦୁଇ ଚାରି ଜଣ ଗାଁ ଝିଏ ଯେତେବେଳେ ଆସି ଜୋର କରି କନକକୁ ସେଠାରୁ ବଳପୂର୍ବକ ଘେନି ଚାଲିଗଲେ, ସେତେବେଳେ ଯାଇଁ ନୀଳୁବାବୁଙ୍କର ଚେତା ବସିଲା । ସେତେବେଳେ ସେ ବୁଝିପାରିଲେ । ଯେ, ସମସ୍ତେ ତାଙ୍କ ଆଡ଼କୁ ବିସ୍ମିତ ଭାବରେ ଚାହିଁ ରହିଅଛନ୍ତି । ଏହା ଦେଖି ସେ ଶୀଘ୍ର ଗତିରେ ଯାଇଁ ହରିବାବୁଙ୍କ ଗୋଡ଼ ପାଖରେ ଲଥ୍ କରି ମୁଣ୍ଡିଆଟାଏ ମାରିଲେ । ହରିବାବୁ କ’ଣ ବୁଝିଲେ, କ’ଣ ବା ତାଙ୍କ ଠେଇଁ ଦେଖିଲେ କେଜାଣି–ସେ ହଠାତ୍ ଦ୍ୱିଗୁଣିତ ବେଗରେ କାନ୍ଦି ଉଠି ସେଠାରୁ ପଳାଇଗଲେ ।

 

ନିତେଇ ବାବୁ (ନୀଳୁବାବୁଙ୍କ ଭିଣୋଇ) କୁଆଡ଼େ କାମରେ ଯାଇଥିଲେ; ଆସି ନୀଳୁଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ନିଜ ଘରଠାକୁ ଘେନିଗଲେ ।

 

ସେହିଦିନ ଓପର ଓଳିର କଥା । ନୀଳୁବାବୁ ବାଲ୍ୟକାଳରେ ସେହି ଭିଣୋଇଙ୍କ ଘରେ ଶୋଇ ଶୋଇ କ’ଣ ଭାବୁଅଛନ୍ତି । ଗଲା ରାତିଟା ସାରା ଅନିଦ୍ରା, ତଥାପି ଶତ ଚେଷ୍ଟାରେ ସୁଦ୍ଧା କୌଣସି ମତେ ନିଦ୍ରାକର୍ଷଣ ହେଉ ନାହିଁ–ଶତ ଶତ ସ୍ମୃତି ଆସି ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଅଛି । ଭାବୁଅଛନ୍ତି, ଦୁଇ ଆଖିରୁ ଅଶ୍ରୁଧାରା ଗଡ଼ି ଗଡ଼ି ଯାଉଅଛି । ହଠାତ୍ ଉଠି ବସି ପ୍ରତିଜ୍ଞାର ବଦ୍ଧ ମୁଷ୍ଟି ଉନ୍ନତ କରି ଗଭୀର ସ୍ୱରରେ କହିଲେ–‘ନା !’, ଏହି ସମୟରେ ନିତେଇ ବାବୁ ଆସି କହିଲେ, ‘‘ଆରେ ନୀଳୁ, ହରିବାବୁ ତତେ ଡାକୁଛନ୍ତି । ଟିକିଏ ଯା, ମୁଁ ଟିକିଏ ଗଡ଼ପଡ଼ ହୋଇଯାଉଛି-। ନିଦ କେତେବେଳେ ଭାଙ୍ଗିଲା ?’’ ନୀଳୁବାବୁ ‘ଏଇକ୍ଷଣି’ ବୋଲି କହି ଧୀରେ ଧୀରେ ଉଠି ବାହାରିଗଲେ ।

 

ହରିବାବୁ ଦାଣ୍ଡ ପିଣ୍ଡାରେ ବସିଥିଲେ । ନୀଳୁଙ୍କୁ ଅତ୍ୟନ୍ତ ଆଦର ସହିତ ଗ୍ରହଣ କରି ନାନାପ୍ରକାର କଥା କହିଲେ, ତାଙ୍କ ଘର ଠାରେ ସେହି କେତେ ଦିନ ରହିବା ପାଇଁ ମଧ୍ୟ ଅନୁରୋଧ କଲେ । ଆହୁରି ମଧ୍ୟ କହିଲେ ଯେ, ସେ ନିଜ ଇଚ୍ଛା କରି ବିବାହ ବିଷୟ ତାଙ୍କଠାକୁ ଲେଖି ନ ଥିଲେ । ଏହାକହି ପ୍ରଶ୍ନ କଲାପରି ଦୁଇ ଆଖି ନୀଳୁଙ୍କ ଉପରେ ସ୍ଥାପିତ କଲେ । ନୀଳୁବାବୁ ସେ ଚାହାଣିର ଅର୍ଥ ବୁଝିପାରି ମସ୍ତକ ଅବନତ କଲେ । ଅନେକକ୍ଷଣ କଥାବାର୍ତ୍ତା ପରେ ହରିବାବୁ କହିଲେ, ‘‘କିରେ, ଏ ଘର ଆଡ଼କୁ ଯା । ନୂଆବୋଉ ତତେ ଡାକୁଥିଲା ।’’

 

ନୀଳୁବାବୁ ଉଠି ଭିତରକୁ ଗଲେ; ଯାଇଁ ହରି ବାବୁଙ୍କ ଶୋଇବାଘର ଦେଖିଲେ–ନୂଆବୋଉ ଅକାତର ନିଦ୍ରାରେ ମଗ୍ନ । ତାଙ୍କୁ ଡାକିବା ଠିକ୍ ବିବେଚନା ନ କରି ସେ ଦାଣ୍ଡକୁ ଫେରି ଯାଉଥିଲେ । କିନ୍ତୁ ବୁଲି ପଡ଼ିଲା ବେଳକୁ ଦେଖିଲେ, ସେପଟ କଣଘରେ କିଏ ଗୋଟିଏ ବସି କ’ଣ କାରବାର କରୁଅଛି । ଛାତି ନାଚି ଉଠିଲା ! ସେହିଠାରେ ସେଇ ବଉଳ ଗଛ କେତେ ବାଲ୍ୟକ୍ରୀଡ଼ାର ମୂକସାକ୍ଷୀ, ସେହିଠାରେ ସେହିପରି ରହିଅଛି । ଅନେକକ୍ଷଣ ସେହିଠାରେ ଛିଡ଼ାହୋଇ ଭାବିଲେ । ଶେଷରେ ଗୋଟିଏ ଦୀର୍ଘନିଶ୍ୱାସ ତ୍ୟାଗ କରି ଗଛ ଆଡ଼କୁ ଚାଲିଲେ ।

 

ସେ କଣଘର ଦୁଆରେ ଛିଡ଼ା ହୋଇ ଅତି କଷ୍ଟରେ ଶୁଷ୍କ ହସଟିଏ ହସି କହିଲେ, ‘‘କି ଲୋ କନକ, ଜିନିଷପତର ବନ୍ଧାଛନ୍ଦା ହେଉଛି ପରା ? ଯାହାହେଉ ଶ୍ୱଶୁର ଘରକୁ ତ ବଡ଼ ମାୟା !’’ କନକ କ’ଣ ଭାବୁଥିଲା–ଅନ୍ୟମନସ୍କ କର୍ଣ୍ଣକୁ ଏ କଥା ଗଲା ନାହିଁ, କିଛି କ୍ଷଣ ପରେ ଚମକିତ ହେଲାପରି ସେ ଫେରି ଚାହିଁଲା–କ୍ଷଣକେ ହାତେ ଓଢ଼ଣା ଟାଣି ଦେବାକୁ ବସିଲା, କିନ୍ତୁ ଓଢ଼ଣା ଟଣା ହେଲା ନାହିଁ । କନକ ଉଠି ଛିଡ଼ା ହେଲା, ଭଙ୍ଗା କଣ୍ଠରେ କହିଲା–କ’ଣ ଭାବି କହିଲା କେଜାଣି–କହିଲା, ‘‘ନୀଳୁ ଭାଇ, ତମେ ଆସିଛ କି ? ନୀଳୁବାବୁ ଏତେବେଳଯାଏଁ କନକ ଆଡ଼କୁ ନିର୍ନିମେଷ ଲୋଚନରେ ଚାହିଁଥିଲେ । ଏହି କଥା ଶୁଣି ତାଙ୍କ ଆଖିରେ କିପରି ଗୋଟେ ଜ୍ୟୋତି ଦେଖାଗଲା । କହିଲେ, ‘‘ନ ଆସିଥିଲେ ଭଲ ହୋଇଥାନ୍ତା, ନୁହେଁ କନକ ?’’ କନକ କିଛି ଉତ୍ତର କଲା ନାହିଁ, ଗର୍ବିତ ଭାବରେ ମୁଣ୍ଡଟେକି ଅବନତ ଚକ୍ଷୁଯୋଡ଼ିକ ଗୋଟାଏ ଅପାର୍ଥିବ ଭାବରେ ପୂର୍ଣ୍ଣକରି ନିଷ୍ପନ୍ଦ ଭାବରେ ନୀଳବାବୁଙ୍କର ମୁଖ ଉପରେ ସ୍ଥାପନ କଲା । ସେ ଆଖିରୁ କରୁଣ କଠୋରତା ଠିକରି ବାହାରୁଥାଏ । ନୀଳବାବୁ ନିର୍ବାକ୍ ନିଷ୍ପନ୍ଦ ଭାବରେ କନକ ମୁଖ ପ୍ରତି ଚାହିଁ ରହିଲେ, ଶେଷରେ ସେ ଚକ୍ଷୁର ଜ୍ୟୋତି ସହି ନ ପାରି ମସ୍ତକ ଅବନତ କଲେ । ସେହି ଅବସରରେ ବୋଧହୁଏ କନକର ଚେତନା ହେଲା । ସେ ତାଙ୍କୁ ସେହି ଅବସ୍ଥାରେ ସେହିଠାରେ ଛାଡ଼ି ଚାଲିଯିବାର ଉପକ୍ରମ କରୁଥିଲା, କିନ୍ତୁ ପୁଣି ହଠାତ୍ କ’ଣ ଭାବି ଫେରିଲା–ଧିରେ ଧିରେ ଓଢ଼ଣାଟି ଛାତି ପର୍ଯ୍ୟନ୍ତ ଟାଣି ଧରି ଝକ୍‌କରି ଆସି ନୀଳୁବାବୁଙ୍କ ଗୋଡ଼ ପାଖରେ ବସି, ତାଙ୍କ ଦକ୍ଷିଣ ହସ୍ତର ଅଙ୍ଗୁଳି ଗୋଟିଏ ଧରି ‘ଭାଇ ଭାଇ’ ବୋଲି ବାହୁନିବାକୁ ଲାଗିଲା । ନୀଳୁବାବୁ ଚମକି ପଡ଼ିଲେ । ସେ କାଳର କନକକୁ ମନେପଡ଼ିଲା; ଆଉ ବିନା ଦ୍ୱିଧାରେ ଅଜସ୍ର ଅଶ୍ରୁଧାରା ତାଙ୍କ ଆଖିରୁ ବୋହି ତଳେ କନକକୁ ତିନ୍ତାଇବାକୁ ଲାଗିଲା । ଏଣେ ପୁଣି ମନ କାହିଁକି କେଜାଣି ଆନନ୍ଦରେ ନାଚି ଉଠିଲା ଧୀରସ୍ଥିର ଭାବରେ ସେ କାନ୍ଦଣା ଶୁଣିବାକୁ ଲାଗିଲେ ।

 

ଅନେକକ୍ଷଣ ପରେ ଅନେକ ଚେଷ୍ଟାରେ ଗାଁ ଝିଅ କନକକୁ ତୁନି କଲେ । ନୂଆବୋଉ ନିଜେ ମଧ୍ୟ ଉଠି ଆସି ନୀଳୁବାବୁଙ୍କୁ ଦେଖି ହସିବେ କି କାନ୍ଦିବେ, କିଛି ସ୍ଥିର କରି ନ ପାରି ଟିକିଏ ହସି ଦେଲେ । ନୀଳୁବାବୁ ତାଙ୍କୁ ଗୋଟିଏ ମୁଣ୍ଡିଆ ମାରି ତାଙ୍କ ପଛେ ପଛେ ତାଙ୍କ ଘରକୁ ଚାଲିଗଲେ । ପାନ ଖାଇ ଗପସପ ହୋଇ ଦାଣ୍ଡକୁ ବାହାରିଲା ବେଳେ ପୁଣି ସେହି କଣଘର ଉପରେ ତାଙ୍କର ନଜର ପଡ଼ିଲା । ଦେଖିଲେ ସେହି ଉଦ୍ଦୀପ୍ତ ଦିଓଟି ଦିବ୍ୟ ଚକ୍ଷୁର ସ୍ଥିର ଚାହାଣି ତାଙ୍କରି ଉପରେ ସ୍ଥାପିତ । ଦଣ୍ଡକେ ଆତ୍ମବିସ୍ମୃତ ହୋଇ, ଆଉ ଦଣ୍ଡକେ ସମ୍ମତିସୂଚକ ମୁଣ୍ଡ ହଲାଇ ସେଠାରୁ ଧୀର ଗମ୍ଭୀର ଭାବରେ ବାହାରିଗଲେ । ସେ ଚାହାଣୀର ଅର୍ଥ କ’ଣ ? କି ଶିକ୍ଷା, କି ପରାମର୍ଶ, କି ଆଦେଶ ବା ଦେଲା ସେ ! ଏ ଚାହାଣିରେ କ’ଣ ଥିଲା, କି ଭାଷାରେ ସେ ମନ କଥା ବ୍ୟକ୍ତ କଲା ?

 

ଦାଣ୍ଡରେ ଯାଇଁ ଦେଖିଲେ, ବରଧରା ଯିବା ପାଇଁ ସମସ୍ତ ପ୍ରସ୍ତୁତ; କେବଳ କିଏ ବରଧରା ଯିବ, ସେହି ବିଷୟରେ ତର୍କବିତର୍କ ଲାଗିଛି । ହରି ବାବୁଙ୍କ ଛଡ଼ା କାହାରି ଯିବା ଅବଶ୍ୟ ଉଚିତ୍ ନୁହେଁ, କିନ୍ତୁ ସେ ଗଲେ ଯେ, ଆଉ କିଛି ହୋଇପାରିବ ନାହିଁ । ତଥାପି ହରିବାବୁ ଏମାନଙ୍କ ଉପରେ ଭାର ଦେଇ ଯିବାକୁ ବାଧ୍ୟ ହେଉଛନ୍ତି–ନ ଗଲେ ତ ନ ହୁଏ । ଏହି ସମୟରେ ନୀଳୁଙ୍କୁ ହରିବାବୁଙ୍କ ମନରେ ଆଉ ଗୋଟିଏ ଭାବର ଉଦୟ ହେଲା, କିନ୍ତୁ ସେ ସାହାସ କରି କିଛି କହିପାରିଲେ ନାହିଁ । ଏତିକିବେଳେ ନୀଳୁବାବୁ କିଛି ନିଜେ ଗମ୍ଭୀର ଭାବରେ ହରିବାବୁଙ୍କ ନିକଟକୁ ଆସି ଅତ୍ୟନ୍ତ କରୁଣ ସ୍ୱରରେ କହିଲେ, ‘‘ଭାଇ, ମୁଁ ଯାଏ ।’’ (ନୀଳୁବାବୁ ହରି ବାବୁଙ୍କୁ ଆଜି ସୁଦ୍ଧା ‘ହରିଭାଇ’ ବୋଲି ଡାକି ଆସୁଥିଲେ ।) ଏହା କହି ଅତ୍ୟନ୍ତ କରୁଣ ଭାବରେ ସମାଗତ ଭଦ୍ରବ୍ୟକ୍ତିଙ୍କ ମୁଖ ଆଡ଼କୁ ଚାହିଁଲେ । ହରିବାବୁ ନିତ୍ୟାନ୍ତ ଆନନ୍ଦ ସହିତ ପ୍ରସ୍ତାବଟି ଗ୍ରହଣ କଲେ, ଦେଖି ସମସ୍ତେ ସମସ୍ୱରରେ ପ୍ରସ୍ତାବଟି ଅନୁମୋଦନ କଲେ । ହରିବାବୁ ନୀଳୁଙ୍କ ମୁଖ ପ୍ରତି ଛଳ ଛଳ ନୟନରେ ଚାହିଁଲେ, ଦେଖିଲେ ନୀଳୁଙ୍କ ଚକ୍ଷୁଯୋଡ଼ିକ ପୂର୍ଣ୍ଣ, ଉନ୍ନତ ଓ ଭାବପୂର୍ଣ୍ଣ । ହରିବାବୁ ସମ୍ଭାଳି ନ ପାରି ଧାଇଁ ଆସି ତାଙ୍କୁ କୋଳ କରି ଗଦ୍‌ଗଦ୍ ସ୍ୱରରେ କହିଲେ–‘‘ମେରା ଭାଇରେ ।’’

Image

 

Unknown

ଦ୍ୱିତୀୟ ଖଣ୍ଡ

ଠକ

(୧)

 

ଶାଶୂଘରେ ଗୋଡ଼ ଦେଲାବେଳୁ କନକ ଦେଖୁଛି–କାହାର ଗୋଟାଏ ନୀରବ ହସ୍ତ ତା’ର ପ୍ରତି କାର୍ଯ୍ୟରେ ତାକୁ ସାହାଯ୍ୟ କରିଆସୁଛି, ନାନା ଭାବରେ ତା’ ପଛେ ପଛେ ରହି ପ୍ରତି ପଲକରେ କାହାର ଯୋଡ଼ିଏ ସ୍ନିଗ୍ଧ ଆଖି ତା’ର ନୂତନ ବଧୂଜୀବନର କଠିନ ପରୀକ୍ଷାକୁ ଲଘୁକରି ଆସୁଛି, କାହାର ଗୋଟିଏ ଆଶିଷପୂର୍ଣ୍ଣ ଶୁଭ କାମନା ତା’ର ସମସ୍ତ ଅପ୍ରତ୍ୟାଶିତ ଜ୍ଵାଳା ଯନ୍ତ୍ରଣାରୁ ତାକୁ ରକ୍ଷା କରି ଆସୁଛି; ଅଥଚ ଆଶ୍ଚର୍ଯ୍ୟର ବିଷୟ, ସେ ମଙ୍ଗଳକାଙ୍‌କ୍ଷୀଟି ସଙ୍ଗରେ ତା’ର ଆଳାପ ପରିଚୟ ହେବାକୁ ନାହିଁ । ଏମନ୍ତ କି, ସେ କିଏ, ତାହା ମଧ୍ୟ ତା’ କଳ୍ପନାର ଅତୀତ ।

 

ପୂର୍ଣ୍ଣ ହୃଦୟର କୃତଜ୍ଞତା ସେ କାହାକୁ ଦେବ, ବୁଝିପାରୁନାହିଁ । ତା’ର ପୂର୍ଣ୍ଣ ନାରୀହୃଦୟ ଦେଇ ସେ ଖୋଜୁଛି, ଗୋଟାଏ ଅବଲମ୍ବନ–ସଜୀବ ସଶରୀର ଅବଲମ୍ବନ, କେବଳ ସାହାଯ୍ୟ ନୁହେଁ–ସହାୟ, ସାହା ।

 

ଏପରି ସମୟରେ ଯେତେବେଳେ–ତା’ ହୃଦୟ ଅଜ୍ଞାତ ମଙ୍ଗଳାକାଙ୍‌କ୍ଷୀର ଅନ୍ୱେଷଣର ବୃଥା ପ୍ରୟାସରେ ବିମର୍ଷ ରହିଛି–ଆଜି ‘ଚତୁର୍ଥୀ’ର ଏ ନାରୀସଭାରେ ଏତେ ଲୋକଙ୍କ ମଧ୍ୟରେ ସୁଦ୍ଧା ନିର୍ଜନ କାରାଦଣ୍ଡ ଭୋଗ କରୁ କରୁ କନକ ହଠାତ୍ ଓଢ଼ଣା ଭିତରୁ ଗୋଟିଏ ନୂଆ ମୁହଁ ଦେଖିଲା, ଯହିଁରେ ଚିହ୍ନା ଅଚିହ୍ନାର ସମ୍ପର୍କମାତ୍ର ନାହିଁ–ସେ ମୁହଁଟି ତା’ର ଯେପରି କେଉଁ ଦିନରୁ ପରିଚିତ, ସେ ମୁହଁଟି ଯାହାର ସେ ଯେପରି କେଉଁ ଦିନରୁ ତା’ର ଆପଣାର ।

 

ସେ ମୁହଁଟି କଳା, କିନ୍ତୁ ସେଥିରେ ଗୋଟାଏ ଅସାଧାରଣ ଜ୍ୟୋତି–ତାହାର ସରଳ ସାଧାରଣ ଗଠନର ଗୋଟିଏ ଅକଥନୀୟ ସୌନ୍ଦର୍ଯ୍ୟ, ସେ ମୁହଁଟି ଅଳଙ୍କାରହୀନ, କିନ୍ତୁ ଚକ୍ଷୁଯୋଡ଼ିକ ତାହାର ଦପ୍ ଦପ୍ ଜଳୁଛି । ରାଗରେ ନୁହେଁ; ତେଜରେ ନୁହେଁ; ଅଥଚ ଜଳୁଛି ସ୍ନେହରେ, ସହାନୁଭୂତିରେ ଓ ସହିଷ୍ଣୁତାରେ । ତାହା ଚାହାଣିରେ ମଦିରା ନାହିଁ, ଗରଳ ନାହିଁ, ଚଞ୍ଚଳତା ନାହିଁ ଅଛି କେବଳ ଗୋଟାଏ ସ୍ଥିର ସଂଯତ କୋମଳତା, ସ୍ଥିର, ସଂଯତ ଅଥଚ ନିଶ୍ଚେଷ୍ଟ ନୁହେଁ–ପୂର୍ଣ୍ଣ ଜୀବନୀ ଶକ୍ତିର ସଞ୍ଚାର ସେଥିରେ ଆଲୋକିତ ଜୀବନର ନିଭୃତ ପୁଲକର ଆଭାସ ଦେଉଅଛି ।

 

କନକ ମାତ୍ର ଥରେ ଚାହିଁ ସେହି ସ୍ଥିର, ସଦୟ, କରୁଣ ମୁଖଟିର ମର୍ମ ବୁଝିନେଲା ।

 

ସେ ମୁହଁଟି ଗଉରୀର ।

 

କନକ ଯେତେବେଳେ ସୁବିଧା ଦେଖି ଓଢ଼ଣା ଭିତରୁ ଗଉରୀର ଆପାଦମସ୍ତକ ପରୀକ୍ଷା କରିନେଲା, ସେ ଗୋଟିଏ ‘ମାତାଜୀ’ ବୋଲି ତା’ର ଆଉ ସନ୍ଦେହ ରହିଲା ନାହିଁ । ତା’ ପରିଧାନରେ ଖଣ୍ଡେ ମୋଟା ଥାନ, ମୁଣ୍ଡ ବାଳଗୁଡ଼ାକ ମୁକୁଳା, ମୁଣ୍ଡରେ ହାତରେ ଗଳାରେ ରାମାନନ୍ଦୀ ଚିତା, ବେକରେ ତୁଳସୀକଣ୍ଠି ଛଡ଼ା ଆଉ କିଛି ନାହିଁ । ଏହି ‘ମାତା’ ଟି ପାଖରେ ଛୋଟ ବଡ଼ ପିଲାମାନଙ୍କର ସମାଗମ ବେଶି । ସମାଗତ ବୋହୂଝିଅ ଘରଣୀ ଇତ୍ୟାଦିଙ୍କ କଥାବାର୍ତ୍ତା, ହସଖୁସି ଓ ବକ୍ତୃତାଦି ପ୍ରତି ତା’ର ତିଳେ ମାତ୍ର ମନଯୋଗ ନାହିଁ ।

 

କ୍ଷଣକ ମଧ୍ୟରେ କନକର ହୃଦୟ ‘ମାତା’ଟି ପ୍ରତି ଆକୃଷ୍ଟ ହୋଇଗଲା । ଇଚ୍ଛା ହେଲା, ତାହା ସହିତ ଦି’ପଦ କଥା କହନ୍ତା କିନ୍ତୁ ନାଚାର–ଏଇଟା ଯେ ଚତୁର୍ଥୀର ନାରୀ ସଭା । ଏଥିରେ କଥାବାର୍ତ୍ତା ତ ଦୂରର କଥା–ନବବଧୂର ଟିକିଏ ହଲଚଲ ହେବାର ମଧ୍ୟ ସାଧ୍ୟ ନାହିଁ । ହେଲେ, ନିନ୍ଦା, ଅପଯଶ, କଳଙ୍କ ଓ ତଦୁପରି ଲାଞ୍ଛନା ଏବଂ ଗଞ୍ଜଣା ।

 

ଏ ବିଷୟରେ ଟିକିଏ ବିଷଦ ବ୍ୟାଖ୍ୟା ଆବଶ୍ୟକ । ହିନ୍ଦୁ ଅନ୍ତଃପୁରର ଅସୂର୍ଯ୍ୟସ୍ପର୍ଶ୍ୟା ନବବଧୂର ସୁ-ଆବୃତ ମୁଖମଣ୍ଡଳର ପ୍ରଥମ ଓ ଶେଷ ଦର୍ଶନ–ଅବଶ୍ୟ ଜନସାଧାରଣଙ୍କ ପକ୍ଷରେ–ତଥା ପରୀକ୍ଷାର ଏକମାତ୍ର ଅବସର ହେଉଛି ବିବାହର ଚତୁର୍ଥ ଦିବସ–ଚତୁର୍ଥୀ ବା ଚଉଠୀ ବନ୍ଧୁବାନ୍ଧବ; ସୂର୍ଯ୍ୟ ମଇତ୍ର, ସାଇପଡ଼ିଶା, ଜ୍ଞାତି କୁଟୁମ୍ବ ଆଇଲା ଗଲା–ସମସ୍ତଙ୍କର ଆଜି ସୁବର୍ଣ୍ଣ-ସୁଯୋଗ ଅର୍ଥାତ୍ ସୁବର୍ଣ୍ଣ-ବିୟୋଗ । କାରଣ ବିନା ଦକ୍ଷିଣାରେ ଦେବ-ଦେବୀ-ଦର୍ଶନର ବିଧି ହିନ୍ଦୁଶାସ୍ତ୍ରରେ ନାହିଁ, ତଥୈବ ବିନା ଦକ୍ଷିଣାରେ ଗୃହଲକ୍ଷ୍ମୀ ଦର୍ଶନ ଗୃହସ୍ଥ-ନୀତିର ବହିର୍ଭୂତ ।

 

ଆଜି ପୁରୁଷ ସ୍ତ୍ରୀ ସମସ୍ତେ ବୋହୂର ମୁହଁ ଦେଖିବେ ଓ ନିଜ ନିଜ ସମ୍ବନ୍ଧ ଏବଂ ସମ୍ବଳ ଅନୁସାରେ ଅନ୍ୟ କୌଣସି ବିଚାର ନିରପେକ୍ଷ ‘ମୁହଁଚାହାଁ’ ଦେବେ । ପୁରୁଷ ସ୍ତ୍ରୀ ସମସ୍ତେ ଦେଖିବେ ବୋଲି ଯେ ଦୁଇ ଜାତି ଲଜ୍ଜା ସରମ ଭୁଲି ଏକାବେଳକେ କାର୍ଯ୍ୟ ସମାଧାନ କରିବେ, ଏହା ଭାବିବାର ବାଟଟି ପର୍ଯ୍ୟନ୍ତ ରଖାଯାଇ ନାହିଁ । ଇୟେ ତ କିଛି ଗଙ୍ଗା ବୈତରଣୀର ବାରୁଣୀ-ଯୋଗ ନୁହେଁ । ଏଥିରେ ପୁରୁଷମାନଙ୍କ ପାଇଁ ଏକ ବନ୍ଦୋବସ୍ତ ତ, ସ୍ତ୍ରୀମାନଙ୍କ ପାଇଁ ଦୋସରା । ଚତୁର୍ଥୀର ବେଦୀ କାର୍ଯ୍ୟ ଶେଷ ହେଉ ନ ହେଉଣୁ ପଡ଼ିବ ପୁରୁଷମାନଙ୍କ ସୁବର୍ଣ୍ଣ ସୁଯୋଗ । (ଆପଣ ଯଦି କହିବେ ତ ସୁଯୋଗ) ଓ ଦି’ପହର, ଦଶଘଡ଼ି ସରିକି ପଡ଼ିବ ପାଇଁ ସ୍ତ୍ରୀମାନଙ୍କର ।

 

ନିଃସନ୍ଦେହ, ଏସବୁ ବିଷୟରେ ସ୍ତ୍ରୀମାନେ ହେଲେ ହର୍ତ୍ତାକର୍ତ୍ତା, ଦୈବବିଧାତା (Privileged class) । ଦୃଶ୍ୟ-ଦଶକ-ଭେଦ ଥିବାରୁ ପୁରୁଷମାନଙ୍କର ସୁଯୋଗ ନାମ ମାତ୍ର–ଦକ୍ଷିଣା ଦେବା ହିଁ ସାର; କିନ୍ତୁ ସ୍ତ୍ରୀମାନଙ୍କ କଥା ହେଲା ନିଆରା । ସେମାନଙ୍କ ମୁହଁ ଦେଖା, ତଥା ପରୀକ୍ଷାର ଆୟୋଜନ, ଘଟା ଓ ଆଡ଼ମ୍ବର ସେ ସ୍ଥଳରେ ବର୍ଣ୍ଣନାତୀତ ତୁଳନା କରିବାକୁ ଗଲେ, ପୁରୁଷମାନଙ୍କ ଦେଖାଟା ବଡ଼ ଡାକ୍ତରଖାନାର ବଡ଼ ସାହେବଙ୍କ Post mortem–ମଡ଼ା ପ୍ରତି ଦସ୍ତୁରୀ କଟାକ୍ଷପାତ ସଙ୍ଗେ ସମାନ ପଡ଼ିବ, ଆଉ ସ୍ତ୍ରୀମାନଙ୍କର ହେଉଛି ବାସ୍ତବ Post mortem ଓ Disscction ।

 

ପୂର୍ବୋଲ୍ଲିଖିତ ନାରୀ ସଭାକୁ ଉକ୍ତ disscction ଅନ୍ତିମ ଶକୁନି ସଭା କହିଲେ ଅତ୍ୟୁକ୍ତି ହେବାର ସମ୍ଭାବନା ଅଳ୍ପ ।

 

ଉକ୍ତ ନାରୀସଭା ସ୍ୱଭାବତଃ ମତ-ନବିସ୍ ଗ୍ରାମ୍ୟ କୁଳାଙ୍ଗନାଙ୍କର ରଙ୍ଗଭୂମି । ପ୍ରଥମ ଦଳ ମଧ୍ୟରେ ଧରି ନିଅନ୍ତୁ ପ୍ରାଚୀନା ଚତୁର୍ଥବସ୍ଥାପନ୍ନାଙ୍କଠାରୁ ଆରମ୍ଭ କରି ବୃଦ୍ଧଭାବାପନ୍ନା ପ୍ରୌଢ଼ାମାନଙ୍କ ପର୍ଯ୍ୟନ୍ତ, ଦ୍ୱିତୀୟ ଦଳରେ ଦେଖନ୍ତୁ, ଓଢ଼ଣାନ୍ତିକ୍ରାନ୍ତା (ଅର୍ଥାତ୍ ଯେଉଁମାନେ ବଧୂଜୀବନର ଉତ୍ତର ସନ୍ଧ୍ୟାରେ ମୁହଁରେ ଲୁଗା ନ ଦେଇ ସମସ୍ତ ସ୍ତ୍ରୀଜାତି ସହିତ ମୁକ୍ତ ଭାବବିନିମୟ କରିବାର ଅଧିକାର ପାଇଗଲେଣି) ସଧବା ବିଧବାଙ୍କଠାରୁ ଓଳିଆରୁ ଗଜା କୌଣସି କୌଣସି ଯୁବତୀପୁଙ୍ଗବ ପର୍ଯ୍ୟନ୍ତ । ଏହି ଦୁଇ ଦଳ ହେଲେ ପ୍ରଧାନ । ୟା ଛଡ଼ା ବିବାହିତ ଓ ଅବିବାହିତ ଝିଅଝିଆଣୀ ଏବଂ ମାତୃକ୍ରୋଡ଼ଠାରୁ ଆରମ୍ଭ କରି ସମ୍ଭବ ଅସମ୍ଭବ ଯାବତୀୟ ସ୍ଥାନର ଅଧିକାର କରି ସଭାର ଶାନ୍ତି ବର୍ଦ୍ଧନ କରୁଥିବା ବାଳୁତ ‘ପିଲା ପରମେଶ୍ୱର’ ତ ଅଛନ୍ତି ।

 

ଦର୍ଶକମାନଙ୍କୁ ଛାଡ଼ି ଏବେ ଦୃଶ୍ୟଟି ବିଷୟରେ ପଦେ ଅଧେ ନ କହିଲେ ଚଳିବ ନାହିଁ । ସଭା ଓ ସଭ୍ୟମାନଙ୍କୁ ପୂର୍ବବର୍ଣ୍ଣିତ ଅବସ୍ଥାରେ ଛାଡ଼ି ଏବେ ଏ ସବୁର କେନ୍ଦ୍ରଭୂତା ନବବଧୂଟି ପ୍ରତି ଟିକିଏ ଦୃଷ୍ଟି ଦେବାକୁ ହେବ ।

 

ବୋହୂଥିବ ଘର କୋଣରେ । ସମ୍ଭବତଃ, ଟିକିଏ ଅବସର ପାଇ ଅପାଦମସ୍ତକ ସର୍ବାଙ୍ଗରୁ ଅଳଙ୍କାର ଭାର ଓହ୍ଲାଇ ବଧୂରିତ ଶଙ୍କିତ ଭୋଜନ ପରେ ଦିବ୍ୟ ଆରାମରେ ଦୁଇଟା ଦୀର୍ଘ ନିଶ୍ୱାସ ମାରୁଥିବ, ଅଥବା ଭେଳକା ମାରି ଯାଉଥିଲେ ନିଶ୍ଚେଷ୍ଟ ଭାବରେ ସେହିପରି ଅଳଙ୍କାରପିଷ୍ଟା, ଆହାର ନିଦ୍ରାଅଭାବରୁ ପ୍ରକୃତିକ୍ଲିଷ୍ଟା ହୋଇ କୁଣ୍ଢେଇଟି ପରି ବସି ଗୃହତଳ ସିକ୍ତ କରୁଥିବ, ଏପରି ସମୟରେ ବ୍ୟସ୍ତସମସ୍ତ ହୋଇ ଶାଶୂ ବା ତତ୍‌ସ୍ଥାନୀୟ କେହି ସଦଳବଳରେ ଆସି ଅପାଦମସ୍ତକ ଅଳଙ୍କାର ପରୀକ୍ଷା କରି, ଭ୍ରମାତି ସତିରସ୍କାର ସଂଶୋଧନ କରି ବୋହୂଟିକୁ ଆଡମ୍ବରରେ ସଙ୍ଖୋଳି ଘେନିଯିବେ ।

 

ବୋହୂ ଚାଲିଲାବେଳେ ତାଙ୍କ ପାଦ ଯୋଡ଼ିକ ଯେ ଭୂମିରେ ଲାଗେ, ଏହା ମୁଁ ଶପଥ କରି କହିପାରେ, କିନ୍ତୁ କାହାରି ଦେଖିବାର ସାଧ୍ୟ ନାହିଁ । କାରଣ, ପଛଆଡ଼େ ସାହାଯ୍ୟକାରିଣୀ ବାହୁବେଷ୍ଟନରେ ବୋହୂର ନତକଟିକୁ ଆହୁରି ନତ କରି କରି ଆସୁଛନ୍ତି ଏବଂ ଆଗରେ ନବବଧୂର ସର୍ବସ୍ୱରୂପିଣୀ ଓଢ଼ଣା ‘ବାଟ ଓଳାଇ ଓଳାଇ, ଧୂଳି ଉଡ଼ାଇ ଉଡ଼ାଇ’ ଚାଲିଅଛି । ଜ୍ୟାମିତିକ ଭାଷାରେ କହିବାକୁ ଗଲେ, ବୋହୂର ପାଦଠାରୁ କଟି ପର୍ଯ୍ୟନ୍ତ ସରଳରେଖା ଯଦି ଯେନକେନ ପ୍ରକାରେଣ ଭୂମି ସଙ୍ଗରେ ସମକୋଣ ସ୍ଥାପନ କଲା, ତେବେ ନିଃସନ୍ଦେହ, ଉକ୍ତ ରେଖା ଓ କଟିଠାରୁ ମସ୍ତକ ପର୍ଯ୍ୟନ୍ତ ମେରୁଦଣ୍ଡଦ୍ୱାରା ବେଷ୍ଟିତ କଟିସ୍ଥ କୋଣଟି ସମକୋଣ ଛଡ଼ା ଆଉ କିଛି ନୁହେଁ । ଉକ୍ତ ପ୍ରକାରେ ପ୍ରମାଣିତ କରାଯାଇପାରେ ଯେ ଶିରୋଲମ୍ବୀ, ଧରାଚୁମ୍ବୀ ଓଢ଼ଣା ଓ ପୂର୍ବକାୟଦ୍ୱାରା ବେଷ୍ଟିତ କୋଣ ମଧ୍ୟ ସମକୋଣ ଅଟେ । ଅର୍ଥାତ୍ ସିଦ୍ଧାନ୍ତ ଏହି ଯେ ଗମନକାଳୀନ ନବବଧୂ ଭୂମିସଂଲଗ୍ନ ଥିବାରୁ ଜ୍ୟାମିତିକ ଦୃଷ୍ଟିରେ ସର୍ବଦା ସମାନ୍ତରାଳ କ୍ଷେତ୍ରରେ ପରିଣତ ହୁଅନ୍ତି (ଯେଉଁ ଜ୍ୟାମିତି ବିନ୍ଦୁଠାରେ ବିସ୍ତୃତି ଦେଖିବାକୁ ଅକ୍ଷମ, ତାହା ପକ୍ଷରେ ନବବଧୂର ଗତିରେ ସ୍ଥିତି ମାତ୍ର ଦେଖିବା ସ୍ୱାଭାବିକ ସ୍ୱତଃସିଦ୍ଧ) ବର୍ଗକ୍ଷେତ୍ରରେ ପରିଣତ ହେବା କେବଳ ବଧୂର ଆକାରସାପେକ୍ଷ ।

 

ହାୟ ! ଓଡ଼ିଆଘର ନବବଧୂର ତିଳେ ମାତ୍ର ସ୍ୱାତନ୍ତ୍ର୍ୟ ବା ସ୍ୱାଧିନତା ନ ଥିବାର ଗୌରବ ଅନୁଭବ କରିବାର ସମୟ ବା ସୁବିଧା ନ ଥିବାରୁ ବଧୂଜୀବନର ପ୍ରାରମ୍ଭରେ କେତେ କେତେ ‘ବୀରରମଣୀ’ ନିଜର ସହଜ ସହିଷ୍ଣୁତାକୁ ଭୁଲି ନାରୀ ଜନ୍ମ ପ୍ରତି ଧିକ୍‌କାର ଦେଇ ମୃତ୍ୟୁକାମନା କରି ନ ଥାନ୍ତି ! ସେମାନେ କାହୁଁ ଜାଣିବେ–ବଧୂର କାଷ୍ଠପୁତ୍ତଳିତ୍ୱରେ ଶାଶୁ ଶ୍ୱଶୁରଙ୍କର କେଡ଼େ ଗର୍ବ, କେତେ ମାନ, କେତେ ଆନନ୍ଦ ! ପାଞ୍ଚଜନଙ୍କ ମୁହଁରେ କି ପ୍ରଶଂସା କି ସାଧୁବାଦ ! ଆଉ ତାହାଠାରେ ଟିକିଏ ସ୍ୱାଧୀନ ଭାବ ଟିକିଏ ସ୍ୱେଚ୍ଛାଚାରିତା, ଟିକିଏ ଆତ୍ମାବଲମ୍ବନ, ଟିକିଏ ମନୁଷ୍ୟତ୍ୱ ଦେଖାଗଲେ କି ମର୍ଯ୍ୟାଦାହାନି, କେଡ଼େ ଲୋକହସା ! ଧନ୍ୟ ସେ ବଧୂ, ସାର୍ଥକ ତାହାର ନାରୀଜନ୍ମ–ସେ ଯନ୍ତ୍ରଚାଳିତ ହେବାର ଗୌରବ ଲାଭ ପାଇଁ ନିଜର ନିଜତ୍ଵ ଭୁଲି କୁଣ୍ଢେଇଟିରେ ପରିଣତ ହୋଇପାରେ ଓ ଦୁଷ୍ପ୍ରାପ୍ୟ ଲୋକପ୍ରଶଂସା ଆଶାରେ ନିଜର ଅସ୍ତିତ୍ଵ ସୁଦ୍ଧା ଭୁଲିଯାଇପାରେ-!

 

ହଁ ବୋହୂଟିକୁ ତ ‘ନ ଯଜୌ ନ ତସ୍ଥୌ’ ଭାବରେ ପହୁଣ୍ଡି ବିଜେ କରାଇ ଅଣାଗଲା । ଏବେ ସଭାର ଅବସ୍ଥା ଟିକିଏ ଦେଖାଯାଉ । ମାଇପି ପିଲା ସମସ୍ତେ ଉଦ୍‌ଗ୍ରୀବ ହୋଇ ‘ପୀବନ୍ତ ଇବ ଚକ୍ଷୁଷା’ ଅନାଇ ରହିଛନ୍ତି–କାହାରି ତୁଣ୍ଡରେ କଥା ନାହିଁ । କିନ୍ତୁ ବୋହୂଟିର ଆବରଣ ଛଡ଼ା ଆଉ କିଛି ଦେଖିବାର ବାଟ ନାହିଁ । ବୋହୂଟିକୁ ଆଣି ଗୋଟାଏ କୌଣସି ପାଖ ବା କୋଣରେ ଥୋଇଲେ-। ସମସ୍ତେ ଆସନ ଗ୍ରହଣ କରିସାରିଲେ, ତେବେ ଯାଇଁ ବୋହୂଦେଖା ବା ମୁହଁ ଦେଖାର ସମୟ ଆସିବ ବୋଲି ଜାଣିବ ।

 

ଏ ସ୍ଥଳରେ ମଧ୍ୟ ବୋହୂଟିର ସିଧା ବସିବାର ସାଧ୍ୟ ନାହିଁ–ସେହିପରି ନତଭାବରେ ଅଧୋବଦନରେ ରହି ନିଜର ଗୁଣିତ୍ୱର ପରିଚୟ ଦେବାକୁ ପଡ଼ିବ । (କହିଛି–ପରା–‘‘ନମନ୍ତି ଫଳିନୋ ବୃକ୍ଷାଃ, ନମନ୍ତିଃ ଗୁଣିନୋ ଜନାଃ; ନମନ୍ତି ସକୁଳବଧ୍ଵୋ, ନମନ୍ତି କୁତ୍ର, ଚେତରାଃ ।’’) ଗୃହକର୍ତ୍ତ୍ରୀ ତତ୍ପରେ ପ୍ରତିବେଶିନୀମାନଙ୍କର ଗୁରୁତ୍ଵ ହିସାବରେ (In order of importance) ଅର୍ଥାତ୍ ପ୍ରତ୍ୟାଶିତ ଦକ୍ଷିଣାର ଗୁରୁତ୍ଵ ହିସାବରେ ଜଣ ଜଣ କରି ସମସ୍ତଙ୍କୁ ବୋହୂ ମୁହଁ ଦେଖାଇବେ ଓ ଦର୍ଶନୀ ଗ୍ରହଣ କରିବେ । ତତ୍ପରେ ସମସ୍ତେ ବୋହୂର ମୁଣ୍ଡଠାରୁ ଗୋଡ଼ଯାକ ଅଳଙ୍କାର ପରୀକ୍ଷା କରି ତୁଳନାଦ୍ୱାରା ଭଲମନ୍ଦ ସାବ୍ୟସ୍ତ କରିବେ । ସେଇଥିରୁ କେତେ ଦଳର ସୃଷ୍ଟି ହେବ, କେତେ କଥା ବାହାରି ପଡ଼ିବ, କେତେ ଆଲୋଚନା ଆରମ୍ଭ ହୋଇଯିବ । କେତେ ଘରର ବୋହୂମାନଙ୍କ ପ୍ରସଙ୍ଗ ଉଠିବ, ତାହାର କଳନା ହୋଇ ନ ପାରେ; କିନ୍ତୁ ବୋହୂଟି ଆଦ୍ୟୋପ୍ରାନ୍ତ ସେହି ସ୍ଥାନରେ ସେହି ଭାବରେ ନୀରବ ନିଷ୍ପନ୍ଦ ହୋଇ ବସି ନିଜକୁ ଧନ୍ୟ ମଣିବାକୁ ବାଧ୍ୟ ।

 

ଏତେଗୁଡ଼ାଏ କଥା ମୋତେ କହିବାକୁ ପଡ଼ି ନ ଥାନ୍ତା, ଯଦି ମୁଁ ଆଜିକାଲିକାର କଥା କହୁଥାନ୍ତି, ଅଥବା ଯଦି ସଭ୍ୟତା ପ୍ରଭାବରେ ଲୋକେ ଆଜି ଏ ସମସ୍ତ ସାମାଜିକ ସଦନୁଷ୍ଠାନମାନ ଭୁଲିବାକୁ ବସି ନ ଥାନ୍ତେ । କିନ୍ତୁ କ’ଣ କରିବି ? ମୁଁ ଯେଉଁ ସମୟର କଥା କହୁଛି, ସେତେବେଳେ ସଭ୍ୟତା କଅଁଳା ପିଲା–କାନ୍ଥବାଡ଼ ଆଶ୍ରୟ ନ କରି ଚାଲିବୁଲି ପାରିବ, ସେ ଶକ୍ତି ତା’ର ସେତେବେଳକୁ ହୋଇ ନାହିଁ ।

 

ଗୋଟିଏ ପାଞ୍ଚ ଛ’ ବର୍ଷର ଝିଅ ଖଣ୍ଡେ ରଙ୍ଗ ଲୁଗା ପୁଅଙ୍କ ପରି ପିନ୍ଧି ମୁହଁଦେଖା ସରିଲାବେଳୁଁ କନକ ଆଗରେ ବସି ତା’ ମୁହଁକୁ ତରାଟିମରାଟି ଚାହୁଁଥାଏ ଓ ଯେତେବେଳେ ଦୈବାତ୍ ତା’ ଆଖି ୟା ଆଖିରେ ପଡ଼ିଯାଏ, ତରତର ହୋଇ ତଳକୁ ମୁହଁ କରିଦିଏ । କନକ ସେ ଝିଅଟିର ପିନ୍ଧାକାନି ଧରି, ପାଖକୁ ଟାଣିଆଣି ଗଉରୀକୁ ଦେଖାଇ ତା’ କାନରେ କହିଲା, ‘‘ସେ ମାତାଟି କିଏ ?’’ କନକ ଅବଶ୍ୟ ଅନେକ କ୍ଷଣ ୟାଡ଼େ ସ୍ୟାଡ଼େ ଅନାଇ ସୁବିଧା–ଦେଖି, ଯେତେବେଳେ କାହାରି ନଜର ତା’ ଉପରେ ନାହିଁ, ସେହି ଅବସରରେ ଏଡ଼େ ଗର୍ହିତ କାର୍ଯ୍ୟଟାଏ କହିବାକୁ ସାହାସ କରିଥିଲା । କିନ୍ତୁ ଭାଗ୍ୟକ୍ରମେ ସେଥିରେ ବିଷମ ଫଳ ଫଳିଲା । ଝିଅଟି ତ ପ୍ରଥମେ କିଛି ବୁଝି ନ ପାରିଲା ପରି ୟାଡ଼େ ସ୍ୟାଡ଼େ ଅନାଇ ପୁଣି କନକ ମୁହଁକୁ ଚାହିଁଲା । କନକ ଆଙ୍ଗୁଳି ଠାରି ଗଉରୀକୁ ଦେଖାଇ ଦେଲାରୁ ପିଲାଟି ଆଗକରି ଖାଲି ହସିଲା ପରସ୍ତେ । କନକ ଏଥିରେ ସୁଦ୍ଧା ଭୀତ ହୋଇ ନତମସ୍ତକରେ ରହିଲା । ଝିଅଟି ଏଣେ ହସି ହସି ଯାଇ ଗଉରୀ ବେକରେ ଦୁଇ ବାହୁବେଷ୍ଟନ କରି ତା’ ଆଗକୁ ଝୁଲିପଡ଼ି, ତା’ ମୁହଁ ପାଖକୁ ତା’ ଟିକି ରଙ୍ଗା ମୁହଁଟି ନେଇ ହସୁ ହସୁ ଏଡ଼େ ପାଟି କରି କହିଲା–‘‘ଗଉଲି ଅପା, ନୂଆବୋଉ ତତେ ମାତାଦି କଉଚି ।’’ ଗଉରୀ ଟିକିଏ ହସି ଝିଅଟି ମୁହଁରେ ହାତଦେଇ ତାକୁ ବନ୍ଦ କଲା । କିନ୍ତୁ ହେଲେ କ’ଣ ହେବ, ଯେଉଁ ଅନିଷ୍ଟ ହେବାର ତାହା ସେତେବେଳକୁ ହୋଇସାରିଲାଣି–କଥାଟା କ୍ଷଣକେ ସଭା ମଧ୍ୟରେ ବ୍ୟାପ୍ତ ହୋଇଗଲା ।

 

କନକର ଶାଶୂ ବୋହୂ ଦେଖାଇ ସାରି ଅନ୍ୟ ପ୍ରସ୍ଥରେ କାମ ଧନ୍ଦାରେ ଲାଗି ଯାଇଥିଲେ-। ପୂର୍ବବର୍ଣ୍ଣିତ ଘଟନାର ଅଳ୍ପକ୍ଷଣ ପରେ ବତାସ ପରି ସେ ସଭାରେ ଅବତୀର୍ଣ୍ଣ ହୋଇ ବୋହୂକୁ ଲକ୍ଷ୍ୟ କରି କହିଲେ–‘ହଇଲୋ, ବେମହାତୀ ଘର ଝିଅ ! ଏଁ–ଆଲୋ, ମ’ ଝିଅ-ମୋ ଝିଅ ତୋତେ ମାତାଜି ପରି ଦିଶିଲା । ନାଇଁ ? କଉ କେଳାଘରେ ବଢ଼ିଥିଲୁ ଲୋ–ୟାଁଲୋ, ଏଁ ?’’ କନକ ଅତି କାତର ଭାବରେ କାନ୍ଥ ଦେହରେ ମିଶିଗଲା ପରି ହୋଇଗଲାଣି । ହଠାତ୍ ଏହି ସ୍ଥାନରେ ଗଉରୀ ଉଠି ଆସି ବୋଉ ହାତଧରି ଝିଙ୍କିନେଇ କଡ଼ା ସ୍ୱରରେ କହିଲା ‘ଛି, ବୋଉ, ପିଲାଟା । ’ ବୋଉ କିନ୍ତୁ ଶୁଣିବାର ଲୋକ ନୁହଁନ୍ତି । ସେ ସେହିପରି ବାତୁଳପ୍ରାୟ ଗଉରୀକୁ ଆଗକୁ ହଟାଇ ନ ପାରି କୁଣ୍ଢାଇ ଧରି କନକର ଆହୁରି ପାଖକୁ ତଡ଼ିଯାଇ କହିଲେ, ‘‘ଦେଖିଲୁ, ଦେଖିଲୁ ? ହଇ ଲୋ ସୁନ୍ଦରୀ ସୁନା; ମୋ ଝିଅ ପରା ମାତାଜି ପରି ଦିଶୁଛି, ନାଇଁ ଲୋ ?’’ ଏହି ସ୍ଥାନରେ ହିତରେ ବିପରୀତ ଦେଖି; ଅନ୍ୟ ଉପାୟ ନ ପାଇ ଗଉରୀ ବୋଉ ମୁହଁରେ ହାତଟା ଗୁଞ୍ଜିଦେଇ ‘ତୁନି ହ, ତୁନି ହ–ଢେର୍ ହେଲାଣି’ ବୋଲି କହି ତାଙ୍କୁ ଅନ୍ୟ ଦିଗକୁ ତଡ଼ି ନେଇଗଲା କନକ ସେହିପରି ତଟସ୍ଥ ପରି ବସିଥାଏ, କିନ୍ତୁ ଗଉରୀବୋଉ କ’ଣ ଏପରି ଭାବରେ ବିଧ୍ଵସ୍ତ ହୋଇଯିବେ; ଗଲାବେଳେ ମୁହଁ ବୁଲାଇ ବୋହୂକୁ ଓ ସଂସାରକୁ ଏକାବେଳକେ ଲକ୍ଷ୍ୟ କରି କହିଦେଇ ଗଲେ–‘‘ହାଡ଼ି ଚମାର ଘର ଝିଅ, ସହରୀୟା ବଜାରୀୟା ଗୁରାକ–ମାନମହତ କାହୁଁ ଶିଖିବେ ? ଆଲୋ, ତୋର ପସନ୍ଦ ବି ଟିକିଏ ନାହିଁ ଲୋ କଳାକାନି ! ଛିଆ ଲୋ ଛିଆ ! କ’ଣ କହନ୍ତି ଆଉ । ଯାଃ-’’ ଏତିକିରେ ଗଉରୀର ଚୂଡ଼ାନ୍ତ ଚେଷ୍ଟା ବୋଉ ଅଦୃଶ୍ୟ ହୋଇଗଲେ ।

 

କିନ୍ତୁ ଏଥିରେ କନକର ଭାଗ୍ୟ ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା । ଶାଶୂଘରେ ଏ ଦୁଇଦିନ କନକର ସୁଖରେ ନ ଯାଉ, ପରିହାସ ବା ନିନ୍ଦା ଜ୍ୱାଳାରେ କାନ୍ଦୁ କାନ୍ଦୁ କଟିନାହିଁ । ତାହାର କାରଣ, ଗ୍ରାମର ପ୍ରଧାନ ମତନବିସ ମାଇକିନାମାନେ କଳହପଟୁ ଥିଲେ ମଧ୍ୟ ପଟ୍ଟନାହାକ ଘର ଏ ଉଗ୍ରଚଣ୍ଡୀଙ୍କ ସମକକ୍ଷ କେହି ଆଜିଯାକେ ହୋଇପାରି ନାହାନ୍ତି । ସାଇ କଥାରେ ନିଧିବୋଉ ଯାହା କହିବେ, ସେଇଟା ବେଦର ଗାର–କାହାରି ବାଧା ଦେବାର ଶକ୍ତି ନାହିଁ; କାରଣ ଏବଂ ଯୁକ୍ତି ଥାଇପାରେ, କିନ୍ତୁ ସାଧ୍ୟ ନାହିଁ । ଆଉ ତାଙ୍କ ନିଜ ଘର କଥାରେ କିଏ ତାଙ୍କୁ ବାଧା ଦେବ ? ପ୍ରଥମ ଦର୍ଶନରେ ତାଙ୍କ ଶ୍ରୀମୁଖରୁ କନକ ଉପରେ ଏହି ମତ ଜାରି ହୋଇଥିଲା । ‘‘ଆଚ୍ଛା ବୋହୂ !’’ ଅତଏବ ସାଇପଡ଼ିଶାଙ୍କ ମୁହଁରୁ ଏପର୍ଯ୍ୟନ୍ତ ଖାଲି କନକ ପ୍ରଶଂସା କେବଳ ଉଚ୍ଛୁଳି ପଡ଼ୁଥିଲା ! ବର୍ତ୍ତମାନ ମହାମାୟାଙ୍କ ମତ ପରିବର୍ତ୍ତନରେ ସମବେତ ପ୍ରତିବେଶିନୀଗଣ ଏକାବେଳକେ ବଦଳି ଗଲେ ! କିଏ କହିଲା–‘‘ପଟ୍ଟନାହାକ ଘର ଉଜ୍ଜଳ ହେବ, ବୋହୂ ଭାରି ଚମ୍ଭା !’’ କିଏ କହିଲା–‘‘ଇଲୋ ମା, ଏ ଘରକୁ ଆଉ କିଏ ଆସିବ ଲୋ ମା ! କାହାର ଗରଜ ପଡ଼ିଚି–କିଏ ମାତାଜି, ଦାରୀ, କସବୀ ନା ଶୁଣିବ ମ !’’ କେହି ବା ଦାୟାର୍ଦ୍ର ହୋଇ ମନେ ମନେ କହିଲେ–‘‘ଆହା-! ବୋହୂ ପିଲାଟିର କପାଳରେ କ’ଣ ଅଛି କେଜାଣି !’’ ଏହିପରି ଅପ୍ରତ୍ୟାଶିତ ଭାବରେ ଅକାଳେ ସଭାଭଙ୍ଗ ହେଲା ।

 

(୨)

 

ଏଣେ ଗଉରୀ ବୋଉକୁ ଠେଲି ଠେଲି ନେଇ ହାଣ୍ଡିଶାଳ ପରସ୍ତରେ ଢେର ବୁଝାଇଲା, କହିଲା–‘‘ବୋହୂଟିପିଲା; ବୁଦ୍ଧିଶୁଦ୍ଧି ହୋଇନାହିଁ । ମୁଁ ତୋ ଝିଅ ହେଲେ ସେ ବି ତ ଝିଅ–ବୋହୂ କିଏ, ଆଉ ଝିଅ କିଏ ?’’ ଶେଷରେ ଏତେ କରୁଣ ଭାବରେ ଗଉରୀ କନକର ହୋଇ ନଢ଼ିଲା ଯେ, ବୋଉ କାନ୍ଦି ପକାଇ ଗଉରୀକୁ କୁଣ୍ଢାଇ ପକାଇଲେ–ସେଇ କ୍ଷଣକ ପାଇଁ, ଗଉରୀ ଆଖିରେ ଯେ ପ୍ରକାର ସ୍ନେହର ଦିପ୍ତିଟା ସବୁବେଳେ ଲାଗି ରହିଥାଏ, ନିଧିବୋଉ’ଙ୍କ ଆଖିରେ ଲୋତକ ଉପରେ ସେହି ପ୍ରକାର ଗୋଟିଏ ଜ୍ୟୋତି ଦେଖାଗଲା–ସେଇ କ୍ଷଣକ ପାଇଁ । ହଠାତ୍ ଗୋଟିଏ ‘ନିଧିବୋଉ’ ‘ନିଧିବୋଉ’ ବୋଲି ଡାକି ଡାକି ଆସି ସେହି ପରସ୍ତରରେ ପଶିବାରୁ ନିଧିବୋଉ ଲୁହ ପୋଛାପୋଛି କରିଦେଇ ପଲକମାତ୍ରକେ ପୂର୍ବ ସ୍ୱରୂପ ଧାରଣ କରି ପକାଇଲେ !

 

ଗଉରୀ ବୋଉକୁ ଏହି ପ୍ରକାରେ ବଶକରି ପ୍ରଫୁଲ୍ଲ ମନରେ ଧାଇଁ ଆସି କନକକୁ ଏକାବେଳକେ କୋଳ କରି ସେ ପରସ୍ତକୁ ନେଇ ଯାଇ କହିଲା, ‘‘ପଖାଳ ଦେ ବୋଉ ! ମୁଁ ବୋହୂକୁ ଖୁଆଇ ଦିଏଁ ।’’

 

ଏ ପର୍ଯ୍ୟନ୍ତ କାହିଁକି କନକ ଗଉରୀ ସହିତ ଆଳାପ ପରିଚୟ କରି ନ ଥିଲା, ତାହା ଏଠାରେ କହି ନ ଦେଲେ ଅଡ଼ୁଆ ଅଡ଼ୁଆ ଲାଗିପାରେ । ଏକେ ତ ଗଉରୀର ସମୟ ଧର୍ମକର୍ମରେ ବାରପଣ କଟିଯାଏ, ତା’ ପରେ ପୁଣି ମାଘମାସ; ଠାକୁର ଖଞ୍ଜାରେ ମାଘମାହାତ୍ମ୍ୟ ପୋଥି ଶୁଣିବାକୁ ମଧ୍ୟ ପଡ଼େ ! ଆହୁରି ମଧ୍ୟ; ବୋହୂ ଯେତେବେଳେ କାଲି ରାତିରେ ଆସି ଘରେ ପ୍ରବେଶ କଲା, ଗଉରୀ ବୋଉ ଏକୁଟିଆବେଳେ ଗଉରୀକୁ ଚୁପ୍ କରି ଡାକି ବିଶେଷ ସାବଧାନ କରି ଦେଇଥିଲେ ଯେ–‘‘ନୂଆବୋହୂଟି ସାଙ୍ଗରେ କଥାଭାଷା ହେବୁ ନାହିଁ ଏଇଲାଗେ–ଦେଖାଯାଉ’’ ଇତ୍ୟାଦି ! କାରଣ କ’ଣ, ତାଙ୍କୁ ଗୋଚର । ବୋଧହୁଏ, ଝିଅଟି ତାଙ୍କର ବିଧବା–ଏଇଥିପାଇଁ । ହାୟ ! ମା’ ହେଲେ ତାକୁ ପୁଅର ହେବାକୁ ହୁଏ, ଝିଅର ବି ହେବାକୁ ହୁଏ । କିନ୍ତୁ ଯାହାର ଦୁଃଖ ବେଶି, ଯେ ବେଶି ଦୁର୍ବଳ, ମା’କୁ ଯେ ତାହାରି ଦି’ ଗୁଣ ହେବାକୁ ହୁଏ !

 

ଗଉରୀ କନକକୁ ବସାଇ ତାହାର ଲୁହ ପୋଛି ଦେଉଁ ଦେଉଁ ଅଜ୍ଞାନରେ ଓ ବିଜୟୋଲ୍ଲାସରେ ବୋଉ ମୁହଁକୁ ଚାହିଁଲା । ବୋଉ କିନ୍ତୁ ମୁହଁଟିକୁ ଶୁଖାଇ ଦେଇ, ପଖାଳ ବାଢ଼ି ଆଣି ଥୋଇ ଦେଇ ଚୋରଙ୍କ ପରି କନକନ ହେଉଥାନ୍ତି ଓ ଅନ୍ୟ କିଛି କଥା ନ ପାଇ କହୁଥାନ୍ତି–‘‘ସେ ରଙ୍ଗୀ ଟୋକିଟା ଆଜି ଗଲା କୁଆଡ଼େ ! ଆସୁ ସେ ଆଜି, ସେ ଚିହ୍ନିବ କି ମୁଁ ଚିହ୍ନିବି-!’’ ଇତ୍ୟାଦି (ରଙ୍ଗୀ ତାଙ୍କ ସାନ ଝିଅ–ଅବିବାହିତା-ବୟସ ୧୨ କି ୧୩ ହେବ)

 

ୟାଡ଼େ ଦୁଇଗୁଣ୍ଡା ଭାତ ଗଉରୀ ହାତରୁ ନେଇସାରି କନକ ହଠାତ୍ ଗୁଣ୍ଡାଏ ଭାତ ନିଜ ହାତରେ ଚିପୁଡି, ଲଜ୍ଜାପାଟଳ ମୁଖଟି ଗଉରୀ ମୁହଁ ପ୍ରତି ଉନ୍ନତ କରି ତା’ ବେକ ଧରି ଝୁଙ୍କାଇ ଆଣିଲା ବୋଉ ସେହିଠାରେ ଟିକିଏ ଦୂରରେ ଥିଲେ, ‘‘ହାଁ ହାଁ, ସେ ଅଇଣ୍ଠା ଖାଏ ନାହିଁ’’ ବୋଲି କହି ସେଠାକୁ ଧାଇଁ ଆସିଲେ । କିନ୍ତୁ ଗଉରୀ ହସହସ ମୁଖରେ ବୋଉ ଆଡ଼କୁ ଚାହିଁ ନୀରବରେ ଆଁ କରିଦେଲା ।

 

ଏହି ସମୟରେ ସ୍ୟାଡ଼ୁ ବାର ତେର ବର୍ଷର ଝିଅଟିଏ ଖଣ୍ଡେ କନାଧଡ଼ିରେ ଗୋଟିଏ ବିଲେଇ ଛୁଆକୁ ବାନ୍ଧି ଓଟାରି ଓଟାରି ଧାଇଁ ଆସୁଥିଲା; ଗଉରୀକୁ କନକ ହାତରୁ ଗୁଣ୍ଡା ନେବାର ଦେଖି ନିଜ ପ୍ରତି ସବେଗରେ ଧାବମାନ ବୋଉକୁ ବେଖାତିର କରି, ଅତି ବିଜ୍ଞଭାବରେ କଙ୍କାଳରେ ହାତ ଦେଇ ଛିଡ଼ା ହୋଇ ଗଉରୀ ଆଡ଼କୁ ଅନାଇ, ଦୁଷ୍ଟ ହସ ହସି କହିଲା–‘‘କି ଲୋ ଦେଇ, ଭାରି ତ ଭଲେଇ ହଉଥିଲୁ; ଆଜି ଭଦ୍ରଖିୟାଣୀ ଅଇଣ୍ଠା ତ ମାହାପ୍ରସାଦ କଲୁଣି । ମୁଁ ଜାଣିଲି ଯେ,–ହଉ ହଉ । କାଲି ଯଦି ମୋ ଅଇଣ୍ଠା ତତେ ନ ଖୋଇଚି, ଫେର୍ ଦେଖିବୁ ।’’ ସ୍ୟାଡ଼ୁ ବୋଉ ଇତି ମଧ୍ୟରେ ଆସି ତାକୁ ପଗଡ଼ି ଓଟାରି ଓଟାରି ସ୍ୟାଡ଼କୁ ନେଇ ଯାଉଥିଲେ । ଏତିକିରେ ଝିଅଟି ଭେଁ ଭେଁ କରି ରଡ଼ି ଛାଡ଼ିଲା । ନୂଆବୋଉ ଆଗେ ଦେଇ ସାଙ୍ଗରେ ଖାଇଲା, ଏଥିଯୋଗେ ଅପମାନ, ଦେଇ ତା’ ସାଙ୍ଗରେ ଖାଇବା ନାଁ ଶୁଣିଲେ ମାରି ଗୋଡ଼ାଏ, ଆଜି ନୂଆବୋଉ ସଙ୍ଗେ ଖାଉଛି, ସେଥିଯୋଗେ ବି ଅଭିମାନ । ତଦୁପରି ବୋଉର ଏ ଆଚରଣ ପିଲାଟା କେତେ ସହିବ ? ଏଡ଼େ ପାଟି କରି ରଡ଼ିଲା । କନକ ସବୁ ଦେଖୁଥାଏ । ଝିଅଟିକୁ କାନ୍ଦିବାର ଦେଖି ଖାଇଲାଠଉଁ ଚଟ୍ ଉଠିଯାଇ ତା’ ଖାଲି ହାତଟି ଧରି ଟାଣି ଆଣି ବେଲାପାଖରେ ବସାଇ ତାକୁ ମଧ୍ୟ ଖୋଇ ଦେବାକୁ ପ୍ରୟାସ କଲା । କିନ୍ତୁ ରଙ୍ଗୀକୁ ପାରେ କିଏ ? ସେ ନ ଖାଇଲେ ସରିଲା–ପାଟିଟାକୁ ବୁଜି ଯଥାସମ୍ଭବ ଜୋରରେ ଚିତ୍କାର କରୁଥାଏ । ଗଉରୀ ମଧ୍ୟ ଶେଷରେ ଗୁଣ୍ଡାଏ ଭାତ ନେଇ ତା’ ପାଟିରେ ପୂରାଇବାର ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ । ବୋଉ ବିରକ୍ତ ହୋଇ ଆସି କହିଲେ, ଲୋ ବୋହୂ, ଗୁଣ୍ଡାଏ ଭାତ ନେଇ ତା’ ନାକରେ, କାନରେ ପୂରେଇ ଦବୁଟି । ତତେ ସେ ଢେର ହଇରାଣ କରିଛି, ତୁ ଛାଡ଼ୁଛୁ କାହିଁକି ? ରଙ୍ଗୀ ମୁହଁ ଫିଟିଗଲା, କହିଲା, ‘‘ସତେ ? ଭାରି ତ ଭଦ୍ରଖିୟାଣୀ । ହଉ ହଉ । ବୋଉ ତତେ ବି ଦେଖିବି ରହ !’’ ଏହି ସୁଯୋଗରେ କନକ ଗୁଣ୍ଡାଏ ଭାତ କୌଶଳରେ ରଙ୍ଗୀ ମୁହଁରେ ପୂରାଇ ଦେଲା । ସେଇଠୁ ରଙ୍ଗୀ ହସିଉଠିଲା, ଗଉରୀକୁ ପୁଳାଏ ଦି’ ପୁଳା ଚିମୁଟିଲା, ବିଲେଇ ଛୁଆଟିକୁ ଓଟାରି ଆଣି ନୂଆବୋଉ ମୁଣ୍ଡ ଉପରେ ଥୋଇଦେଲା । ଚକା ପକାଇ ଖୁସିରେ ଆଁ କରିଦେଲା ଏଥର କିନ୍ତୁ ଗଉରୀ ହାତରୁ ଗୁଣ୍ଡା ନ ନେଲା କେଭେଁ ।

 

ଗଉରୀ କହିଲା, ‘‘ରହ, ରାଣ୍ଡ ରହ, ଦେଖିବି, ଏ ନବାବୀ ମିଞ୍ଜାସ ତୋର କେତେ ଦିନ ରହିବ ! ବୋଉ, ରଙ୍ଗୀ ବାହାଘରକୁ ମତେ ନ ଆଣିଲେ ଫେର୍ ଦେଖିବୁ–ହଁ ।’’

 

ବୋଉ କହିଲେ–‘‘ମତେ କାହିଁକି କହୁଚୁ ଲୋ ଝିଅ ! ବୋହୂକୁ (ଅର୍ଥାତ୍ କନକକୁ) କହ-!’’

 

(୩)

 

ଦୁଇ ତିନି ଦିନ ପରର କଥା । ବାହାଘର ଗୋଳମାଳ ଭାଙ୍ଗିଗଲାଣି । ରାତି ଚାରି ଘଡ଼ି ସରିକି ହେବ, ବାହାର ପିଣ୍ଡା ଉପରେ ଖଣ୍ଡେ ସଉପ ମସୁଣି ଉପରେ ଶୋଇଥିଲେ ନିଧିବୋଉ, ମୁଣ୍ଡ ପାଖରେ କାନ୍ଥକୁ ଆଉଜି ବସି ପାନ ଚୋବାଇ ଚୋବାଇ ବିଞ୍ଚଣା ଖଣ୍ଡିକରେ ବିଞ୍ଚି ହେଉଥିଲା ଗଉରୀ । କଥାବାର୍ତ୍ତା କଛି ନାହିଁ । ଏହି ସମୟରେ ସ୍ୟାଡ଼ୁ କନକ ଚୁପ୍ ଚାପ୍ ଆସି, ଖଣ୍ଡିଏ ପାନ ଗଉରୀ ମୁହଁରେ ସବଳେ ଗୁଞ୍ଜିଦେଇ, ଟିପାଏ ଛେଚା ପାନ ଶାଶୂଙ୍କ ପାଟିରେ ଦେବାକୁ ଯାଉଥିଲା, କିନ୍ତୁ ଶାଶୂ ତା’ ହାତରେ ନେଇ ନିଜ ପାଟିରେ ଦେଲେ । କନକ ପୁଣି ସେହିପରି ଧିରେ ଧିରେ ବାହାରି ଯାଉଥିଲା; କିନ୍ତୁ ଶାଶୂ କହିଲେ, ‘‘ବୋହୂ, ଏଇଠିକି ଆ, ଶୁଣ ।’’ କନକ ଶାଶୂଙ୍କ ଗମ୍ଭୀର ଭାବ ଦେଖି ଓଢ଼ଣା ଭିତରୁ ତାଙ୍କ ମୁହଁଙ୍କୁ ଚାହିଁ କିଛି ବିସ୍ମିତ ହେଲା; କିନ୍ତୁ ଧିରେ ଧିରେ ଆସି ତାଙ୍କ ପାଖରେ ଛିଡ଼ା ହେଲା । ନିଧିବୋଉ ସେହିପରି ନୀରବ ଭାବରେ ଶୋଇଥାନ୍ତି । କନକକୁ ଏପରି ଭାବରେ ଛିଡ଼ା ହେବାକୁ ଅଡ଼ୁଆ ଅଡ଼ୁଆ ଲାଗିଲା । ତେଣୁ ସେ ବସିପଡ଼ି ଶାଶୂଙ୍କ ପଦସେବାର ଆୟୋଜନ କଲା । କିନ୍ତୁ ଗଉରୀ ଓ ତା’ ବୋଉ ଦୁହେଁ ସମସ୍ୱରରେ ମନାକଲେ–‘‘ମଲା, ଅଷ୍ଟମଙ୍ଗୁଳା ଯାଇନାହିଁ । ଏ କ’ଣ ମ !’’ ନିଧିବୋଉ ଏଥର ଉଠି ବସି ବୋହୂର ଗୋଟିଏ ହାତ ଧରି କହିଲେ, ‘ଝିଅ, ମୁଁ ଆସି ବୁଢ଼ୀ ହେଲିଣି । ମୋର ବା ଆଉ କେତେ ଦିନ । ଏ ଘର ଦୁଆର ସବୁ ତୋରି-ତୁହି ତ ଲୋ ଝିଅ ସଂସାର କରିବୁ । ମୁଁ ପୁଅକୁ କହିଚି, ତୋତେ ବି କହିଲି–ମତେ ଏବେ ଠାକୁରଦରାକୁ (ପୁରୀ) ବିଦା କରିଦିଅ । ସେଠି ଗଉରୀର, ମୋର ରହିବୁ । ଏଠାରେ ଗଉରୀକୁ ବି କଷ୍ଟ ପଡ଼ୁଛି । ସେମିତିଟାରେ ରଖେଇବାକୁ ମଧ୍ୟ ମନ ବଳୁ ନାହିଁ, ଶାଶୂଘର ହେଲେ କ’ଣ ହେଲା, କିଏ ଅଛି ? ତହିଁକି ପୁରସ୍ତମ ପରି ଜାଗା । ତା’ କପାଳ ତ ଜଳି ଯାଇଚି ଲୋ ଝିଅ । ଜୋଇଁକି ଦେଖି ଦେଇଥିଲି ସିନା, ନଇଲେ କାହିଁ କପଳିଶର ନା ପୁରସ୍ତମ ! ସେ ତ ମୋ କରମ ଦୋଷ କାହାକୁ କହିବି ?’’ ଏତକ କହି ଆଉ ଗୋଟିଏ ହାତ ବଢ଼ାଇ ଗଉରୀର ଗୋଟିଏ ହାତ ଆଣି, କନକ ହାତରେ ଦେଇ କହିଲେ, ‘‘ଦେଖେ ଝିଅ,, ମୋର ଆଉ କେତେ କାଳକୁ କେତେ କଥା ! ଏହି ଫଟାକପାଳୀଟି ତୋତେ ଲାଗିଲା । ମୁଁ ପୁରସ୍ତମରେ ମରିବି । ମୋ ମଲା ଖବର ପାଇଲା ବାସି, ଗଉରୀକୁ ତୁ ନେଇ ଆସିବୁ–ମୋ ଦିହ ଛୁଇଁ କରି କହନି ।’’ ଏହିଠାରେ ଗଉରୀ ଛାଟିପିଟି ହୋଇ ପଳାଇଗଲା । କନକ ନିହାତି କଞ୍ଚା ବୋହୂ । ଏ କଥାର ପ୍ରତିବାଦ ମୂଳରୁ ଶେଷ ପର୍ଯ୍ୟନ୍ତ ସେ କରିପାରିଥାନ୍ତା କିନ୍ତୁ ଏ ସ୍ଥଳରେ ଖାଲି ଚୁପ୍ କରି ଶୁଣିବା ବାଧ୍ୟ ବୋଲି କିଛି କହିଲା ନାହିଁ । ଏଇ କେତେ ଦିନରେ ଏ ଘରର ସେ କ’ଣ ବା ବୁଝିବ ? ତେବେ କାଲି ରାତିରେ ସ୍ୱାମୀଙ୍କ ଠାରୁ ଏ ବିଷୟରେ ଆଭାସ ପାଇଥିଲା । ତା’ ମନରେ ବର୍ତ୍ତମାନ ପ୍ରଥମେ ଚିନ୍ତା ହେଲା–ତେବେ କ’ଣ ଏହି ଦୟାର ପ୍ରତିମାଟି ମଧ୍ୟ ଚାଲିଯିବେ–ଗଉରୀ ଅପା, ଯାହା ଯୋଗେ ସେ ଶାଶୂଘରକୁ ଶାଶୂଘର ବୋଲି ଜାଣି ନାହିଁ, ସେ ଚାଲିଯିବେ । ହୃଦୟର ନିଭୃତି କୋଣରେ ମଧ୍ୟ ଆଉ ଗୋଟାଏ କଥା ରହି ରହି ଏହା ସଙ୍ଗେ ମିଶି ଯାଉଥିଲା । ଯାହାଙ୍କ ଜୀବନ ସହିତ ତା’ ଜୀବନ ସୁଦୃଢ଼ ଭାବରେ ବନ୍ଧା ହେଲାରୁ ଏସବୁ, ସେ ମଧ୍ୟ ଅଳ୍ପଦିନେ ଚାଲିଯିବେ କହୁଥିଲେ-ଚାକିରି ସ୍ଥାନକୁ । ତେବେ କ’ଣ ତା’ର ଦୁଇଟିଯାକ ଅବଲମ୍ବନ ଏକାବେଳକେ ଖସିଯିବ ।

 

କନକ ଭାବି ଦେଖିଲା–ଅନ୍ତରର ଅନ୍ତସ୍ତମ ପ୍ରଦେଶକୁ ନିର୍ମମ ଚାହାଣିରେ ଚାହିଁ ଦେଖିଲା–ସେଠାରେ ଗୋଟାଏ ସଦ୍ୟ କ୍ଷତ ଚିହ୍ନ, ଓଦାମାଟିରେ ଲଙ୍ଗଳ ଚାଲିଗଲେ ଯେପରି ଦୁଇପାଖକୁ ମେଲା ହୋଇ ଚିହ୍ନ ପଡ଼ିଯାଏ, ସେହିପରି ଆଁ କରି ରହିଛି, ଆଉ ଦୁଇ ଦିଗରୁ ଦିଓଟି ହାତ ସେ ନିଜ ଚେଷ୍ଟାରେ ଧରିଆଣି ଦୁଇ ପାଖରୁ ଲଗାଇ ନିଜ ହାତରେ ସଜୋରେ ଚିପି ଧରି ସେଇ ଫାଙ୍କ ବୁଜିବାର ପ୍ରୟାସ ପାଉଛି । ଆଜି ସୁଦ୍ଧା ସେ ସଜୀବ ଚଞ୍ଚଳ ହାତ ଯୋଡ଼ିକର ସଦ୍ୟ ଛାୟାରେ ଚିହ୍ନଟି ତା’ ଆଖି ଆଗରୁ ଅକାଳ–ଘନ ଢଙ୍କା ଛାୟାପଥ ପରି ଲୁଚି ରହିପାରିଛି । ନିଜ ପ୍ରତି ତା’ର ବିଶ୍ୱାସ ହୋଇପାରୁନାହିଁ । ମନରେ ବିବାହ ପୂର୍ବରୁ ସେ ଯେଉଁ ଦମ୍ଭ କରିଥିଲା; ସେଇଟା କୁଆଡ଼େ ପାଣି ହୋଇଗଲାଣି । ସେ ଦୁଇଟିଯାକ ହାତ ଏତେ ଚଞ୍ଚଳ ଅପସାରିତ ହୋଇଗଲେ ତା’ ଅବସ୍ଥା କ’ଣ ହେବ ?

 

ପତି ଦେବତାଙ୍କ ସମ୍ମୁଖରେ ସ୍ଥାପିତ ହୋଇ; ଦେବାସ୍ୱରୂପିଣୀ ବିଧବା ନଣନ୍ଦଟିର ସଙ୍ଗସୁଖ ଉପଭୋଗ କରି, ନୂତନ ଜୀବନର ନୂତନତ୍ଵରେ ଅତୀତ ଜୀବନର କାହାଣୀ କିଞ୍ଚିତ୍ ବିସର୍ଜନ କରିଦେଇପାରିଥିଲେ ସୁଦ୍ଧା କନକର ନିଜ ପ୍ରତି ବିଶ୍ୱାସ ନ ବଢ଼ି କ୍ରମେ କମି ଯାଇଅଛି । ଶାଶୂଘରେ ଏ କେତେଦିନ ସେ ଖାଲି ସଙ୍ଗ ଖୋଜି ବୁଲୁଛି, କାର୍ଯ୍ୟ ଖୋଜି ବୁଲୁଛି; କାହାରି ଗୋଟାଏ ଅବଲମ୍ବନ ପାଇଲା ମାତ୍ରେ ତାକୁ ସର୍ବସ୍ୱ ଧନ କରିବାକୁ ବାଧ୍ୟ ହୋଇଅଛି । ଏ ଦୁର୍ବଳତା ତା’ର ହେବ, ସେ ଏ ଧାରଣା କେଭେଁ କରି ନ ଥିଲା । ଏ ଦୁର୍ବଳତାର କାରଣ ମଧ୍ୟ ସେ ବୁଝିଛି, ଅନ୍ତରେ ଅନ୍ତରେ ଅନୁଭବ କରୁଛି । ସେଥିଯୋଗୁଁ ଆଜି ଗଉରୀର ଯିବା ଖବରରେ ତା’ ମୁଣ୍ଡରେ ବଜ୍ରପାତ ହେଲା କି ଆଉ !

 

ଏହିପରି କେତେ କ’ଣ ଭାବୁ ଭାବୁ ଅଜଣାରେ ତା’ ଆଖିରୁ ଲୁହ ବହି ପଡ଼ିଲା । ଶାଶୂ ବୁଝିପାରିଲେ, ବୋହୂ କାନ୍ଦୁଛି । ସାନ୍ତ୍ୱନା ସ୍ୱରରେ କହିଲେ, ‘ଛି, ବୋହୂ, କାନ୍ଦୁଛୁ ?’ କଣପେଇଁ ମ–ମୁଁ ତ ଏଇଲାଗେ ଆଉ ପୁରସ୍ତମ ବାହାରିଯାଉ ନାହିଁ । ତୋର ବର୍ଷକ ଏଠାରେ ପୂରୁ, ଗଉରୀ ପଛକେ ଯିବ ଚାଲି, ଏତେଦିନ ଏକାରେ ଚଳିଲା, ଆଉ ବର୍ଷେ ଏବେ ଚଳିବ; ଆଉ ହବ କ’ଣ ? ପୁଣି, ରଙ୍ଗୀଟି– ‘ହଇ ଲୋ ରଙ୍ଗୀ, ରଙ୍ଗିମ–ମଲୁ କି ଲୋ ? ଆ ଆ ଟିକିଏ ୟାଡ଼େ, ଶୁଣିଯା, ମୋର ସୁନାଝିଅଟି ପରା ।’ ହଁ ରଙ୍ଗୀଟି କେମିତି ପାର ହୋଇଯିବ, ସେଇ ଚିନ୍ତା ତ ମତେ ବଳେଇଲାଣି; ମୁଁ କ’ଣ ପୁରସ୍ତମ ଯିବି ? ମତେ ବା ସେ ଯୋଗ କାହିଁ ? ଏଇଠି ଘାଣ୍ଟି ହୋଇ ମରିବି ସିନା ।’’ ଏହା କହି ବୁଢ଼ୀ ପୁଣି ମୌନ ହୋଇ କ’ଣ ଭାବିବାକୁ ଲାଗିଲେ । କନକ ସେହିପରି ନୀରବରେ କାନ୍ଦୁଥାଏ । ଇତି ମଧ୍ୟରେ ରଙ୍ଗୀ ଧାଇଁ ଧାଇଁ ଆସି ବୋଉ ପେଟ ଉପରେ ଲଥ୍ କରି ପଡ଼ି ବୋଉ ପାଟିରେ ଆଙ୍ଗୁଠି ପୂରାଇବାର ଚେଷ୍ଟା ଆରମ୍ଭ କଲା । ବୁଢ଼ୀ ବିରକ୍ତ ହୋଇ କହିଲେ ‘‘ମଲା ! ଏ ଝିଅଖଣ୍ଡ କ’ଣ ହଉଚି ମ ।’’ ଏବଂ ପରେ ରଙ୍ଗୀକୁ ହାତରେ ଆଡ଼େଇ ଦବାକୁ ଗଲେ । କିନ୍ତୁ ରଙ୍ଗୀ କ’ଣ ଛାଡ଼ିବା ଜନ୍ତୁ ସେ ବୋଉ ପାଟିରେ ଆଙ୍ଗୁଠି ପୁରାଇବ । ଶେଷରେ ବୁଢ଼ୀ ହାର୍ ମାନିଲେ । ଝିଅ ବି ଆଙ୍ଗୁଠିରୁ ଯୋଡ଼ାଏ ତିନିଟା ତାଙ୍କ ପାଟିରେ ପୂରାଇ ସେଠାରୁ କିଛି ଜିନିଷ ଆଣି ଯାହା କଲା, ଖୋଲି କହିଲେ ଚଳିବ ନାହିଁ–ସେଇଟା ନିହାତି ବିଜ୍ଞାନ ଅସମ୍ମତ ।

 

ରଙ୍ଗୀ ପାନବୋଳା ରଙ୍ଗା ହାତକୁ ଲୁଚାଇ ଲୁଚାଇ କନକ କାନିରେ ପୋଛିଲାବେଳେ ନିଧିବୋଉ ଉଠି ବସି ତା’ ହାତଟି ଧରି, କନକ ହାତଟି ମଧ୍ୟ ଭିଡ଼ିଆଣି ସେଥିରେ ଥୋଇଲେ ଓ କହିଲେ–‘‘ଝିଅ ! ବାଳୁତ ପିଲାଟି ବି ତତେ ନାଗିଲା । ମୁଁ ତ ଆଜି ଅଛି, କାଲି ନାହିଁ । ତାକୁ ବାହାଚୋରା କରିବ ।’’ ଏତିକିରେ କିନ୍ତୁ ରଙ୍ଗୀ ମହାରାଗ ହୋଇ ବୋଉ ଓ କନକ ଉଭୟଙ୍କୁ ଦୁଇ ହାତରେ ବିଧା ଚାପୁଡା ମାରି ବ୍ୟସ୍ତ କରିପକାଇଲା । ସ୍ୟାଡ଼ୁ ଗଉରୀ ଆସି ରଙ୍ଗୀର ଖୋଷାଟି ଧରି ଟାଣୁ ଟାଣୁ କହିଲା, ‘‘ମଲା ମର ବାହାହବ ନେଇଁ ପରା ।’’ ରଙ୍ଗୀ କୌଣସି ମତେ ନିଜକୁ ମୁକ୍ତ କରିନେଇ ପଳାଇ ଯିବାର ଉପକ୍ରମ କରୁ କରୁ କହିଲା ‘‘କି ମୁଁ କାହିଁକି ବା’ ହେମି ? ତୁ ବା’ ହଉନୁ-।’’ ଝିଅଟିର ରାଗ ଦେଖି କନକ ତାକୁ ଧରିବାକୁ ଯାଉଥିଲା, କିନ୍ତୁ ରଙ୍ଗୀ ତାକୁ ଜୋରରେ ଠେଲି ଦେଇ ପଳାଇ ଯାଉଁ ଯାଉଁ କହିଲା–‘‘ଓ, ଭାରି ତ ନୂଆବୋଉ ଯା ଯା; ତେମେ ତମ ଗଉରୀ ଅପା ଚଉଁରୀ ମୁଣ୍ଡି ପାଖକୁ ଯା ।’’

 

ରଙ୍ଗୀର ଭାରି ଅଭିମାନ ଯେ, ନୂଆବୋଉ ଉପରେ ତା’ର ଷୋଳପଣ ଅଧିକାରରୁ ତାକୁ ଅନ୍ୟାୟରେ ବଞ୍ଚିତ କରୁଛି ସେଇ ଗଉରୀ ।

 

ଏଣେ ଗଉରୀ ଓ କନକ ମଧ୍ୟରେ ଗୋଟାଏ ଘନିଷ୍ଠ ଭାବ ହୋଇ ଆସୁଥିଲା । ଗଉରୀର ଯିବା କଥାରେ ସେଠା କ୍ରମେ ଆହୁରି ଚଞ୍ଚଳ ଚଞ୍ଚଳ ବଢ଼ିବାକୁ ଲାଗିଲା । ଅବଶ୍ୟ କନକ ମନେ ମନେ ସ୍ଥିର କରିସାରିଥିଲା ଯେ, ସେ ତା’ ପାରୁ ପର୍ଯ୍ୟନ୍ତ କେଭେଁ ଗଉରୀ ଅପାକୁ ଛାଡ଼ିବ ନାହିଁ ।

 

ଗଉରୀ ନଥିଲେ କନକର ଶାଶୂଘର ଯେ କଠୋର କାରାବାସ ଠାରୁ ବଳିଯିବ, ଏକଥା ଆଉ କେହି ବୁଝନ୍ତୁ ବା ନ ବୁଝନ୍ତୁ କନକ ବେଶ୍ ବୁଝିପାରିଥିଲା । ଆଉ କନକକୁ ପାଇ ଗଉରୀର ଚିରସମାନ ନୀରସ ଜୀବନ ମଧ୍ୟ ଅନେକାଂଶରେ ପରିବର୍ତ୍ତିତ ହୋଇ ଆସିଥିଲା–ତାହାର ସୁନ୍ଦର ମୁହଁଟିରେ ଦୟା ଓ ସରଳତା ସହିତ ଯେଉଁ ବିଷାଦର ମଳିନ ଛାୟାଟିକ ଲାଖି ରହିଥାଏ, ସେଟା କ୍ରମେ ଅନେକ ପରିମାଣରେ ଉଣା ହୋଇଆସିଥିଲା ।

 

ନୂତନ ପ୍ରଣୟର ପ୍ରଥମ ଭାଗଟା ଉଭୟଙ୍କର ବେଶ୍ ସୁଖରେ କଟିଲା । ଏହି ସମୟରେ ମନ କିଣାକିଣି ପାଇଁ ଗୋଟାଏ ଅରି ଉଭୟଙ୍କ ହୃଦୟରେ ଅଜ୍ଞାତ ଭାବରେ ନିତ୍ୟ ଜାଗ୍ରତ ରହି ସ୍ନେହ ବନ୍ଧନକୁ ଦୃଢ଼ରୁ ଦୃଢ଼ତର କରି ପକାଇଲା । ବାହ୍ୟ କଥାରେ ଅତି ଅଳ୍ପ ସମୟ ମଧ୍ୟରେ ଯେତେ ଦୂର ସମ୍ଭବ ମନ କିଣାକିଣି ହୋଇଗଲା, କ୍ରମେ ହୃଦୟ ଆଉ ସେତିକିରେ ତୃପ୍ତ ହୋଇ ରହିପାରିଲା ନାହିଁ–ଅନ୍ତର କଥା ଲୋଡ଼ା ପଡ଼ିଲା । ହୃଦୟ ଖୋଜିଲା ହୃଦୟର ସହିତ ଏକାବେଳକେ ଗ୍ରଥିତ ଓ ମିଶ୍ରିତ ହୋଇଯିବାକୁ ।

 

ଉଭୟ ଉଭୟଙ୍କର ବାହ୍ୟ ସୁଖ ପ୍ରତି ଯଥାସମ୍ଭବ ଦୃଷ୍ଟି ରଖି, ଖୋଜିଲୋଡ଼ି ଆଣି ଥୋଇ, ଏ ମଧୁର ପ୍ରତିଦ୍ୱନ୍ଦ୍ୱିତାରେ ହାରି ଖୁସି, ଜିତି ସୁଖି ହେଲେ ସତ୍ୟ, କିନ୍ତୁ ଏଥିରେ ତୃପ୍ତି ହେବା ତ ଦୂରର କଥା; ବରଂ ନିଜ ନିଜ ପ୍ରତି ମମତା ସଙ୍ଗେ ସଙ୍ଗେ ପରସ୍ପର ପାଇଁ ଚିନ୍ତା ବଢ଼ିବାକୁ ଲାଗିଲା । ଉଭୟେ କି ଗୋଟାଏ ଦୁର୍ବୋଧ୍ୟ ଅଲଙ୍ଘ୍ୟ ନିୟମରେ ଚାଳିତ ହୋଇ ପ୍ରତ୍ୟେକେ ଅପରର ନିଭୃତ ଜୀବନ ପ୍ରତି–ହୃଦୟର ଜୀବନ ପ୍ରତି–ବିଚଳିତ ଓ ଶଙ୍କିତ ଭାବରେ ଚାହିଁ ଉଦ୍ଗ୍ରୀବ ହୋଇ ରହିଲେ ।

ସୁଖରେ, ଆନନ୍ଦରେ, ଜୀବନର ଅସାର ବାହାର ଚାକଚକ୍ୟରେ ମନବୋଧ ହେଲା ନାହିଁ । ଲୋଡ଼ା ପଡ଼ିଲା ପରଦା ସେ ପଟର ଦୃଶ୍ୟ । ହସଖୁସିରେ ପ୍ରଣୟାବେଗ ଯେତିକି ଭାସି ବଢ଼ି ବଢ଼ି ଗଲା, ଅନ୍ୟର ଦୁଃଖକୁ ନିଜର କରି କାନ୍ଦିବାକୁ, ବାଣ୍ଟିନେବାକୁ, ପ୍ରାଣ ତେତିକି ବ୍ୟାକୁଳ ହୋଇଉଠିଲା । ଏଡ଼େ ଗଭୀର ପ୍ରଣୟ, ଏତେ ଅଳ୍ପ ସମୟ ମଧ୍ୟରେ ବୋଧ ହୁଏ କେବଳ ନାରୀ ନାରୀ ମଧ୍ୟରେ ହିଁ ସମ୍ଭବ !

 

କନକ ସମୟ ସମୟରେ ତା’ ବାପଘର କଥା ଉଠାଏ । ପୁଣି ବେଳେବେଳେ ଭାବେ, ୟାଙ୍କର ବା ସେଥିରେ କ’ଣ ଅଛି ? କିନ୍ତୁ ଗଉରୀଟିର ଗୋଟିଏ ଆଗ୍ରହ ଦେଖିଲେ ପୁଣି ସେ ପ୍ରସଙ୍ଗ ଉଠେ । ଗଉରୀ ତା’ ନିଜ ବିଷୟ ଖୁବ୍ କମ୍ କହେ–ବୋଧହୁଏ, ଭାବେ ବି ଖୁବ୍ କମ୍ । ସେ ବିଷୟରେ କନକ ବି ସାହସ କରି କିଛି କହିପାରେ ନାହିଁ । ତେବେ ବେଳେବେଳେ ତା’ ଶାଶୂଘର କଥା ପଚାରେ, କିନ୍ତୁ ଗଉରୀର ମନୋଭାବ ଏ ବିଷୟରେ ଠିକ୍ ନ ଧରି ପାରିବାରୁ ଆଉ ବେଶି ଅଗ୍ରସର ହୋଇପାରେ ନାହିଁ ।

 

ଦିନେ ଏହିପରି କୌଣସି କଥା ପଡ଼ୁ ପଡ଼ୁ ଗଉରୀ ଉଠି କନକକୁ ସ୍ନେହରେ ଠେଲି ଦେଇ କହିଲା–‘‘ହଇ ଲୋ ବୋହୂ, ତୁଇ ପରା ମୋ ଧର୍ମ କର୍ମ ସବୁ ଛଡ଼େଇଲୁ, ତୋରି ଲାଗି ମୋର ସବୁ ଗଲାଣି !’’ ଏହା କହି ହସି ହସି ସେଠାରୁ ବାହାରିଗଲା; କନକକୁ କିନ୍ତୁ ମହାଭାବନାରେ ପକାଇଦେଇ ଗଲା ।

 

ଏହିପରି ସନ୍ଧିସ୍ଥଳରେ ପଡ଼ିଲା ଅଷ୍ଟମଙ୍ଗଳା । ସପ୍ତମଙ୍ଗଳାଠାରୁ ତିନିଦିନ କନକକୁ ‘ବିଷ’ରେ ଲୁଚି ରହିବାକୁ ହେବ । ଗୋଟାଏ ଘରେ କୟେଦ ହୋଇ ରହିବାକୁ ପଡ଼ିବ । ଶାଶୂଘରର କେହି ତାକୁ ଦେଖିବେ ନାହିଁ, କି ସେ କାହାରିକୁ ଦେଖିବ ନାହିଁ-ଏହିପରି କାଳେ ଶାସ୍ତ୍ରରେ ଲେଖା ଅଛି । ତେବେ ନଣନ୍ଦ ପକ୍ଷରେ ଏ ନିୟମଟା ଖଟେ ନାହିଁ ବୋଲି ମଧ୍ୟ କୌଣସି କୌଣସି ମୁନିଙ୍କ ମତ । ଏ ସ୍ଥଳରେ ଗଉରୀ ସ୍ୱଚ୍ଛନ୍ଦରେ ପୂର୍ବବତ୍ କନକ ସଙ୍ଗରେ ମିଳିମିଶି ପାରିଥାନ୍ତା । କିନ୍ତୁ ସେ ଧରି ବସିଲା–‘‘ପରଘରିୟାଣୀ ବୋଲି ସିନା ନଣନ୍ଦ ଭାଉଜର ‘ବିଷ’ ଦୃଷ୍ଟିରେ ପଡ଼ିଲେ ମଧ୍ୟ କୌଣସି ଦୋଷ ନାହିଁ । ଏଟା ବା ରଙ୍ଗୀ ଠେଇଁ ଖଟିବ । ମୁଁ ତ ତମରି ବେକରେ ବନ୍ଧା, ମୋଠେଇଁ ଖଟିବ କିପରି ?

 

କନକ କହିଲା, ‘‘ଅପା, ମୁଁ ତୁମକୁ ଛାଡ଼ି କିପରି ଘରୁଟାରେ ପଶି ତିନିଦିନ ଚଳିମି ?’’

 

ଗଉରୀ–କି, ରଙ୍ଗୀ ନାହିଁକି ? ସେ ତ ମୁଁ ନାହିଁ ବୋଲି ଜାଣିଲେ ସଂସାରଯାକ ନୂଆ ବୋହୂଙ୍କୁ ଛାଡ଼ି ତୋରି କୁକୁର ହୋଇ ରହିବ ।

 

କନକ–ଆଚ୍ଛା–ତୁମେ କ’ଣ ଅପା ଜମାରୁ ଟିକିଏ ବି ଆସିବ ନାହିଁ ?

 

ଗଉରୀ–ନାଇଁ ମ, ତିନିଟା ଦିନ ତ, ଏଥିପାଇଁ ଏତେ କଥା ? ନା ନା, ମୁଁ ଏ ଦୁଆର ବି ମାଡ଼ିବି ନାହିଁ । ତୁ ମତେ ଦେଖିଲେ ‘ବିଷ’ ପରି କରିବୁ !

 

କନକ–ଇସ୍, ବିଷ ନା ଆଉ କିଛି ? ସତେ ଇମିତି ସବୁ ହୁଏ ନା, ଅପା ? ନା ଲୋ ମା, କାଳେ ହେଉଥିବ–କ’ଣ କରୁଥିବ । ତୁମେ ମତେ ଦେଖି ପକେଇଲେ ମୁଁ ତୁମର ବିଷ ହୋଇ ଯିମି । ନା, ମୋର ଥାଉ ।

 

ଅତଏବ ଏଇ ବନ୍ଦୋବସ୍ତ ଠିକ୍ ହେଲା । ସାତମଙ୍ଗଳା ରାତିରେ ଗଉରୀ କନକକୁ ନେଇ ତା’ ଶୋଇବାଘରେ ଜବରଦସ୍ତି ପୂରାଇଲାବେଳେ କନକ ତା’ ହାତଟି ଧରି ପକାଇ କହିଲା, ‘‘ଯା ଅପା, ତୁମକୁ ଏବେ ଧର୍ମ କର୍ମ କରିବାକୁ ଢେର ବେଳ ମିଳିବ ଯେ । ଏକା ମୋ ନାଗି ତମ ଠାକୁରଙ୍କୁ ପଦେ ଅଧେ କହୁଥିବ । ମୁଁ ବଡ଼ ଦୁଃଖୀ !’’ ଏତିକିରେ କନକ ଘର ଭିତରେ ପହଞ୍ଚିଗଲା ଓ ଭିତରୁ କିଏ ଗୋଟିଏ ଦୁଆର ବନ୍ଦ କରିଦେଲା । ଗଉରୀ ସେହିଠାରେ ଥକ୍‌କା ହୋଇ କିଛିକ୍ଷଣ ଛିଡ଼ା ହୋଇ ରହିଗଲା । କନକର ତ ଏ ଭାବ ସେ କେବେ ଦେଖି ନାହିଁ–ଏପରି କଥା ତ ମାଇକିନା ମାତ୍ରେ କହିଥାନ୍ତି, କିନ୍ତୁ କନକ ପରି ତ କେହି କହେ ନାହିଁ ! କଥାଠାରୁ କନକର ମୁଖଭାବ ଓ କଣ୍ଠସ୍ୱରଟା ହିଁ ଗଉରୀକୁ ଅଧିକ ସ୍ତମ୍ଭିତ କରି ପକାଇଥିଲା । ସେ ଆନ ମନରେ ଭାବୁ ଭାବୁ ଧୀରେ ଧୀରେ ସେଠାକୁ ଚାଲିଗଲା । କିନ୍ତୁ କନକର ସେ ଭାବ, ସେ କଣ୍ଠସ୍ୱର ଓ ସେ କଥା ସେ କୌଣସିମତେ ମନରୁ ଦୂର କରିପାରିଲା ନାହିଁ । ସେ ସବୁର ସଜୀବ କରୁଣତାଟି ତା’ ନିଜ ହୃଦୟତନ୍ତୀର କୌଣସି ଗୋଟାଏ ଗୂଢ଼ ମୂର୍ଚ୍ଛନା ସହିତ କି ଅଜ୍ଞାତ ସାମଞ୍ଜସ୍ୟ ବଳରୁ ଏକତାନରେ ବାଜି ବାଜି ଉଠିଲା, ତା’ ନିଜ ଅନ୍ତରର କେଉଁ ଗୁପ୍ତ ପ୍ରଦେଶରେ ଚିର ସୁପ୍ତ କି ଗୋଟାଏ ସଜୀବ ହାହାକାର ଏ ସ୍ୱରରେ ହଠାତ୍ ଜାଗି ଉଠି ଏହା ସହିତ ମିଳିତ ଓ ଏକୀଭୂତ ହେବାକୁ ଚାହିଁଲା ।

 

ମନରେ ଘୋର ଅଶାନ୍ତି ଓ ଦୁର୍ବଳ ବିଷାଦର ଭାର ଘେନି ଗଉରୀ ଗଲା ଶୋଇବାକୁ । ଅତି କରୁଣ ଭାବରେ ବିଛଣାରେ ଲୋଟି ହୋଇପଡ଼ି, ସାଶ୍ରୁନୟନରେ ସାଷ୍ଟାଙ୍ଗ ପ୍ରଣାମ କରି ସେ ତାହାର ଠାକୁରଙ୍କୁ ଏକ ମନରେ ଡାକିଲା–କେବଳ ନିଜ ପାଇଁ ନୁହେଁ, କନକ ପାଇଁ ଏକା ମଧ୍ୟ ନୁହେଁ–ସାରା ସଂସାରର ଜଣା ଅଜଣା ଯାବତୀୟ ଦୁଃଖିନୀ ନାରୀଙ୍କ ପାଇଁ ।

 

ନାରୀ ଛଡ଼ା ନାରୀ– ହୃଦୟର ମର୍ମ ଆଉ ବୁଝିବ କିଏ ?

 

(୪)

 

ଦଶମଙ୍ଗଳା ଦିନ ସକାଳେ ଗଉରୀ ଯେତେବେଳେ କନକ ଯେଉଁ ପରସ୍ତରେ ଗାଧୋଉଥାଏ, ତାହାରି ଦୁଆରେ ଉଣ୍ଡି ଉଣ୍ଡି ଚାହୁଁଥାଏ, କନକ ସେତେବେଳେ ବ୍ୟସ୍ତ ସମସ୍ତ ହୋଇ ଖଣ୍ଡେ ପାଟଲୁଗା ଦେହରେ ବେଢ଼ାଇ ଦେଇ ଓଦା କେଶ ଛାଡ଼ିବାରେ ବ୍ୟସ୍ତ । ସେ କେତେବେଳେ ବାହାରିବ, ଏହି ଅପେକ୍ଷାରେ ଗଉରୀ ଦୁଆରେ ଉଦ୍ଗ୍ରୀବ ହୋଇ ଠିଆ ହୋଇଥାଏ-। ଅତଏବ ଭିତରୁ ଦାସୀଟା ଦୁଆର ଖୋଲିବା ମାତ୍ରେ କନକ ଆଖି ପ୍ରଥମେ ସଳଖେ ପଡ଼ିଲା ଗଉରୀ ଉପରେ । ସଲଜ୍ଜ ହସ ହସିହସି କନକ ଗୁଡ଼ ତାଟିଆଟା ହାତରେ ଧରି, ଧାଇଁ ଆସି ଗଉରୀ ଆଗରେ ଥୋଇଦେଇ ବିଧିମତେ ଦଣ୍ଡବତ ହେବାକୁ ଯାଉଥିଲା, କିନ୍ତୁ ଗଉରୀ ଏକାବେଳକେ ତାକୁ କୁଣ୍ଢାଇ ପକାଇ ଭିତରକୁ ଟାଣି ନେଇଗଲା, ପୁଣି ଗଦ୍ ଗଦ୍ ସ୍ୱରରେ କହିଲା, ‘‘ହଇଲୋ ଟୋକି, ତୁ ତ ବୋହୂ ହେଲୁ । ‘ବିଷ’ ଲୁଚାଲୁଚି, ସବୁ ତୋତେ ସାଜେ–ତୋ ଠେଇଁ ବି ଏସବୁ ସାହାଯ୍ୟ ହୋଇଯିବ । ନିଆଁ ନଗା ମୁଁ କାହିଁକି ଏ ତିନିଦିନ ଛଟପଟ ହୋଇ ମରୁଚି କିଲୋ ! ତୋଠେଇଁ କ’ଣ ଅଛି ମ, ଦିନ ପାଞ୍ଚୁଟା ଛଅଟାରେ ମତେ ଏକଦମ୍ ।’’ କନକ ଗଉରୀ କଥାରେ ତା’ର ଆନ୍ତରିକ ସ୍ନେହଭାବଟା ହିଁ ଦେଖିଲା, ବୁଝିଲା, ଜାଣିଲା, ଏ ସ୍ନେହର ପ୍ରତିବାଦ କେଡ଼େ ଅମୂଲ୍ୟ ।

 

ପ୍ରକୃତରେ ‘ବିଷ’ ପୂର୍ବଚାରି ପାଞ୍ଚଦିନର ସାଙ୍ଗମେଳ ଯାହା କରିପାରି ନାହିଁ, ଏ ‘ବିଷ’ ତିନିଦିନର ଅଦର୍ଶନ ତାହା ଅତି ସହଜରେ ସାଧିତ ହେଲା । ଇତି ପୂର୍ବରୁ ଗଉରୀ କନକକୁ ‘‘ବୋହୂ’’ ତମେ, ଇତ୍ୟାଦି ଶିଷ୍ଟାଚାରର ବର୍ହିଭୂତ କରିପାରି ନ ଥିଲା, କିନ୍ତୁ ଏଇ ତିନିଦିନରେ କୁଳାଚାର, ଶିଷ୍ଟାଚାର ସବୁ ତା’ ମନରୁ ପୋଛି ହୋଇଯାଇଛି ।

 

କନକ ବି ବୁଝିଲା, ଏଇ ତିନିଦିନ ଯାକ ଗଉରୀ କେତେ ଆପଣାର କରି ତାକୁ ଭାବିଛି । କହିଲା, ‘‘ଅପା, ମୋଠେଇ ତ ସବୁ ସାହାଯ୍ୟ ହଉଚି, ହବ, ଏକା ତମ ଯିବା ଦିନ ମୁଁ ମରିବି–ଏଇଆ ଜାଣିଥା ।’’ ଗଉରୀ ହସି ହସି’’ ହଉ; ଦେଖିବା କେମିତି ମରିବୁ’’ କହି କନକକୁ ପାଖକୁ ଟାଣି ଆଣିଲା ।

 

କନକ ଅନଭ୍ୟସ୍ତ ହାତରେ ସିନ୍ଦୂର ଘେନୁଥିଲା, ଗଉରୀ ଦେଖି ନାହିଁ । ହଠାତ୍ ଝିଙ୍କାଟା ଖାଇ କନକ ହାତରୁ ସିନ୍ଦୂରଫରୁଆ ଓ ସିନ୍ଦୂର କାଠିଟି ଅଗରେ ସାବଧାନରେ ରକ୍ଷିତ ସିନ୍ଦୂରଗୁଣ୍ଡିତକ ପଡ଼ିଯାଇ ତା’ର ସଦ୍ୟସ୍ନାତ ମୁଖଟିକୁ ରାଗରଞ୍ଜିତ କରିଦେଲା । ଗଉରୀ ଅସ୍ତବ୍ୟସ୍ତ ହୋଇ ସିନ୍ଦୂର ଝାଡ଼ି ଦେଉଁ ଦେଉଁ କହିଲା, ‘‘କ’ଣ କଲୁ ?’’ ଏହା କହି କି ଅଜ୍ଞାତ ଅମଙ୍ଗଳର ଆଶଙ୍କାରେ କେଜାଣି, ତର ତର ହୋଇ ନିଜେ ସିନ୍ଦୂର କାଠିଟାଏ ନେଇ କନକ ମୁଣ୍ଡରେ ସିନ୍ଦୂର ପିନ୍ଧେଇ ଦେଲା । ତାକୁ ଜଣା ନାହିଁ, ସାଇ ମାଇକିନା କିଏ ଗୋଟିଏ ଆସି ଦୁଆର ପାଖରେ ଛିଡ଼ା ହୋଇ ତାହାର ଶେଷ କଥା ଶୁଣିଲା ଓ କାର୍ଯ୍ୟ ବି ଦେଖିଲା । ହଠାତ୍ ବଜ୍ରପାତ ପରି ତା’ କାନରେ ସାବୀ ଅପାର କଣ୍ଠସ୍ୱର ପଡ଼ିଲା । ଦୁମ୍ ଦୁମ୍ ହୋଇ ଚାଲି ଯାଉଁ ଯାଉଁ ସାବୀ ଅପା କହି ଯାଉଛି ‘‘ଅ, କିଛି ହଉ, ଇଏ କି ଢଙ୍ଗ ଲୋ ମା, ଏ ଘର ଝିଅ ବୋହୂଙ୍କର ! ଶୁଭ କଥା ନା ନିଆଁ କଥା ! ନିଜେ ଯିଏ ନ ବୁଝିବ, ତାକୁ ଆଖିରେ ଆଙ୍ଗୁଠି ଦେଇ ବୁଝାଇବ କିଏ ? ଯା ହଉ, ଭାଗିଅ ବଢ଼ୁଛି ।’’ ଅନ୍ୟ ଖଞ୍ଜାରୁ ଆଉ ଗୋଟିଏ କିଏ ଏହିଠାରେ ପଚାରି ବସିଲା–‘‘କି ସାବୀ ଅପା; କଥା କ’ଣ ? କାହିଁକି ସକାଳ ଟାରୁ ବର୍ର ବର୍ର ହଉଛୁ କିଲୋ ?’’ ସାବୀ ଅପା ଅପେକ୍ଷାକୃତ ନିମ୍ନ ସ୍ୱରରେ କହିବାର ଶୁଣାଗଲା–‘‘କଥା ? ଦେଖିବ ଯା–ଦେଖିବ ଯା ଲୋ ମାଇପେ–ୟାଙ୍କ ମାନଙ୍କର ବୁଦ୍ଧି ଦେଖିବ ଯା !’’

 

ଗଉରୀ ଆଉ ଶୁଣି ପାରିଲା ନାହିଁ–‘‘ପୋଡ଼ାମୁହିଁ, କ’ଣ କଲି ମୁଁ !’’ ବୋଲି କହି ହାତେ ଜିଭ କାଢ଼ି ପଳାଇ କନକକୁ ପ୍ରାୟ ଠେଲି ଆଡ଼େଇ ଦେଇ ସେ ଘରୁ ଦଉଡ଼ି ପଳାଇଗଲା । କି ଲଜ୍ଜା, କି ଅପମାନ, କି ଘୋର ବିଷାଦ ତା’ ମନକୁ କ୍ଷଣକେ ଅଧିକାର କରିପକାଇଲା, ତାହା କେବଳ ତାହାର ଗୋଟିଏ କଥାରୁ ବୁଝାଯିବ । ସେ ଖାଲି ମନେ ମନେ ନିଜକୁ ଧିକ୍‌କାର ଦେଇ କହି କହି ଗଲା–‘‘ଛି ଛି, ମୁଁ ଯେ ବିଧବା, ଅମଙ୍ଗୁଳୀ, ଅଲକ୍ଷଣୀ, ପୋଡ଼ାମୁହିଁ ବିଧବା !’’

 

କିଛିକ୍ଷଣ ପରେ ମାଇକିନା ପିଲାସବୁ ପଲ ପଲ ହୋଇ ଆସି କନକ ହାତରେ ଗୁଡ଼ତାଟିଆ ଦେଖି ଯାହାର ଜୁହାର ପ୍ରାପ୍ୟ ସେ ତାହା ପାଇ ଯେ ଯାହାର ବାହାରିଗଲେ । ଗଉରୀ ବୋଉ ପଖାଳ ବାଢ଼ିଆଣି ପିଣ୍ଡାରେ ଥୋଇ ଦେଇ କହିଲେ, ‘‘ଆଲୋ, ଗୁଣ୍ଡେ ଖାଇଦେ ମ, ପିତ ପଡ଼ିଯିବ ।’’ କନକ ପାଖରେ ବସିଥିବା ରଙ୍ଗୀକୁ କହିଲା, ‘‘ଗଲ, ଟିକିଏ ଅପାଙ୍କୁ ଡାକି ଆଣିବ ଗଲ’’ ରଙ୍ଗୀ ମୁହଁଟାକୁ ଏଡ଼େ କରି ‘‘ଓଃ ମୁଁ ଯାଇପାରେନା, ଯାଅ’’ କହି କାନ୍ଥ ଆଡ଼କୁ ବୁଲି ବସିଲା-। ପୁଣି କନକ ଉଠି ଗୋଟାଏ ଛୋଟ ଗିନାଟିରେ ପାଣି ମନ୍ଦାଏ ନେଇ ଆସି ରଙ୍ଗୀକୁ ଯୋଗ କରି ଛିଡ଼ା କରାଇ କହିଲା, ‘‘ମୋ ରାଣ, ମୋ ମୁଣ୍ଡ ଖାଇବ, ଯା ଟିକେ ଅପାଙ୍କଠଉଁ ପାଦୁକ ନେଇ ଆସିବ । ଆଉ ତାଙ୍କୁ ମୋ ରାଣ ପକେଇ କହିବ, ସେ ଏଠିକି ଟିକିଏ ଆସିବେ । ସେ ମୋ ସଙ୍ଗେ ଖାଇବେ ନାହିଁ । ଯା, ତେମେ ପଛେ ଖାଇବ ।’’ ରଙ୍ଗୀ ମନେ ମନେ ଖୁସି ହୋଇ ଛଳ କ୍ରୋଧରେ କହିଲା, ‘‘ମୁଁ ଏଇ ନୂଆ ବୋଉଟା ସଙ୍ଗେ ଖାଉଥାଏ ତ ! ଇଃ ଏହା କହି ସେ ଗିନାଟି ନେଇ ପଳାଇଗଲା । ଶାଶୂ ବିରକ୍ତ ହୋଇ କହିଲେ, କି ପାଦୁକା ଲୋ ! ଅ ତୁ ଖାଇ ବସ !’’ କନକ ଠାରଦ୍ୱାରା ଜଣାଗଲା–ରଙ୍ଗୀ ଆସୁ ।

 

ଏହି ସମୟରେ ଦାଣ୍ଡଆଡ଼ୁ ଗୋଟାଏ ଏକୁଟିଆ ମହୁରୀ ପେଁ ପେଁ କରି ବାଜିଉଠିଲା । ଗଉରୀବୋଉ ଉତ୍ଫୁଲ୍ଲ ହୋଇ କହିଲେ–‘‘ହେଇଟି, ତମର ଗୁଡ଼ଦେଖା ଭାର ଆସିଲାଣି ପରା ! ଦେ ଦେ, ତୁ ଖାଇ ବସ୍-ମୁଁ ଯାଏଁ ।’’ ଏହା କହି ଚାଲି ଯାଉଥିଲେ, କନକ ହାତରେ ମନ୍ଦାଏ ପାଣି ନେଇଯାଇ ତାଙ୍କ ଗୋଡ଼ ଧରି ଅଟକାଇ ଦେଲା; ଡାହାଣ ଗୋଡ଼ ବୁଢ଼ା ଆଙ୍ଗୁଳିଟାକୁ ଟାଣି ଆଣି ସେହି ପାଣିରେ ମାଡ଼ିଦେଇ ଛାଡ଼ିଦେଲା । ଶାଶୂ ଚାଲିଗଲେ । ସେହି ପାଦୁକ ପାଇ କନକ ଉତ୍କଣ୍ଠିତ ଭାବରେ ବସି ରହିଲା । କିଛିକ୍ଷଣ ପରେ ଗୋଟାଏ ପିଲା ଧାଇଁ ଧାଇଁ ଆସି, ରଙ୍ଗୀ ନେଇ ଯାଉଥିବା ଗିନାଟି ଆଣି କନକ ଗୋଡ଼ ପାଖରେ ଫିଙ୍ଗିଦେଲା ପରି ଥୋଇଦେଇ, ଧାଇଁ ବାହାରିଯାଉଥିଲା, କନକ ତା’ ହାତଟି ଧରି ପକାଇ କହିଲା, ‘‘ରଙ୍ଗୀ କାହିଁ ? ଅପା କୁଆଡ଼େ ଗଲେ-?’’ ସେ କହିଲା, ‘‘ସମସ୍ତେ ଠାକୁର ଖଞ୍ଜାରେ ଦେଖୁଛନ୍ତି–ଭାର କେତେ ଆସିଚି । ତମେ ଛାଡ଼ ମତେ, ବଡ଼ାପା ମତେ କହିଲେ, ମୁଁ କୁଣିଆନାଗି ପାନ ନେଇଯିବି, ଛାଡ଼ ।’’ ଏହି ସମୟରେ ଗଉରୀ ହସ ହସ ମୁଖରେ ସ୍ୟାଡ଼ୁ ଆସି ପିଲାଟିକୁ ଦେଖି କହିଲା, ‘‘ଶୁଣ୍‌ବେ ରମ କିଏ ସେ ସାନ୍ତ ଆସିଚି କି ବେ ? ମୁଁ ସେଟାକୁ ସୁଆରିରୁ ଓହ୍ଲାଇବାବେଳେ ଭଲକରି ଦେଖିପାରିଲି ନାହିଁ ।’’ ପିଲାଟି ଅଳ୍ପରେ କହିଲା, ‘‘ବାବୁ–ନିଧିଭାଇଙ୍କ ପରି କୋଟ ପିନ୍ଧିଚି ।’’ ଆଲୋ ବୋହୂ କିଏ କହନି ସିଏ ? କହି ଗଉରୀ ଟିକିଏ ଦୂରରୁ କନକ ଆଡ଼କୁ ଚାହିଁଲା । କନକ ନିଜେ ବୁଝି ପାରିନାହିଁ–କିଏ ସେ । ହରିବାବୁଙ୍କ ଛଡ଼ା ଆଉ କିଏ ଆସିବ ? କିନ୍ତୁ ସେ ସ୍ଥିର କରିପାରୁନାହିଁ ଯେ ସେ ଭାଇ; କିଏ ଯେପରି ପାଟିର କଥା ଛଡ଼ାଇ ନେଉଛି, କହୁଛି-ନା, ସେ ଆଉ କିଏ ! କନକ ପିଲାଟିକୁ ପୁଣି ଡାକି ପଚାରିଲା, ‘‘ଯିଏ ଆସିଚି, ତା’ର ନିଶ ଅଛି ନା ?’’ ପିଲାଟି କହିଲା, ‘‘ଦେଖି ଆସେ ।’’ ଏହା କହି ଏକ ନିଶ୍ୱାସରେ ଦଉଡ଼ି ପଳାଇଗଲା ।

 

ଗଉରୀ କହିଲା, ‘‘ଯିଏ ଆସୁ, ଏଇନାଗେ ପୁଣି ଦେଖା ହେବାକୁ ଆସିବ ! ତୁ ଗଣ୍ଡାଏ ଖାଇ ଦେବୁଟି ।’’ ଏହା କହି କନକକୁ ଟାଣି ଆଣି ଭାତ ବେଲାପାଖରେ ବସାଇ ଦେଲା । ସକାଳର ଘଟନା ଯୋଗୁଁ ଦୁହିଁଙ୍କୁ ଦୁହେଁ ଗୋଟାଏ ଅସ୍ୱଚ୍ଛନ୍ଦତ ଅନୁଭବ କରୁଥିଲେ, କିନ୍ତୁ ଏ ନୂତନ ଉତ୍ତେଜନାରେ ସେଟା ଅନେକାଂଶରେ କମିଗଲା । ପୁଣି ଖାଇ ବସି କନକ ଗଉରୀକୁ ଟାଣି ଆଣି ବସାଇଲା । ଦୁହେଁ ଖୁଆଇ ଦିଆଦିଇ ହେଲେ । କ୍ଷଣିକ ଚଞ୍ଚଳତାବଶତଃ ଦୁହେଁ ଖାଇଲେ ବି ବେଶି-। ଦୁହିଁଙ୍କ ମନର ଗୁରୁ ଭାରଟା ବି ନିର୍ମଳ ହୋଇ ଦୂର ହୋଇଗଲା । ଏହିପରି ସମୟରେ ସ୍ୟାଡ଼ୁ ରଙ୍ଗୀ ଧାଇଁ ଧାଇଁ ଆସି, ହସି ହସି କହିଲା; ‘‘ଦେଇ ଲୋ, ସେଇ ଖଣ୍ଡିଆଟା ଫେରେ ଆସିଚି ମ । ସେଇ–ଯେଉଁଟା ବରଧରା ହୋଇ ଆସିଥିଲା ।’’

 

ରଙ୍ଗୀକୁ ଦେଖିଲା ମାତ୍ରକେ କନକ ଉଠି ପଡ଼ି ତାହାକୁ ଓଟାରି ଆଣି ବେଲା ପାଖରେ ବସାଇଦେଇ ସାରିଥିଲା । ରଙ୍ଗୀ ତାହାର କମ୍ପମାନ ହାତରୁ ଗୁଣ୍ଡାଟିଏ ନଉନଉ ପଚାରିଲା, ‘‘ନୂଆ’ ଉ, ସେଇ–ବରଧରା ଯିଏ ଆସିଥିଲା, ସିଏ କିଏ ?’’ କନକ ହାତରୁ ଗୁଣ୍ଡାଟା ଭାଙ୍ଗିଯାଇ ରଙ୍ଗୀ ଦିହ ମୁଣ୍ଡ ହୋଇଗଲା । ଭାତଗୁଡ଼ାକ ଝାଡ଼ି ଦଉଁ ଦଉଁ ଗଉରୀ ବିରକ୍ତ ଭାବରେ କହିଲା ‘‘ମରୁନାହୁଁ, ଦଶା ଝିଅଟା । ସିଏ କିଏ, ସିଏ କିଏ–ସିଏ ତୋଘଇତା, କିଏ !’’ ରଙ୍ଗୀ ରାଗିଉଠି ଗଉରୀକୁ ଧକାଏ ମାରି, ନୂଆବୋହୂକୁ ପୁଣି ଧରି ପଚାରିଲା‘‘ ସତେ ନୂଆ’ ଉ ସେ କିଏ ?” କନକ ଇତିମଧ୍ୟରେ ଆତ୍ମସମ୍ବରଣ କରିନେଇଥିଲା, ଅଳ୍ପ ଅଳ୍ପ ହସି କହିଲା, ‘‘ସିଏ ପରା ତମ ବର ଗୋ ।’’ ରଙ୍ଗୀ ଅସମ୍ଭାଳ ହୋଇ ଦୁଇ ହାତରେ ଗଉରୀ ଓ କନକକୁ ବିଧା ଚାପୋଡ଼ା ମାରୁମାରୁ କହିଲା, ସିଏ ମରୁ, ନିଆଁନଗା ପୋଡ଼ାଟା ମରୁନାହିଁ ! କି, ମୋ ବର କାହିଁକି ହବ ? ତମରି ବର ହେଉ ! ଗଉରୀ ଦେଖିଲା, ରଙ୍ଗୀ କଥାରେ କନକ ମୁହଁ ସୁଖି ହଠାତ୍ କଳା ପଡ଼ିଗଲା । କଥାଟା ତାକୁ ବାଧିଲା ଭାବି, କି କ’ଣ, ଗଉରୀ ଆଖି କାଢ଼ି ରଙ୍ଗୀକୁ ମାରିବାକୁ ଗଲା । ରଙ୍ଗୀ କିନ୍ତୁ ହସି ହସି ଦଉଡ଼ି ପଳାଇ ଯାଉଁ ଯାଉଁ କହିଲା, ‘‘ଇସ୍ ମାରିବୁ ? ଭାରି ମାରିଲାବାଲୀଟା ରହ ରହ, ମୁଁ ନୂଆ’ ଉ ବରକୁ ଡାକି ଆଣେ । ରହ ତମକୁ ଦେଖୁଛି ।’’

 

ଗଉରୀ ତା’ ପଛେ ପଛେ ଦୁଆର ପର୍ଯ୍ୟନ୍ତ ଗୋଡ଼ାଇ ଯାଇ କହିଲା–‘‘ଦୂର୍ ହ, ଦୂର୍ ହ, ନିର୍ଲଜ୍ଜୀ, ବଜାତିଆଣୀଟା ! ବୁଦ୍ଧି ଶିଖୁଚି !’’ କନକ ପାଖକୁ ପୁଣି ଆସି କହିଲା, ‘‘ଗେହ୍ଲା କରି କରି ବୋଉ ଏ ଝିଅଟାକୁ ସାରିବ ପରା, ମୁଁ ଜାଣେ ।’’ କନକ ପ୍ରକୃତିସ୍ଥ ହୋଇ ହସି ହସି କହିଲା, ‘‘ପିଲାଟା, ଏଇନାରେ ତାଙ୍କର ଏତେ ବୁଦ୍ଧିଶୁଦ୍ଧି କେଉଁଠୁ ହବ, ଅପା ତମେ କହୁଚ ।’’ ଗଉରୀ ମନରେ ହଠାତ୍ ରଙ୍ଗୀ ଯେଉଁ ପ୍ରଶ୍ନ କରିଥିଲା, ସେହି ପ୍ରଶ୍ନ ଉଠିଲା, କିନ୍ତୁ କାହିଁକି କେଜାଣି ମୁହଁ ଖୋଲି ସେ ଆଉ ପଚାରି ପାରିଲା ନାହିଁ । କିଛିକ୍ଷଣ ପରେ ଗଉରୀ ମନ୍ଦ ମନ୍ଦ ହୋଇ ଉଠି କହିଲା, ‘‘ଆ, ଆ ଲୋ, ମୁଁ ଯାଏଁ । ସେଇଟା ପୁଣି ଆସିବ ଦେଖା କରିବାକୁ ଏଇନାଗେ ।’’ କନକ ଚମକି ପଡ଼ି କହିଲା, ‘‘କିଏ ?’’ ସେଇ ଯେ ଆସିଚି ତୋ ଭାଇ ।’’ ‘‘ଓଃ, ନୀଳୁ ଭାଇ–ନୀଳୁ ଭାଇ ?’’ ସେ ନାମଟା ଉଚ୍ଚାରଣ କଲା ମାତ୍ରକେ କନକ କିପରି ଗୋଟାଏ ବିଚଳିତ ହୋଇ ଉଠିଲା । ଗଉରୀକୁ ହଠାତ୍ ଧରି ପକାଇ କହିଲା, ‘‘ନା, ଅପା ତେମେ ଯା ନେଇଁ, ଏଠିକି ଆଗେ ଟିକିଏ ।’’ ଗଉରୀ ହସିଉଠିଲା କହିଲା–‘‘କିଲୋ, ତୋ ଭାଇଟା ତୋ କତିକି ଆସିବ । ମୁଁ ଏଠି କ’ଣ କରିବି ?’’ କନକ ଲଜ୍ଜିତ ହେଲା ପରି ଧଡ଼୍‌କରି କାନ୍ଥ ଆଡ଼କୁ ଆଉଜି ବସିପଡ଼ିଲା, ଟିକିଏ ଅନିଶ୍ଚିତ ଭାବରେ କହିଲା, ‘‘ନା ନା, ମୁଁ ଭାବୁଥିଲି, ଆଉ କିଏ କାଳେ ତାଙ୍କ ସାଙ୍ଗରେ ଆସିବ ।’’ ଆଉ କିଏ ନିଧି ? କନକ ଚଞ୍ଚଳ ଭାବରେ କହିଲା, ‘‘ହୁଁ ।’’ ଗଉରୀ ଗମ୍ଭୀର ଭାବରେ ସେଠାରୁ ବାହାରି ଗଲା ।

 

(୫)

 

ମନୁଷ୍ୟ ହୃଦୟ ସ୍ୱଭାବତଃ ଭୀରୁ । ବିଶେଷତଃ ଯାହାର ସ୍ନେହ ଯେତିକି ଗଭୀର, ତାହାର ସାହସ ସେତିକି କମ୍ । ପ୍ରିୟ ବସ୍ତୁକୁ ପାଇବାର ଆଶା ବା ଆକାଙ୍କ୍ଷା ମନରେ ଯେତିକି ପ୍ରବଳ, ପାଇଲେ ତାହାକୁ ଗ୍ରହଣ କରିବାର କ୍ଷମତା ମଧ୍ୟ ସେତିକି ଅଳ୍ପ । ମନର ବଳ କହ, ନୈତିକ ବଳ କହ, ସେ କେବଳ ପ୍ରିୟ ବସ୍ତୁଟି ପାଇବା ପର୍ଯ୍ୟନ୍ତ ରହେ–କାମରେ ଲାଗେ । ତା’ ପରେ ସେ କେବଳ ନାମମାତ୍ର । ଆଶା ଆଶଙ୍କାର ଖେଳ ଯେଉଁଠି, ସେଠି ଭୟ ହିଁ ପ୍ରଧାନ । ସାଧନାର ସିଦ୍ଧିରେ ବି ଭୟ ଛଡ଼ା ଆଉ କିଛି ନାହିଁ ବଳ, ସାହାସ କେବଳ କଥାର କଥା ।

 

ପୂର୍ଣ୍ଣ ହୃଦୟ ଦେଇ ମନୁଷ୍ୟ ଯାହା ଚାହେଁ ସେହି ପର୍ଯ୍ୟନ୍ତ ଆସିଲେ, ବ୍ୟବଧାନ ଟିକକ ପାର ହେଲେ, ତା’ର ଆଉ ତିଳେ ଅଗ୍ରସର ହେବାର ସାଧ୍ୟ ନାହିଁ ?

 

ମାନବ ହୃଦୟ ମାତ୍ରକେ ଏହାର ଅନୁଭବୀ । କିନ୍ତୁ ଆହୁରି କେତେକଙ୍କ ହୃଦୟରେ ଭୟଟା ଏତେ ବେଶି ଯେ, ଠିକ୍ ସିଦ୍ଧ ମୂହୁର୍ତ୍ତରେ ହିଁ ତାଙ୍କର ସାଧନା ହାହାକାର କରି ପୃଷ୍ଠ ପ୍ରଦର୍ଶନୀ କରି ପଳାଏ । କି ଦୁର୍ବଳତା !

 

ବହୁତ ଯତ୍ନରେ, ଶତ ଚେଷ୍ଟାରେ ପ୍ରାଣ ପର୍ଯ୍ୟନ୍ତ ପଣ କରି ପର୍ବତର ଉଚ୍ଚତମ ଶିଖର ଆରୋହଣ କଲି–କେବଳ ସେଠାରୁ ଉପତ୍ୟକାର ଦୃଶ୍ୟ ଅନୁଭବ କରିବି ବୋଲି; କିନ୍ତୁ ଶିଖର ଆରୋହଣ କରିସାରିଲା ମାତ୍ରକେ ମସ୍ତକ ବିଘୂର୍ଣ୍ଣିତ ହେବା ଭୟରୁ ଯଦି ମୋର ଦୃଷ୍ଟିଶକ୍ତି, ଅନୁଭବ ଶକ୍ତି–ମୋର ଗ୍ରହଣ କରିବାର ସମସ୍ତ ଶକ୍ତି–ଅପହୃତ, ଲୁପ୍ତ ହୋଇଗଲା, ତା’ ହେଲେ ୟା’ ଠାରୁ ବଳି ଆଉ ଦୁଃଖର ବିଷୟ କ’ଣ ହୋଇପାରେ ?

 

ଦୁଃଖର ବିଷୟ ହେଉ ବା ଯା’ ହେଉ, ହୃଦୟର ରାଜ୍ୟରେ ଏପରି ଘଟଣା ବିରଳ ତ ନୁହେଁ ବରଂ, ନିତ୍ୟ ନୈମିତ୍ତିକ ଘଟନା ବୋଲି ମୋର ବିଶ୍ୱାସ ।

 

ଆଜି ନୀଳୁବାବୁଙ୍କର ସେହି ଦଶା ।

 

ଆଜିକୁ ପ୍ରାୟ ଦଶଦିନ ପୂର୍ବେ ଲୋକ ଚକ୍ଷୁରେ ଯେଉଁ ଧନ ସେ ହରାଇଥିଲେ, ବାସ୍ତବରେ ନିଜ ଅନ୍ତରର ଅନ୍ତସ୍ତମ ପ୍ରଦେଶରେ ସେ ତାହାରି ପ୍ରାପ୍ତି ଓ ପ୍ରାପ୍ତିର ଆନନ୍ଦ ଉପଭୋଗ କରିଥିଲେ । ସାଫଲ୍ୟରେ ହୃଦୟ ନାଚି ଉଠିଥିଲା, ସିଦ୍ଧିରେ ମନ ମାତି ଯାଇଥିଲା । କନକ ଅପରର ହସ୍ତ ଧରି ବାହାରି ଯାଇ ସୁଦ୍ଧା ତାଙ୍କ ଅନ୍ତରର ନିଭୃତତମ ପ୍ରଦେଶରେ କି ଗୋଟାଏ ମାଧୁର୍ଯ୍ୟ ବୁଣି ଦେଇଗଲା, ସେଥିରେ ଗ୍ଳାନି ନାହିଁ, ଦ୍ୱିଧା ନାହିଁ । ବାହାର ଶୂନ୍ୟ କରିଗଲା ସତ୍ୟ, ମାତ୍ର ଭିତରେ ଯେ ଯେଉଁ ପୂର୍ଣ୍ଣତାର ସୁଧା ଢାଳି ଦେଇଗଲା, ସେହିଥିରେ ସେ ମତୁଆଲା ହୋଇଗଲେ । ସାଫଲ୍ୟର ଦୀପ୍ତିମୟ ଟୀକା ଲଲାଟାରେ ପିନ୍ଧି ତାଙ୍କର ଆଶା ଆକାଙ୍କ୍ଷା ସବୁ ଏକାବେଳକେ ପ୍ରୀତି ପ୍ରତିମାଟିର ପାଦତଳେ ଲୋଟି ହୋଇପଡ଼ିଲା ।

 

କିନ୍ତୁ ପୂର୍ଣ୍ଣତାର ଆନନ୍ଦ ସଙ୍ଗେ ସଙ୍ଗେ ଆହୁରି ଗୋଟିଏ ବସ୍ତୁ ମଧ୍ୟ ତାଙ୍କୁ ମିଳିଥିଲା–ମମତାର କଠୋର କର୍ତ୍ତବ୍ୟ । ପୂର୍ଣ୍ଣତାର ଉକଟ ଆନନ୍ଦକୁ ମମତାର କଠୋର କର୍ତ୍ତବ୍ୟରେ ପରିଚିତ କରିବାର ଆଦେଶ ଓ ଶିକ୍ଷା କନକ ତାଙ୍କୁ ଗୋଟିଏ ମୁହୂର୍ତ୍ତରେ ଅପୂର୍ବ ଭାଷାରେ ଦେଇ ଯାଇଥିଲେ-। ମନୁଷ୍ୟର ସମସ୍ତ ପୂର୍ଣ୍ଣତା ଯେ କେଡ଼େ ଅପୂର୍ଣ୍ଣ ତାହା ବୁଝିବାର ଅବସର ନୀଳୁବାବୁ ପାଇଲେ ନାହିଁ । ପୂର୍ଣ୍ଣତାର ଜଡ଼ତାକୁ ସଜୀବ କର୍ତ୍ତବ୍ୟର ଉତ୍ତେଜନା ଲଘଂନ କରିଥିଲା ଓ ତାଙ୍କୁ ନିତ୍ୟ ଜାଗ୍ରତ ଏବଂ ସତେଜକରି ରଖିଲା ।

 

ହରିବାବୁ କହିଲେ, ନୀଳୁ, ‘‘ତୁ କଟକ ଯିବା ପୂର୍ବରୁ ଥରେ କଙ୍କିକି ଦେଖିଆ, ଗୁଡ଼ଦେଖା ଭାର ଯିବ କାଲି । ମୋର ୟାଡ଼େ ରାଜ୍ୟର ଝଞ୍ଜଟ । ମୁଁ ତ ଏଇଠି ରହିଲି, ଯେତେବେଳେ ହବ, ଯିବି ।’’

 

ନୂଆବୋଉ (ହରିବାବୁଙ୍କ ସ୍ତ୍ରୀ) କହିଲେ, ହଁ, ହଁ, ନୀଳୁ ଯାଉ–ତେମେ ତ ଭାରି ଯୋଗ୍ୟ ଲୋକଟିଏ । ଗଲେ କାନ୍ଦିବ ସିନା ଆଉ କ’ଣ କି ? ହଇହେ ନୀଳ, ତମ ଭାଇ କେଡ଼େ ବୀର, ଜାଣିଚଟି କି ? ଝିଅଟା ବାହା ହେଇକରି ଗଲା–ତେବେ ଇଏ ତା’ ଆଡ଼କୁ ଥରେ ଚାହିଁଛନ୍ତି, ନା କଥା ପଦେ କହିଛନ୍ତି ! ନାଜ ନାହିଁ, ଇୟେ ପୁଣି ବନ୍ଧୁଘର ଯିବେ ! ନାଇଁ ନୀଳୁ, ତେମେ ଯାଅ; ହବ ତ ଚାରି ଛଅଦିନ ରହି ଯାଇପାରିବ । ପିଲାଟି କେମିତି ଚଳୁଛି, କ’ଣ କରୁଚି, ହେଲେ ଦେଖି ଆସିପାରିବ । ଇୟେ ତ ଦଶ ଲୋକଙ୍କଠେଇଁ ମୁଣ୍ଡ ବିକିଚନ୍ତି !

 

ନୀଳୁବାବୁ ହଉ ବୋଲି କହି ତୁନି ହେଲେ, କିନ୍ତୁ ହୃଦୟ ଆନନ୍ଦରେ ନାଚି ଉଠିଲା । ନୂଆବୋଉ ପୁଣି କହିଲେ, ‘‘ହଇ ହେ ନୀଳ, ସେ ଥର ଯା ବରଧରା ଯାଇଥିଲ, କେଶୀ ଅପାକୁ ଦେଖିଥିଲ ନା ?’’

 

‘‘କେଶୀ ଅପା କିଏ ?’’

 

‘‘କି କନକ ଶାଶୂ ପରା ମୋରି ପିଉସୀ ହୁଏ । ଆଉ କେତେ ଥର କହିବି ମ !’’

 

‘‘ନାଇଁ ତ, ମୁଁ ଦେଖିନାହିଁ । ମୁଁ କେଉଁଠି ଘର ଭିତରକୁ ଯାଇଛି ଯେ, ଏତେ ଲୋକଙ୍କୁ ଦେଖିବି ।’’

 

‘‘ରଙ୍ଗୀକି ଦେଖିଥିବ ନିଶ୍ଚେଁ । ସେ ଖରଖରୀଟା କ’ଣ ତମ ସାଙ୍ଗେ ନ ନାଗି ଛାଡ଼ିଥିବ କି ! କେଡ଼ୁଟେ ହେଇ ଯିବଣି ସିଏ । ରଙ୍ଗୀମ–କେଶୀ ଅପା ସାନ ଝିଅ ସେ । (ହରିବାବୁଙ୍କ ପ୍ରତି) ମୋ ବାହାକୁ ଆସିଥିଲ ପରା–୨୪ ବର୍ଷର ପିଲାଟି–ଆଚ୍ଛା ସୁନ୍ଦରଟିଏ ଯେ,–ଏକା କେଶୀ ଅପା ତାକୁ ଗେଲବସର କରି ଖାଉଚି ।

 

‘‘ହଁ ହଁ, ସେଥର ଗୋଟାଏ କିଏ ସେ ମୋ ଉପରେ କ’ଣ ସବୁ ଫୋପଡ଼ା ଫୋପଡ଼ି କରୁଥିଲା । ଦଶ ବାରବର୍ଷର ପିଲାଟିଏ, ନୁହେଁ ? ଢେର ଗାଳି ଖାଇଚି ଏକା ସିଏ ମୋ ସଙ୍ଗେ ନାଗିବା ଯୋଗେ–ହଁ ହଁ, ପୁଣି କହିଚି–ଆଉ ଥରେ ଆସିଲେ ଠିକ୍ କରିଦେବ ।’’

 

ଏହା କହି ନୀଳୁବାବୁ ବାହାରିଗଲେ । ନିତେଇଙ୍କୁ (ନୀଳୁଙ୍କ ଭିଣୋଇ) ଦୁଇଦିନ ହେଲା ବିଷମ କମ୍ପ ଜର, ଆଜି ଟିକିଏ ଊଣା ଥିଲା । ତାଙ୍କୁ ଦେଖିବାକୁ ତାଙ୍କ ଘର ଆଡ଼କୁ ଗଲେ ।

 

ୟାଡ଼େ ନୂଆବୋଉଙ୍କର ପାଟି ବନ୍ଦ ନ ହୁଏ ! ବାପ ଘର ବା ସେ ସମ୍ପର୍କୀୟ କୌଣସି ପ୍ରସଙ୍ଗରେ ଦୁଇଥର କହିବାକୁ ହୁଏ ନାହିଁ । ଥରେ କଥା ଉଠିଲେ ଅନର୍ଗଳ ଚାଲିଲା ତେଣିକି । କହିଲେ ହଇ ‘‘ହେ, ତମେ ସିନା ମୋ କଥା ନ ଶୁଣିବ–ମୁଁ ଯାହା କହିଲି ସବୁ ଜାଣି ବିଷ ! ଆଚ୍ଛା କହିଲ ଭଲା, କଙ୍କି କି ମନ୍ଦ ଜାଗାଟାରେ ପଡ଼ିଲା । ତାଙ୍କର ଘରବାଡ଼ି ଜମି–କେଉଁ କଥା ନାହିଁ ? ଆଉ ବର, ତା’ କଥା ତ ଜାଣିଚ, କେଉଁ ଗୁଣରେ ଏବେ ବାଛିବି ! ତମେ ସିନା ମୋତେ ନିନ୍ଦିବ; ନ ହେଲେ, ଏଇ ନୀଳୁ କଥା ଯେ କହୁଥିଲ–ଛିଆଲୋ ଛିଆ, ତମ ଘର କଥା ଛାଡ଼ିଦେଲେ ତା’ର କିଏ ଅଛି ନା କ’ଣ ଅଛି ! ପୁଣି ତମର ଭାଇଟା ପରି । ତାକୁ ବା କେଉଁ ମୁହଁରେ କଙ୍କିକି ଦବାକୁ କହୁଥିଲ ? ଧନିଅ ତମ ବୁଦ୍ଧି । ହଁ, ନୀଳୁଟି ଭଲ ପିଲାଟିଏ ଯେ, ସବୁଥିରେ ଭଲ, ହେଲେ–ତମ ପେଇଁ ତାର ସବୁ ନା-ତମକୁ ଛାଡ଼ିଦେଲେ ତାକୁ ପଚାରେ କିଏ ? ମୁଁ ପରା କହୁଛି, ଦେଖିବ, ପୁଣି ପଛରେ ମୋତେ କହିବ-କଙ୍କି କେଶୀ ଅପା ଘରେ କେଡ଼େ ସୁଖରେ ରହିବ । ଦେଖିବ ତ ମୁଁ କହିଦେଲି ! ଅ, କିଛି କହୁ ନାହିଁ କାହିଁକି ମ ? ଏମିତିକା ଛଟାଣକୁ ମୋ ହାଡ଼ ଜଳେ । ୟେଙ୍କୁ ସବୁକଥା ଅପସନ୍ଦ, ମଲା ଲୋ !’’

 

‘‘ଆରେ ନାଇଁମ, ଅପସନ୍ଦ ନୁହେଁ ଯେ-ମୁଁ ଭାବୁଥିଲି, ପ୍ରକୃତରେ ନୀଳୁଟା ତ ଭାଇପେରିକା; ମୋ ଘରର ଜଣେ, ଆମର ଆଉ କିଏ ଅଛି ? କଙ୍କିକି ବାହା ହେଇଥିଲେ ତ ଆଉ ମୋର ହୋଇ ରହି ନଥାନ୍ତା, ବନ୍ଧୁ ହେଲା ଠଉଁ କଥା ସଇଲା ନା ଆଉ କ’ଣ । ମୋ ଘରେ ରହିବାକୁ ବି ଯଦି ମଙ୍ଗିଥାନ୍ତା ତେବେ ବି ରାଜ୍ୟର ଆସନଟା ଅଡ଼ୁଆ-ସେଟା କ’ଣ ଭଲ ହୋଇଥାନ୍ତା କି ? ନା; ନା ଏଇ ଭଲ ।’’

 

‘‘ହ, ଗୁଞ୍ଜାରୁଅ ପରି କଥା ହୋଇଥାନ୍ତା ନା ଆଉ କ’ଣ । ଘରଜୋଇଁ ଓଳିତଳ ଖୁଞ୍ଚ, ଯେତେହେଲେ କ’ଣ ହଉଚି । ମତେ ସିନା ନିନ୍ଦୁଚ ନ ହେଲେ ତମ ମିଣିପଙ୍କର କ’ଣ କଡ଼ାକର ବୁଦ୍ଧି ଅଛି ନା ବଳ ଅଛି ଘରକରଣା କ’ଣ ତମେ ଜାଣିଚ ।’’

 

ନୂଆବୋହୂ କ୍ରମେ ପଞ୍ଚମ ଆଡ଼କୁ ଅଗ୍ରସର ହେଉଛନ୍ତି ଦେଖି ହରିବାବୁ ମନେ ମନେ ଭୀତ ହୋଇ କଥା ମଝିରେ ଝଟ୍ କହି ଉଠିଲେ–ନାଃ, ନାଃ, ଆମେ କିଛି ଜାଣି ନାହୁଁ–ଆମେ କିଛି ନହୁଁ । ତମେ ମାନେ ସବୁ । ନା, ମୁଁ ଥଟ୍ଟା କରୁନାହିଁ ଯେ ପ୍ରକୃତରେ ତମେମାନେ ଏସବୁ କଥା ଭଲ ବୁଝ ! ଏଇ ଦେଖ, ନୀଳୁଟି ଏଇଲାଗେ ପାଠଶାଠ ପଢ଼ି ବାହାରିବ, ଏଇଠି ଆସି ଓକିଲାତି କରିବ; କି ଦୋପଟି ହବ–ଲୋକେ ତାକୁ ମୋ ଭାଇ ବୋଲି ଜାଣିବେ ନା–ଜାଣିବେ କ’ଣ; ଜାଣିଛନ୍ତି ।’’

 

‘‘ଓଃ ସେ କଥା କ’ଣ ମୁଁ ଜାଣେ ନାହିଁ, ଏତେ ନିଠୋଉଚ ନୀଳୁ ଏଇନାଗେ ଆମର ନା ଆଉ କାହାର ? କଙ୍କି ଗଲାଦିନଠଉଁ ମୁଁ ଆଉ ତାକୁ ଛାଡ଼ୁନାହିଁ କାହିଁକି କି-ଆମେ ଦଳ ଛଡ଼େଇବୁ, ଆଉ କିଏ କାହିଁକି କଉ ଖାଇବ ! ତେମେ ତା’ର କ’ଣ ନ କରିବ ଭଲା !’’

 

ହରିବାବୁ ନୀଳୁ ପାଇଁ କ’ଣ କରିଛନ୍ତି, ନ କରିଛନ୍ତି, ସେ କଥା ସେଇ ଜାଣନ୍ତି କି ତାଙ୍କ ଭଗବାନ ଜାଣନ୍ତି–ଗୃହିଣୀ ସେଥିର ଦୁଇଅଣା ବି ଶୁଣିନାହାନ୍ତି । ସେ ସବୁ କଥା ତାଙ୍କୁ କହିବାକୁ ହରିବାବୁଙ୍କର କେଭେଁ ସାହାସ ହୋଇନାହିଁ । କଟକକୁ ମାସକୁ ମାସ କେବେ ପାଞ୍ଚ କେବେ ଦଶ ପଠାଇବା, ଗାଁକୁ ଆସିଥିଲେ ଭଲ ଲୁଗା ଯୋଡ଼ାଏ କି କମିଜଖଣ୍ଡେ–ବାହାରେ ବାହାରେ ଅବଶ୍ୟ ଦବା ନବା ସବୁ ଗୋପନରେ କରିଥାନ୍ତି । ପାଠକେ ତ ଜାଣନ୍ତି, ନୀଳୁ ଉପରେ ନୂଆବୋଉଙ୍କର ଆଜି ସୁଦ୍ଧା କେଭେଁ କୃପାଦୃଷ୍ଟି ପଡ଼ି ନ ଥିଲା । ତେବେ ଏତେ କରି ସୁଦ୍ଧା ହରିବାବୁ ନୀଳୁ ଉପରେ ତାଙ୍କର ଦଖଲସ୍ୱତ୍ୱ ଅଛି, ଏଟା କେଭେଁ ସ୍ୱପ୍ନରେ ସୁଦ୍ଧା ଭାବି ପାରି ନ ଥିଲେ । ସ୍ନେହ କରନ୍ତି, ଅତି ଆପଣାର ଭାବନ୍ତି–ହେଲେ, ତାକୁ ସାହାଯ୍ୟ କଲେ ଭବିଷ୍ୟତରେ ପ୍ରତିଦାନ ପାଇବେ, ଏ ଧାରଣାରୁ ନୁହେଁ । ନୀଳୁକୁ ଷୋଳପଣୀ ଅଧିକାର କରି ବସିବା ତ ଦୂରର କଥା–ତେବେ, ଯଦି ସମ୍ଭବ ହୋଇଥାନ୍ତା ତା’ ହେଲେ କଙ୍କିଟିକୁ ତା’ ହାତରେ ଦେଇପାରିଥିଲେ ସୁଖୀ ହୋଇଥାନ୍ତେ । ପରନ୍ତୁ ଏ ବିଷୟରେ ଗୃହିଣୀଙ୍କ ମତ ଯେ ପକ୍ଷପାତୀ ନୁହେଁ, ତାହା ସେ ଅନେକ ଦିନରୁ ଜାଣନ୍ତି, ଅଥଚ ନୀଳୁପ୍ରତି ତାଙ୍କ ଅନୁକୂଳ ମନୋଭାବ ବା ବ୍ୟବହାରର କୌଣସି ପରିବର୍ତ୍ତନ ଘଟିନାହିଁ । ନୀଳୁଟି ଗୁଣର ହେଲେ ଲୋକେ ତାଙ୍କରି ପ୍ରଶଂସା କରିବେ, ଏ ଭାବଟା ଅବଶ୍ୟ ଷୋଳଅଣା ତାଙ୍କ ମନରେ ଥାଏ । ତେବେ ଏଟା ଏପରି କିଛି ଅମାର୍ଜନୀୟ ଦୋଷ ନୁହେଁ ।

 

ଆଜି ହରିବାବୁ ନିଜ ସ୍ତ୍ରୀଙ୍କ କଥାରେ ଚମକୃତ ହୋଇଗଲେ । ପ୍ରକୃତରେ ସେ ତ ନୀଳୁ ପାଇଁ ଯଥେଷ୍ଟ କରିଛନ୍ତି–ନିଜର ଭାଇ ପ୍ରତି ଲୋକେ ଯାହା କରୁନାହାନ୍ତି; ସେ ନୀଳୁ ପ୍ରତି ତାହାହିଁ କରିଛନ୍ତି । ନୀଳୁ ଏଣ୍ଟ୍ରାନ୍‌ସ ପାସ୍ କରିବା ସମ୍ଭବ ନ ଥିଲା, ସେ ସାହାଯ୍ୟ କରି ତାକୁ ଉଠାଇଲେ, କ୍ରମେ କ୍ରମେ ସେ ଉନ୍ନତି କରି ଉଠିଲା-ସବୁ ତ ତାଙ୍କରି ଯୋଗେ ! କିନ୍ତୁ ସେଥିଯୋଗେ କ’ଣ ନୀଳୁ ଉପରେ ତାଙ୍କର ଦଖଲସ୍ୱତ୍ୱ ହୋଇଗଲା ! ଯେତେ ହେଲେ, ସେ ତା’ ଉପରେ ନିଜର ଅଧିକାର ସାବ୍ୟସ୍ତ କରିପାରିଲେ ନାହିଁ । ଗୃହିଣୀ ନୀଳୁ ମାନିବା ଉପରେ କେତେ ବେଶି ନିର୍ଭର କରେ; ସେଟା ସେ ବୁଝିଲେ; କିନ୍ତୁ–

 

ଏହିସବୁ କଥା ଭାବୁ ଭାବୁ ତାଙ୍କ ହୃଦୟର କେଉଁ ନିଭୃତ ପ୍ରଦେଶରେ କି ଗୋଟାଏ ଗୁରୁତର ଅଭାବ ହଠାତ୍ ଉତ୍ତେଜିତ ହୋଇ ହାହାକାର କରି ଉଠିଲା ! ବାସ୍ତବିକ୍ ତାଙ୍କ ଜୀବନରେ ତ କିଛି ନାହିଁ । କଙ୍କିଟି ଥିଲା ଯେ, ଗୃହର ତଥା ହୃଦୟର ସମସ୍ତ ଶୂନ୍ୟତା ସେ ଉଡ଼ାଇ ଦେଉଥିଲା । ସେ ତ ଗଲା ! ଆଉ ତାଙ୍କର କିଏ ଅଛି–ଦଶବର୍ଷର ବିବାହିତ ଜୀବନରେ ।

 

ନାଃ; ନୀଳୁ ତ ପିତୃମାତୃହୀନ, ହରିବାବୁ ନିଜେ ତ ଅପତ୍ୟହୀନ, ତେବେ– !

 

ଏତେବେଳେ ସେ ବୁଝିଲେ, ଗୃହିଣୀ କାହିଁକି ନୀଳୁ ପ୍ରତି ଅନୁରକ୍ତ ହୋଇ ଉଠିଛନ୍ତି, କାହିଁକି ତାଙ୍କୁ ଷୋଳପଣ ଅଧିକାର କରିବାକୁ ଚାହାନ୍ତି । ତାଙ୍କ ମନରେ ସଂସାରିକ ଚିନ୍ତା ଓ ଆର୍ଥିକ ସୁବିଧାଟା ଯେତେ ପ୍ରବଳ ଭାବରେ ଆଘାତ କରିଥାଉ ପଛକେ, ମୂଳରେ ଶୂନ୍ୟ ହୃଦୟର ମୌଳିକ ଅଭାବଟା ହିଁ ଅଜଣାରେ କାର୍ଯ୍ୟ କରୁଅଛି । ନାରୀ ମାତୃଭାବ ଉପରେ ସଂସାରର ଯାବତ୍ ଭସ୍ମ ଅଙ୍ଗାର ଅଜାଡ଼ି ହେଲେ ମଧ୍ୟ ମୂଳରେ ମାତୃଭାବ ମାତୃଭାବ ହିଁ ରହିବ !

 

ନୀଳୁବାବୁ କନକର ଶାଶୂଘରକୁ ବାହାରିଲା ବେଳୁ ନିଜ ଠାରେ ନିଜେ ନାହାନ୍ତି । ସବାରୀ ଭିତରେ ପ୍ରାୟ ତିନି ଚାରିଘଣ୍ଟା କାଳ ଆତ୍ମବିସ୍ତୃତ ହୋଇ କେବଳ ଭାବୁଛନ୍ତି–କନକ କ’ଣ କରୁଥିବ; ଏଇ କେତେଦିନ ତା’ଉପରେ କେତେ ପରିବର୍ତ୍ତନ ଏହି ଅଳ୍ପସମୟ ମଧ୍ୟରେ ଚାଲି ଯାଇଥିବ; କେତେ କ’ଣ ନୂଆ ନୂଆ ଘଟୁଥିବ, ତା’ ଭିତରେ ବୋହୂ ହୋଇ କନକ ଓଢ଼ଣାଟିଏ ପକାଇ ଅନଭ୍ୟସ୍ତ ଗାମ୍ଭୀର୍ଯ୍ୟରେ ଚଲ୍ ଫେର୍ କରୁଥିବ; ସେ କିପରି ଦିଶୁଥିବ, ତା’ର ସ୍ୱାଭାବିକ ମଧୁମୟ ହସ ଟିକକ ତା’ ମୁହଁରେ ଥିବ କି ନାହିଁ ! ମୋଟ ଉପରେ ସେ ସୁଖରେ ଥିବ କି ନାହିଁ, ଇତ୍ୟାଦି ଇତ୍ୟାଦି । ଥରେ ତା’ ମୁହଁଟି ଦେଖିଲେ ସବୁ ବୁଝିପାରିବି ବୋଲି ଭାବୁ ଭାବୁ ମନେପଡ଼ିଲା, ବିବାହ ପୂର୍ବ ତାହାର କାନ୍ଦଣା କଥା । ଏତେ କଥା କନକ କାହୁଁ ଜାଣିଲା ! ଏକାବେଳକେ ଏତେ କଥା କନକ ଭାବିପାରିବ, ଏହା ତାଙ୍କ କଳ୍ପନାର ଅତୀତ ଥିଲା । ତା’ କାନ୍ଦଣା ଶୁଣି ସେ ଦିନ ସେ ବୁଝିଥିଲେ, କେତେ ଗଭୀରରେ ଅଥଚ କେତେ ଅଳ୍ପ ବୟସରେ ନାରୀମାନଙ୍କ ହୃଦରେ ବାକ୍‍ସ୍ଫୂର୍ତ୍ତି ହୁଏ ! ସେଇ କନକ ତ ! ସେଇ ଯେଉଁ ଦୃଷ୍ଟିରେ ସେ ତାକୁ ଚାହିଁଥିଲା–ତାହାର ଭାବ ବୁଝିବାକୁ ତାକୁ ଆଜି ସୁଦ୍ଧା ଭୟ ହୁଏ । ସେ ଦୃଷ୍ଟି ଯେ କନକ ଆଖିରେ ଥିଲା, ସେ କେଭେଁ କଳ୍ପନା କରିନାହାନ୍ତି । ଆଜି ସେ ଯେତିକି ଭାବୁଛନ୍ତି, ସେତିକି ସେ ଦୃଷ୍ଟିର ମହିମା ଉପଲବ୍ଧି କରିପାରି ନିଜକୁ ଧନ୍ୟ ମଣୁଛନ୍ତି । ସେହିଦିନୁ ନାରୀ ହୃଦୟର ଉଚ୍ଚତା ପ୍ରତି ଶ୍ରଦ୍ଧାରେ ଓ ସମାଜର ସୀମାବଦ୍ଧ ନୀଚତା ପ୍ରତି ଘୃଣାରେ ତାଙ୍କ ହୃଦୟ ଭରିଯାଇଛି ।

 

କେଡ଼େ ପରୀକ୍ଷାରେ ବାପଘରେ କନକ ଜୟଧ୍ୱଜା ଉଡ଼ାଇ ଚାଲି ଆସିଥିଲା, ତାହା ନୀଳୁବାବୁଙ୍କ ପରି ଆଉ କିଏ ବୁଝିଛି ? ତାହା ତୁଳନାରେ ଶାଶୂଘର ପରୀକ୍ଷାଟା ତ କିଛି ନୁହେଁ । ତାଙ୍କର ଇଚ୍ଛା ହୁଏ, କନକର ସ୍ୱାମୀ ନିଧିବାବୁଙ୍କ ସହିତ ସାକ୍ଷାତ ହେଲା ମାତ୍ରକେ କନକକୁ ସେ କିପରି ଦେଖୁଛନ୍ତି ବୋଲି ପଚାରିବେ । ହୃଦୟ ତାଙ୍କର ଗର୍ବରେ ନାଚି ଉଠେ–ଏତେ ମହାନ୍ ହୃଦୟ କନକର ! ଆଉ ସେ କନକର ଭାଇ ! ଭାଇ ତ ! ସେଥିରେ ମାୟା ନାହିଁ, ଛନ୍ଦ ନାହିଁ, କପଟ ନାହିଁ-। କନକ ପ୍ରତି ତାଙ୍କର ଆବାଲ୍ୟ ମମତା, ସ୍ନେହ ଓ ଶ୍ରଦ୍ଧା ଯେ କେବଳ ଭ୍ରାତୃସ୍ନେହର ଗୁଣ୍ଡିରେ ଆବଦ୍ଧ ନୁହେଁ, ତାହା ସେହିଥିରେ ଥାଇ ସୁଦ୍ଧା ଯେ ତା’ ଠାରୁ ଅନେକ ଉଚ୍ଚରେ–ଅନେକ ଗଭୀରରେ, ଏହା ସେ ବୁଝିଛନ୍ତି । କିନ୍ତୁ ବାସ୍ତବିକ୍ କନକର ସେହି ଦୃଷ୍ଟିଟିଠାରୁ ତାଙ୍କର ପୁନର୍ଜନ୍ମ ! ଆଖିର ଭାଷାରେ, ତଥା କାନ୍ଦଣା ଭାଷାରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା । ସେତେ ଦିନଯାଏଁ ସେ ଖୋଜି ପାଇ ନ ଥିଲେ କନକ ତାଙ୍କର କିଏ, କାହିଁକି ତାଙ୍କ ହୃଦୟରେ ତା’ର ଏତେ ଅଧିକାର ଓ ରାଜତ୍ଵ, କ’ଣ ତା’ର ସମ୍ବନ୍ଧ ! ସେ ଦିନ କନକର ସମାଧାନକୁ ସେ ନତ ଶିରରେ ଗ୍ରହଣ କରିଥିଲେ, ତାଙ୍କ ମନକୁ ଯଥେଷ୍ଟ ଗ୍ଲାନି ପରିଷ୍କାର ହୋଇଯାଇଥିଲା । କଥାର ସମାଧାନ ଅନ୍ୟ ଭାବରେ ହୋଇପାରିଥାନ୍ତା–ସେ ନିଜେ ସେଥିପାଇଁ ଯେ ଅନ୍ୟ ଦିଗରେ ଆଖି ନ ପକାଇଥିଲେ, ତାହା ବି ନୁହେଁ; ତେବେ କନକର ସେ ନିର୍ଦ୍ଦେଶ, ସେଟା ସମାଧାନର ଶେଷ–ନାରୀର ନାରୀତ୍ଵ ଦେଖାଇ କନକ ଚାଲିଗଲା । ନୀଳୁବାବୁ ସେ ଆଦର୍ଶ ଗ୍ରହଣ କରି ପୁରୁଷତ୍ୱ ଦେଖାଇବାର ସଂକଳ୍ପ କରି ରହିଲେ । ସଂକଳ୍ପଟି କାର୍ଯ୍ୟରେ ପରିଣତ କରିବାର ଦିନରେ ସେ ସ୍ଥିର ଭାବରେ ହୃଦୟଙ୍ଗମ କରିପାରିଲେ ଯେ ଅନ୍ତରେ ଅନ୍ତରେ ତାଙ୍କର ସଂକଳ୍ପ ସିଦ୍ଧି ହୋଇସାରିଲାଣି–ବାକି କେବଳ ବାହାରଟା ମାତ୍ର ।

 

ଶତ ଆଶା, ଶତ ଆଶଙ୍କାର ଭାର ଘେନି ସେ ସବାରୀରୁ ଓହ୍ଲାଇଲେ; କିନ୍ତୁ ଏ କ’ଣ ? ସଂକଳ୍ପ କୁଆଡ଼େ ଗଲା, ପୁରୁଷତ୍ୱ କୁଆଡ଼େ ଗଲା, ‘ୟାକୁ ତା କରିବି, ତାକୁ ତା’ କରିବି; ଏପରି ଯେ କେତେ କଅଣ ଯେ, ଭାବି ଆସିଥିଲେ, ସେ ସବୁ କୁଆଡ଼େ ଗଲା ! କିପରି ଗୋଟାଏ କାପୁରଷତା ତାକୁ ଭିଡ଼ି ଭିଡ଼ି ପୁଣି ସବାରୀରେ ନେଇ ବସାଇ ଦେଲା । ସମ୍ମୁଖରେ ନିଧିବାବୁ ହସି ହସି ଆସି କୁଶଳ ପଚାରି ଭିତରକୁ ଆହ୍ୱାନ କଲେ । ମୁକବତ୍ ଯନ୍ତ୍ରଚାଳିତ ହେଲାପରି ନୀଳୁବାବୁ ଉଠି ତାଙ୍କ ପଛେ ପଛେ ଘର ଭିତରକୁ ଗଲେ । କି ଗୋଟାଏ ମୋହରେ ଅବିଷ୍ଟ ହୋଇ ଦୁର୍ବଳତାର ଅନ୍ଧାରରେ ଦେଖିଲେ ନିଜକୁ; ବୁଝିଲେ, ତାଙ୍କ ହୃଦୟର ବଳ କେତେ କମ୍; ଜାଣିଲେ, ତାଙ୍କ ମନରେ ନିଭୃତରେ ପାପ–ଅଗ୍ନି ଭସ୍ମାବୃତ ପ୍ରାୟ ହୋଇ ରହିଛି–ଲିଭି ନାହିଁ । ସେ କନକର ଆଦର୍ଶ ଗ୍ରହଣ କରିପାରିନାହାନ୍ତି, ଆଉ ନିଜଠାରେ ତାଙ୍କର କ୍ଷମା ନାହିଁ ସ୍ଥିର କଲେ, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଶକ୍ତି ଉତ୍ପନ୍ନ ନ ହେବାଯାଏଁ ସେ ପରୀକ୍ଷାସ୍ଥଳ ଛାଡ଼ି ପଳାଇବେ ନାହିଁ । ହଠାତ୍ ତାଙ୍କ ମନରେ ଗୋଟିଏ ଘୃଣିତ ଭାବ ଖେଳିଗଲା, କିନ୍ତୁ ତାକୁ ସେ ଘୃଣିତ ବୋଲି ମନରୁ ଦୂର କରିଦେଲେ । ଛି, ଛି, କନକକୁ ସେ ଭଉଣୀ ଛଡ଼ା ଆଉ କିଛି ବୋଲି ତ କେଭେଁ ଭାବିନାହାନ୍ତି, ତେବେ ତାଙ୍କର ଏ ଦୁର୍ଦ୍ଦଶା କାହିଁକି ? ହାୟରେ ମୂଢ଼ ମନ, ତୁ ଭାବିଛୁ କି ନାହିଁ, ତୁ ଜାଣିଲୁ କିପରି-? ମନେକର–ଯେତେବେଳେ କନକକୁ ଭାବିଛୁ ସେତେବେଳେ ପ୍ରାଣପଣ କ୍ଷିପ୍ର ଗତିରେ’ ଭଉଣୀ ଭଉଣୀ’ ବୋଲି ଜୋର କରି କହିଛୁ; ମନେକର ତୋ ନିଜର ଭବିଷ୍ୟତ୍ ଚାଳନା ପାଇଁ ତୁ ଜୁଆ ଚୋରୀ କରି କନକର ପଛଆଡ଼ୁ ଆଉ ସବୁ ନିଭାଇ ପକାଇ ଅକ୍ଷରେ ଅକ୍ଷରେ ‘ଭଉଣୀ’ ବୋଲି ଲେଖି ରଖିଛୁ । ତୋର ସେ ଭଉଣୀ ନୁହେଁ ମାନିଲି–ତୁ ତାକୁ ପତ୍ନୀ କରି ଚାହିଁ ନାହୁଁ; ଦାସୀ କରି ଦେଖି ନାହୁଁ, କୁତ୍ସିତ ଇନ୍ଦ୍ରିୟସୁଖଭାଗିନୀ କରି ମଧ୍ୟ ଦେଖି ନାହୁଁ । ତିନିପ୍ରସ୍ଥ ପାପରୁ ତୋଠାରେ ଦୁଇପ୍ରସ୍ଥ ନ ଥାଇପାରେ, କିନ୍ତୁ ମିଥ୍ୟାଜନିତ ପାପ ଅବଶ୍ୟ ଅଛି ! ସେ ତୋର ଭଉଣୀ ବୋଲି ତୋର ତା’ର ସମ୍ବନ୍ଧ ନୁହେଁ–ଠିକ୍ ବିପରୀତ, ତୋର ତା’ର ସମ୍ବନ୍ଧ ମଧ୍ୟ ମିଥ୍ୟା ନୁହେଁ–ବାସ୍ତବ ସତ୍ୟ-। ସେ ସମ୍ବନ୍ଧ ଏ ଜଗତର ଭାଇ ଭଉଣୀ ସମ୍ବନ୍ଧ ଠାରୁ ଢେର ଉପରେ, ସେଟା ମନୁଷ୍ୟ ରକ୍ତର ସମ୍ବନ୍ଧ ନୁହେଁ–ବିଶ୍ୱରକ୍ତର, ସୃଷ୍ଟି ରକ୍ତର ସମ୍ବନ୍ଧ । ତାହା ମୂଳରେ ସେହି ଅନନ୍ତ ପ୍ରେମ–ଯାହାର ପ୍ରବାହରେ ତୁ ଓ ତୋର ସବୁର ଜନ୍ମ ! ତେବେ ନିଶ୍ଚିନ୍ତ ହୁଅ । ଭୁଲ୍ରେ ଯଦି ସେ ପ୍ରେମକୁ ଆଣି ବିବାହ ଉପରେ ରଖିଥାଉ, ତା’ ହେଲେ ସେ ଦୋଷ ତୋର ନୁହେଁ-ଦେଶର, ସମାଜର, କାଳର ଦୋଷ । ଏ ପ୍ରେମକୁ ନ ବୁଝି ଯଦି ପାଇଛୁ, ତେବେ ତୁ ଧନ୍ୟ ! ବାସ୍ତବ ଜଗତର କୌଣସି ସମ୍ବନ୍ଧରେ ତାକୁ ପୂରା ନାହିଁ । କାହିଁରେ ସେ ଧରିବାର ନୁହେଁ ।

 

ମେଘ କଟିଗଲା । ଏତେବେଳେ ନୀଳବାବୁ ବୁଝିଲେ ଯେ କେଉଁଠି ! ବାସ୍ତବିକ୍ ତ, ସେ ନ ବୁଝି ନିଜକୁ ଦୋଷୀ ମଣୁଥିଲେ ଓ ବାହ୍ୟ ଜଗତର ଖାତିରିରେ ନିଜକୁ ନିଜେ ଠକାଉଥିଲେ । ତାଙ୍କ ପ୍ରେମରେ ଆଉ ବିବାହ କାହିଁ ? ତାଙ୍କ ପ୍ରେମରେ ଯଦି ସଂସାରର କୌଣସି ସମ୍ବନ୍ଧର ସ୍ଥାନ ନାହିଁ, ତେବେ ସେ ତ ଏହି ବିବାହ ସମ୍ବନ୍ଧ । ନ ହେଲେ, କନକ ତ ଯେ କୌଣସି ଭାବରେ ତାଙ୍କ ଆଗରେ ଠିଆ ହୋଇପାରେ–କେବଳ ସ୍ତ୍ରୀ ଭାବରେ ନୁହେଁ । ତେବେ ତ ଅତି ଉତ୍ତମ, ସଂସାରର ଦୃଷ୍ଟି ତାଙ୍କ ଠାରୁ ପ୍ରତିହତ ହୋଇ ଫେରିଯିବ ! ପ୍ରେମର ପ୍ରଧାନ ପ୍ରତିବନ୍ଧକ ବିବାହ ତ ଯାଇଛି, ତେବେ ଆଉ କାହିଁକି ଏ ଦୁର୍ବଳତା !

 

ନୀଳୁବାବୁ ଶାନ୍ତ ହେଲେ ।

 

(୬)

 

ନିଧିବାବୁଙ୍କ ସହିତ ପୁଣି ଦେଖାହେଲା ମାତ୍ରକେ ନୀଳୁବାବୁ ହସି ହସି ତାଙ୍କୁ ଗୋଟାଏ ଆଡ଼କୁ ଝିଙ୍କିଆଣି, ଓଡ଼ିଆ ଇଂରାଜୀ ମିଶା ଭାଷାରେ ପଚାରିଲେ, ‘‘ହଇ ହୋ, କଙ୍କିଟି କଅଣ କେମିତି କରୁଥିବ ଏଠି ମତେ ବଡ଼ ସନ୍ଦେହ ଲାଗୁଛି । ପିଲାଟା–’’

 

‘‘ନା, ନା, ବେଶ୍ ଭଲ ତ ! ଏହା କହୁଁ କହୁଁ ନିଧି ବାବୁଙ୍କ ମୁହଁ ରଙ୍ଗା ପଡ଼ିଗଲା । ‘‘ସମସ୍ତେ ଖୁସି ଅଛନ୍ତି ତ ? ତମ ବୋଉ ? ମୁଁ ସମସ୍ତଙ୍କ ଠାରୁ ଦୋଷ ମାଗି ନେଇଯିବି । ପିଲାଟା ତା’ର କେହି ଯେପରି ଦୋଷ ନ ଘେନ ।’’

 

‘‘ନା, ନା–ସେ ଗୋଟାଏ କ’ଣ ? ପ୍ରକୃତରେ ବୋଉ କ’ଣ ଆଉ କିଏ କ’ଣ ସମସ୍ତେ ଖୁସି ଅଛନ୍ତି ।’’

 

ହଠାତ୍ ନୀଳୁବାବୁ ପଚାରି ବସିଲେ, ‘‘ଆଉ ତୁମେ ନିଜେ ?’’ ନିଧିବାବୁଙ୍କ ମୁହଁ ପୁଣି ରଙ୍ଗା ପଡ଼ିଗଲା–ଆଖିରେ ନିଭୃତ ସୁଖର ଦୀପ୍ତି; କହିଲେ, ‘‘ମୁଁ ବି, ମୋ କଥା ଛାଡ଼ିଦିଅ–’’

 

ଏହି ସମୟରେ ସ୍ୟାଡ଼ୁ କିଏ ଗୋଟାଏ ଆସି ନିଧି ବାବୁଙ୍କୁ କହିଲା, ‘‘ଦେଖା ହବାକୁ ଯିବେ ପରା !’’ ‘‘ହଁ ହଁ, ଆଗ ଜଳଖିଆ କରିସାରନ୍ତୁ । ଦେଖା ହେବେ ତ, ଆଉ କ’ଣ !’’ ‘‘ନାଇଁ, ମା’ କହିଲେ-ଭିତରେ ଯାଇ ଜଳଖିଆ କରିବେ ।’’ ତେବେ ନେଇ ଯା’ କହି ନିଧିବାବୁ ଛପି ଛପି ଯାଇ ହଠାତ୍ ଦୁଆର କୋଣରୁ ଗୋଟିଏ ଦଶବାର ବର୍ଷର ଝିଅଟିକୁ ଭିଡ଼ି ବାହାର କରିଆଣିଲେ । ତା’ ହାତରେ ଗୋଟାଏ ବଡ଼ ବେଲା ଖଣ୍ଡିକରେ ମନ୍ଦାଏ ଗୋବର ପାଣି–ଆଉ ସେ କବାଟ କୋଣରେ ଗୋଟାଏ ଖଣ୍ଡିଆ ଛାଞ୍ଚୁଣୀ ମଧ୍ୟ ଥିବାର ଦେଖାଗଲା । ଝିଅଟି ବେଲାଟାକୁ ଧଡ଼୍‌ କରି ଖସାଇ ପଳାଇ କାନ୍ଦିବାକୁ ଲାଗିଲା । ଝିଅଟି–ରଙ୍ଗୀ ।

 

ନିଧିବାବୁ ରାଗିଲା ପରି ହୋଇ ଆଖି କାଢ଼ି ଦାନ୍ତ କାମୋଡ଼ି ରଙ୍ଗୀକୁ ଧମକାଇ କହିଲେ, ‘‘ହଇଲୋ ଦଶାମୁହିଁ, ତତେ ପରା ମନା କରିଥିଲି । ହଇଲୋ ପୁଣି ସେଇ ଥଟ୍ଟା ।’’ ନୀଳୁବାବୁ ଆସି ରଙ୍ଗୀ ହାତକୁ ଭିଡ଼ିଆଣି କହିଲେ ହାଁ ହାଁ -ଛାଡ଼ିଦିଅ ଛାଡ଼ିଦିଅ–ପିଲାଟା ! ଏଇ ପରା ରଙ୍ଗୀ ? ଓ ହୋ, ବୁଝିଲ ହଇ ହୋ ନିଧିବାବୁ, ମୁଁ ରଙ୍ଗୀବର ଯେ, ସେଥିଯୋଗେ ସେ ଯାହା କରିବ କରୁ, ତାକୁ ଆଉ କିଛି କହନା । ଏଥର ମୁଁ ତାକୁ ଧରିଲିଣି–ଆଉ କ’ଣ ଛାଡୁଛି ! ଏଇଥର ସବାରୀରେ ବସାଇ ନେଇଯିବି !’’ ରଙ୍ଗୀ ପଳାଇଯିବା ପାଇଁ ଚୂଡ଼ାନ୍ତ ଚେଷ୍ଟା କରୁଥାଏ, କାନ୍ଦଣା ତ ନୀଳୁଙ୍କ ହାତକୁ ଆସିଲା ବେଳୁଁ ବନ୍ଦ–ନେଇ ଯିବା କଥା ଶୁଣି ‘‘ବୋଉ, ବୋଉ’ ବୋଲି ଚିତ୍କାର କରିବାକୁ ଆରମ୍ଭ କରିଦେଲା ! ପ୍ରକୃତ ଭୟରେ ତା ମୁହଁ ଶୁଖିଗଲା ! ନୀଳୁବାବୁ ତାକୁ ଛାଡ଼ି ଦେଉ ଦେଉ କହିଲେ “ଆଛା ହଉ, ତୁ କହ–ମୁଁ ତୋର ବର; ତା ହେଲେ ଏଇନାଗେ ଛାଡ଼ିଦେବି ! ରଙ୍ଗୀ ନ କହେ ଅଧିକ ‘ବୋଉ, ବୋଉ’ ବୋଲି ଚିତ୍କାର ! ନୀଳୁବାବୁ ଛାଡ଼ି ଦେବାକୁ ବସିଲା କ୍ଷଣି ନିଧିବାବୁ କହିଲେ–‘‘ନା ନା, ସେ କହୁ ଆଗ ! ମାନିବୁ, ତେବେ ଛାଡ଼ିବି । ପୋଡ଼ାମୁହଁ ଜବତ ହେଉ-। କଥା ଶୁଣିବୁ ନାହିଁ, ନା–ନା–ଯେମିତି ନ ଶୁଣିଚୁ ସେମିତି ପା–ତେମେ ଆସୁଥା, ମୁଁ ଦେଖେଁ ଜଳଖିଆପତର କଅଣ ହେଲା–’’ ଏହାକହି ନିଧିବାବୁ ଭିତରକୁ ଚାଲିଗଲେ । ରଙ୍ଗୀ ଡରେ ଧୀରେ ଧୀରେ କହିଲା; ‘‘ଓଃ,ଭାରି ତ ଭାଇ–ରହ ରହ, ନୂଆ’ଉକୁ କହି ଦେଉଚି ଯେ !’’ ନୀଳୁବାବୁ ଦେଖିଲେ, ଏଥର ରଙ୍ଗୀକୁ ନ ଛାଡ଼ିଦେଲେ କଥାଟା ଖରାପ ହେବ । କହିଲେ, ‘‘ଆଚ୍ଛା ହଉ, କଥାରେ ନ କହିଲୁ ନାହିଁ, ମନେ ମନେ କହି ଦେ-ମୁଁ ତୋ ବର ।’’ ଏହା କହି ଛାଡ଼ିଦେଲେ । ରଙ୍ଗୀ ଦଉଡ଼ି ପଳାଉ ପଳାଉ କହିଲା, ‘‘ଓଃ ଭାରି ତ ଭଦ୍ରଖିଆ !’’ ଏଇଟା କାଳେ ମୋ ବର, ଇ, ହି–ତେମେ ତ ନୂଆଉ’ ବର !’’ ‘କାହା ବର !’ ‘କାହା ବର’ ‘‘ନୂଆ’ଉ ନୂଆବଉ, ନୂ–ଆ–ବ–ଉ–ବ–ର-!’’ ଏହା କହି ରଙ୍ଗୀ ଛାଞ୍ଚୁଣୀ ମୁଠାଟା ତାଙ୍କ ଉପରକୁ ଫୋପାଡ଼ି ଦେଇ, ବେଲାଟା ଘେନି ଦଉଡ଼ି ପଳାଇ ଗଲା–ଆଉ ଗୋବର ପାଣି ଆଣିବା ପାଇଁ ବୋଧହୁଏ । ନୀଳୁବାବୁ ସ୍ତମ୍ଭିତ ହୋଇଗଲେ; ୟାର ଅର୍ଥ କ’ଣ କିଛି ବୁଝିପାରିଲେ ନାହିଁ । ଥଟ୍ଟା, ପରିହାସ, ରହସ୍ୟ, ନା ବ୍ୟଙ୍ଗ–କ’ଣ କିଛି ବୁଝିପାରିଲେ ନାହିଁ । ଏଡ଼େ ଟିକିଏ ପିଲା–ବାରିକଟି କହିଲା, ‘‘ତେମେ ଚାଲ ବାବୁ, ରଙ୍ଗୀ ବାୟାଣୀଟା କଥାରୁ କ’ଣ ପାଇବ ?’’ ଏହା କହି ଅଗ୍ରସର ହେଲା । ନୀଳୁବାବୁ କ’ଣ ବୋଲି ଭାବୁ ଭାବୁ ପଛେ ପଛେ ଚାଲିଲେ ।

 

ଗଉରୀ ବିରକ୍ତ ହୋଇ କହିଲା, ‘‘କାନ୍ଦଣା ଶୁଣିବେ ବୋଲି ମଲେ ଏ ମାଇପିଗୁଡ଼ାକ–ଯା, ମର । ସଇଲା ତ ଏଥର ଖା ।’’ ସଂସାରର ମାଇପି ପିଲା ରୁଣ୍ଡ ହୋଇ କନକର କାନ୍ଦଣା ଶୁଣୁଥିଲେ–ଏଇଥିରୁ କାଳେ ବୋହୂର ଭଲମନ୍ଦ ସବୁ ପରଖା ଯାଏ । ଏଇଯା ହେଲା ଶାଶୂଘରେ କନକର ପ୍ରଥମ କାନ୍ଦଣା । ଏକାଗ୍ର ମନରେ ଖୁନ୍ଦାଖୁନ୍ଦି ହୋଇ ସମସ୍ତେ ଶୁଣୁଥିଲେ–କାନ୍ଦଣା ସରିଲାରୁ ସମସ୍ତେ ଛତ୍ରଭଙ୍ଗ ଦେଲାପରି ସ୍ୟାଡ଼େ ହୋଇଗଲେ ।

 

କନକକୁ ତୁନୀ କରିଦେଇ ପୂର୍ବୋକ୍ତ ସାବୀ ଅପା (ଏଇ ଗାଁ ଝିଅ, ବିଧବା, କୋଠପୁଅ ଘରର–ସେ ସଂସାରଯାକର ଅପା) ଆସି ସମସ୍ତଙ୍କ ଆଗରେ ବ୍ୟକ୍ତ କରିଦେଲା–’’ ପୁଅଟି ଭାରି ନାଜକୁଳା, ମୁହଁକୁ ତଳକୁ କରି କାନ୍ଦୁଛି–ବୋହୂଟାକୁ ତୁନୀ ହବାକୁ ବି କହୁ ନାହିଁ । ନାଃ, ବୋହୂଟିକୁ କାନ୍ଦଣା ଆସେ–ପାଠ ପଢ଼ିଚି, ତମେ କ’ଣ କହୁଚ । ଦେଖୁନା–କେଡ଼େ ଶୁଧିଅ କଥା ।’’

 

ଭଲ କାନ୍ଦଣାରେ ଗଛରୁ ପତ୍ର ଝରିପଡ଼େ ବୋଲି ଶୁଣାଯାଏ–ସେ କାନ୍ଦଣା କି ଧାତୁର, ମୋତେ ସଂପୂର୍ଣ୍ଣ ଅଜଣା । ତେବେ ଆଜି କନକର କାନ୍ଦଣାରେ ଗଛରୁ ପତ୍ର ନ ଝଡ଼ିଥିଲେ ସୁଦ୍ଧା ସମସ୍ତେ ଭଲ କାନ୍ଦଣା ବୋଲି ପ୍ରଶଂସା କଲେ । ନୀଳୁବାବୁଙ୍କର ତ ଆଖିରୁ ଲୁହ ଗଡ଼ିପଡ଼ିଲା ।

 

ନିଜ ଆଖିରୁ ଲୁହ ପୋଛିଦେଇ ଗଳା ସଫା କରି ନୀଳୁବାବୁ କନକର ସୁ-ଆବୃତ ଅବତନ ମୁଖ ଆଡ଼କୁ ଥରକୁ ଥର ଅନାଇ କହିଲେ, ‘‘ତୁ କାନ୍ଦୁଚୁ, ଗୋଟାଏ କଅଣ ମ କଙ୍କି ! କାନ୍ଦିବାର କଥା କ’ଣ ମୁଁ କିଛି ବୁଝିପାରୁନାହିଁ ।’’ କନକ ସେହିପରି ମୌନ ରହିଲା–ସମ୍ଭବତଃ ନିଜକୁ ସଂଯତ କରୁଥିଲା । କିଛି କ୍ଷଣ ମୁଣ୍ଡ ଟେକିଲା ନାହିଁ–ମୌନ ଭାବରେ କିପରି ଗୋଟାଏ ମୋହରେ ଆଚ୍ଛନ୍ନ ହେଲା ପରି ବସି ରହିଲା । କେବଳ ଗୃହ ତଳରେ ତାହାର ହସ୍ତାଙ୍କିତ ଗଭୀର ରେଖାରୁ ତା’ ଅନ୍ତରର ଘୋର ଯୁଦ୍ଧର ଯତ୍କିଞ୍ଚିତ୍ ଆଭାସ ମିଳୁଥାଏ ।

 

କିଛିକ୍ଷଣ ଉତ୍ସୁକ ନେତ୍ରରେ ତା’ ଆଡ଼କୁ ଚାହିଁ ଚାହିଁ ନୀଳୁବାବୁଙ୍କୁ ଭାରି ଅଡ଼ୁଆ ଲାଗିଲା-। ଆସ୍ଥାଟାର ଅସ୍ୱାଭାବିକତାଟିକ ତାଙ୍କୁ କନକ ପରି ଜଡ଼ କରିବାକୁ ଚାହିଁଲା, କିନ୍ତୁ ସେ କିଛି କହିବାକୁ ହେବ, ଏଇଥିପାଇଁ କଥା ଆରମ୍ଭ କରିଦେଲେ ‘‘କଙ୍କି, ମୁଁ ୟା ଭିତରେ ଏଇ ଏଠଉଁ ଫେରି କଟକ ଚାଲିଯିବି । ଆଉ ବୋଧହୁଏ କିଛି ଦିନ ୟାଡ଼କୁ ଆସିବି ନାହିଁ । ସେଇଥିପାଇଁ ମୁଁ ଭାଇଙ୍କି କହିଲି–‘‘ମୁଁ ଯାଉଛି ଥରେ ବୁଲିଆସେ, ତମେ ତ ଏଇଠି ଅଛ, ଯିବ ଆସିବ ।’’ ଏଇଥର କନକ ନତମସ୍ତକ ଟେକି ଥରେ ନୀଳୁବାବୁଙ୍କ ମୁହଁକୁ ଚାହିଁଲା–ଗୋଟାଏ କିଛି ପ୍ରଶ୍ନ କଲାପରି ଟିକିଏ ଚକିତା ଭାବରେ ଚାହିଁଲା । ମୁହୂର୍ତ୍ତକ ପାଇଁ ମୁହଁ ସଙ୍ଗେ ସଙ୍ଗେ ତଳକୁ ହୋଇଗଲା । କିନ୍ତୁ କନକ କଥାରେ କହିଲା, ‘‘କି କାହିଁକି ଆସିଲ ? ମୁଁ ତ ମରିଛି–ତମର ଏଠି କିଏ ଅଛି କି ? ସେ ଚାହାଣି; ଏ କଥା–ନୀଳୁବାବୁ ୟାର ଅର୍ଥ ଗ୍ରହଣ କରିପାରିଲେ ନାହିଁ । ଏପରି କଥା ତ ବାପଘର ଲୋକ ଦେଖିଲେ ବୋହୂମାନେ କହିଥାନ୍ତି ଓ, ସେଥିରେ ଲୋକ ଖୁବ୍ କମ୍ ଆସ୍ଥା ଦିଅନ୍ତି, କିନ୍ତୁ ଏ ଚାହାଣି, ପୁଣି ଏ କଥା ! କିଛିକ୍ଷଣ ଭାବି ଭାବି କନକର ମନୋଭାବ ନ ବୁଝିପାରି ନୀଳବାବୁ ଗୋଟାଏ ଗଭୀର ଦୀର୍ଘ ନିଶ୍ୱାସ ପକାଇଲେ । ହଠାତ୍ କନକ ମୁଣ୍ଡ ଟେକି ଅନାଇଲା । –ମୁହଁରେ ଲୁଗା ନ ଥିଲା, ନୀଳୁବାବୁ ବି ଚାହିଁଲେ । ଚାରି ଚକ୍ଷୁ ପ୍ରାୟ ଦଣ୍ଡେ କାଳ ମିଳିତ ହୋଇ ରହିଲା । କାହାରି ଦୃଷ୍ଟି ପ୍ରତିହତ ହୋଇ ଫେରିଲା ନାହିଁ । ଦୁହେଁ ଦୁହିଁଙ୍କୁ ପ୍ରାୟ ବୁଝିନେଲେ, ଏକା ମୁହୁର୍ତ୍ତରେ ଦୁହେଁ ହସି ଉଠି ଦୃଷ୍ଟି ଫେରାଇଲେ । ନୀଳୁବାବୁ ଆଗ୍ରହ ସହିତ କହିଲେ, ‘‘ଦୃଷ୍ଟୀ ଟୋକି, (ଏହା ଗୋଟିଏ ପିଲାଦିନର ବ୍ୟାକରଣ ସାଧନା) ଢଙ୍ଗ କରୁଛି ! ଗୋଟାଏ କାନମୋଡ଼ା ଦେବି ଯେ, ଫେରେ–ମରିଛି ! ସତେ ମଲା କି ଆଉ !’’ କନକ ଆନନ୍ଦରେ ଉଠି ପାନ ଭାଙ୍ଗିବାକୁ ଗଲା । ନୀଳୁବାବୁ କହିଲେ, ‘‘ତୋ ଶାଶୂଟି କେମିତିକା ଲୋକ କିଲୋ ? ଆଉ ନଣନ୍ଦଟିମାନେ କିପରି–ଗୋଟାଏ ତ ମତେ ବରିଚି । ବଡ଼ୁଟି ପରା ବିଧବା, ନୁହେଁ’’ ? କନକ ‘‘ସମସ୍ତେ ଆଚ୍ଛା ଭଲ’’ ବୋଲି କହି ପାନ ବଢ଼ାଇଦେଲା । ନୀଳୁବାବୁ ପାନ ନେଇ ପୁଣି ପଚାରିଲେ, ‘‘ନିଧିବାବୁ କହୁଥିଲେ, ଅଳ୍ପଦିନେ ଛୁଟି ସରିଯିବ, କଟକ ଚାଲିଯିବେ ବୋଲି, ତତେ ନେବାର କଥା ହଉଚି ନା କା’ଣ ମ-?’’ କନକ ମୁହଁ ଫେରାଇ ଲଜ୍ଜିତ ହୋଇ ତା କୋଣଟିରେ ଯାଇ ବସିଲା । ନୀଳୁବାବୁ ପୁଣି କହିଲେ ହସି ହସି, ‘‘କି ଲୋ, କିଛି କହୁ ନାହୁଁ କାହିଁକି ମ, ପୋଡ଼ାଟା !’’ ‘‘ମୁଁ କାହାରିକି ଜାଣେ ନାହିଁ, ଯା; ମୋର ଦୁଃଖ ଯାଉ ନ ଥିଲା । ମୁଁ କାହିଁକି କାହା ସଙ୍ଗେ କୁଆଡ଼େ ଯାଉଥିଲି–ଯା’’ ଏହା କହି କନକ କାନ୍ଥ ଆଡ଼କୁ ମୁହଁ ବୁଲାଇ କାନ୍ଦିଲା ସ୍ୱରରେ କହିଲା, ‘‘ଏଁ ଏଁ-ମତେ ତମେ କିଛି କହିବ ନାହିଁ; ଯା, ତମେ ବଡ଼ ଜଣେ ! ଏଁ ଏଁ-କହି ଧଡ଼ପଡ଼ ହୋଇ କାନ୍ଥରେ ବିଧା ମାରିବାକୁ ଲାଗିଲା । ନୀଳୁବାବୁ ହସି ହସି କହିଲେ, ‘‘ଭାରି ବୋହୂ ହବୁ ତ ତୁ ଜଣାଯାଉଚି । ସେହି ପିଲା ମତ ଆଜିଯାଏ ଗଲା ନାହିଁ–ଆଉ ଛେନା ବୋହୂଟେ ହବୁ ତୁ !’’ ‘‘କି, ତେମେ କାହିଁକି ମତେ ୟା, ତା କଥା କହିବ ? ମୁଁ କାହିଁକି ବୋହୂ ହେମି–ଭାରି ଚାଲାଖି-ମୁଁ ତ ଝିଅଟେ !’’ ‘‘ଓଃ ହୋଃ ତୁ ପରା ବୋହୂ ନହୁଁ, ! ଝିଅଟେ-? ଓଃ ହୋଃ !’’ କହି ନୀଳୁବାବୁ ହସି ଉଠିଲେ । ଏହିପରି ସମୟରେ ଗଉରୀବୋଉ ସେହି ଦୁଆର ପାଖକୁ ଆସି ଭିତରକୁ ଉଦ୍ଦେଶ୍ୟ କରି କହିଲେ, ‘‘ଆଲୋ ବୋହୂ, ପୁଅଟିକୁ ପାନଫାନ ଖଣ୍ଡେ ଦଉ ନଉଁ ?’’

 

ଏ ଅପରିଚିତ କଣ୍ଠସ୍ୱରଟି ଶୁଣି ନୀଳୁବାବୁ କନକକୁ ଚୁପ୍ କରି ପଚାରିଲେ, ‘‘ଏଇ ତୋ ଶାଶୂ କି ଲୋ ?’’ କନକ ହିଁ ବୋଲି କହି ମୁଣ୍ଡ ଟୁଙ୍ଗାରିଲା । ସେହିଠୁ ନୀଳୁବାବୁ ‘‘ହଁ, ମୁଁ ପାନ ଖାଉଚି ଯେ’’ ବୋଲି କହୁ କହୁ ଉଠିଯାଇ ଗଉରୀ ବୋଉଙ୍କ ଗୋଡ଼ ପାଖରେ ମୁଣ୍ଡିଆ ମାରି ପାଞ୍ଚଟି ଟଙ୍କା ସେହିଠାରେ ଥୋଇଦେଲେ । ‘ଉଠୁ ବାବା’ ବୋଲି କହି ବୁଢ଼ୀ ତାଙ୍କ ମୁଣ୍ଡରେ ହାତ ଦେଇ ଉଠାଇ ଦେଲେ । ପୁଣି ତାଙ୍କୁ ନେଇ ତାଙ୍କ ଆସନରେ ବସାଇ ଘର ହାଲ୍ ଚାଲ୍ ସବୁ ପଚାରିଲେ ଏବଂ ନିଜ କଥା ମଧ୍ୟ ୟାଡ଼ୁ ସ୍ୟାଡ଼ୁ କହିବାକୁ ଲାଗିଲେ । କଥା କଥାରେ ନୂଆବୋଉଙ୍କ କଥା ଉଠିଲା । ବୁଢ଼ୀ ପଚାରିଲେ, ‘‘ହଇ ହେ ବାପ, ଜୋଇଁ ଭଲ ଅଛନ୍ତି ନା ? ସେ କାହିଁକି ଟିକିଏ ଆସିଲେ ନାହିଁ ? ଆଉ ମୋ ସରଟି (ହରିବାବୁଙ୍କ ସ୍ତ୍ରୀ) ହାୟ, ତା’ ବାହାଘରକୁ ଯା ତାକୁ ଦେଖିଥିଲି, ଜୋଇଁଙ୍କୁ ବି ସେଇ ଯା ଦେଖିଚି’’ ନୀଳୁବାବୁ ଯାହା କହିବାର କହିଲେ । ବୁଢ଼ୀ ସେଠଉଁ ଉଠି ‘‘ମୁଁ ଯାଏଁ ଦେଖେଁ, ଖିଆପିଆ ଯୋଗାଡ଼ କ’ଣ ହେଉଚି । ବସ ବାପ’’ ବୋଲି କହି ବାହାରିଲେ-। ନୀଳୁବାବୁ, ଟିକିଏ ଗମ୍ଭୀର ଭାବରେ ପଚାରିଲେ, ‘‘ମାଉସୀ, କଙ୍କିଟି ଆମର ପିଲା-ଖେଳ ବୁଦ୍ଧି ତା’ର ଯାଇ ନାହିଁ ତା’ ଦୋଷ ଗୁଣ ବାଛିବ ନାହିଁ । ଯେମିତି ଶିଖେଇବ, ବୋହୂ ତମର ସେମିତି ହବ-। ତା’ର ସବୁ ଦୋଷ ମୁଁ ମାଗିନେଉଛି ।’’ ନା ନା, ବାପ, ଇୟେ ଗୋଟାଏ କଉଁ କଥା-ପୁଅ କିଏ ଆଉ ବୋହୂ କିଏ–ଲକ୍ଷେ ଅବିଗୁଣ ହେଲେ ବି ସେହି ପେଟ ପୋକ ତ ! ଆଉ, ମୋ ବୋହୂଟି କ’ଣ ନାଙ୍କରା କି ! ହଉ ବାପ, ଖିଆପିଆ ସରୁ, କଥା ଭାଷା ହେବା ଯେ; ମୁଁ ଏଇନାଗେ ଯାଏଁ–ଏହା କହି ବାହାରୁଥିଲେ; ପୁଣି ନୀଳୁବାବୁଙ୍କ ମୁଣ୍ଡରେ ଟିକିଏ ଦୁଷ୍ଟାମି ପଶିଲା । ସେ ଇତି ମଧ୍ୟରେ ଏଠାରେ ବେଶ୍ ନିଜ ଘର ପରି ସ୍ୱଚ୍ଛନ୍ଦତା ଅନୁଭବ କଲେଣି କହିଲେ,’ମାଉସୀ, ଶୁଣୁଛି, ତମ ପୁଅ କାଳେ ଅଳ୍ପ ଦିନେ କଟକ ଚାଲିଯିବେ । ହଁ, ଚାକିରି କଥା, ନ ଯିବେ ବା କେମିତି । ତେମେ ବି ଯାଉନା । ସେଠେଇଁ ତ ମୁଁ ଦେଖିଚି, ତା’ର ବେଶ୍ ଭଲ ବସା–ଘରବାଡ଼ି କୂଅ, ପାଇଖାନା ସବୁ ଅଛି, ବେଶ୍ ଚଳିପାରିବ ।’’

 

‘‘ହଁରେ ପୁଅ, ପୁଅ ବି ଡାକୁଚି ତ; ତେବେ ବୋହୂଟା ଘରେ ଗୋଡ଼ ଦଉ ନ ଦଉଣୁ କେମିତି ବିଦେଶ ଯିବ କହିଲୁ ଭଲା । ଏବେ ଏଣିକି ତ ତମର ପାଠ ପଢ଼ିକରି ଏସବୁ କଥା ମାନୁନା-। ଆମେ ଆସି ବୁଢ଼ୀହାଡ଼ି ହେଲୁଁ, ଆମ କାଳେ ବୋହୂ ପୁଣି ବିଦେଶ କେବେ କରୁଥିଲେ । ଏଇ ତ ମୋରି ଆସି ଦୁଇକୋଡ଼ି ପୂରିଲା । ଥରେ ତମ ମଉସା ପୁରସ୍ତମ ନେଇଯାଇଥିଲେ, ଏଇ ତିରସ୍ତା–ନହେଲେ, ଏଇ ଚୁଲିମୁଣ୍ଡକୁ ଆଶ୍ରା କରି ପଡ଼ିଛି । ବାହା ବର୍ଷେ ନ ଯାଉଣୁ କିଏ କେଉଁ କାଳେ କୁଆଡ଼େ ଯାଉଥିଲା ଲୋ ମା ।

 

‘‘ନା ନା, ଆଜିକାଲି ଯୁଗ ତ ହେଲାଣି ଓଲଟା; ମାଉସୀ ! କିଏ କଅଣ କରିବ ? ଏକାଳ ଟୋକାଟୋକି କ’ଣ କରଣ ଘର ଧାଡ଼ି ମାନି ଚଳୁଛନ୍ତି ? ଆଉ ତେମେ ବା କ’ଣ କରିବ, ପୁଅ ବୋହୂ ବା କ’ଣ କରିବେ, ନା ଆଉ କିଏ କ’ଣ କରିବ ।

 

‘‘ନାଇଁ ବାପ, ମୋର କ’ଣ ଅଛି ? ପୁଅ କହିବ ଯଦି ଯିବି, ମୋର ସେଥିରେ କଅଣ ଅଛି ? ପୋଡ଼ା ପାଠ ପଢ଼େଇ ତ ଖାଉଚି । କାହାକୁ କହିବି ! ଗୋଟାଏ ବୋଲି ପୁଅ–ଘରେ ତାକୁ ବର୍ଷରେ ମାସେ ପାଇଲେ ଢେର । ଏଡ଼ିଟି ବେଳୁ ଖାଲି ବିଦେଶ । ବାହା ଦେଲି ଯେ, ପୁଅ କକଟରେ, ବୋହୂ ଘରେ ରହିଲେ ମୋର କଉଁ ସୁଖ; ନା ପୁଅର କଉଁ ସୁଖ ! ହଇ ହେ ବାପ, ତେମେ ବି ତ ପଢ଼ୁଛ । ନିଧି ପରି ତେମେ ବି କ’ଣ ଘର ମୁହଁ ଦେଖ ନାହିଁ ନା ?’’

 

ନାଇଁ ମାଉସୀ, ମୁଁ ଏଇ ତିନିବର୍ଷ ହେଲା ବିଦେଶରେ ଅଛି–ସେଇ କଟକରେ, ନିଧିଙ୍କୁ ମୁଁ ସେଇଠି ଦେଖିଥିଲି ନା । ତାଙ୍କ ଇସ୍କୁଲ ଆମ କଲେଜ ପାଖରେ ହେଇକିରି ତ ଲାଗିଚି !’’

 

‘‘ହଁ ବାପ, ତମେ ଆଠ ଦଶ ଦିନ ରହିବଟି ଏଠି ? ନିଧିର ତ ଆଉ ଆଠ ଦଶ ଦିନ ଜମାରୁ ରହିଲା । ତମେ ବି ରହିଯା, ସାଙ୍ଗ ହୋଇଯିବ ।’’

 

‘‘ହଉ, ହଉ, ସେ କଥା ଦେଖାଯିବ ।’’

 

‘‘ମୁଁ ଯାଏଁ–ଦେଖେଁ’’ ବୋଲି କହି ବୁଢ଼ୀ ନିଜ ମନରେ କ’ଣ ବର୍ର ବର୍ର ହୋଇ ବାହାରିଗଲେ ।

 

କନକ ଏ ପ୍ରସଙ୍ଗ ଉଠିଲା ବେଳୁଁ କୋଣରେ ପଶି କାନ୍ଥ ସାଙ୍ଗରେ ମିଶିବାର ଯତ୍ନ କରୁଥିଲା । ସମୟ ସମୟରେ ମୁହଁ ବୁଲାଇ ନୀଳୁବାବୁଙ୍କ ଆଡ଼କୁ କାତର ଦୃଷ୍ଟିରେ ଚାହିଁଲେ, ସେ ଆହୁରି ଅଧିକ ଏ କଥା ପକାନ୍ତି, ସେ ବିଚାରୀ ନାଚାର ହୋଇ ସବୁ ଶୁଣୁଥାଏ । ବୁଢ଼ୀ ଗଲା ମାତ୍ରକେ ବି ସେ କୋଣରୁ ବାହାରିଲା ନାହିଁ-ସେହିପରି ମୁହଁକୁ କାନ୍ଥ ଆଡ଼କୁ କରି ବସିଥାଏ । ନୀଳୁବାବୁ ହସି ହସି କହିଲେ,’’ କି ଲୋ ? ଏଇଟା ମଲାଣି ନା କ’ଣ ମ ! ହଇ ଲୋ, ଭିତରେ ଭିତରେ ଏତେ କଥା ହଉଚି, ଆଉ ମୁଁ ପଚାରିଲା ବେଳକୁ କ’ଣ ନା–‘ମୁଁ କାହାରିକି ଜାଣେ ନାହିଁ ।’’ କାହାର ଦୁଃଖ ଯାଉ ନ ଥିଲା’–ନା ? ମୋ ସାଙ୍ଗେ ଚାଲାଖି, ନୁହେଁ ? ହଉ ହଉ, ରହ ! ‘‘ହଇ ହୋ ନିଧିବାବୁ, ୟାଡ଼େ ଟିକିଏ ଶୁଣିଗଲ ।’’ କନକ ହଠାତ୍ ସେ କାନ୍ଥ କୋଣରୁ ବାହାରି ଅତି ବିକଳ ହୋଇ କହିଲା, ‘‘ଏ ନୀଳୁ ଭାଇ, ତମକୁ ଜୁହାର କରୁଛି, ତମ ଗୋଡ଼ ତଳେ ପଡ଼ୁଛି–ମୁଁ ତମକୁ ସବୁ କହୁଛି, ତେମେ ଆଉ କାହାରିକି ଡାକନା ଭଲା ଏଠିକି । ତମୁକ ମୋ ରାଣ ।’’ କ’ଣ ବୋଲି କହି ସେ ପ୍ରସ୍ଥରେ ନିଧିବାବୁ ଗୋଡ଼ ଦେଇ ପଚାରିଲେ, ‘‘କ’ଣ କିହେ ନୀଳୁ ଭାଇ, ତମ ଯୋଗ୍ୟ ଭଉଣୀ ସେଠେଇଁ ଅଛନ୍ତି ନା ?’’ ‘‘ହଁ ନାହାନ୍ତି କ’ଣ–କାଇଁ, କାନ୍ଥବାଡ଼ ଦିହରେ କେଉଁଠି ପଶିଲେଣି–ଦେଖା ପଡ଼ୁ ନାହାନ୍ତି । ମଲେ ନେଇଁ ଓଡ଼ିଆଣୀ ! ମୁଁ କ’ଣ କହୁଥିଲି କି । ବୋଉଙ୍କ ସଙ୍ଗେ ଏଇନାଗେ କଥା ହଉଥିଲା ଯେ,-କଟକ ଯିବା କଥା । ବୋଉ ତ ଏକଦମ୍ ଅମଙ୍ଗ, କ’ଣ ଏବେ ଖିଆପିଆ ସରୁ କଥା ହବା, ରହିଥା । ତମେ ଆସିବ, ବଡ଼ ଭଲ ହେଇଚି ପରା !’’ ଏହା କହି ବୋଉଙ୍କ ଡାକରେ ନିଧିବାବୁ ଚାଲିଗଲେ । ‘‘ଗଲାଣି ନା, ଗଲାଣି ନା ସେଟା ?’’ ବୋଲି ଅତି ଆଗ୍ରହରେ କହୁ କହୁ କନକ ଅବ୍ୟକ୍ତ ଆନନ୍ଦରେ ଦୁଆର ପାଖକୁ ଧାଇଁ ଆସି ବାହାରକୁ ଟିକିଏ ଚାହିଁ ଦେଇ ନୀଳୁବାବୁଙ୍କୁ କହିଲା, ଏଇନାଗେ ଯଦି ଘର ଭିତରକୁ ଚାଲିଆସିଥାନ୍ତା, ମୁଁ କ’ଣ କରିଥାନ୍ତି । ଛି, ଛି ନୀଳୁ ଭାଇ; ତୁମେ ବଡ଼ ଜଣେ ! (ଗମ୍ଭୀର ହୋଇ, ଓଠ ଫୁଲାଇ) ଓଃ, ସତେ ଯେମିତି ମୋତେ ନିହାଲ କରିଦେବେ କି ଆଉ ! ୟାକୁ ଡାକ, ତାକୁ ଡାକ–ଏକଥା, ସେକଥା–ଭାରି ଉପୁଗାରିଆ ଭାଇ ତ ମଲା ଗଲା ବୋଲି ବର୍ଷେ ଛ’ ମାସକେ ଖବର ନଥାଏ ।’’ (କହୁ କହୁ କନକର ମୁହଁ ତଳକୁ ହୋଇଗଲା, ଆଖି ଛଳ ଛଳ) ଇୟେ ପୁଣି କି ଭୟଙ୍କର କଥା ! ନୀଳୁ ମୁଣ୍ଡରେ ବଜ୍ରପାତ ହେଲା ପରି ବୋଧ ହଲା । ସେ ଜାଣନ୍ତି, ତାଙ୍କ ପାଖରେ କନକ କେତେବେଳେ କେତେବେଳେ ଏହିପରି ରାଗେ, ରୂଢ଼ ବ୍ୟବହାର କରେ; କଠିନ କଥା କହେ; କିନ୍ତୁ ଏ ଯେ ଆଉ ରକମର-କି କାରଣରୁ ଛଳେଇ କରି କହୁଛି ? ବାହାଘରର ମାତ୍ର ଆଠଦିନ ହୋଇଛି । ଛ’ ମାସ ବର୍ଷେ କୁଆଡ଼ୁ ଆସିଲା । ଓଃ ପୂର୍ବ କଥା ପରା !

 

ନୀଳୁବାବୁ ବୁଝିଲେ, ସେ କନକର ନିହାତି ଆପଣା କଥାରେ ଅନଧିକାର ଚର୍ଚ୍ଚା କରିଛନ୍ତି–ତା’ର ଗୁପ୍ତ ରାଜ୍ୟର ପ୍ରାଚୀର ଭ୍ରମରେ ଉଲ୍ଳଘଂନ କରି ଯାଇଛନ୍ତି । ବୁଝିଲେ, ତାଙ୍କର ବି ଅଧିକାରର ଗୋଟାଏ ସୀମା ଅଛି, ଭବିଷ୍ୟତ ପାଇଁ ସାବଧାନ ହୋଇ ରହିଲେ । ଆହୁରି କନକ ଆଗରେ ତା’ର ଉପକାର କରିବାକୁ ଚେଷ୍ଟା କରିବା ତାଙ୍କର ଭୁଲ୍ ହୋଇଛି । କିନ୍ତୁ ସେ ଖାଲି ଫୂର୍ତ୍ତି କରୁଥିଲେ ମାତ୍ର, ଉପକାରଟା ତା’ ଭିତରେ କିପରି ପଶିଗଲା ଭୁଲ୍ରେ, କଥା ଛଳରେ; ଛାଡ଼ ! କହିଲେ, ‘‘କି ଲୋ, ଭାରି ତେଜ ତ ହେଲାଣି ତୋର ! ରହ, ରହ, ଠିକ୍ କରି ଦଉଚି ରହ, ! ତୁ କଟକ ଚାଲେ–ସେତେବେଳେ ଯାଇ ଯେଉଁ କଥା !’’ ତାଙ୍କ ମୁହଁରେ ଶୁଷ୍କ ହସଟା ହସତ ନୁହେଁ, ହସର ଭୂତପରି ବି ଦିଶୁନଥାଏ । କନକ ଦେଖିଲା, ବୁଝିଲା ନୀଲୁଙ୍କ ମନରେ କଷ୍ଟ ହୋଇଅଛି, କିନ୍ତୁ ଜୋର କରି କହିଲା, ‘‘ହଁ, ମୁଁ ତ କଟକ ଯାଉଁଥାଏଁ ! ଗଲେ ବୋଉ, ଗଉରୀ ଅପା, ରଙ୍ଗୀ-ଏମାନେ ସବୁ ଯିବେ, ତେବେ ଯାଇଁ ଯିବି ।’’

 

‘‘ହଉ ହଉ ଦେଖାଯିବ । ହଇ ଲୋ, ରନ୍ଧାବଢ଼ା କରୁଛୁ ନା ? ତୋର ତ ଏପରି ଶାଶୂଟିଏ ! ସେ କ’ଣ ତତେ ରନ୍ଧାବଢ଼ା କରେଇ ଦଉଥିବ କି ।’’

 

‘‘ୟେଙ୍କର ସବୁ କଣ ମୋତେ ପାନଭଙ୍ଗା ଛଡ଼ା ଆଉ କିଛି କରେଇ ଦେଉଛନ୍ତି କି !’’

 

‘‘ତୁ ଜୋର କରି କରୁ ନାହୁଁ ? ବୁଢ଼ୀଟା ତ ସବୁ କରୁଥିବ । ଯା, ଯା ଅଭି ଯିବୁତି ରୋଷେଇ ଘରକୁ ! ବାବୁ ହବୁ ନାଇଁ ? କୋଣରେ ବସି କୋଢ଼ିଆ ଧରିଗଲୁଣି କି ଲୋ ? ଯା, ଅଭି ଯା’’ ।

 

କନକ ବିସ୍ମିତ ହୋଇ ନୀଳୁବାବୁଙ୍କ ମୁହଁକୁ ଚାହିଁଲା ଏ ହୁକୁମର ମର୍ମ କିନ୍ତୁ ସେ ବୁଝିପାରିଲା ନାହିଁ । କଥାଟା କିଛି ନୁହେଁ, ତେବେ ସ୍ୱରଟା-ଯେଉଁ ଭାବରେ ନୀଳୁବାବୁ ଆଜ୍ଞା କଲେ, ସେଇ ଭାବଟା । କନକ କେବଳ ଏତିକି ବୁଝିଲା–ହୁକୁମଟା ମିଛ ହୁକୁମ ନୁହେଁ, ମାନିବାକୁ ହେବ । ନୀଳୁବାବୁ ପୁଣି କହିଲେ, ‘‘ଚାଲେ, ତତେ ମୁଁ ନେଇ ହାଣ୍ଡିଶାଳରେ ଛାଡ଼ି ଆସିବି, ଚାଲେ–ଉଠ !’’ ଏହା କହି ନୀଳୁବାବୁ ଉଠିଲେ । କନକ ହାଣ୍ଡିଶାଳକୁ ଯାଇ କାମ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲେ ମଧ୍ୟ ଉଠିପାରିଲା ନାହିଁ । ଖାଲି ବିକଳ ଭାବରେ ନୀଳୁବାବାବୁଙ୍କ ପାଣ୍ଡୁର ମୁଖ ପ୍ରତି ଥରକୁ ଥର ଅନାଇବାକୁ ଲାଗିଲା । ସେ ବୁଝିଲା, ଅଭିମାନୀ ନୀଳୁ ଭାଇଙ୍କୁ ତାହାର କଠିନ କଥା କେଡ଼େ ବାଧିଛି–ସେ କଥାଟା ଏ କଥାରେ ଢାଙ୍କି ହୋଇପଡ଼ିଲେ ମଧ୍ୟ କେଉଁଠି ହେଲେ ଲାଖି ରହିଛି । ଧୀରେ ଧୀରେ ଉଠୁ ଉଠୁ କହିଲା, ‘‘ନୀଳୁ ଭାଇ ରାଗିଲ କି ?’’ ‘‘କଉଁ କଥାରେ ?’’ ‘‘ଏଇ ଉପୁଗାରିୟା ଫୁପୁଗାରିୟା କ’ଣ କହିଥିଲି !’’ ଏତକ କଷ୍ଟରେ କହି କନକ ତଳକୁ ମୁହଁ କରିଦେଲା । ନୀଳୁବାବୁ କହିଲେ, ‘‘ନାଇଁ ମ, ରାଗିବି କାହିଁକି ? ତୋର ସେ କଥା କହିବା ଠିକ୍ । ମୁଁ ସାବଧାନ ହେଲିଣି–ଏତେ ଦୂରକୁ ଯିବା ମୋର ଉଚିତ୍ ନୁହେଁ । ଏବେ ଚାଲ !’’ ‘‘ଓଃ, ସେଇଥିପାଇଁ ଏତେ ଅଳ୍ପ କଥାରେ ମୋ କାନ ମୋଡୁଚ ନା ?’’ ‘‘କାନ ମୋଡ଼େଇଲିଣି କ’ଣ ମ ? ରନ୍ଧାବଢ଼ା କରିବା କ’ଣ ତୋର ଉଚିତ୍ ନୁହେଁ ?’’ ହଁ, ମୁଁ କ’ଣ ମନା କରୁଛି ? ତେମେ କାହିଁକି ଏମିତି ଭାବରେ ‘‘ମୋତେ ରାଗିଲା ପରି ହୁକୁମ୍ କରୁଛ ନା ?’’ ‘‘ସେତକ ମୋତେ ଫାବେ, ସେ ପର୍ଯ୍ୟନ୍ତ ମୁଁ କରିପାରେ !’’ ଏହା କହି ନୀଳୁ କନକର ସ୍ଥିର ଦୃଷ୍ଟିରୁ ନିଜ ଦୃଷ୍ଟି ଫେରାଇ ଆଣିଲେ । କନକ କିଛିକ୍ଷଣ ସେହିପରି ଚାହିଁ ଚାହିଁ ଶେଷରେ ଦୀର୍ଘ ନିଶ୍ୱାସଟିଏ ପକାଇ କହିଲା, ‘‘ହଉ ଚାଲ !’’

 

ହାଣ୍ଡିଶାଳ ଦୁଆରେ ଗଉରୀ ବସି ପରିବା କାଟୁଥିଲା । ନୀଳୁବାବୁ ଯାଇଁ କନକକୁ ତା’ ପାଖକୁ ଠେଲିଦେଇ କହିଲେ,’’ ନିଅ, କୋଢ଼ିୟାଣୀଟାକୁ ଖଟାଅ, ନିଅ !’’ ବୁଢ଼ୀ ବାହାରି ଆସିବାରୁ କହିଲେ, ‘‘ନାଇ ମାଉସୀ, ବୋହୂଟାକୁ ମାଟି କର ନାହିଁ–କାମରେ ଲଗାଅ । ନ ହେଲେ, ମାଉଁସମେଞ୍ଚାଟିଏ ଶେଷକୁ ହୋଇଯିବ । ତାକୁ ଯଦି ନ ରନ୍ଧେଇବ, ତା’ ହେଲେ ଫେରେ ନିଧିଙ୍କୁ ଏମିତି ଶିକ୍ଷା ଶିଖାଇବି ଯେ, ଫେରେ ବୁଝୁଥିବ–’’ ଏହା କହି ନୀଳୁବାବୁ ଚାଲି ଯାଉଥିଲେ; ଗଉରୀ ହାଣ୍ଡିଶାଳ ଦୁଆର କୋଣରୁ ଗୋଟାଏ ଭଣ୍ଡା ଖୋଳପା ଧରି ତାଙ୍କ ପିଠି ଉପରକୁ ଫିଙ୍ଗିଲା । ସେଟା ତାଙ୍କର କେଶ ପର୍ଯ୍ୟନ୍ତ ସ୍ପର୍ଶ ନ କରି ମୁଣ୍ଡ ଉପରେ ଯାଇଁ କାନ୍ଥରେ ବାଜି ଆସି ଲେଉଟି ତାହାରି ଆଗରେ ପଡ଼ିଲା । ନୀଳୁବାବୁ ଫେରି ଚାହିଁଲା ବେଳକୁ ଗଉରୀ ଲୁଚିବାକୁ ଧାଇଁଚି । ନୀଳୁବାବୁ କହିଲେ, ‘‘ହାଁ ହାଁ, ବାଜିବ ବାଜିବ । ଏଇ ପରା ଗଉରୀ ଅପା ? ଓଃ, ହୋଃ ମୋର ଜୁହାର ଏଇଠି-। ତମେ ମାତାଜୀ କି ଆମେ ବାବାଜୀ–ନିଅ, ଏବେ ! ଗଉରୀ ଏହାର ଅର୍ଥ କିଛି ବୁଝିପାରିଲା ନାହିଁ-ଖାଲି ଥଟ୍ଟା ବୋଲି ଭାବିଲା, କିନ୍ତୁ କନକ ଏଥିରୁ ଅନେକ କଥା ବୁଝିନେଲା ।

 

(୭)

 

ତହିଁ ଆରଦିନ ଓପରଓଳି ପର୍ଯ୍ୟନ୍ତ ବି ନୀଳୁବାବୁ ଆଉ ଭିତର ଖଞ୍ଜା ମାଡ଼ିଲେ ନାହିଁ । ଖାଇଲାବେଳେ ଯାହା ଆସନ୍ତି–ହସଖୁସିରେ, ଗେଲ ନାଟରେ ଘଣ୍ଟାଏ ଅଧଘଣ୍ଟାଏ ଚାଲିଯାଏ । ତା’ ନ ହେଲେ, ସୁବୁବେଳେ ବାହାରେ ନିଧିବାବୁ ଓ ସେ ଦୁହେଁ ବସି କଣ ଗପସପ ହୁଅନ୍ତି, କେତେବେଳେ ବା ଗାଁ ବୁଲି ବାହାରନ୍ତି-ଏହିପରି । କନକ ମଧ୍ୟ ଓଳିଏ ରୋଷାଇବାସ କରେ–ଜୋର କରି ଏବେ କରୁଛି–ଓପରଓଳି ରନ୍ଧାରେ ସାହାଯ୍ୟ କରେ; କିନ୍ତୁ ସବୁବେଳେ ଭାବୁଥାଏ–ନୀଳୁଭାଇ ଏଇ ଆସିଲା ପରା, ଡକାଇଲା ପରା ! କିନ୍ତୁ ନୀଳୁବାବୁ ଏ ପର୍ଯ୍ୟନ୍ତ ଆସିଲେ ନାହିଁ । ନିହାତି ଅସହ୍ୟ ହେବାରୁ ଗୋଟାଏ ସାଇ ପିଲାଟି ହାତରେ ସେ ଆଜି ଡକାଇ ପଠାଇଲା । ପିଲାଟି ଯାଇଁ ଦାଣ୍ଡରେ କାହାରିକୁ ନ ପାଇ ଫେରି ଆସି କହିଲାବେଳେ ଗଉରୀ ସେଠାରେ ଥିଲା, କହିଲା–‘‘ମୁଁ ଜଗାମା’କୁ ପଠେଇ ଦଉଚି, ଡାକିଆଣିବ ।’’ ଜଗାମା’ ଗଲାରୁ କନକ ଉଦ୍ୱିଗ୍ନ ହୋଇ ବସି ରହିଲା । ନୀଳୁବାବୁ ସେ ଆଡୁ ଖଣ୍ଡେ ବାଟରୁ ଡାକ ମାରି ମାରି ଆସିଲେ–‘‘କିଏ କୁଆଡ଼େ ଅଛ, ବାହାରି ଯା, ଆମେ ଯାଉଛୁଁ !’’ ଏଟା ଗଉରୀ, ରଙ୍ଗୀ ପ୍ରଭୃତିଙ୍କୁ ସାବଧାନ କରିଦେବା ପାଇଁ । ଗଉରୀ ବାହାରି ଯାଉ ଯାଉ କହିଲା–‘‘ଅ, ଏଇଟା କିଏ ମ ! ଏଟାକୁ ଡରି ସମସ୍ତେ ବାହାରି ଯିବେ-!’’ ତଥାପି ବାହାରି ପଳାଇଲା । ରଙ୍ଗୀ ଅନୁପସ୍ଥିତ ।

 

ନୀଳୁବାବୁ ସେ ଘରେ ପ୍ରବେଶ କଲାମାତ୍ରକେ କନକ ଧଡ଼ପଡ଼ ହୋଇ ଆସି ତାଙ୍କ ହାତ ଧରି କହିଲା, ନୀଳୁ ଭାଇ, ତୁ ରାଗିଛୁ !’’

 

ନୀଳୁ–ନା, ରାଗିଥିଲି !

 

କନକ–ନା, ତୁ ରାଗିଛୁ ନିଶ୍ଚେ । ନ ହେଲେ ଏଇଠି ଥାଇକରି ବି ଏ ଦି’ଦିନ ମୁହଁ ଲୁଚା ଦେଇ ରହିଚୁ କିପରି !

 

ନୀଳୁ-ନା, ମ, ମୁଁ ସ୍ୟାଡ଼େ–ବାହାରିଥିଲି । କାଲିରାତିଟା ତ ନିର୍ଧୁମ ଶୋଇଚି, ଆଜି ସକାଳେ ତ ଇସ୍କୁଲ ଦେଖିବାକୁ ଯାଇଥିଲୁ, ଆଉ ଏଇନାଗେ ତୁ ନ ଡାକି ଥିଲେ ବି ମୁଁ ଆସିଥାନ୍ତି ।

 

କନକ–ମିଛ କଥା ! କାଲି ମୁଁ କ’ଣ କହିଲି ବୋଲି ରାଗିଲୁ । ମୁଁ ଜାଣେ, ତୁ ରାଗିଛୁ । ମୁଁ ପରା ତୋ ସାନ ଭଉଣୀଟା, ଗୋଟାଏ ଦୋଷ କରିଛି, ତୁ ଏମିତି ଧରି ବସିଲେ, ମୁଁ ଆଉ କ’ଣ କରିବି !

 

ନୀଳୁ–ନା, ନା, ମୁଁ ରାଗିଥିଲି–ସତ କଥା ! ଆଜି ପୁଣି କେତେ କଥା ଭାବି ଦେଖିଲି ରାଗ କୁଆଡ଼େ ଗଲାଣି ନା ଆଉ ଅଛି । ତୁ ଆଉ ମୋତେ ଏମିତି କଥା କହିବୁ ନାହିଁ କଙ୍କି–ମୋ ସୁନା ଭଉଣୀଟି ପରା !

 

କନକ–ଆଚ୍ଛା, ସେ କଥା କଣ କ’ଲା ?

 

ନୀଳୁ–କେଉଁ କଥା ?

 

କନକ–ସେଇ କଥା, କଉଁ କଥା–ସେଇ, ଯେଉଁ କଥା କାଲି ତୁ କହୁଥିଲୁ ମୋତେ, ଆଉ ୟେଙ୍କର ସମସ୍ତିଙ୍କି ।

 

ନୀଳୁ କେଉଁକଥା ନା,–ସେଇ କଥା ଯେଉଁ କଥା । ବିଷୟଟା କ’ଣ ହେଲେ କନକ –ଯା, ତୁ ବଡ଼, ଜଣେ ! ମୁଁ କହିପାରେ ନେଇଁ–ଯା ! ବୁଝିପାରିକରି ମୋତେ ଖାଲି ଫଟୋଉଚି, ସେଇ–କେଉଁଠିକି ଯିବା କଥା କହୁଥିଲୁ !

 

ନୀଳୁ–କାହାର ? କିଏ କେଉଁଠିକି ଯିବ ? କାହାର ତ କେଉଁଠିକି ଯିବାର ନାହିଁ–ଏକା ମୁଁ କାଲି ପରଦିନ’ ଚାଲିଯିବି ।

 

କନକ–ଯା ମ, ଖାଲି ବୋଲି କରୁଛୁ ! ନ କହିଲୁ ନାହିଁ ଯା, ଫେରେ କଟକ ନାଁ ମୋ ଆଗରେ କିଏ କହିବ ତ-ଫେରେ କାନ୍ଦିବି, ହଁ–

 

ନୀଳୁ–ଓଃ, କଟକ ଯିବା କଥା ପରା କହୁଛୁ ! ସେଇୟା ସେତେବେଳୁ କହିଥିଲେ ତ ଛିଣ୍ଡିଯାଇଥାନ୍ତା !

 

କନକ–ଏତେବେଳେ ଯାଇଁ ହେଲା, ଏଡ଼େ ହଟ ତୋର ନା ? ସୁଆଙ୍ଗିଆ–ଓ, ଏଇଟାକାଳେ ମୋ ବଡ଼ ଭାଇ । ହଁ, କ’ଣ ହେଲା ସତେ ?

 

ନୀଳୁ–କ’ଣ କିଛି ସାରା ଛିଣ୍ଡି ପାରି ନାହିଁ ।

 

କନକ–ଆଜି ସକାଳେ ଏତେବେଳଯାଏ କ’ଣ ସବୁ କଥାଭାଷା ହେଉଥିଲ । ମୁଁ ପରା କିଛି ଜାଣିନାହିଁ–ନୁହେଁ ? ରଙ୍ଗୀ କି କିଏ ସେ ସେଠିକି ଧରି ନେଇଗଲା–ପିଲାଟି କେତେ କାନ୍ଦୁଛି ! ତାକୁ କିଏ କହିଲା, ସିଏ ତତେ ଏଇନାଗେ ବାହାହୋଇ ନ ପଡ଼ିଲେ ଆଉ କଟକ ଯିବା ହୋଇପାରିବ ନାହିଁ । ସାନ ଭଉଣୀ ଜନମ ପରା ମଣିଷ ପାଇବ ନାହିଁ ! ସବୁ ସାନ ସାନ ଭଉଣୀଙ୍କ ଉପରେ ଛିଣ୍ଡେଇ ଜାଣନ୍ତି ଏ ମିଣିପ ଗୁଡ଼ାକ !

 

ନୀଳୁ–ନା, ସେଇ ରଙ୍ଗୀ ତ–ଅଡ଼ୁଆ କରୁଛି ସତେ । ମାଉସୀ କହୁଛନ୍ତି ପରା, ରଙ୍ଗୀଟି ପାର ହୋଇନଗଲେ ସେ ଏଠାଛାଡ଼ି କୁଆଡ଼େ ଯାଇପାରିବେ ନାହିଁ–ରଙ୍ଗୀ ବାହାଘର ପରେ ଯୁଆଡ଼େ ନବ, ସିଆଡ଼େ ଯିବେ । କଥାଟା ବି ଠିକ, ସେଥିପାଇଁ ମୁଁ କହିଲି, ତାରି ପାଇଁ ଯଦି ଏତେ କଥା, ଆଣ ତାକୁ; ମୁଁ ଏଇନାଗେ ବାହା ହୋଇପଡ଼ୁଛି ।

 

କନକ–ସେଇଠୁ ଭାଇ ପରା ଆସି ଭଉଣୀକୁ ଧରି ନେଇଗଲେ । ମୁଁ ଜାଣିଥିଲେ ଗୋଟିଏ ଶଙ୍ଖ ବଜେଇ ଦେଇଥାନ୍ତି ପରା । ଏମିତିକା ଉତୁପାତିଆ ଭାଇ ସବୁ କାହୁଁ ଆସି ଜୁଟୁଛନ୍ତି-! ନାଁ, ସତେ, ନୀଲୁଭାଇ, ରଙ୍ଗୀଟିକୁ ଆମର ନୂଆବୋହୂ କରନ୍ତେ–

 

ଏହିପରି ସମୟରେ କିଏ ଗୋଟିଏ ଦୁଆର ପାଖରେ ଉଣ୍ଡିବାର ଦେଖି କନକ ଝଟ୍ କରି ଯାଇଁ ରଙ୍ଗୀକୁ ଧରି ଜବରଦସ୍ତି ଭିତରକୁ ଟାଣି ଆଣିଲା, କହିଲା, ‘‘କି ନୂଆବୋଉ, ଏଡ଼େ ନାଜ କାହିଁକି କରୁଛ ମ !; ରଙ୍ଗୀ ଛାଟିପିଟି ହୋଇ ପଳାଉ ପଳାଉ କହିଲା, ‘‘ଯା, ହଉ ! ଏ ଦଶା ନୂଆବୋଉଟା–ତମଭାଇ ମରୁ, ତମରି ଭାଇ ମରୁ, ତାକୁ ବାଡ଼ିଖାଉ !

 

କନକ କାନମୋଡି ଗାଲଚାପୁଡି ଖାଇ ହୋଇ କହିଲା’’, ଥରେ କାଲି ସକାଳେ ଠକି ଥିଲି, ପୁଣି ଆଜି ଠକିଲି । ୟାଙ୍କ ସଙ୍ଗେ ଆଉ କେବେ ଲାଗିବି ନାହିଁ ପରା !’’

 

(୮)

 

ସେଇ କଥା ହେଲା–ରଙ୍ଗୀଟିକୁ କୌଣସି ମତେ ବାହା କରାଇ ଦେଇପାରିଲେ କଥା ଛିଣ୍ଡିଯିବ । ନିଧିବୋଉଙ୍କର ଇଚ୍ଛା–ବାର ଯାଇ ତେର ପଶିଲାଣି, ଆଉ କ’ଣ–ଏଇ ଫଗୁଣମାସରେ ସମ୍ଭବ ହେଲେ କରିପକାଇଲେ ଯାଏ । ପୁଅ ବାହାଘର ଯାଇଛି; ପେଡ଼ି, ଭାର, ଥୋର ଚାଲିଛି; ଆଉ ଯାହା ମାଲ ମତା ବି ଅଛି–କେମିତି ହେଲେ ହୋଇଗଲେ ଅଳ୍ପରେ କଥା ଛିଣ୍ଡିଯାଆନ୍ତା ! ଖାଲି ବର ମା’ ପୁଅ ଦୁହେଁ ବସି ବିଚାର କଲାବେଳେ ବୁଢ଼ୀ କହିଲେ, ଏଇ ନୀଳୁଟା ହୁଅନ୍ତା କି, କେଡ଼େ ସୁନ୍ଦର ହୁଅନ୍ତା ! ତେବେ ବନ୍ଧୁ, ତାଙ୍କର କରିବେ କି ନାହିଁ କେଜାଣି ! ଏମିତି କ’ଣ ସଂସାରରେ ହେଉନାହିଁ ନା କ’ଣ ! ଏଇ ତ ସେଦିନ ମୋ ଭଣଜାର ଝିଅକୁ ତାରି ନିଘନ ଭିଣେଇଟା ବାହାହେଲା ।’’ ନିଧିବାବୁ କହିଲେ, ‘‘ନାଇଁ ଲୋ ବୋଉ, ତାଙ୍କର ଅମଙ୍ଗ ହେବେ ନାହିଁ ଯେ,–ଏକା ଏଇ ନୀଳୁ କଥା, ସେ ମଙ୍ଗିଲେ ହୁଏ ! ମୋତେ ପରା ଅପା (ହରିବାବୁଙ୍କ ସ୍ତ୍ରୀ) ଦହି ତୋରାଣୀବେଳେ ଚୁପ୍ କରି ଏଇକଥା କହୁଥିଲା । ହେଲେ ଭଲ ହୁଅନ୍ତା ଏକା ବୋଉ । ମୁଁ ତାକୁ ଏ ଦି’ ଦିନ ହେଲା ବୁଲେଇ ବୁଲେଇ କହୁଚି । ତୋ ବୋହୂ ଏଥିରେ ଆଗ ନା ! ତେବେ ସିଏ ଯାହା ବି କହୁଥିଲା, ମୁଁ ବି ସେଇୟା ଦେଖୁଛି–ନୀଳୁର ଇଚ୍ଛା ନୁହେଁ ପରା ! ତେବେ ଥରେ ଚେଷ୍ଟା କରିବା । ସେ କାଲି ଯିବ କହୁଚି, ଯାଉ ବାହାରି, ତାରି ସାଙ୍ଗରେ ଜାତକ ନେଇ କରି କିଏ ଯାଉ, ହରିଭାଇ କ’ଣ କହୁଛନ୍ତି ଦେଖ, ଏଣେ ମୁଁ ବି ଜାଗା ଦି’ ଜାଗା ନଜର ପକାଉଛି–ଜୁଆଡ଼ୁ ହେଲେ ହୋଇଗଲେ ଯାଏ । ମୋର ବି ଛୁଟି ଅଛି, ୟାରି ସାଙ୍ଗରେ ଆଉ ପନ୍ଦର ଦିନ କି ମାସେ ବି ମିଳିଲେ ମିଳିଯାଇପାରେ ।’’ ବୁଢ଼ୀ କହିଲେ, ‘‘ନାଇଁ ପୁଅ, ତୁ ସେଇ ନୀଳୁ କଥା ବୁଝୁ । ତୁ ନିଜେ ଖଣ୍ଡେ ହରି ପାଖକୁ ଚିଠି ଦେ, ମୁଁ ବି ଢେରେ କରି ସର ପାଖକୁ କହିବି–ଦେଖ, ରଙ୍ଗୀର ଭାଗ୍ୟ–ତା’ କପାଳରେ ଥିଲେ ୟା ପରି ବର ପାଇବ । ଏମିତିକା ହୀନିକରମୀଗୁରାଙ୍କୁ ପେଟରେ ଧରି ଥିଲି ଯେ, ତାଙ୍କରି ପାଇଁ ମୋ ହାଡ଼ରୁ ମାଉଁସ ମିଳେଇ ଯାଉଚି ।’’

 

ନିଧିବାବୁ କହିଲେ, ନାଇଁ’’ ବୋଉ, ତୁ କିଛି ଚିନ୍ତା କରନା, ମୋତେ ତ କେମିତି ଜଣାଯାଉଛି–ଏଇ ଥର ହୋଇଯିବ ନିଶ୍ଚୟ ହବ, ତୁ ଦେଖ୍ ।’’ ସେଇଠୁ ନିଧିବାବୁ ବଡ଼ପାଟି କରି ହାଙ୍କିଲେ–‘‘ହଇରେ ଜଗା, ରଘୁ ଦାସକୁ ଟିକିଏ ଡାକି ଆଣିଲୁ, ଗଲୁ । ସେ ଟିକିଏ ଯିବ, କନ୍ଦରପୁରିଆ ବେହେରାକୁ ବଇନା ଦେଇ ଆସିବ–କାଲି ବାବୁ ଭଦ୍ରକ ଯିବେ, ଗାଧୁଆ ବେଳକୁ । (ଚୁପ୍ କରି) ଆଉ ସେଇ ବାଟେ ଭାବନ ଅବଧାନକୁ ବି ଡାକିଦେଇ ଆସିବୁ–ଶୁଣିଯିବେ, କଥା ଅଛି-।’’

 

ତହିଁଆରଦିନ ବଡ଼ି ସକାଳୁ ଲୋକ ଜାତକ ପତ୍ର ନେଇ ଭଦ୍ରକ ବାହାରିଗଲା । କନକ ବି ଖଣ୍ଡେ ଚିଠି ସ୍ୱାମୀଙ୍କ କଥା ଅନୁସାରେ ତା’ନୂଆବୋଉଙ୍କ ପାଖକୁ ଦେଲା । କାଲି ରାତିଠୁ ନୀଳୁବାବୁ କ’ଣ ଗୋଟାଏ ଭିତରେ ଭିତରେ ହେଉଚି ବୋଲି ଜାଣିସାରିଥିଲେ । ଆଜି ସକାଳୁ ଉଠି ମଧ୍ୟ କିଛି କିଛି ସନ୍ଧାନ ପାଇଲେ, କିନ୍ତୁ ଠିକ୍ କିଛି ସ୍ଥିର କରିପାରିଲେ ନାହିଁ । ଚଞ୍ଚଳ ଚଞ୍ଚଳ କାମଦାମ ସାରି ତିଆରି ହେଉ ହେଉ ପ୍ରାୟ ନଅଟା । କନକ ଠାରୁ ବିଦାୟ ହେବା ପାଇଁ ଗଲାବେଳେ ମନ କାହିଁକି ନିହାତି ଖରାପ ହେଲା । ଗଲାବେଳେ ଇଆଡ଼େ ସିଆଡ଼େ ଚାହିଁଲେ, କିନ୍ତୁ ରଙ୍ଗୀ ବା ଗୌରୀ କାହାକୁ କେଉଁଠି ଦେଖିଲେ ନାହିଁ । ଏପରି ନିର୍ବିଘ୍ନରେ ଏ ଘରେ ଯିବା ଆସିବା କରିବାର ତାଙ୍କର ଏଇ ପ୍ରଥମ । ଭାବିଲେ, ରଙ୍ଗୀ ବୋଧହୁଏ ଡରେ ଲୁଚିଛି । କାଳେ ସବାରିରେ ବସାଇ ନେଇଯିବେ ବୋଲି । ଶେଷରେ ବଡ଼ପାଟିରେ ଡାକିଲେ, ‘‘ଆମେ ବାହାରିଲୁ ଏବେ, ଆମ ପାତ୍ରଟି କାହାଁନ୍ତି ? ଶୀଘ୍ର ଶୀଘ୍ର ସବାରୀକୁ ବିଦା କରିଦିଅ–ଯାତ୍ରାବେଳ ଗଡ଼ିଯାଉଛି !’’ କେହି ଏହାର ଉତ୍ତରଦେଲେ ନାହିଁ–ଦୂରରୁ ଟିକିଏ ଟିକିଏ କିଏ ସବୁ ଚାପି ଚାପି ହସିଲା ପରି ଶୁଣାଗଲା ମାତ୍ର ।

 

ନୀଳୁବାବୁ ଛପି ଛପି କନକ ଘରେ ପହଞ୍ଚିଲେ । ସେ ସ୍ଥିର ଜାଣିଥିଲେ, ଗଲାମାତ୍ରକେ କନକ ବାହୁନି ବସିବ–ଇଏ ତ ନିୟମ । କିନ୍ତୁ ଛପିକରି ଯିବାର କୌଣସି ପ୍ରୟୋଜନ ନ ଥିଲା । କନକ ପାନଗୁଡ଼ିଏ ଭାଙ୍ଗି ହାତରେ ଧରି ଅପେକ୍ଷା କରି ଠିଆ ହୋଇଥିଲା । କାନ୍ଦିବା ତ ଦୂରେ ଥାଉ–ହସି ହସି କହିଲା, ‘‘ଭାଇ, ଭାଇ ଫେରେ କେବେ ଆସିବୁ ?’’ ନୀଳୁ କିଞ୍ଚିତ୍ ଅପ୍ରତିଭ ହୋଇଗଲେ, କହିଲେ, ‘‘ହୁଁ, ମୁଁ ଆସୁଚି–ତୁମକୁ ସବୁ କଟକ ନେଇ ହରଡ଼ଘଣାରେ ପକାଇବି ନା ! ଏଠିକି ଆଉ ଆସିବି କାହିଁକି ମ !’’ କନକ ହସିଲା–ତା’ର ଆଉ ହସ ବନ୍ଦ ହେଉ ନାହିଁ ! ନୀଳୁବାବୁ ବିସ୍ମିତ ହୋଇଗଲେ–‘‘କ’ଣ, କଥା କ’ଣ ?’’ ପୁଣି କନକ ପଚାରିଲା, ‘‘ଏଇ ଏଠଉଁ ଯାଇ, ନିତେଇ ଭାଇଙ୍କ ଦେହ କଅଣ ହେଲା ଦେଖି ଶୁଣି, ଯେତେ ଚଞ୍ଚଳ ହେବ ପଳେଇମି–ଆଉ କ’ଣ !’’ ‘‘ତୁ କଟକରେ ସେଇ ହୁଷ୍ଟେଲରେ ଅଛୁ ନା ? ଗୋଟାଏ ବସାରେ ତ ରହିଲେ ଭଲ ହୁଅନ୍ତା । କେଉଁଠି ଗୋଟାଏ ଭଲ ବଡ଼ ବସା କାହାର ଅଛି ପରା ସେଦିନ କହୁଥିଲ ? ସେଇଠି ରହୁନାହୁଁ ?’’ ‘‘କାହାର, ନିଧିବସା ? ମୁଁ କାହିଁକି ସେଠି ରହିମି ?’’ ପୁଣି କନକ ହସିବାକୁ ଲାଗିଲା । କ’ଣ ଇୟେ-! ନୀଳୁବାବୁ କହିଲେ, ‘‘କି ଲୋ’ ତୋର ଆଜି କ’ଣ ହୋଇଚି କି, ଇମିତି ହସୁଛୁ କାହିଁକି ? କଥା କ’ଣ ?’’ କନକ ଖାଲି ହସ ଉଠୁଥାଏ–କଷ୍ଟରେ ହସ ବନ୍ଦ କଲା । ପୁଣି କହିଲା, ‘‘ତୁ କ’ଣ କହୁଥିଲୁ ରଙ୍ଗୀ କଟକ ଯିବ ନାହିଁ । ରଙ୍ଗୀ ତ କଟକ ଯିବ ! ଯିବ ନାହିଁ କେମିତି ! ମୁଁ ତାକୁ ନିଶ୍ଚେଁ ନେଇଯିମି କହି ଦଉଚି !’’ ‘‘ହଉ, ନେଇ ଯା କିଏ ମନା କଲା ! ତୁ କାହିଁକି ଏତେ ହସୁଛୁ କହିବୁତି !’’ ‘‘ନା, ମୁଁ ଆଉ ହସୁ ନାହିଁ ଯା, ଏବେ ହେଲା ।’’ କିଛିକ୍ଷଣ ଚୁପ୍ ରହି କନକ ପୁଣି ପଚାରିଲା; ‘‘ନୀଳୁଭାଇ, ତୁ ଆଉ କେତେଦିନ ପାଠ ପଢ଼ିବୁ; କେବେ ସରିବ, କେବେ ଚାକିରି କରିବୁ ?’’ ପୁଣି ସେହି ହସ ! ନୀଳୁବାବୁ ଏ ସବୁର ଅର୍ଥ କିଛି ବୁଝିପାରିଲେ ନାହିଁ–ବକ୍‌କା ହୋଇ ଚାହିଁଲେ । କନକ ଦେଖିଲା, ସେ ବଡ଼ ଅନ୍ୟାୟ କରୁଛି–କଥାଟା ଯେତେବେଳେ ଗୁପ୍ତ, ସେତେବେଳେ ଆଉ ଅଧିକ ବଢ଼ାଇବା ଭଲ ନୁହେଁ, ଅତଏବ କନକ ସ୍ୱଭାବ ଗାମ୍ଭୀର୍ଯ୍ୟରେ ଧୀରେ ଧୀରେ କହିଲା, ‘‘ନୀଳୁଭାଇ; ଆଜି ତମେ ଚାଲି ଯାଉଚ–ମୋର କାହିଁକି ଏତେ ଆନନ୍ଦ ହଉଚି କେଜାଣି । ପୁଣି ନିକଟରେ ଆସିବ ପରା ।’’ ‘‘କି ତୁ କଟକକୁ ଯିବୁ କି କ’ଣ କିଏ ଜାଣେ ! ତୋର ଆନନ୍ଦ ହବାର କଥା ! ତୁ ଏଠି ନୂଆବୋହୂ-ଗେହ୍ଲା–ମୁଁ ଆସି ତୋର ଉପରେ ଜୁଲମ କରି ତୋତେ ଖଟେଇ ହଇରାଣ କରୁଥିଲି । ଗଲେ ଭଲ–ଆନନ୍ଦ ହବାର କଥା ତ !’’ ‘‘ନା, ନୀଳୁଭାଇ, ତା’ ନୁହେଁ–ତା’ ନୁହେଁ ଭାଇ । ସତ ଏକା, ମୁଁ ଏଠି ନୂଆ ମଣିଷ ପରି ଚଳୁଥିଲି ସିନା । ମତେ ଆସିଲା ଦିନଠୁଁ ମୋ ଛାତି ଏଡ଼େ ମୋଟ ହୋଇଗଲା । ମୁଁ ଏଠି ଏଇ କେତେଦିନରେ ଯେତେ ଘର ପରି ମଣି ଗଲିଣି, ୟା ତମେ ନ ଆସିଥିଲେ କେଭେଁ ହୋଇପାରି ନ ଥାନ୍ତା । ତମ ଥିବା ଯୋଗେ ମୋ ଗୋଡ଼ ଭୂଇଁରେ ନାଗୁ ନାହିଁଟି । ତମେ ୟା କହିବ ନାହିଁ, ଆଉ କ’ଣ–’’ ‘‘ସତେ ? ମୁଁ ଏଡ଼େ ଉପୁଗାରିୟାଟେ ତା’ହେଲେ ! ଆରେ !’’ କନକ ମୁହଁ ଶୁଖି କଳା ପଡ଼ିଗଲା । ନୀଳୁ କଥାଟି କହିସାରି ସାଙ୍ଗେ ସାଙ୍ଗେ ଭାବିଲେ–ଛିଃ କ’ଣ କହିଲି ! ତାଙ୍କ ମୁହଁ ବି ଶୁଖିଗଲା । କିନ୍ତୁ କହି ତ ସାରିଲିଣି–ଏବେ କ’ଣ କରାଯିବ ! କନକ କିନ୍ତୁ ସାଙ୍ଗେ ସାଙ୍ଗେ ସ୍ଥିର ହୋଇ କହିଲା, ‘‘ନୀଳୁଭାଇ, ମୋର ସବୁ ଦୋଷ ତୁ ମାଫ୍ କରୁ, ଏହି ସାମାନ୍ୟ କଥାଟି ଭୁଲିପାରୁ ନାହୁଁ ? ଛି, ମୁଁ ପରା ମାଇକିନା ଝିଅଟା–ତୋ ସାନ ଭଉଣୀ । ଦୋଷ ମାଗି ନେଲି–ଆଉ କେତେ ଦଣ୍ଡ ଦେବୁ !’’ ‘‘ନା, ନା, କଙ୍କି–ମୋ ତୁଣ୍ଡ ଖସିଗଲା । ମୁଁ ତା’ ଭାବି ନାହିଁ–ତୁ ମନଦୁଃଖ କର ନା–କହିତ ପକାଇଚି, ଏବେ କ’ଣ କରିବି ! ସତ ସତ, ମୁଁ ଆଉ ଟିକିଏ ବି ରାଗି ନାହିଁ । ମୋ ରାଣ, ମନଦୁଃଖ କରନା !’’ କନକ ବୁଝିଗଲା, ଭାବିଲା–ହଁ, ସତେ ତ, ନୀଳୁ ଭାଇ ତ ଏମିତିକା ନୁହେଁ କେଭେଁ ! କଥାଟା ଚାଲିଗଲା, କିନ୍ତୁ ଦୁହିଁଙ୍କ ମନ ଭିତରେ କିପରି ଗୋଟାଏ ଆଞ୍ଚ ରହିଗଲା–ସେ ଯୋଗେ ମୂଳରୁ ଯେପରି ଫୂର୍ତ୍ତିରେ ଆରମ୍ଭ ହେଇଥିଲା, ବିଦାୟଟା ସେପରି ଛାଡ଼ିଲା ନାହିଁ ।

ନୀଳୁବାବୁ କନକ ହାତରୁ ପାନତକ ନେଇ କହିଲେ, ହଉ ତେବେ, କଙ୍କି, ମୁଁ ଯାଉଛି ! କାମଦାମ କରୁଥିବୁ, ଆଉ ନିଧିଙ୍କ କଥାରେ ଚଳୁଥିବୁ ।’’ କନକ କହିଲା, ଓଃ !’’ ପୁଣି ନୀଳୁବାବୁ କହିଲେ, ତୋ ନଣନ୍ଦଟିମାନେ ଆଚ୍ଛା ଭଲ, ସେମାନଙ୍କ ମନ ନେଇ ଚଳିବୁ ବୁଝିଥା । କନକ କହିଲା, ‘‘ଫେରେ କେବେ ଆସିବୁ ? ଭାଇକି କହିବୁ, ଟିକିଏ ଆସିବ, ନ ହେଲେ ମୁଁ ମଲି ବୋଲି ପିତା ଭାତ ଖାଇବ । ଆଉ ଆଉ–ତୋ ବା’ ଘରକୁ ମତେ ମୁକ୍‌କର ନବ !

ନୀଳୁ–କାହା ବାହାଘର ?

କନକ–କି, ତୋ ବାହାଘର–କା’ ର !

ନୀଳୁ–(ହସି ହସି)–ମୋ ବା’ ଘର ! ଓଃ ମୋ ବା’ ଘରକୁ ତୋତେ ନବା ପାଇଁ ଭାଇଙ୍କୁ କହି ପଠାଉଛୁ ! ମତେ ଏଇଠି ସିଧା ସିଧା କହୁ ନାହୁଁ କାହିଁକି ମ ?

କନକ–ମୋତେ ବି କହୁନାହିଁ କି ?

ନୀଳୁ–କାହିଁ, କଉଁଠି କହୁଚୁ ?

କନକ–(ଅଧୋବଦନରେ) ତୋତେ କହନ୍ତି ଯେ–ଏକା ତୋତେ କହିଲେ–ହଁ, ତୁ ତ ଆଗେ ନେଇଯିବୁ ! ମୁଁ ଜାଣି ନେଇଁ ପରା ! ତୁ ଭାରି ଜଣେ–ଭାରି ଗୋଟିଏ–

କନକ ଏହିଠାରେ ବନ୍ଦ ହୋଇଯାଇ ଭୟରେ ନୀଳୁ ମୁହଁକୁ ଚାହିଁଲା । ନୀଳୁ ମୁହଁ ଶୁଖିଗଲା, ଚମକିତ ହୋଇ କହିଲେ, ‘‘ଭାରି ଗୋଟିଏ ! ଭାରି ଗୋଟିଏ କ’ଣ ? ନାଃ, ଭାରି ଗୋଟିଏ କ’ଣ ମୁଁ–ନ କହିବାଯାଏଁ ଛାଡ଼ିବି ନାହିଁ । କ’ଣ ମୁଁ, କହ ! କନକର ମୁଣ୍ଡ ଘୁରେଇ ଗଲା–ପାଟି ଆଫାଫା ମାରିଗଲା । ବିଚାରୀ ଡରେ କହିଲା–ଖାଲି ବାଧ୍ୟରେ–‘‘ନା, ମୁଁ କହୁଥିଲି କି ତୁମେ ଭାରି ଗୋଟିଏ ଭଦ୍ର ଲୋକ–ଆଉ କିଛି ନା !’’

ନୀଳୁ ହୁଁ, ନିଶ୍ଚେ ଆହୁରି କ’ଣ କହୁଥିଲୁ । କହ, ନ ହେଲେ ମାଡ଼ !

କନକ–ମାର ପଛେ ! ନା ମୁଁ କହୁଥିଲି–ତୁମେ ଭାରି ଗୋଟିଏ ଠକ ବୋଲି । ସତ କଥା-ତମେ ଗୋଟିଏ ଠକ ତ ! ଏହା କହି କନକ ଅଧୋବଦନରେ ରହିଲା । ତା’ର କମ୍ପମାନ ସ୍ଫୀତ ଅଧେରୌଷ୍ଠରୁ ତା’ ମନର ଅଭିମାନ କି ସେହିପରି କୌଣସି ଗୋଟାଏ ଭାବ ଥରି ଥରି ଫୁଟି ଉଠୁଥାଏ । ନୀଳୁବାବୁ ଦୂରଦୃଷ୍ଟି ଅନ୍ୟମନସ୍କ ଭାବେରେ କ’ଣ ଭାବିଲେ । ହଠାତ୍ କ’ଣ କହୁ କହୁ ରହିଯାଇ କିଛି କ୍ଷଣ ପରେ କହିଲେ,’’ ଆଚ୍ଛା ତେବେ କଙ୍କି, ଏବେ ଯାଉଛି !’’ କନକ ନୀରବରେ କାନ୍ଦିବାକୁ ଲାଗିଲା । ପୁଣି ନୀଳୁବାବୁ ଧିରସ୍ଥିର ଭାବରେ କହିଲେ, ‘‘ହଁ, କଙ୍କି, ତୁ ମୋତେ ଠିକ୍ ଚିହ୍ନିଚୁ ! ଏବେ ଏଥର ନିଶ୍ଚେଁ ନିଶ୍ଚେଁ ତୋତେ ନେବି–କେଭେଁ ଠକିବି ନାହିଁ ! ମୋ ବା’ ଘରକୁ ତୋତେ ନିଶ୍ଚେ ନେବି !’’ ଏହା କହୁଁ କହୁଁ ନୀଳୁବାବୁ ବାହାରି ଗଲେ । କନକ କାତର ଭାବରେ ଡାକିଲା ‘‘ନୀଳୁ ଭାଇ !’’ ସେ ଆଉ ଶୁଣିଲେ ନାହିଁ !

Image

 

Unknown

ତୃତୀୟ ଖଣ୍ଡ

ଠକପଣ

(୧)

 

ନୀଳୁବାବୁ ଚାଲିଗଲା ବେଳୁ କାହିଁକି, ବିବାହ ପ୍ରସଙ୍ଗ ବିଧିମତେ ଉଠିଲା ବେଳୁ ଗଉରୀ ଓ କନକ ଦୁହେଁ ରଙ୍ଗୀ ସଙ୍ଗରେ ଲାଗିଛନ୍ତି–ସେ ବିଚାରୀକୁ ଆଉ ରଖି ଥୋଇ ଦଉନାହାନ୍ତି । ଗଉରୀ ରଙ୍ଗୀକୁ ଯେପରି ନା ବାଳକ ତଳେ ଆଜି ସୁଦ୍ଧା ନିଏ, ସେ ତାହା ସଙ୍ଗେ ଲାଗନ୍ତା ନାହିଁ–ତେବେ, ବାହା ପ୍ରସଙ୍ଗ ଉଠିଲା ବେଳୁଁ କନକ ମୁହଁରେ ସବୁବେଳେ ସେହି କଥା–କେଜାଣି କେତେଥର ନିଭୃତରେ ଗଉରୀ ସଙ୍ଗରେ ଏ ବିଷୟରେ ତା’ର କଥା ହୋଇଥିବ ! ଏଥିରେ ଗଉରୀ ମଧ୍ୟ ଟଳି ଯାଇଛି । କନକର ଆଉ ଗୋଡ଼ ତଳେ ଲାଗୁନାହିଁ–ରଙ୍ଗୀକୁ ସବୁବେଳେ କାନି ଗଣ୍ଠିଲା କରି ଆନନ୍ଦରେ ଅଛି । ଏ ଆନନ୍ଦଟା ଯେ କେତେଦୂର ରଙ୍ଗୀ ବାହାଘର ପାଇଁ ସେତକ ଖାଲି ତାକୁ ବେଳେବେଳେ ସନ୍ଦେହ ଲାଗେ । ନୀଳୁ ଆସି ତାକୁ ପ୍ରକୃତରେ ଏ ଘରର ଜଣେ କରିଦେଇଗଲା ଦିନୁଁ ତା’ ହୃଦୟ କି ନୂତନ ବଳରେ ଯେ ପୂରି ଯାଇଛି–କି ଆନନ୍ଦରେ, କି ଗର୍ବରେ ତା’ ମୁଣ୍ଡ ଯେ କେତେ ଟେକି ହୋଇଯାଇଛି, ତାହା ବର୍ଣ୍ଣନାତୀତ । ଯେଉଁ ଘରେ ସେ ଦିନମାତ୍ର ପରଙ୍କ ପରି ଆସି ଚୋରଙ୍କ ପରି ଏ କେତୁଟା ଦିନ ସେ କଟାଇ ଥିଲା,ସେ ଘର ଆଜି ତା’ର, ସେ ଏହା ସ୍ପଷ୍ଟ ହୃଦୟଙ୍ଗମ କରିପାରିଲାଣି ।

 

ହଁ ରଙ୍ଗୀ ସାଙ୍ଗରେ ଲାଗିବାର କାରଣ କ’ ଣ ? କିଛି କାରଣ ଥାଉ ବା ନ ଥାଉ, କନକକୁ ସେଟା ଭାରି ସୁଖ ଲାଗୁଛି । ଆଉ ତା’ର ମନେ ହେଉଛି, ସେଟା ଯେପରି ତାହାର ଗୋଟାଏ ବଡ଼ କର୍ତ୍ତବ୍ୟ ! ନଣନ୍ଦଟିର ବିବାହ ହେବା ବିଷୟରେ ତାହାର ଦାୟିତ୍ୱ ସେ ଏତେ ଶୀଘ୍ର ବୁଝିପାରିବ, ଏଟା ସମ୍ଭବ ନୁହେଁ । କିନ୍ତୁ ନୀଳୁ ଭାଇଙ୍କ ବିବାହ ? ନୀଳୁବାବୁ ଗଲାଦିନଠାରୁ ସେ କେବଳ ଭାବି ଭାବି ସାରା ହୋଇଛି । ତା’ର ଷୋଳପଣ ବିଶ୍ୱାସ ଯେ, ନୀଳୁ ଭାଇର ବିବାହର ଭାର ତାହାରି ଉପରେ । ତାଙ୍କ ହାବଭାବ, କଥାବାର୍ତ୍ତାରୁ କନକ ମନରେ ଗୋଟିଏ ଭୟ ପଶି ଯାଇଛି–ନୀଳୁ ଭାଇ ସମ୍ଭବତଃ ବାହା ହେବାକୁ ନାରାଜ । ସେ ନିଜ ମନକୁ ୟାଡ଼ୁସ୍ୟାଡ଼ୁ ଯେତେ ବୁଝାଉଛି, ଏ ବିଶ୍ୱାସ ତା’ର କେବଳ ଦୃଢ଼ରୁ ଦୃଢ଼ତର ହୋଇଯାଉଛି । ନାରୀ ହୃଦୟର ନ୍ୟାୟଶାସ୍ତ୍ର ସବୁ କଥା ଦେଖେ ନାହିଁ, ବୁଝେ ନାହିଁ କିନ୍ତୁ ଏକାଦମରେ ଯେଉଁ ଗୋଟାଏ ସିଦ୍ଧାନ୍ତରେ ଉପନୀତ କରାଇଦିଏ, ସେଇଟାକୁ ନ ମାନିବାର କ୍ଷମତା କୌଣସି ନାରୀର ନାହିଁ ।

 

କନକ ଦେଖିଲା, ରଙ୍ଗୀଟି ସୁନ୍ଦର, ଯୋଗା ମଧ୍ୟ–କିଛି ପାଠଶାଠ ବି ପଢ଼ିଛି; ତେବେ ଟିକିଏ ଜଞ୍ଜାଳିଆ, ଟିକିଏ ଚଗଲା । ହେଲେ, ପିଲା ତ–ବୟସ ହେଲେ ବଦଳି ଯିବ ନାହିଁ କି ! କିନ୍ତୁ ମନଟି ତା’ର ବଡ଼ ପରିଷ୍କାର–ସଫା ସଫା କଥା, ଛନ୍ଦ ନାହିଁ, କପଟ ନାହିଁ । ନୀଳୁଭାଇଟି ପାଇଁ ଯଦି ହୁଅନ୍ତା–ହାୟ, ହାୟ, ସତେ କ’ଣ ନୀଳୁ ଭାଇ ରାଜି ହେବେ, କେଜାଣି ! କନକ କେତେ ଦିଅଁ ଦେବତାଙ୍କୁ ମାନସିକ କରି ପକାଇଲା ।

 

ନୂଆବୋଉଙ୍କର (ହରିବାବୁଙ୍କ ସ୍ତ୍ରୀ) ଇଚ୍ଛା ଅଛି ବୋଲି ତ ଏଠାରେ ଶୁଣିଲା, ଭାଇଙ୍କର ଆପତ୍ତି ନଥିବ–ତେବେ ସେଇ ନୀଳୁଭାଇ, ସେଇ ତ ଅସଲ ! କୋଷ୍ଠୀପତ୍ର ନେଇ ଲୋକ ଗଲାବେଳୁ କନକ ଭାବିଲା, ନୀଳୁ ଭାଇ ରାଜି ହେଲେ ବି ତ ହୋଇପାରେ ! ତେବେ, ରଙ୍ଗୀକୁ ମୁଁ ୟାଡ଼ୁ ତିୟାର କରେ ! ସେତିକିବେଳୁ ରଙ୍ଗୀ ସଙ୍ଗରେ ଲାଗିଲା-ନିଜେ ତ ଲାଗିଲା, ଗଉରୀ ଅପାକୁ ମଧ୍ୟ ସଙ୍ଗ ଦୋଷରେ ପକାଇ ରଙ୍ଗୀକୁ ଅସ୍ଥିର କରିପକାଇଲା ।

 

ରଙ୍ଗୀ ବିଚାରୀ ଏ ସବୁଥିରେ ପଡ଼ି ଏକାବେଳେକେ ବୋକା ବନି ଗଲାଣି–ତା’ର ସବୁ ଫୁର୍ତ୍ତି, ସବୁ ହସ ଖେଳ କୁଆଡ଼େ ଗଲାଣି । ପ୍ରଥମ ପ୍ରଥମ ଫାଙ୍କାଡ଼ି ମାରି ପଳାଇ ବୁଲୁଥିଲା । କିନ୍ତୁ ବୋଉ ଗାଳିମନ୍ଦ ଦେଇ ଉତ୍ତମ ରୂପେ ବୁଝାଇ ଦେବାରୁ, ଏବେ ଘରୁ ବାହାରକୁ ଯାଇ ନାହିଁ । ଆକଟରେ ଅଛି । ବିବାହର ଅର୍ଥ ସେ ବିଶେଷ ବୁଝି ନାହିଁ; କିନ୍ତୁ ବର ଆସିବ, ତାକୁ ଘର ଛାଡ଼ି ଚାଲିଯିବାକୁ ହେବ ଓ ଯିବାର ମାସେ ଖଣ୍ଡେ ପୂର୍ବରୁ ସମସ୍ତଙ୍କୁ ଧରି ବାହୁନିବାକୁ ହେବ, ଏଟା ଭଲରୂପେ ଜାଣେ । ସେଥିଯୋଗେ ସେ ଯଥା ସମ୍ଭବ ଖୁସି ମନରେ କାନ୍ଦଣା ଶିଖିବାରେ ବ୍ୟସ୍ତ ! ସ୍ଥାନ ଓ ପାତ୍ର ଭେଦରେ ରକମ କାନ୍ଦଣାର ବ୍ୟବସ୍ଥା ଅଛି । ସେହିସବୁର ଶିକ୍ଷା ପାଇବା ପାଇଁ ରଙ୍ଗୀ କନକକୁ ଦିବାରାତ୍ର ଅନୁସରଣ କରୁଛି । ଘରୁ ତ ବାହାରିବ ନାହିଁ-ଆଉ କାହାଠାରୁ ଶିଖିବ ! ପୁଣି, ନୂଆବୋଉ କନକର ତ ସେ କିଛି ନ କହି ନ ବୋଲି କାନି ଗଣ୍ଠିଲା ହୋଇ ସାରିଲାଣି, ଆଉ ଚିନ୍ତା କ’ଣ ? ତେବେ ସେଥିରେ ଟିକିଏ ଅଡ଼ୁଆ ହୁଏ-ରଙ୍ଗୀ କାନ୍ଦଣା ଶିଖିବାକୁ କହେ, ପଦେ ଅଧେ କନକ କହି ବି ଦିଏ, କିନ୍ତୁ ଅଧିକ ସମୟ କନକ ଅନ୍ୟ କଥା ସବୁ କହି ବସେ–ସ୍ୱାମୀ-ସ୍ତ୍ରୀ ସମ୍ବନ୍ଧ ଓ ବିଶେଷତଃ ନୀଳୁ ଭାଇଙ୍କ ସହିତ ରଙ୍ଗୀର ସମ୍ବନ୍ଧ ବିଷୟରେ ଗମ୍ଭୀର ଭାବରେ ଉପଦେଶ ଓ ବକ୍ତୁତା ଦେଇ ବସିଲେ, ରଙ୍ଗୀ ମୁଣ୍ଡରେ କେତେ ପଶେ, କେତେ ବା ପଶେ ନାହିଁ–ସେ ବୋକା ହୋଇଅନାଇ ଥାଏ । କେତେବେଳେ କିଛି ଟିକିଏ ବୁଝିପାରିଲେ ନୂଆବୋଉ ସାଙ୍ଗେ ଟିକିଏ ଦୁଷ୍ଟାମି ଲଗାଏ, ଅଝଟ ଧରେ । କନକ ପ୍ରାଣପଣ ଚେଷ୍ଟା କରେ-ନୀଳୁ ଭାଇଙ୍କର ରଙ୍ଗୀ କ’ଣ ହେବ, ଏହିତକ ତାକୁ ବୁଝାଇବାକୁ; କିନ୍ତୁ ରଙ୍ଗୀ ଏତେକଥା ବୁଝିପାରେନାହିଁ । ସେ ତ ଜାଣେ–କିଏ ତ ଜଣେ ବର ହୋଇ ଆସନ୍ତା, ନୀଳୁ ବି ତ ସେଇଆ-ପାନିକିରେ ଚଢ଼ି, ଢ଼ୋଲ ଟମକ ବଜାଇ, ବାଣ ମାରି ଆସିବ, ଭାଇ ଯେମିତି ନୂଆବୋହୂକୁ ସେଦିନ ଆଣିଲେ, ସେହିପରି ତାକୁ କୁଆଡ଼େ ନେଇଯିବ । ଘର ଛାଡ଼ି ଯିବା କଥା ଭାବିଲେ ତାକୁ କାନ୍ଦମାଡ଼େ–ନ ହେଲେ, ବାହାଘରଟା ଭାରି ମଜା କଥା, ଏତକ ସେ ସ୍ଥିର ଜାଣିଛି । ନିଜ ବାହାଘରଟା କେମିତିକା, ସେଟା ନ ଜାଣିଲେ ମଧ୍ୟ ତା’ର ଗୋଟାଏ ମୋଟାମୋଟି ଧାରଣା ଯେ, ବାହାଘରଟା ମଜ୍ଜା କଥା । ଯେଉଁମାନେ ବାହା ହୁଅନ୍ତି, ସେମାନଙ୍କର ମଜ୍ଜା ହୁଏ କି ନା, ସେ କଥା ଦିନେ ନୂଆବୋଉକୁ ପଚାରିବାରୁ ନୂଆବୋଉ ଖାଲି ହସିଲା, ଆଉ କିଛି କହିଲା ନାହିଁ, ଗଉରୀ ଅପାକୁ ଯାଇଁ କହିଦେଲା । ସେଥିଯୋଗେ ଆଉ ସେ ବିଷୟ ରଙ୍ଗୀ ଉଠାଏ ନାହିଁ, ଭାବେ ନାହିଁ !

 

ରଙ୍ଗୀକୁ ନୀଳୁ ଭାଇ ପାଇଁ ପ୍ରସ୍ତୁତ କରୁ କରୁ କନକ ତାକୁ କେତେ ଯେ ନିଜର କରିପକାଇଲା ଦିନ ଦୁଇଟା ତିନିଟା ଭିତରେ ତାହା କହିହେବ ନାହିଁ । ରଙ୍ଗୀ ବି ନୂଆବୋଉକୁ ଅତି ନିକଟରେ ପାଇ ସର୍ବସ୍ୱ ପ୍ରାୟ କରି ପକାଇଲା । ଦୁହିଁଙ୍କ ଭିତରେ ଯେ ନୀରକ୍ଷୀର ଅଭେଦ ପ୍ରୀତି ହୋଇଗଲା, ତାହା ବୋଲାଯାଇ ନ ପାରେ; କାରଣ ଅସମାନ ଭିତରେ ସେଟା ସାଧାରଣତଃ ଅସମ୍ଭବ । କିନ୍ତୁ ଏତିକି ବୋଲାଯାଇନପାରେ ଯେ, ରଙ୍ଗୀ ତା’ ଠାରୁ ସାନ ହେଲେ ମଧ୍ୟ କନକ ତାକୁ ଏ ବିବାହ ପ୍ରସଙ୍ଗ ହେଲାଦିନ ଠାରୁ କାହିଁକି କେଜାଣି ସମାନସ୍କନ୍ଦ ଭାବରେ ହିଁ ଦେଖୁଛି । ଅନ୍ୟ ଭାବରେ ଦେଖିବାକୁ ତା’ର କିପରି ଗୋଟାଏ ଦୁଃଖ ଓ ଅଭିମାନ ହେଉଅଛି ।

 

ନୀଳୁବାବୁ ଯିବାର ଚାରିଦିନ ପରେ, ଦିନେ ସକାଳୁ ଗାଧୋଇ ଖିଆପିଆ କରି କନକ ରଙ୍ଗୀକୁ ନେଇ ତା’ ନିଜ ଘରେ ନିର୍ଜନରେ ବସି କାନ୍ଦଣା ଶିଖାଉଛି, ଏପରି ସମୟରେ ଗଉରୀ ଆସି ପହଞ୍ଚିଗଲା । ରଙ୍ଗୀ ଆଗରୁ ଖଣ୍ଡେ ରାମାୟଣ ଖୋଲି ଆଗରେ ରଖି ଦେଇଥିଲା–କେହି ଆସିଗଲେ ସେଇଟାକୁ ପଢ଼ୁଥିଲା ବୋଲି ଜଣାଯିବ, କିନ୍ତୁ କନକ ଗଉରୀ ଆସିବାର ନ ଜାଣିଥିଲା ପରି କହିଗଲା, ଯେଉଁପରି ଲଙ୍କାଗଡ଼ରେ–ଅସୁରୀ ପଲରେ–ଅଶୋକ ବନରେ-ସୀତାଙ୍କୁ ରାବଣ ନେଇ ରଖିଲା, ହାଁ ମୋ ଅପା-ନୂଆବୋଉ–ଖୁଡ଼ୀ–ବଡ଼ମାଁମାନେ ଲୋ-ଏହିପରି ଲମ୍ବା କାନ୍ଦଣା କାନ୍ଦିବ ନା–ଲାଜ ଗଲେ କ’ଣ ହେବ ! ପଦେ ପଦେ ଏଇଥିରୁ ଯୋଖିଦେଲେ ସିନା କାନ୍ଦିଲା ବୋଲି କହିବେ । ଆଉ–ଗଉରୀ କହିଲା ‘‘ଓଃ, ଏଇୟା ହଉଚି ପରା ! ସେଇଥିପାଇଁ ପରା ଦଶାମୁହିଁଟା ସବୁବେଳେ ତୋ କତିରେ ପଶିଚି !’’ ରଙ୍ଗୀ କହିଲା, ‘‘ନୂଆବୋଉ ବଡ଼ ଜଣେ ! ମୁଁ କ’ଣ ତମ ପାଖରୁ କାନ୍ଦଣା ଶିଖିବା ପାଇଁ କହୁଥିଲି ନା-ମୁଁ କାହିଁକି କାନ୍ଦଣା ଶିଖିମି, ହଁ । ଗଉରୀ କହିଲା, ‘‘ନାଇଁ, କିଛି ଜାଣି ନାହୁଁ-ଅଜାଣି ଚମ୍ପାଟି ମୋର ! ବାହା ହବା ପାଇଁ ଖାଲି ଗୋଡ଼ ବଢ଼େଇକରି ଅଛି । ଜାଣି ଚତୁରୀଟିଏ ! ହଇଲୋ, ହଇଲୋ, ନୂଆବୋଉର ତୁ କ’ଣ ହବୁ କି ? ସତେ ବୋହୂ, ରଙ୍ଗୀ ତା ନୂଆବୋଉ ତୁ କ’ଣ ହବୁ କି ? ସତେ ବୋହୂ, ରଙ୍ଗୀ ତୋ ନୂଆବୋଉ ହେଲା ନା ?’’ କନକ କହିଲା, ‘‘କେଉଁଠି ହଉଚି ଅପା ? (ଗଉରୀ ଠାରି ଦେବାରୁ)-ହଁ ହେଲେ ନାହିଁ ଆଉ କ’ଣ ! ମୋର ନୂଆବୋଉ ତ–ଠିକ୍ କଥା । ଏବେ ଏଣିକି ନୂଆବୋଉ ବୋଲି ଡାକିମି ! ରଙ୍ଗୀ କନକ ପିଠିପଟେ ଯାଇ କନକର ମୁକୁଳା ବାଳକୁ ପୁଳାପୁଳା କରି ଭିଡୁଥାଏ । କିନ୍ତୁ କନକ ନ ଛାଡ଼େ । ବାହାଘର ପ୍ରସଙ୍ଗ ପୂର୍ବରୁ କନକ ରଙ୍ଗୀକୁ ନୂଆବୋଉ ବୋଲି ଥଟ୍ଟା କରୁଥିଲେ ମଧ୍ୟ, ତା’ ପରଠୁଁ ସେ କଥା କୁଆଡ଼େ ଭୁଲିଯାଇଥିଲା । ହଠାତ୍ ଗଉରୀ କଥାରେ ତା’ ଆଗରେ ଯେପରି ଗୋଟାଏ ସୁଖର ସ୍ୱପ୍ନରାଜ୍ୟ ଖୋଲି ହୋଇ ହୋଇଗଲା । ’ ନୂଆବୋଉ, ନୂଆବୋଉ’ ବୋଲି ଡାକି, ତାକୁ ବୁଲାଇ ଭିଡ଼ି ଆଣି, କୋଳ ଉପରେ ପକାଇ ଆବେଗରେ ଚୁମା ଖାଇଲା । ରଙ୍ଗୀ ଝଟ ବୁଲିପଡ଼ି ମୁହଁଟା ତା’ କୋଳ ଭିତରେ ପୂରାଇ ଲୁଚି ରହିଲା–ଅନେକ ବେଳଯାଏଁ ସେଠୁ ବାହାରିଲା ନାହିଁ ।

 

ଏହିପରି ସମୟରେ ସ୍ୟାଡ଼ୁ ନିଧିବୋଉ ଆସି କହିଲେ, ‘‘ଭଦ୍ରକରୁ ବାମନ ଫେରି ଆସିଛନ୍ତି, ବୋହୂ ତମ କତିକି ସର କି ଚିଠି ଦେଇଚି, ନିଅ, ପଢ଼ ।’’ ୟା କହି ବୁଢ଼ୀ ବିରସ ଭାବରେ ସେଠାରୁ ବାହାରି ଚାଲିଗଲେ । ଗଉରୀ ଧଡ଼ପଡ଼ ହୋଇ ଉଠି ପଚାରିଲେ, ‘‘ବୋଉ, କ’ଣ ହେଲା-? ଟିକିଏ କହି ଯା ଭଲ ! ନାଇଁ–ସେ କ’ଣ ଶୁଣିବ କି । ବୋହୂ, ତୁ ପଢ଼ିବୁତି କ’ଣ କଥା ।’’

 

କନକ ଇତି ମଧ୍ୟରେ ଚିଠି ଖାଲି ଧାଡ଼ିଏ ଦି’ଧାଡ଼ି ପଢ଼ି ପ୍ରଧାନ କଥାଟି ଜାଣିସାରିଲାଣି-। ଶାଶୂଙ୍କ ମୁହଁଭାବ ଓ କଥାରୁ ମଧ୍ୟ ସେ ଏବଂ ଗଉରୀ ଦୁହେଁ ଏଇଆ ଆଶଙ୍କା କରିସାରିଥିଲେ । ଗଉରୀ ମଧ୍ୟ ଆସି କନକ ସାଙ୍ଗରେ ଚିଠି ପଢ଼ିବାକୁ ଲାଗିଲା । ରଙ୍ଗୀ ବି ଦେଖାଦେଖି ଆସି ଚିଠି ଉପରେ ଝୁଙ୍କି ପଡ଼ିଲା । ଗଉରୀ ଚିଡ଼ି ଉଠି କହିଲା, ‘‘ମରୁ ନାହୁଁ । ବା’ ଘର ଖବର ଶୁଣିବା ନାଗି କଅଣ ହଉଚି ସିଏ ଦେଖିଲୁ ଦେଖିଲୁ ? ଏବେ ହେଲା ? ତୋ ଘଇତା ମନା କରୁଛି ତତେ ଆଉ ନବ ନାହିଁ, ଯା ।’’ ରଙ୍ଗୀର କୌତୁହଳ ଦପ କରି ନିଭିଗଲା । ସେ ବିଚାରୀ କିଛି କହି ନପାରି ସେଠାରୁ ଦୌଡ଼ି ପଳାଇଗଲା । ଗୋଟାଏ ଅଗଣା ପାର ହୋଇ ଆଉ ଗୋଟାଏ ପରସ୍ତରେ ପଶିଲା ବେଳକୁ ହଠାତ୍ ପୁଣି ନିଧିବାବୁଙ୍କୁ ହାବୁଡ଼ିଲା । ଝଟ୍ ଜିଭ କାମୁଡ଼ି ପକାଇ ସେଠାରୁ ଫେରିଲା, କିନ୍ତୁ ସେଇତକ ଭିତରେ ସ୍ପଷ୍ଟ ବୁଝିନେଲା ଯେ, ବୋଉକୁ ଭାଇ କାହିଁକି କ’ଣ ବୁଝାଉଅଛନ୍ତି । ଦୁହିଁଙ୍କ ମୁହଁ ଶୁଖି ଯାଇଛି–ବିରସ ବିରସ ଭାବ । ତେବେ କ’ଣ ସତେ ବାହାଘର ବନ୍ଦ ହେଲା ! ବାହାଘର ବନ୍ଦ ହେବା କଥା ଭାବିବା ମାତ୍ରକେ ରଙ୍ଗୀର ମନଟା କାହିଁକି ଚୂନା ହୋଇଗଲା ! ଆହା ବିଚାରୀ କେତେ କାନ୍ଦଣା ଶିଖିଥିଲା ଆଉ କ’ଣ ହେବ, ନିଆଁ ନା ଚୁଲି ! ତା’ ମନୁଟା ଫାଟିଯିବା ଯୋଗୁରୁ ତାକୁ ଅଡ଼ୁଆ ଅଡ଼ୁଆ, ଲାଜ ଲାଜ ଲାଗିଲା । ସେ ପଳାଇଯାଇ ଗୋଟିଏ ଖାଲି ଘରେ କବାଟ କିଳି ପଶିଲା । ବାହାଘର ପ୍ରସଙ୍ଗ ଲାଗିଥିଲାବେଳେ ତାକୁ ଯେଉଁ ଲାଜ ସ୍ପର୍ଶ କରି ନ ଥିଲା, ବର୍ତ୍ତମାନ ଭାଙ୍ଗିଯିବା କଥାରେ ସେଟା କିପରି କୁଆଡ଼ୁ ଆସି ତା’ କ୍ଷୁଦ୍ର ମନଟିକୁ ଏକାବେଳେକେ ଅଧିକାର କରି ବସିଲା । ସେହିଠାରେ ସେହିପରି ଭାବରେ ସେ ମୁହଁରେ ଲୁଗା ଦେଇ ଚୁପ୍ କରି ବସି କ’ଣ ସବୁ ଭାବିବାକୁ ଲାଗିଲା । ଆଜି ରଙ୍ଗୀର ଏ କି ଭାବ !

 

ୟାଡ଼େ ଚିଠି ପଢ଼ିସାରି କନକ ଓ ଗଉରୀ ଦୁହେଁଯାକ କିଛିକ୍ଷଣ ଚୁପ୍ କରି ରହିଲେ । ପରେ କନକ ହଠାତ୍ କହିଲା, ‘‘କିଛି ଡର ନାହିଁ ଅପା; ନୂଆବୋଉ ଲେଖିଚି–ନିଶ୍ଚେ ହବ ! ନୀଳୁ ଭାଇ ମଙ୍ଗୁ ନାହିଁ ବୋଲି ତ କେଉଁଠି ଲେଖିନାହିଁ । ଦେଖ, କ’ଣ ହଉଚି ।’’ ଗଉରୀ କହିଲା, ‘‘ଆଚ୍ଛା ହଉ, ମୁଁ ବୁଝିଆସେ ବାମନ ଅଛି କି କ’ଣ, ଦେଖେ, ତାଠଉଁ ସବୁ ଖବର ଜଣାପଡ଼ିବ ।’’ ଏହା କହି ଗଉରୀ ସେଠାରୁ ଯାଇ, ଯେଉଁଠି ମା’ ପୁଅ ଦୁହେଁ ବସି ବାମନଠଉଁ ଟିକି ଟିକି କରି ସବୁ କଥା ବୁଝୁଥିଲେ ସେଇଠି ଦୁଆର ପାଖରେ ଆଢ଼ୁଆଳରେ ଛିଡ଼ା ହେଲା । କିଛିକ୍ଷଣ ପରେ କନକ ଆସି ତା’ ପାଖରେ ଛିଡ଼ା ହେଲା ।

 

ବାମନ କହୁଥାଏ,’’ ନାଇଁ ବାବୁ, ମୁଁ କ’ଣ ଏଡ଼େ ଓଲୁ ହେଇଚି । ନା, ନା, ସେ ବାବୁର ଇଚ୍ଛା ନୁହେଁ–ମୁଁ ସଫା କହି ଦଉଚି ! ଯଉଁଦିନ–ମୁଁ ଗଲାବାସି–ହରିବାବୁ ତାଙ୍କୁ ଏ ବିଷୟ ସଫା ସଫା କରି କହିଲେ, ସେ ଦିନ ତାଙ୍କୁ ଦେଖିଥାନ୍ତ କି, କହନ୍ତ ! ଯେତେ କହିଲେ କ’ଣ ହବ ନା, ଯେତେ ବୁଝେଇଲେ କ’ଣ ହବ–ସେଇ ନା’ ତ ! ମୁହଁଟାକୁ ତଳକୁ କରି ବସିଥାନ୍ତି । ଖାଲି’ ନା’ ଛଡ଼ା ଆଉ କିଛି କଥା ନ ବାହାରେ ଗଲା । ଫେରେ କହିଲେ ପରା-’ଭାଇ, ତମେ ଯଦି ମତେ ଏଥିରେ ବଳେଇବ, ତା’ ହେଲେ ମୁଁ ପଳେଇବି କଟକ, ଆଉ ଆସିବି ନାହିଁ ।

 

ନିଧି–ଆରେ ଯା ମ, ନୀଳୁ କ’ଣ ଏମିତି କେବେ କହିବ ଯାଃ–

 

ବାମନ-ଆଚ୍ଛା ହଉ, ମୋ କଥା ଯଦି ମିଛ ହେଲା-ହେଲା, ତେମେ ଫେରେ ପଛକୁ ଶୁଣିବ ନାହିଁ କି ! କି ଖୁଡ଼ୀ, (ଗଉରୀବୋଉ ପ୍ରତି) ତମ ଝିଆରୀ ସିନା ହବ ବୋଲି କହିଛନ୍ତି, ମୋତେ ଏକା ବିଶ୍ୱାସ ନାହିଁ ! ଯା’ ହଉ, ଏ ବର୍ଷ କଥା ତ ମିଛ–ତାଙ୍କର କିଏ ସେ ଗୋଟାଏ ମରିଗଲା ପରା, ମୁଁ ଆସିଲାବେଳେ ଶୁଣି ଆସିଲି ।

 

ନିଧି–କିଏ ମଲା । କିଏ ମ ? ଏତେବେଳଯାଏଁ ଏ କଥା କହୁ ନାହିଁ ? ତାଙ୍କ ନାଁ କ’ଣ-?

 

ବାମନ–କ’ଣ, ଭଲ ମଜାର ନାଁ ତ ! ଓଃ ନୀଳୁଙ୍କର ଭିଣେଇ ନା କ’ଣ ହୁଅନ୍ତି ସେ । ଜର ହୋଇଥିଲା । ଏଠୁ ଯାଇଁ କରି ନୀଳୁବାବୁ କ’ଣ ତମ ଶଶୁରଘରେ ଦଣ୍ଡେ ରହିଛନ୍ତି କି । ସେଇ ତାଙ୍କରି ପାଖରେ କାଳେ–

 

ନିଧି–ଓଃ, ନିତେଇ ବାବୁ ହେବେ ପରା ! ସେ କ’ଣ–ସତେ ! ଆଚ୍ଛା, ତମେ ଠିକ୍ ଖବର ଶୁଣିଛଟି କି ?

 

ବାମନ–ମଲା, ୟା ନାଁ ଗୋଟାଏ କଥା ଅବସ୍ଥା ! ମୁଁ ପରା ବାହାରୁଥିଲି, କିଏ ଗୋଟାଏ ତାଙ୍କର ଚିଠି ଆଣି ଦେଇଗଲା, ବଟୁଆରେ ରଖିଲି । ଗୁଣ୍ଡିଟିପାଏ ନେଇ ପାଟିରେ ପକେଇ ଯେମିତି ଗୋଡ଼ କାଢ଼ିଛି, ସେମିତି ସ୍ୟାଡ଼ୁ ଗୋଟାଏ କିଏ ଧାଇଁ ଧାଇଁ ଆସି ‘‘ହରି କାହାନ୍ତି, ହରି କାହାନ୍ତି’’ ବୋଲି ଡାକ ଛାଡ଼ିଲା । ମୁଁ ପଚାରିଲି, ‘‘କଥା କ’ଣ ।’’ ସେଇ ପରା କହିଲେ, ‘‘ନିତେଇ ବାବୁ ମରିଗଲେ ।’’ ହଁ, ନିତେଇ ବାବୁ ତ ! ଠିକ୍ ଠିକ୍–ନୀଳୁଙ୍କ ଭିଣେଇ ! ମୁଁ ପରା,’ ଜୟ ମା’ ଚଣ୍ଡଭେୈରବୀ’ ବୋଲି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି, ଭାବିଲି–ଏଟା ସିନା ବିଫଳ ହେଲା ! ଏଥର ଫେରିଲା କ୍ଷଣି ପୁଣି କୁଆଡ଼କୁ ନିଶ୍ଚେ ଯିବାକୁ ପଡ଼ିବ । କହିଚି ପରା–କହିଚି ପରା–‘‘ହେଁ, ଶବ ଶିବାଃ କୁମ୍ଭା ହା ।’’

 

ନିଧି-ଆଚ୍ଛା ହଉ, ସେ କଥା ବୁଝିବା । ତେମେ ଯା, ଖିଆପିଆ କର ।

 

ବାମନ ଅନିଚ୍ଛା ସତ୍ତ୍ୱେ ଉଠୁ ଉଠୁ କହିଲେ, ‘‘ହଁ, ନ ଯିବି ଏପରି ଗୋଟାଏ କଥା । ତମ କାମ ପାଇଁ ମୁଁ ନା ଆଉ କ’ଣ ! ନ ଖାଇ ନ ପିଇ ମୁଁ ଲାଗିବି ନେଇଁ ତ କିଏ ଲାଗିବ । ଯିବି ନାହିଁ ? ଏଇନାଗେ କହିଲେ ଏଇନାଗେ ଯିବି ।’’

 

ବୁଢ଼ୀ କହିଲେ, ‘‘ହଁ, ହଁ, ତେମେ ବାମନ କ’ଣ ସେମିତିକା ! ହଉ ହଉ, ଯା ଯା, ତେମେ ଗଣ୍ଡାଏ କ’ଣ ଖାଇବ ଯା ।’’

 

କନକ ଗଉରୀକୁ କହିଲା, ‘‘ଅପା, ପଚାରିଲ, ଜାତକ୍ ପଡ଼ିଚିକି ନାହିଁ ।’’ ଗଉରୀ ବାହାରି ପଡ଼ି କହିଲା, ‘‘ହଇରେ ନିଧି ଜାତକ ପଡ଼ିଚି ତ ?’’ ‘‘ହଁ ଜାତକ ଖୁବ୍ ଭଲ ପଡ଼ିଚି ରାଜଯୋଟକ, ଏକା ରାଶି ତ ।’’ ବୁଢ଼ୀ କହିଲେ, ‘‘ହଁ ସତେ ସେ ଟୋକି ଭାଗ୍ୟରେ ଥିବ ସେଠି ହବ-! କିଏ ଜାଣି, ମତେ ତ କେମିତିକା ଲାଗୁଚି । ହଇରେ ପୁଅ ଆଉ କୁଆଡ଼େ କ’ଣ ଦେଖିବୁ ନା କ’ଣ-?’’

 

ନିଧି–ନାଇଁ ମା, ସର ଅପା ନେଖିଛି କ’ଣ ଶୁଣିଲୁ ପରା ? ନିଶ୍ଚେ ନିଶ୍ଚେ ସେଇଠି ହବ-

 

ବୁଢ଼ୀ-ୟାଡ଼େ ଫେରେ କିଏ ମଲାଣି ପରାରେ ଏ ସାଏ ତ ତା’ହେଲେ ଆଉ ହୋଇପାରିବ ନାହିଁ-

 

ନିଧି–ଏ ସାଲ ନୋହିଲେ ନାହିଁ । ରଙ୍ଗୀର କଉଁ ଏବେ ବଅସ ଗଡ଼ି ଯାଉଚି । ତେମେ ସବୁ ଚାଲ କଟକ, ଦେଖାଯିବ, ମୁଁ ଦେଖିବି ନୀଳୁ କେମିତି ବାହା ନ ହେବ ! ରଙ୍ଗୀକି ସେଠି ଇସ୍କୁଲରେ ଭର୍ତ୍ତି କରିଦେବି । ସେ ଭଲକରି ପାଠଶାଠ ପଢ଼ୁ, ଦେଖାଯିବ ।

 

ବୁଢ଼ୀ–ହଁ, ତୋ କଥା ତୁ ଜାଣୁରେ ପୁତ ! ମତେ ଯେଉଁଠିକି ନବୁ ନେ–ଗାତକୁ ଗଲା ଆଗରୁ ଯିମିତି ରଙ୍ଗୀଟି ପାର ହୋଇ ଯାଇଥାଏ, ଏଇୟା ଭଲା କର !

 

ଏହା କହି ବୁଢ଼ୀ ମନେ ମନେ କଣ ବର୍ର ବର୍ର ହେଉଁ ହେଉଁ ସେଠାରୁ ଚାଲିଗଲେ । ନିଧିବାବୁ କହିଲେ, ‘‘ଅପା, ଟିକିଏ ଚାଲିବୁଟି ସ୍ୟାଡ଼କୁ ପଣ୍ଡିତଙ୍କ ସାଙ୍ଗେ ବିଚାର କରିବା’’ ଏହା କହି ସେ ଆଡ଼କୁ ଆସିଲେ, କନକ ଧଡ଼ପଡ଼ ହୋଇ ସେଠାରୁ ପଳାଇଗଲା । ଦିନୁଟା–ଛିଃ !

 

(୨)

 

ବାମନ ପ୍ରକୃତ କଥା କହିଥିଲା–ନୀଳୁଙ୍କର ଇଚ୍ଛା ନାହିଁ । ସେ ଭଦ୍ରକରେ ପହଞ୍ଚି ହରିବାବୁ ବା ସରସ୍ୱତୀ ଦେଈ କାହାରି ସହିତ କଥାବାର୍ତ୍ତା ହେବାର ବି ସମୟ ପାଇଲେ ନାହିଁ; ନିତେଇ ବାବୁଙ୍କର ପ୍ରାୟ ଶେଷ ଅବସ୍ଥା, ତେଣୁ ତାଙ୍କର ସେବା ଶୁଶ୍ରୂଷାରେ ଲାଗିଗଲେ । ତହିଁ ଆରଦିନ ଜାତକପତ୍ର ମିଳାଇସାରି ହରିବାବୁ ନୀଳୁବାବୁଙ୍କୁ ଡକାଇ ଏ ପ୍ରସଙ୍ଗ ଉଠାଇଲେ । ପ୍ରଥମତଃ ନୀଳୁବାବୁ ନିତେଇଙ୍କ ଦେହ କଥାରେ ପ୍ରସଙ୍ଗଟାକୁ ଉଡ଼ାଇ ଦେବାକୁ ବସିଲେ, ପରେ ବାଧ୍ୟହୋଇ ବିବାହରେ ତାଙ୍କର ପୂର୍ଣ୍ଣ ଅନିଚ୍ଛା ଯଥାସମ୍ଭବ ନରମ ଭାବରେ ହରିବାବୁଙ୍କୁ ଜଣାଇଦେଲେ ଓ ଏ ବିଷୟରେ ଆଉ କଥା ଉଠିଲେ ସେ କଟକ ପଳାଇବେ–ଫେରିବେ ନାହିଁ ଏହା ମଧ୍ୟ ଶୁଣାଇଦେଲେ । ହରିବାବୁ ସଭୟରେ ଏସବୁ ସରସ୍ୱତୀ ଦେଈଙ୍କୁ କହିଲାରୁ ସେ ବଡ଼ ଗୋଟାଏ ହସ ହସି କହିଲେ, ‘‘ଆଚ୍ଛା ହଉ ଦେଖାଯିବ ! ବା’ ହେବେ ନାହିଁ–ବଇଷମ ହେବେ, ନାଇଁ-? ତମକୁ ତ ମୁଁ ଦେଖିଲି ଗୋଟାଏ–ଆହା, ବୁଦ୍ଧି–ତମେ ବି ତା’ କଥାରେ ସଳଖେ ବୁଝିଗଲ । ଏମିତି ମଣିଷ ଜନମ କାହିଁକି ବିଧାତା ଦେଇଥିଲା । ତମେ ଯିବତି–’’

 

‘‘ନାଇଁ ନାଇଁ ମୁଁ ତାକୁ କିଛି କହିପାରିବି ନାହିଁ । ସ୍ୟାଡ଼େ ନିତେଇର ଏ ଦଶା, ନାଃ, ସେ ବ୍ରାହ୍ମଣକୁ ବିଦା କରିଦିଅ; ପରେ ଦେଖିବା ।’’

 

‘‘ଓ, ଇୟେ ପରେ ଦେଖିବେ ! ତମକୁ ମୁଁ କିଛି କହିବାକୁ କହୁନାହିଁ, ତମେ ଖାଲି ନୀଳୁକୁ ମୋ କତିକି ଡାକିଦେଲ, ଗଲ । ମୁଁ କହି ଦଉଚି ସାଙ୍ଗେ ସାଙ୍ଗେ । ହ, ୟା ଯା କହିଲ ! ତାଙ୍କ ଦିହ କଥା; ସେଟା ବା ଗୋଟାଏ କଥା; ନହେଲେ, ବା’ ହବ ନାହିଁ–ହବ ନାହିଁ ନା ହବ ନାହିଁ ।’’

 

‘‘ହଉ, ମୁଁ ପଛେ ନୀଳୁକୁ ଡାକି ଦଉଚି, ମୁଁ ଆଉ ଏ କଥାରେ ପଦେ ବି ପାଟି ଫିଟେଇ ପାରିବି ନାହିଁ ଜାଣିଥା ।’’

 

ଏହା କହି ହରିବାବୁ ନିତେଇଙ୍କ ଘର ଆଡ଼କୁ ବାହାରି ଗଲେ । ସେଠାରେ କିନ୍ତୁ ଯାହା ହାଲ ଦେଖିଲେ, ସେଥିରେ ନୀଳୁକୁ ଆଉ କିଛି କହିବାକୁ କି ଡାକିବାକୁ ତାଙ୍କର ଆଉ ମନ ବଳିଲାନାହିଁ । ନିତେଇଙ୍କ ଅବସ୍ଥା ନିହାତି ଖରାପ–ଡାକ୍ତର ଡବଲ ନିମୋନିୟା ବୋଲି କହି ନିରାଶ ହୋଇ ଚାଲିଯାଇଛି । ନୀଳୁ ବି ହତାଶ ହୋଇ ବସିଚି । ସେ ଟିକିଏ ଖଣ୍ଡେ ସେଠାରେ ରହି ଚୁପ୍ କରି ଫେରି ଆସି ପତ୍ନୀଙ୍କୁ କହିଲେ । ବାମନକୁ ବିଦାୟ କରିଦେବାର ସ୍ଥିର ହେଲା । ସରସ୍ୱତୀ ଦେଈ କ’ଣ ସବୁ ଚିଠି ଲେଖିଲେ କନକ ପାଖକୁ । ବ୍ରାହ୍ମଣ ହରିବାବୁଙ୍କୁ ଗୋଟାଏ ସ୍ପଷ୍ଟ ଜବାବ ପାଇଁ ଢେର କବୁଲେଇଲା, କିନ୍ତୁ ହରିବାବୁ ଖାଲି’ ପରେ ଦେଖାଯିବ’ ବୋଲି କହି କ୍ଷାନ୍ତ ହେଲେ । ତହିଁ ଆରଦିନ ବଡ଼ି ସକାଳୁ ବାମନ ଏକ ପ୍ରକାର ନିରାଶ ହୋଇ ଫେରିଲା ।

 

ଠିକ୍ ସେତିକିବେଳେ ହରିବାବୁ ଅନେକ ଡକାହକାରେ ବାହାରି ନିତେଇଙ୍କ ମୃତ୍ୟୁଖବର ଶୁଣି ତାଙ୍କ ଘରଆଡ଼କୁ ଗଲେ । କାଲି ରାତିରେ ଶେଷଥର ନିତେଇଙ୍କୁ ଦେଖିବାକୁ ଗଲାବେଳେ ନିତେଇ ଟିକିଏ କଥା କହିପାରୁଥିଲେ ଓ ନୀଳୁକୁ ଦେଖାଇ କରି ବାବୁଙ୍କ ଜିମା କରି ଦେଇଥିଲେ । ସେତେବେଳେ ନୀଳୁ ଓ ହରିବାବୁ ଦୁହେଁ କାନ୍ଦି ପକାଇ କୁଣ୍ଢାକୁଣ୍ଢି ହୋଇ ପୁଣି ଥରେ ଭାଇ ସମ୍ପର୍କ ଗାଢ଼ କରି ନେଇଥିଲେ । ହରିବାବୁ ଆହୁରି ମଧ୍ୟ ଦେଖିଥିଲେ ଯେ ସେତବେଳେ ପର୍ଯ୍ୟନ୍ତ ନିତେଇଙ୍କ ଭାଇମାନେ କେହି ସେଠାକୁ ଶୁଭାଗମନ କରିନାହାନ୍ତି । ଆଜି ଯାଇଁ ଦେଖିଲେ, ସମସ୍ତେ କେତେବେଳୁଁ ଆସି ସତ୍କାରର ଯଥେଷ୍ଟ ଆୟୋଜନ କରିପକାଇଲେଣି । ନିତେଇଙ୍କ ଘରବାଡ଼ି ନୀଳୁଙ୍କୁ ଦେବାପାଇଁ ତାଙ୍କର ଷୋଳପଣ ଇଚ୍ଛା ଥିଲେ ମଧ୍ୟ ହରିବାବୁ ସେଥିରେ ରାଜ୍ୟର ଝଞ୍ଜଟ ବୋଲି ତାଙ୍କୁ ବାରଣ କରିଥିଲେ । ନୀଳୁବାବୁ ମଧ୍ୟ ଏକଥା ଶୁଣି ହସି ହସି କହିଲେ, ‘‘ମୋର କ’ ଣ ହେବ ଘରବାଡ଼ି ଆଉ ! କାହିଁକି ଗୋଟାଏ ବଲେଇ ମୁଁ ମୁଣ୍ଡରେ ନେବି !’’ ତୁଚ୍ଛାକୁ ତ ଦଶ ଭଗାରିୟା କଥା । ହରିବାବୁ ମାମଲତକାର ହେଲେ ବି ସେଥିରେ ଆଉ ବଳାଇଲେ ନାହିଁ । ସେ ତ ଜାଣନ୍ତି, ନୀଳୁ ସେଥିରେ ପଶୁ କି ନ ପଶୁ ମାଲିମକଦ୍ଦମାର କିଛି ସୀମା ରହିବ ନାହିଁ । ନୀଳୁ ଭାବିଲେ, ‘‘ଗଲା, ଯେଉଁ ଟିକକ ବନ୍ଧନ ଆପଣାର ବୋଲି ମୋର ଥିଲା, ସେତକ ଗଲା । ଯାଉ ମୁଁ ମୁକ୍ତ, ସ୍ୱାଧିନ !’’ ଦଶାହକ୍ରିୟା ଇତ୍ୟାଦି ବହୁ କଷ୍ଟରେ କୌଣସି ମତେ ହୋଇଗଲା । । ହରିବାବୁ ଗୁପ୍ତଭାବରେ ନୀଳୁଙ୍କୁ କିଛି ଅର୍ଥ ସାହାଯ୍ୟ କଲେ । କିନ୍ତୁ ନିତେଇଙ୍କ କାର୍ଯ୍ୟ ପାଇଁ ନୀଳୁ ସେ ଟଙ୍କା ବ୍ୟୟ କରିପାରିଲେ ନାହିଁ, କାରଣ ତାଙ୍କ ଭାଇୟା ମଧ୍ୟରୁ ସମସ୍ତେ ଏଇନାଗେ ଟଙ୍କା କାଢ଼ି ଦେବାକୁ ଆଗେଇ ବସିଛନ୍ତି । ଯାହା ଟଙ୍କାରେ କାର୍ଯ୍ୟ ହେବ; ତାହାର ଟିକିଏ ହେଲେ ଦାବି ରହିବ, ନିତେଇଙ୍କ ଅଂଶ ଉପରେ । ଏଥିକି ନୀଳୁଙ୍କ ଟଙ୍କା କେହି ସ୍ପର୍ଶ ବି କଲେ ନାହିଁ ! ଏଗାର ଦିନରେ ବିମୁଖ ହୋଇ ନୀଳୁ ଚିରଦିନ ପାଇଁ ସେ ଘରୁ ବିଦାୟ ହୋଇ ଆସି, ହରିବାବୁଙ୍କ ଘରେ ରହିଲେ ଓ ସେହିଠାରେ ସାମାନ୍ୟ ବ୍ରାହ୍ମଣ ଭୋଜନଟିଏ କରିଦେଲେ । ନିତେଇଙ୍କ ଭାୟାମାନେ ଆଖି ଠରାଠରି କରି ହସୁଥାନ୍ତି ।

 

ହରିବାବୁଙ୍କ ସହିତ ନୀଳୁର ବନ୍ଧନ ଦୃଢ଼ରୁ ଦୃଢ଼ତର ହୋଇ ଆସିଲା । ସେ ତାଙ୍କ ଘରକୁ ଆସିଲାବେଳୁ ନୂଆବୋଉଙ୍କର ଗୋଡ଼ ଆଉ ତଳେ ଲାଗୁ ନାହିଁ-କେତେ ଆଦର ଯତ୍ନରେ ତାଙ୍କୁ ଖୁଆଇ ପିଆଇ, ସେ ଗୋଟିଏ ଦିନରେ ତାଙ୍କୁ ବଶ କରିପକାଇଲେଣି । ଏବେ କଟକ ଯିବା କଥା; ନୂଆବୋଉ କିନ୍ତୁ ଆଜିକାଲି କରି ଦୁଇ ଚାରି ଦିନ ଡେରି କରିଦେଲା । ଶେଷରେ ଯିବା ଦିନ ଆସିଲା । ନୂଆବୋଉ କିଛି ପାନ ଓ ଦଶଟି ଟଙ୍କା ଆଣି ନୀଳୁଙ୍କ ହାତରେ ଦେଇ କାନ୍ଦିଲା ପରି ହୋଇ କହିଲେ, ‘‘ନୀଳୁ, ତେମେ ଆଉ କେତେ ପଢ଼ିବ ? ଏବେ ଥାଉ ଓକିଲାତିଟା ଭଲ ପଢ଼ିଥାନ୍ତ; ଚଞ୍ଚଳ ଏଠିକି ବାହାରି ଆସନ୍ତ ହେଲେ ! ଆଉ ଏ ଖାଲି ଘରେ କେତେଦିନ ଶୁଖିଲାରେ ରହିବି ! କଙ୍କି ତ ଅନ୍ଧାର କରିଦେଇଗଲା । ତେମେ ଭଲା ଚଞ୍ଚଳ ବାହାଟିଏ ହୋଇ, ଗୋଟିଏ ବୋହୂ ଆଣିଦିଅନ୍ତ !’’ ନୀଳୁ ହଠାତ୍ କନକର ଅନୁପସ୍ଥିତି ଉପଲବ୍ଧି କରି ହୃଦୟରେ ଗୋଟିଏ ଉତ୍ତାଳ କ୍ରନ୍ଦନରୋଳ ଅନୁଭବ କରୁ କରୁ ଏ ଶୂନ୍ୟ ଗୃହଟି ପ୍ରତି ସକରୁଣ ଦୃଷ୍ଟି ନିକ୍ଷେପ କଲେ । ଏଇ ଦୁର୍ଦ୍ଦାନ୍ତ ନୂଆବୋଉଟିର ଦୁଃଖ ବୁଝିଲେ; ନୀରବରେ ଅଳ୍ପ ଦୂରରେ ବସି ବିଷର୍ଣ୍ଣ ଭାବରେ ତାଙ୍କରି ଆଡ଼କୁ ଚାହିଁଥିବା ହରିଭାଇଙ୍କ ମନକଥା ବି ବୁଝିଲେ ଓ ତତ୍‌ସଙ୍ଗେ ନିଜ ଅନ୍ତରର ପ୍ରଖର ଦାହଭୂମିପ୍ରାୟ ଭୀଷଣ ଦୃଶ୍ୟ ମଧ୍ୟ ଦେଖିଲେ ! ମନେ ହେଲା–ହାୟ, ଏ ସଂସାରରେ କିଏ କାହାର-! ତେବେ ସ୍ନେହ ପାଇଁ, ଯତ୍ନ ପାଇଁ, ଅଦମ୍ୟ ପିପାସାରେ ପ୍ରାଣ କାହିଁକି ହାହାକାର କରେ । ତେବେ ମନୁଷ୍ୟ ମନୁଷ୍ୟ ପାଇଁ କାହିଁକି ଅନ୍ତରେ ଅନ୍ତରେ ଝୁରି ମରେ । ତେବେ ସ୍ନେହ, ମମତା ହୃଦୟ ସମସ୍ତ ସରସତା, ସରାଗ କାହାରି ଉପରେ ଅଜାଡ଼ି ଦେବାକୁ ମନ କାହିଁକି ଏତେ ମାତି ଉଠେ ! ଆଉ ସ୍ନେହ ଦେବାର କି ନେବାର ଲୋକ ଅଭାବରେ ପ୍ରାଣ କାହିଁକି ଶୁଷ୍କ ମରୁଭୂମି ପ୍ରାୟ ତପ୍ତ ଶ୍ୱାସରେ ମଉଳି ପଡ଼େ ! ଚିତ୍ତବୃତ୍ତିଚୟ କାହିଁକି ଉର୍ଦ୍ଧ୍ୱଜ୍ୱିହ୍ୱ ହୋଇ ସମସ୍ତ ଭସ୍ମୀଭୂତ କରିଦେବାକୁ ହୁ’ ହୁ’ ହୋଇ ଜଳି ଉଠେ !

 

ନୀଳୁବାବୁଙ୍କ ଆଖି ଲୁହରେ ଭରିଗଲା । ସେ କହିଲେ, ‘‘ନୂଆବୋଉ, ତମେ ତ ଆଉ ମୋର’ ନୂଆ ବୋଉ ନୁହଁ ଭାରି ପୁରୁଣା ହୋଇଗଲଣି । ଏବେ ଆଉ ମୁଁ ନୂଆବୋଉ ବୋଲି ତୁମକୁ ଡାକିବି ନାହିଁ । ଖାଲି ‘ବୋଉ’ ବୋଲି ଡାକିବି ! ତେମେ ଏକା ମତେ ବହୂଫଉ ଆଣିବାକୁ କହିବ ନାହିଁ । ମୁଁ ଆଉ ନୂଆ କିଛି ଚାହେଁନାହିଁ–ମୋର ଯାହା ପୁରୁଣା ହୋଇଅଛି, ସେତିକି ମୋର ଢେର–ସେତିକି ମୋର ବହୁଭାଗ୍ୟ !’’ ଏହା କହି ନୀଳୁବାବୁ ମୁଣ୍ଡିଆ ମାରିବାକୁ ନଇଁ ପଡ଼ିଲେ । ସରସ୍ୱତୀ ଦେଈଙ୍କ ମୁହଁ ଆନନ୍ଦରେ ଉଜ୍ଜଳ ହୋଇ ଉଠିଥିଲା । ସେ ହଠାତ୍ ନୀଳୁଙ୍କୁ କୋଳ କରି ପକାଇଲେ-ସ୍ୟାଡ଼ୁ ହରିବାକୁ ମଧ୍ୟ ସାଶ୍ରୁ ନୟନରେ ଧାଇଁ ଆସି ତାଙ୍କୁ କୁଣ୍ଢାଇ ପକାଇଲେ ସରଦେଈ କହିଲେ, ‘‘ଇମିତି କଥା କହ ନା ବାପ । ପିଲାଟା ତୁ, ତୋର ବୋହୂଟିଏ ନ ହେଲେ କିମିତି ହବ ? ହଉ, ଏଇନାଗେ ଯା ଫେରେ ଗ୍ରୀଷମ ଛୁଟିକି ଆସିଲେ ଯଉ କଥା । ଚିଠି ଦବୁ ।’’

 

‘‘ନାଇଁ ବୋଉ, ବୋହୂ ଆଣିବା କଥା ମୋତେ କହିବ ନାହିଁ । ମୁଁ ସେତକ ତମଠଉଁ ମାଗି ନଉଚି । ଗ୍ରୀଷ୍ମଛୁଟିକି ଆସିବି ।’’ ଏହା କହି ନୀଳୁବାବୁ ଦୁହିଁଙ୍କୁ ଜୁହାର ହୋଇ କଟକ ଯାତ୍ରା କଲେ ।

 

ଏଥର ହୃଦୟର ବିରାଟ ଶୂନ୍ୟତା କୁଆଡ଼େ ପଳାଇଗଲା, ଗୋଟାଏ ମଧୁର ଆଲୋକରେ ହୃଦୟଟି ପୂର୍ଣ୍ଣ ବିଧେୌତ ହୋଇଗଲା–ସେଥିରେ ଗୋଟାଏ କୋମଳ ଦୀପ୍ତି, ଗୋଟାଏ ଗୋଲାପୀ ଆମୋଦ, ଗୋଟିଏ ମଧୁର ସ୍ପନ୍ଦନ ଓ ଗୋଟାଏ ଅନନ୍ତ ଭାବରାଜ୍ୟର ଦ୍ୱିଧାହୀନ ମୁଗ୍‌ଧ ଅମିୟ ଆସ୍ୱାଦ ! ପାଇବାଠାରୁ ହରାଇଥିଲେ ସେ ବେଶି, ଦେଇଥିଲେ ବି ଶତଗୁଣ କରି–ତେବେ, ଏ ପୂର୍ଣ୍ଣତା କାହିଁରୁ ଜାତ ହେଲା ? ତେବେ କ’ଣ ପାଇବାଟା କିଛି ନୁହେଁ-ଦେବାଟାହିଁ ସବୁ ! କ’ଣ ଏଡ଼େ ବଡ଼ ! ହୋଇପାରେ !

 

(୩)

 

କଟକ ଆସିବାରୁ ରଙ୍ଗୀର ଆଖି ଖୋଲିଗଲା । ଗ୍ରାମର ନିର୍ଜନ ଓ କର୍ମହୀନ ଜୀବନରେ ମୁକ୍ତ ହରିଣ ଶିଶୁଟି ପରି ସ୍ୱାଧିନ ଭାବରେ ଧାଇଁ ଧାଇଁ ବୁଲୁଥିଲେ ସେ; ବଞ୍ଚିବା ସୁଖରେ ବିଭୋର ହୋଇ, ସନ୍ତୋଷ ସ୍ୱଚ୍ଛନ୍ଦତାରେ ଅନ୍ଧ ହୋଇ, କୌଣସି ଭାବ ଅଭିଯୋଗ ବା ଗୁରୁତର ଦାୟିତ୍ୱ ନ ଥିବାରୁ ନିର୍ବିକାର ଜଡ଼ତାରେ ମାତୃକ୍ରୋଡ଼ସ୍ଥ ଅବୋଧ ପିଲାଟି ପରି ସରଳ ହସ-କାନ୍ଦ ଗଠିତ କ୍ଷୁଦ୍ର ଜୀବନଟି ତା’ର ମସୃଣ ଅବାଧ ଗତିରେ କଟି ଯାଉଥିଲା । ଅଧୁନା ପରିବର୍ତ୍ତନ ଉପରେ ପରିବର୍ତ୍ତନ ଆସି ତା’ର କ୍ଷୁଦ୍ର ନୀଡ଼ଟିକୁ ଛିଦ୍ରମୟ କରି ପକାଇଲା । ଘରୁ ବାହାର ହେବା ପୂର୍ବରୁ ସେହି ଯେ ବିବାହପ୍ରସଙ୍ଗ ହଠାତ୍ ଉଠି, ତା’ ହୃଦୟଟିରେ ଶତ ରଙ୍ଗୀନ ଚିତ୍ର କ୍ଷଣକେ ଆଙ୍କି ପକାଇ, ପରକ୍ଷଣରେ ସମସ୍ତ ପୋଛିପୋଛି ଦେଇ କୁଆଡ଼େ ଉଭାଇ ଯାଇଥିଲା, ସେଇ ତା’ ଜୀବନର ପ୍ରଥମ ସ୍ୱପ୍ନ, ପ୍ରଥମ ମୋହ, ପ୍ରଥମ ବାଧା ଓ ପ୍ରଥମ ଶିକ୍ଷା । ସେହିଦିନଠୁଁ ତା’ମନରେ ଆଶା ଆଶଙ୍କାର ପ୍ରଥମ ସୃଷ୍ଟି, ଭୟ ଭ୍ରାନ୍ତି, ଲଜ୍ଜା ସମ୍ଭ୍ରମ, ଶାନ୍ତି ଅଶାନ୍ତି, ପ୍ରବୃତ୍ତି ନିବୃତ୍ତି–ସମସ୍ତଙ୍କର ଜନ୍ମ ସେହିଦିନ ଠାରୁ, ହୃଦୟର ବାକ୍‌ସ୍ଫୁର୍ତ୍ତି ହେଉଁ ହେଉଁ ହେଉ ନ ଥାଏ, ତୁଣ୍ଡ ଲେଉଟୁଁ ଲେଉଟୁଁ ଲେଉଟୁ ନ ଥାଏ-ତଥାପି କଥାର ଉନ୍ମେଷ ସେହିଦିନଠୁଁ । କି ଭୟଙ୍କର ପରିବର୍ତ୍ତନ । ଅଥଚ ରଙ୍ଗୀ ଲେଶମାତ୍ର ଜାଣିପାରି ନ ଥିଲା କଟକ ଆସିବା ପୂର୍ବରୁ ! କିନ୍ତୁ କଟକ ଆସିବାର ଅଳ୍ପ ଦିନ ଭିତରେ ସେ ଦେଖିଲା, ଜାଣିଲା, ତା’ ଆଖି ଖୋଲିଗଲା, ତୁଣ୍ଡ ଲେଉଟିଗଲା । ତା’ ଅନ୍ତର ବାହାର ମଧ୍ୟରେ ଏହି କେତେ ଦିନରେ ଯେଉଁ ସୂକ୍ଷ୍ମ ପରଦାଟି ଗହବି ଆସିଥିଲା, ସେଟା ଏବେ ତା’ ଆଗରେ ମୁଗ୍‌ଧ ମନୋହର କେତେ ଛାୟାଚିତ୍ର ଧରି ବସିଲା ! ସେ ସାବଧାନରେ ତାକୁ ହୃଦୟର ଆହୂରି ସନ୍ନିକଟକୁ ଟାଣି ବାହାରଠାରୁ ଅତି ନିଭୃତରେ ଅତି ଦୂରରେ, ଅତି ସଂଗୋପନରେ ରଖିବାକୁ ଚାହିଁଲା । ନାରୀ ହୃଦୟର ଭାବରାଜ୍ୟର ସୃଷ୍ଟି ହେଲା । ହୃଦୟ ଉନ୍ମୁକ୍ତ କରିଦେଲେ ଏବେ କଥାରେ ଢେଉ ଖେଳିଯାଇପାରେ । କଥାର ଆଉ ଅଭାବ ନାହିଁ-କିନ୍ତୁ କଥା କୁହା ହେବ ନାହିଁ ! ପ୍ରବୃତ୍ତି ଓ ନିବୃତ୍ତିର ଯୁଗପତ୍‌ ଉନ୍ମେଷରେ ରଙ୍ଗୀନ ନବୀନ ପ୍ରାଣ ପୂର୍ଣ୍ଣ ନାରୀତ୍ୱ ପ୍ରାପ୍ତ ହେଲା । ଏଣେ ବାଜୀକରର ଇନ୍ଦ୍ରଜାଲରେ ବନ୍ୟାପରି ଯୌବନ–ବସନ୍ତର ଢେଉ ରଙ୍ଗୀର ଅଙ୍ଗେ ଅଙ୍ଗେ ଖେଳି ଗଲାଣି । ପ୍ରତି ଅଙ୍ଗରେ ନବୀନ ଜାଗରଣ, ନବୀନ ପୁଲକ, ନବୀନ କାନ୍ତି, ନବୀନ ଜ୍ୟୋତି–ମାୟାହସ୍ତରେ ଯେପରି କିଏ ସମସ୍ତଙ୍କୁ ମଣ୍ଡି ଦେଇଯାଉଛି ! ନବ ବସନ୍ତର ପୁଲକିତ ବିକାଶ ବାହାରେ, ଚିର ବସନ୍ତର ସ୍ନିଗ୍ଧ ମଧୁର ଚିତ୍ତ ଅନ୍ତରରେ ଧାରଣ କରି ପଲ୍ଳବିତା ମୁକୁଳିତା ଲତାଟି କଳ–କଣ୍ଠ ପିକ ଗାୟକର ତାନଲହରୀ ଅପେକ୍ଷାରେ ମୁଗ୍ଧ ଆବେଗରେ ଢଳି ଢଳି ପଡ଼ିଲାଣି ! ତେବେ ଆସ ରସିକରାଜ ! ତୁମର ବେଦୀ, ତୁମର ରାଜ୍ୟ, ତୁମର ପ୍ରଜା ପ୍ରସ୍ତୁତ ! ଏବେ ତାକୁ ଗ୍ରହଣ କରି ସାର୍ଥକ କର !

 

ଆସ ନୀଳୁ–ଏହି ତୁମର ସ୍ଥାନ ଏହିଠାରେ ତୁମେ ରାଜା !

 

ମତୁଆଲା ମଳୟ ବତାସରେ ହୃଦୟର ପୃଷ୍ଠା ଉଡ଼ି ଉଡ଼ି ଲେଉଟି ଲେଉଟି ଯାଉଛି, ଆଉ ପ୍ରତି ପୃଷ୍ଠାରେ, ପ୍ରତି ପ୍ରସ୍ଥରେ ଏ କାହାର ଛବି–ଏ କାହାର ସ୍ୱରୂପ ଅଙ୍କିତ ପ୍ରତିବିମ୍ବିତ ଦେଖୁଛି ରଙ୍ଗୀ ? ନୀଳୁ, ତୁମରି ଏକ ! ପିକବଧୂ ରସାଳମୁକୁଳର ଅନ୍ତରାଳରୁ କାହାର ଆଗମନୀ ଝଙ୍କାରି ତୋଳୁଅଛି ? ଋତୁରାଜ, ତୁମରି ଏକା ନୀଳୁ ! ରଙ୍ଗୀ ନୀଳୁମୟ ପ୍ରାଣ ହୋଇ ନୀରବ ଗାମ୍ଭୀର୍ଯ୍ୟରେ ଦିନତିପାତ କରେ କେବଳ ସନ୍ଧ୍ୟାରେ ନୀଳୁର ଦର୍ଶନ ଲାଭ କରିବ ବୋଲି–ନୀଳୁଙ୍କ କଣ୍ଠର ମଧୁର ଜଳଦ ଧ୍ୱନି ଶୁଣିବ ବୋଲି । ବାଳିକା ଇସ୍କୁଲର ଗାଡ଼ି ତାକୁ ବସାରେ ଛାଡ଼ିଦେଇ ଗଲାବେଳେ ସେ ସଲଜ୍ଜ ଅଧୀର ଚରଣରେ ନୂଆବୋଉଙ୍କ ଘରପାଖ ଦେଇ ନିଜ କ୍ଷୁଦ୍ର ପଢ଼ାଘରଟି ଆଡ଼କୁ ଅଗ୍ରସର ହେଉ ହେଉ ଅତି ପ୍ରତ୍ୟାଶିତ ନୀଳୁଙ୍କ କଣ୍ଠସ୍ୱରଟି ଶୁଣି, ଚମକିତ ଓ ପୁଲକିତ ହୋଇ ଆଉ ସେ ଆଡ଼କୁ ଚାହିଁ ପାରେ ନାହିଁ । ଆକଣ୍ଠ କମ୍ପମାନ ଭାବ–ଆଲୋଡ଼ନ ତା’ର ସେହି କ୍ଷୁଦ୍ର ବା ପଢ଼ାଘରଟିରେ ନେଇ ଅବରୁଦ୍ଧ, ସଂଯତି କରି ରଖେ । ନୀଳୁଙ୍କର ଯାତାୟତ ଦିନକୁ ଦିନ ଯେତେ ବଢ଼ି ଉଠିଲା, ରଙ୍ଗୀର ସୁଖ, ଦୁଃଖ, ଶିକ୍ଷା ପରୀକ୍ଷା ମଧ୍ୟ ସବୁ ସେତିକି ବଢ଼ି ଉଠିଲା । କିନ୍ତୁ ତା’ ହୃଦୟର ଖବର କେହି ନେଲେ ନାହିଁ । ଭାଇ ଇସ୍କୁଲରେ ଭର୍ତ୍ତି କରାଇ ଦେଇଥିଲେ; ଶିକ୍ଷିତ ଓ ମାର୍ଜିତ ହେଲେ ସୁପାତ୍ର ହିସାବରେ ନୀଳୁଙ୍କୁ ଯୋଗ୍ୟ ହେବ ବୋଲି । ସେଥିଯୋଗେ ରଙ୍ଗୀ ପ୍ରାଣପଣ ଚେଷ୍ଟାରେ ପାଠ ପଢ଼ିବାକୁ ଲାଗିଲା । ନୂଆବୋଉ ଏସବୁ ବନ୍ଦୋବସ୍ତ କରାଇ ନୀଳୁଙ୍କୁ କୌଣସି ମତେ ବିବାହରେ ପ୍ରବର୍ତ୍ତାଇବା ପାଇଁ ସଚେଷ୍ଟ ରହିଲେ, ଏକଥା ରଙ୍ଗୀ ତାଙ୍କରି ଠାରୁ ଶୁଣିଥିଲା । ନୂଆବୋଉ ହସି ହସି ତାଙ୍କ ଭାବୀ ନୂଆବୋଉଙ୍କୁ କୋଳ କରି ଗେଲ କଲେ, କିନ୍ତୁ ତା ହୃଦୟର ଘାତ ପ୍ରତିଘାତ ଆଉ ବୁଝିଲେ ନାହିଁ । ବୋଉ ଅପାମାନେ ଅତି ଯତ୍ନରେ ଅତି ସମାରୋହରେ ନୀଳୁକୁ ଆପଣାର କରିବାକୁ ଚାହିଁଲେ, କିନ୍ତୁ ଏହି ଏକାନ୍ତ ଆପଣାର ସାମଗ୍ରୀଟିର ଦଶାପ୍ରତି କେହି ଦୃଷ୍ଟି ଦେଲେ ନାହିଁ । ସେ କେବଳ ଭାଗ୍ୟ ଉପରେ ନିର୍ଭର କରି ସର୍ବତୋଭାବରେ ନିଜକୁ ପ୍ରେମସ୍ରୋତରେ ଭସାଇ ଦେଲା ।

 

ରଙ୍ଗୀର ମନକଥା କେହି ନ ବୁଝିଲେ ମଧ୍ୟ, ବୁଝିବାର ଉପାୟ ବି ନ ଥିଲା, ଯେଉଁମାନେ ଦେଖନ୍ତେ ବୁଝନ୍ତେ, ସେମାନଙ୍କର ସମୟ ବା ସୁବିଧା ନ ଥିଲା । ରଙ୍ଗୀ କିନ୍ତୁ ସମସ୍ତଙ୍କୁ ବୁଝିଲା, ଚିହ୍ନିଲା–ତା’ ପ୍ରେମ ପ୍ରଖର ଦୃଷ୍ଟିକୁ କିଛି ଏଡ଼ିପାରିଲା ନାହିଁ ! ନୀଳୁବାବୁ ତଥା କନକ ଦୁହିଁଙ୍କର ମନକଥା ରଙ୍ଗୀ ସ୍ପଷ୍ଟ ଭାବେ ହୃଦଦୟଙ୍ଗମ କରିପାରିଲା । ସେଥିରୁ ନୀଳୁବାବୁଙ୍କୁ ବିବାହିତ କରାଇବା ପାଇଁ: କନକର ଯେଉଁ ସଂକଳ୍ପ, ତାହାର ମର୍ମ ମଧ୍ୟ ବୁଝିଲା । ନୂଆବୋଉ ପ୍ରତି ଶ୍ରଦ୍ଧାରେ ତା’ ହୃଦୟ ଭରିଗଲା । ନୀଳୁ ଓ କନକଙ୍କ ମଧ୍ୟରେ ଯେ ଗୋଟିଏ ନିଜର ଭାବ–ଯାହା ଦୁହିଁଙ୍କୁ ଏକଯୋଗରେ ଟାଣେ, ଆଉ ପରସ୍ପର ପାଇଁ ଗୋଟାଏ ସହଜ, ସ୍ନିଗ୍ଧ ମଙ୍ଗଳ କାମନା–ଯାହା ଦୁହିଁଙ୍କର ବର୍ତ୍ତମାନ ଏକମାତ୍ର ବନ୍ଧନ ଓ ଅବଲମ୍ବନ, ଏ ଦୁଇଟି ମଧ୍ୟରେ ଅବିଶ୍ୱାସର ସ୍ଥାନ ନାହିଁ, ରଙ୍ଗୀ ଅବିଶ୍ୱାସ କଲାନାହିଁ । ନୀଳୁଙ୍କ ଉପରେ ତା’ର ଅବିଶ୍ୱାସ ମଧ୍ୟ ନାହିଁ । ଅବିଶ୍ୱାସ ବା କାହିଁକି ଥିବ ରଙ୍ଗୀ ତ ଆଉ ତାଙ୍କ ଉପରେ ଜୋର କରି ପ୍ରେମ ଚାପୁ ନାହିଁ । ଛିଃ–

 

କିନ୍ତୁ ଭାଇ (ନିଧିବାବୁ) ଯେ କାହିଁକି ଏ ବିବାହରେ ଲାଗି ପଡ଼ିଛନ୍ତି; ସେଟା ରଙ୍ଗୀ ଆଉ ବୁଝିପାରିଲା ନାହିଁ ! ଭଲ ବରପାତ୍ର ଢେର ମିଳନ୍ତେ–ରଙ୍ଗୀ ପାଇଁ କ’ଣ ଏତେ ଭାବନା ଭାଇଙ୍କର ? ଆଉ ନୀଳୁ ଯଦି ବାହା ନ ହେବେ, ଭାଇଙ୍କର କ’ଣ ଗଲା ! ରଙ୍ଗୀ କୌଣସିମତେ ନିଧିଙ୍କ ମନକଥା ଧରିପାରିଲା ନାହିଁ ! ହାୟ ନବୀନ ପ୍ରେମିକା ! ପ୍ରେମର କର୍ତ୍ତବ୍ୟ କଣ ତୁହି ଏକା ବୁଝୁ, ପ୍ରେମର ଖରତର ଦୃଷ୍ଟି କ’ଣ ତୁହି ଏକା ପାଇଛୁ ? ତୁ କିପରି ନୀଳୁ ଓ କନକଙ୍କ ମର୍ମକଥା ଏତେ ସହଜରେ ବୁଝିନେଲୁ ? ନିଧିଙ୍କର ମଧ୍ୟ ଗୋଟିଏ ହୃଦୟ-ଦେବତା ଥାଇପାରେ, ତାଙ୍କର ମଧ୍ୟ ତୋପରି–ତାଙ୍କରି ବାହାଘର ପାଇଁ ଯେ ଏତେ ଆୟୋଜନ ଚାଲିଛି ଏକଥା ନୀଳୁବାବୁଙ୍କୁ ମଧ୍ୟ ସଂପୂର୍ଣ୍ଣ ଅଜଣା-। ସେ କାହୁଁ ଜାଣିବେ, ଗ୍ରାମରୁ ଆସିଲାବେଳେ ହରିବାବୁଙ୍କ ସଙ୍ଗେ ନିଧିବାବୁ ଷ୍ଟେସନରେ ଦେଖାକରି ସବୁ ହାଲ ବୁଝିଆସିଥିଲେ ବୋଲି ! ନୀଳୁଙ୍କ ଅତୀତ କାହାଣୀ ଓ ବର୍ତ୍ତମାନ ଅବସ୍ଥା ସବୁ ଅବଗତ ହୋଇ ଏଣେ ନିଧିବାବୁଙ୍କୁ ତାଙ୍କ କର୍ତ୍ତବ୍ୟ ସ୍ପଷ୍ଟ ଭାବରେ ଦେଖାଗଲା । ସେ କଟକ ଆସିଲାବେଳୁ ନୀଳୁଙ୍କୁ କୌଣସିମତେ ବିବାହ ବନ୍ଧନରେ ବାନ୍ଧି ପକାଇବାର ଚୂଡ଼ାନ୍ତ ଚେଷ୍ଟା ଲଗାଇ ଦେଲେ । ଏଥିରେ କନକର ପୂର୍ଣ୍ଣ ସାହାଯ୍ୟ ସହାନଭୂତି ପାଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନେ ମନେ ଗୋଟାଏ ଅନୁକ୍ତା (tacit) ବୁଝା ପଢ଼ା ହୋଇଗଲା । ଦୁହେଁ ବିନା ପରାମର୍ଶରେ ବିନା ବିଚାରସାରରେ ଏକ ଉଦ୍ଦେଶ୍ୟସିଦ୍ଧ ପାଇଁ ଲାଗିପଡ଼ିଲେ ।

 

ନୀଳୁ ଏତେ ନିକଟରେ କନକକୁ ପାଇ ଭୀରୁ ହୃଦୟ ନେଇ କ’ଣ କରିବେ, ଏକଥା ଭାବୁଁ ଭାବୁଁ ନିଧିବାବୁଙ୍କର ଡାକ ଉପରେ ଡାକ ଆସିଲା–ହୃଦୟର ଦୁର୍ବଳତା ଫିଙ୍ଗିଦେଇ ନିଧିଙ୍କ ଘରଠାକୁ ଯିବାକୁ ପଡ଼ିଲା । ପ୍ରଥମ ପ୍ରଥମ ବିନା ଡାକରେ ସେ ଯାଆନ୍ତି ନାହିଁ. କିନ୍ତୁ ଥରେ ଦୁଇଥର ଯିବା ଆସିବା ପରେ ତାଙ୍କ ମନ ପରିଷ୍କାର ହୋଇଗଲା । ଜାଣିଲେ, କେଉଁଠାରେ ଦ୍ୱିଧା ବା କ୍ଲେଦ କିଳ୍‌ବିଷ ନାହିଁ । ଯେଉଁଥିପାଇଁ ଲଜ୍ଜା, ସେ ସମ୍ବନ୍ଧ ତ ସେ ମୂଳରୁ ପ୍ରତ୍ୟାଖାନ କରିଛନ୍ତି, ପୁଣି ଏମାନେ ଯେ ତାହା ଉଠାଇବେ, ସେପରି ମଧ୍ୟ ଦେଖାଗଲା ନାହିଁ–ଏବେ ନିର୍ବାଧରେ ଯାତାୟତ କରିବାକୁ ଲାଗିଲେ ।

 

କନକ ସାଙ୍ଗରେ ଆଉ ବିବାହ ପ୍ରସଙ୍ଗରେ କୌଣସି କଥାବାର୍ତ୍ତା ନାହିଁ । ନୀଳୁବାବୁ ଆସିଲେ ଜୋର କରି ଜଳଖିଆ ଖାଆନ୍ତି, ଟିକିଏ ଜଞ୍ଜାଳ କରନ୍ତି, ଅତ୍ୟାଚାର ଉତ୍ପୀଡ଼ନ କରନ୍ତି ପୁଣି ଚାଲିଯାନ୍ତି । ନିଧିବାବୁଙ୍କ ସଙ୍ଗରେ ଅଧିକ ସମୟ କଥାବାର୍ତ୍ତା ହୁଏ । ଦୁହିଁଙ୍କ ଭିତରେ ଅଜଣାରେ ଗୋଟାଏ ସୌହାର୍ଦ ସ୍ଥାପିତ ହୋଇଗଲାଣି । ମନ ଖୋଲାଖୋଲି ହେବାର ଏଡ଼େ ପ୍ରତିବନ୍ଧକ–କନକ ନିଜେ ଥିଲେ ସୁଦ୍ଧା, ନୀଳୁଙ୍କ ସ୍ୱଚ୍ଛ ହୃଦୟର ସମସ୍ତ ରହସ୍ୟ ନିଧିବାବୁ ସହଜରେ ବାହାର କରିନେଇସାରିଲେଣି । ନିଧିଙ୍କ ଦୃଷ୍ଟିରେ ନୀଳୁ ନିହାତି ପିଲା–ଇସ୍କୁଲରେ ସେ ଯେପରି ପିଲାମାନଙ୍କର ସରଳ ହୃଦୟ ମନର ଶିକ୍ଷା ଭାର ପାଇଛନ୍ତି–ସେହିପରି ସରଳ ଏ ବୃଦ୍ଧି ପିଲାଟିର ମନ, ସେହିପରି ସ୍ୱଚ୍ଛ ନିର୍ମଳ ୟାର ହୃଦୟ ! ନୀଳୁବାବୁ ମଧ୍ୟ ନିଧିକୁ ପ୍ରଶଂସା ନେତ୍ରରେ ନ ଦେଖି ରହିପାରନ୍ତି ନାହିଁ । ତାଙ୍କର ସ୍ଥିର ଗମ୍ଭୀର ଭାବ, ସଂଯତ ବ୍ୟବହାର, ସୂକ୍ଷ୍ମ ଦୃଷ୍ଟି ଓ ମାର୍ଜିତ ଧାରଣା, ତଥା କୋମଳ ହୃଦୟର ବହୁଳ ପରିଚୟ, ସବୁ ନୀଳୁଙ୍କ ମନରେ ଅତି ଉଚ୍ଚ ଆସନ ଧାରଣ କରିସାରିଲାଣି । ସମୟ ସମୟରେ ନୀଳୁଙ୍କ ମନରେ ଯଦି ଭୟ ହୁଏ ଯେ, ନିଧି କ’ଣ ଭାବୁଥିବେ ଅବା ତାଙ୍କର କନକର ସମ୍ବନ୍ଧ ବିଷୟରେ-ନିଜ ମନରେ କିଛି ନଥିଲେ ମଧ୍ୟ, ସ୍ୱଚ୍ଛ ନିଷ୍ପାପମନା ଲୋକ ମଧ୍ୟ ଆମ ଏ ସମାଜରେ ସମୟ ସମୟରେ ଏପରି ଆଶଙ୍କା କରିବାକୁ ବାଧ୍ୟ–ତେବେ, ନିଧିଙ୍କ ଶିଶୁପ୍ରାୟ ସରଳ ହସରେ ସେ ଭୟ କୁଆଡ଼େ ଉଡ଼ି ପଳାଏ ଓ ନୀଳୁଙ୍କୁ ନିଜେ ଲଜ୍ଜିତ, ବ୍ୟଥିତ ହେବାକୁ ପଡ଼େ !

 

ଏଣେ ନିଧିବୋଉ ଓ ଗଉରୀ ଇତ୍ୟାଦି ସମସ୍ତଙ୍କ ଆଦର, ଆରାଧନାରେ ଓ କନକର ଅଝଟପଣ, ରୁଷା, ଅଭିମାନ ଇତ୍ୟାଦିରେ ନୀଳୁ ଦ୍ୱିଗୁଣ ଉତ୍ସାହିତ ହୋଇ ଉଠିଲେ–ଦିନମାନରେ ପ୍ରାୟ ଦୁଇ ତିନି ଘଣ୍ଟା ୟାଙ୍କ ବସାରେ କଟାଇବାକୁ ଲାଗିଲେ । କଲେଜରେ ଘଣ୍ଟାଏ ଘଣ୍ଟାଏ କ୍ଳାସ ନ ଥିଲେ ଧାଇଁଲେ କନକ ପାଖକୁ–ବସା ନିକଟ । ନିଧିବୋଉ, ଗଉରୀ ପ୍ରଭୃତି ସମସ୍ତେ ପ୍ରାୟ ସ୍ଥିର ବିଶ୍ୱାସ କରିନେଲେ ଯେ, ନୀଳୁର ରଙ୍ଗୀର ବାହାଘର ନିଶ୍ଚୟ ହେବ । ମନେ ମନେ ସ୍ଥିର ରଖିଲେ, ଆସନ୍ତା ମାଘ ଫଗୁଣକୁ ନିଶ୍ଚୟ କରିବାକୁ ହେବ ।

 

ଏହିପରି ସମୟରେ ନିଧିବୋଉ ଧରିବସିଲେ ସେ ଗଉରୀ ସାଙ୍ଗରେ ଥରେ ଯାଇ ପୁରୀ ବୁଲିଆସିବେ ଓ ଗଉରୀର ଘରଦୁଆର ଗୋଟାଏ କିଛି ବନ୍ଦୋବସ୍ତ କରିଦେଇ ଆସିବେ । ରଙ୍ଗୀ ତ ଅଛି–ବୋହୂ ପାଖରେ ରହିବ । ଏମାନେ ମାସେ ଖଣ୍ଡେ ରହି ଫେରିଆସିବେ । ନିଧିବାବୁ ମଙ୍ଗୁ ନଥିଲେ, ରଥଯାତ୍ରା ସମୟ, କେହି ପୁରୁଷ ଲୋକ ନାହାନ୍ତି ବୋଲି ! କିନ୍ତୁ ରଥ ଦେଖିବାକୁ ଯେ ବୁଢ଼ୀର ଏତେ ଆଗ୍ରହ ! ଗଉରୀ ପୁଣି ଅଭୟ ଦେଇ କହିଲା ଯେ, ସେଠାରେ ଯେଉଁ ଘର, ସେଟା ସହର ବାହାରେ ପ୍ରାୟ–ସ୍ୱର୍ଗ ଦୁଆର ଆଡ଼କୁ, ତା’ର ମଧ୍ୟ ଲୋକବାକ ଅଛନ୍ତି; କୌଣସି ଅସୁବିଧା ହେବ ନାହିଁ । ନିଧିବାବୁ ରଥ ଛୁଟିରେ ନିଜେ ପୁରୀ ଯିବେ ଏଇୟା ମନେ ମନେ ସ୍ଥିର କରି, ଗାଁରୁ ଯେଉଁ ଦାସୀଟି ଆସିଥିଲା ତାରି ସାଙ୍ଗରେ ଦୁହିଁଙ୍କୁ ନେଇ ପୁରୀରେ ଛାଡ଼ିଦେଇ ଆସିଲେ ।

 

ଗଲାବେଳେ ବୁଢ଼ୀ କନକକୁ ଡାକି ପୁଣି ଥରେ ରଙ୍ଗୀକୁ ତା’ ହାତରେ ସଅଁପି ଦେଲେ ଓ କହିଲେ, ‘‘ଝିଅ, ଏବେ ସେ ପୁଅଟିକୁ ସଫା କରି ପଚାର–ଯାହା ହବାର ଗୋଟାଏ କଥା ଛିଣ୍ଡି ଯାଉ-। ସତେ ଜଗନ୍ନାଥ କରିବେ, ସେ ମଙ୍ଗିବ ! କେଜାଣି–କନକ ରଙ୍ଗୀକୁ ଗୋଟିଏ ପାଖକୁ ଭିଡ଼ି ଆଣି କହିଲା, କୁହ ‘‘ସେ କଥା ମୁଁ ବୁଝିମି !’’ ରଙ୍ଗୀ ନ କହେ ! ଏଟା ଯେ ତାରି ବର ବିଷୟର କଥା-! ସବୁଦିନେ ବୋଉ ନୂଆବୋଉଙ୍କର ମଧ୍ୟରେ କଥାବାର୍ତ୍ତା ହେଲେ ସେ ବା ଗଉରୀ ବା ଦାସୀଟିଏ ନୂଆବୋଉଙ୍କଠାରୁ କଥାନେଇ ବୋଉକୁ କହନ୍ତି । ରଙ୍ଗୀ ଉପରେ ଏସବୁ ଚପଟ ବେଶି କରି ପଡ଼ୁଥିଲେ ସୁଦ୍ଧା, ସେ ଆଜି କଥାରେ କିପରି ମୁହଁ ଘେନି ତା’ କାର୍ଯ୍ୟ କରିପାରିବ ! ଶେଷରେ କହିଲା, ଓଃ’’ ତମର ବୁଝୁଥା, ମୁଁ ସେ ସବୁ କହିପାରେନା–ଯାଃ’’ ସ୍ୟାଡ଼ୁ ଗଉରୀ ଆସି କଥା’’ କ’ଣ-? ‘‘ବୋଲି ପଚାରିବାରୁ, କନକ ଚୁପ୍ କରି କହିଲା–ରଙ୍ଗୀ ମଧ୍ୟ ଶୁଣିପାରିବ । ଏହିପରି ଭାବରେ–କ’ଣ କି ଅପା, ମୋ ନୂଆବୋଉକୁ ମୁଁ କହିଲି–ବୋଉଙ୍କୁ କହ, ସେ କିଛି ଚିନ୍ତା କରିବେ ନାହିଁ । ତାଙ୍କ (ରଙ୍ଗୀର) ବରକଥା ମୁଁ ବୁଝିମି । ‘‘ଓଃ’’, ସେଇଠୁ ତାଙ୍କୁ ନାକ ଗନ୍ଧେଇଲା–ସେ ଆଉ କହିଲେ ନାହିଁ !’’ ଓଃ, ‘‘ବାହା ହେବନାହିଁ ପରା, କିଛି ଜାଣେ ନାହିଁ, ଯା ଯାଃ !’’

 

ରଙ୍ଗୀ ପ୍ରକୃତରେ ରାଗିଯାଇ ଗଉରୀ ଆଡ଼କୁ ଛଳଛଳ ନୟନରେ ଚାହିଁଲା, କିଛି କହିପାରିଲାନାହିଁ । ନିଧିବୋଉ ତାକୁ ପାଖକୁ ଟାଣିନେଇ କହିଲେ,’’ ପିଲାଟି ସାଙ୍ଗରେ କେତେ ଲାଗିଛ ଲୋ ତମେ ସବୁ ! ସେ କେମିତି ତା’ ବରକଥା ମୁହଁରେ ଧରିବ, କହିଲ ମଲା ! ନା, ରଙ୍ଗୀର ଆମର ଢ଼େର ବୁଦ୍ଧି’’ ? ରଙ୍ଗୀ ମନରେ କି ଅଭିମାନ, କି ଦୁଃଖ ହେଲା, ସେ କଇଁ କଇଁ କାନ୍ଦି ପକାଇଲା । ସେ ଆଉ ତ ପିଲାଟିଏ ନୁହେଁ–ସେ ସମସ୍ତଙ୍କ ପରି, ବରଂ କାହାରି ଠାରୁ ମଧ୍ୟ ବେଶି, ବୁଝିସୁଝି ପାରିଲାଣି । ତେବେ ସମସ୍ତେ ତାକୁ ଏପରି ଅନସ୍ଥା ହିନସ୍ଥା କରୁଛନ୍ତି କାହିଁକି ? ଯେଉଁ ବିଷୟରେ କଥା କହିବାର ସମସ୍ତଙ୍କ ଠାରୁ ତା’ର ଅଧିକ ଦାବି, ସେ ବିଷୟରେ ତ ସେ ପାଟି ଫିଟାଇପାରିବ ନାହିଁ, ପୁଣି ସେଇ ବିଷୟରେ ସମସ୍ତେ ତାକୁ ଥଟ୍ଟା କରିବେ, ତୁଟି କରି କହିବେ–ତା’ର କ’ଣ ମନ ନାହିଁ ତାକୁ କ’ଣ ବାଧେ ନାହିଁ । ସବୁଠାରୁ ଅଧିକ ବାଧିଲା ତାକୁ ଆଜି ବୋଉର ସାନ୍ତ୍ୱନା । ସେ କ’ଣ ଏତେ ଅବୋଧ ଶିଶୁଟିଏ ! ଇତି ପୂର୍ବରୁ ନୀଳୁବାବୁଙ୍କ ଅନିଚ୍ଛା ଥିବାର ଜାଣିଲା ବେଳକୁ ତା’ ଆତ୍ମ ସମ୍ମାନରେ ବଡ଼ ଗୋଟାଏ ଧକ୍‌କା ଲାଗିସାରିଥିଲା । କଟକରେ ଏହି କେତେ ମାସ ଭିତରେ ନୀଳୁଙ୍କୁ ସେ ଅଧିକରୁ ଅଧିକ ଚାହିଁଲେ ସୁଦ୍ଧା ତାଙ୍କୁ ନେଇ ତାଙ୍କ ଅଜ୍ଞାତରେ ଭାଇ ଭାଉଜ, ବୋଉ ଅପାମାନେ ଯେଉଁ ଖେଳ ଖେଳୁଛନ୍ତି, ସେଟା ତାଙ୍କୁ ଅଧିକ ବାଧିଛି । ସେଥିଯୋଗେ ଗୋଟାଏ ନ୍ୟୁନତା, ଗୋଟାଏ କ୍ଷୁଦ୍ରତା ଅନେକ ସମୟରେ ଉପଲବ୍ଧି କରି ସେ ମର୍ମେ ମର୍ମେ ଲଜ୍ଜିତ ହୋଇ ପ୍ରକୃତରେ ମୃତ୍ୟୁ କାମନା କରିଛି ! ଆଜି ଏହି କ୍ଷୁଦ୍ର ଘଟନାରେ ତା’ର ରୁଦ୍ଧ ଭାବରାଶି ଉଦ୍‌ବେଳିତ ହୋଇଉଠିଲା । କଥାରେ ତାହା ପ୍ରକାଶ କରିବାର ସାଧ୍ୟ ତ ନାହିଁ, ସେଥିଯାଗେ ସେ ଉଚ୍ଛ୍ୱସିତ ହୋଇ ବୋଉ କୋଳରେ ମୁହଁ ଗୁଞ୍ଜି ବିନା ଆଡ଼ମ୍ବରରେ କାନ୍ଦିଲା ଓ ଏତକି ମାତ୍ର କହିଲା, ‘‘ମୁଁ ବା’ ହେମି ନାହିଁ, ମୋର ଦରକାର ନାହିଁ !’’ ନା, ନା, ତୁ ବାହା ହବୁ ନାହିଁ–ନାଃ, ତୋର ଗରଜ ?’’ ଏହା କହି ବୁଢ଼ୀ ତାକୁ ବୁଝାଇବାକୁ ଲାଗିଲେ ସେହି ପିଲାପରି–ଅଝଟ ଧରି ବସିଲେ ସବୁଦିନେ ସେ ଯେପରି ତାକୁ ପ୍ରଶୟ ଦେଇ ତାହାରି କଥାରେ ମଙ୍ଗି ଯାଆନ୍ତି–ଆଜି ମଧ୍ୟ ସେହିପରି ! ରଙ୍ଗୀର ଗରଜ ରଙ୍ଗୀ ଜାଣେ ! ଗଉରୀ ବନ୍ଧାଛନ୍ଦାରେ ବ୍ୟସ୍ତ ଥିଲା, ‘‘କିଏ ପାରିବ !’’ ବୋଲି କହି ମୁହଁ ମୋଡ଼ିଦେଇ ଚାଲିଗଲା । କନକ ରଙ୍ଗୀ ପାଖକୁ ଆସି କିଛି ବିସ୍ମିତ ହୋଇ, ତା’ ହାତଟି ଧରି ତା ମୁହଁକୁ ବୁଲାଇବାକୁ ଚେଷ୍ଟା କଲା, କିନ୍ତୁ ରଙ୍ଗୀ କୌଣସି ମତେ ମୁହଁ ବୁଲାଇଲା ନାହିଁ–ଦ୍ୱିଗୁଣ ବେଗରେ କାନ୍ଦିବାକୁ ଲାଗିଲା ! ଶେଷରେ ଅତି କଷ୍ଟରେ ରଙ୍ଗୀ ଯେତେବେଳେ ତୁନି ହେଲା, କନକ ଓଢ଼ଣାଫାଙ୍କରୁ ଥରକୁ ଥର ତା’ ମୁହଁକୁ ଚାହିଁବାକୁ ଲାଗିଲା । ଆଶା–ଏଥର ରଙ୍ଗୀ ଟିକିଏ ହେଲେ ହସିଦେବ ! କିନ୍ତୁ କାହିଁ, ଦୁଇ ତିନିଥର ଆଖି ଆଖି ମିଳିତ ହେଲେ ସୁଦ୍ଧା ରଙ୍ଗୀ ତ ହସିଲା ନାହିଁ ବରଂ ଅଧିକ ଗମ୍ଭୀର ହୋଇଗଲା । ଏପରି ତ ରଙ୍ଗୀ କେବେ ରାଗେ ନାହିଁ । ରାଗିଲେ କାନ୍ଦେ, ତୁନି ହେଲା ମାତ୍ରକେ ପୁଣି ନିଜେ ନିଜେ ହସିପକାଏ ! ଇୟେ କ’ଣ ! ୟା ଭିତରେ କ’ଣ କଥା ଅଛି ନିଶ୍ଚୟ ! ତା’ର ନିଜ ପିଲାଦିନ କଥା ମନେପଡ଼ିଲା । ହଠାତ୍, ତା’ର ସ୍ମରଣ ହେଲା–ସେ ବି ତ ଏହିପରି ଦିନେ କାନ୍ଦୁଥିଲା, କିନ୍ତୁ ଗୋପନରେ ! ତେବେ କ’ଣ ତା’ ନିଜ କଥା ଓ ରଙ୍ଗୀ କଥାରେ କିଛି ହେଲେ ସାମଞ୍ଜସ୍ୟ ଅଛି ?

 

(୫)

 

ତିନି ଚାରିଦିନ ପର କଥା । ସେହି ତିନିଚାରି ଦିନଯାକ ରଙ୍ଗୀ ଏକା ଏକା କଟାଇଛି । ନୂଆବୋଉଙ୍କ ସାଙ୍ଗରେ ନିହାତି ଆବଶ୍ୟକ ଛଡ଼ା କଥାଭାଷା ହୋଇ ନାହିଁ; ପ୍ରତ୍ୟୁତ ପଢ଼ାରେ ଲାଗିଛି; କିନ୍ତୁ ବାସ୍ତବରେ ପଢ଼ ନାଁ ବି ଧରୁନାହିଁ–ବହିଟା ଆଗରେ ଖୋଲା ହୋଇ ପଡ଼ିଥାଏ, ଏହି ମାତ୍ର–ସେ ଦିନ ରଙ୍ଗୀ ଉପରଓଳି ଇସ୍କୁଲରୁ ଫେରି ଦେଖିଲା-ନୂଆବୋଉ ଘରେ ନାହାନ୍ତି, ଭାଇ ବି ଆସି ନୂଆବୋଉଙ୍କୁ ତାଙ୍କ ଘରଆଡ଼େ ନେଇଯାଇଛନ୍ତି । ପଢ଼ାଘରେ ବହିପତ୍ର ଫୋପାଡ଼ି ଦେଇ, ଯାଇ ନୂଆବୋଉଙ୍କ ଘର ଝରକା ପାଖରେ ଛିଡ଼ାହୋଇ ସେ ଘୋର ଚିନ୍ତାରେ ମଗ୍ନ ହୋଇଗଲା । କେତେବେଳ ଯାଏଁ ସେ ସେଠାରେ ସେହିପରି ଭାବରେ ଛିଡ଼ା ହୋଇ ରହିଛି, ତାକୁ ମାଲୁମ ନାହିଁ–ହଠାତ୍ କାହାର ଗୋଟିଏ ସୁପରିଚିତ କଣ୍ଠସ୍ୱର ସେ ଦ୍ୱାର ପାଖରୁ ଆସି ତା’ ଚିନ୍ତାସ୍ରୋତ ଭାଙ୍ଗି ଦେଲା । ସେ କୁଆଡ଼େ ଯିବ କିଛି ଠିକ୍ କରିପାରିବା ପୂର୍ବରୁ ନୀଳୁବାବୁ ‘‘କିଲୋ କୁଆଡ଼େ ପଶିଛୁ କି କଙ୍କି ?’’ ବୋଲି କହି ସେ ଘରେ ପ୍ରବେଶ କଲେ । ରଙ୍ଗୀ ଯେଉଁପରି ଝରକା ବାଡ଼କୁ ଧରି ଭିତର ଆଡ଼କୁ ପଛ କରି ଛିଡ଼ା ହୋଇଥିଲା, ସେହିପରି ରହିଗଲା–ହଲଚଲ ହେବାକୁ ମଧ୍ୟ ତା’ର ସାମର୍ଥ୍ୟ ହେଲା ନାହିଁ । କେବଳ ଝରକାରେ କବାଟ ଫାଳକ ସନ୍ଧିରେ ଲୁଚିବାର ସେ ବୃଥା ଚେଷ୍ଟା କଲା । ମାତ୍ର ସେତେବେଳକୁ ଘର ଭିତରେ ଟିକିଏ ଅନ୍ଧାରିଆ ହୋଇଗଲାଣି । ନୀଳୁବାବୁ ଘର ଭିତରକୁ ପଶିଆସି କହିଲେ, ‘‘କି ଲୋ, ଆଜି କ’ଣ ହୋଇଛି କି ?’’ କିଛି ଉତ୍ତର ପାଇଲେ ନାହିଁ । କ୍ରମେ ନିକଟବର୍ତ୍ତି ହୋଇ ପୁଣି କହିଲେ, ‘‘କି ଲୋ–କଥା କଣ ମ ?’’ ରଙ୍ଗୀ ହଠାତ୍ ମୁହଁ ବୁଲାଇ ନିଲୁଙ୍କୁ ସଫା ଅନାଇଲା । ତା’ ଆଖିରେ ଲଜ୍ଜା ବା ଭୟର ଚିହ୍ନ ଲେଶମାତ୍ର ନାହିଁ, ମୁହଁ ତା’ର ଅନ୍ୟ ଅନେକ ଭାବରେ ରଙ୍ଗଭୂମି–ତହିଁରେ ଗୋଟିଏ ଘୋର ଯୁଦ୍ଧର ଆଭାସ ମଧ୍ୟ ଅଛି, ଆଖିରେ ଲୁହ ଟଳ ଟଳ କରୁଛି । ନୀଳୁଙ୍କ ଆଡ଼କୁ ନିମିଷକ ପାଇଁ ସ୍ଥିର ଦୃଷ୍ଟିରେ ଚାହିଁ ରଙ୍ଗୀ ଧିରେ ଧିରେ ସେଠାରୁ ବାହାରି ଯିବାକୁ ଉଦ୍ୟତ ହେଲା । ନୀଳୁବାବୁ ଏଣେ ଥକ୍‌କା ହୋଇ ରହିଯାଇଥିଲେ । କହିଲେ, ‘‘ଓଃ, ଇୟେ ରଙ୍ଗୀ ପରା ! ମଲା, ମଲା, କି, ଏତେ ନାଜ କାହିଁକି ମ ? ଇୟେ କ’ଣ–ଇୟେ କାନ୍ଦୁଛି କାହିଁକି ?’’ ସେତେବେଳକୁ ରଙ୍ଗୀ ଦୁଆର ପାଖରେ ହେଲାଣି । ସେ ଆଉ ଥରୁଟିଏ ମୁହଁ ବୁଲାଇ, ନୀଳୁଙ୍କୁ ପୂର୍ଣ୍ଣ ଦୃଷ୍ଟି ଦେଇ ଦ୍ୱାର ପାରି ହୋଇଗଲା । ଦ୍ୱାର ସେପଟରୁ କମ୍ପମାନ ନିମ୍ନ ସ୍ୱରରେ କେବଳ ଏତିକି ମାତ୍ର କହିଲା ‘‘ନାଜ ନାହିଁ ! ଛି !’’ ଏହା କହିଲା ମାତ୍ରକେ ତା’ ଗୋଡ଼ ହାତରେ ଶହେଗୁଣ ବଳ ଆସିଗଲା ଓ ସେ ପ୍ରାଣ ପଣେ ଦଉଡ଼ି ପଳାଇ ଗଲା । ତା’ ହୃଦୟରୁ ଯେଉଁ କୋହ ଉଠୁଥିଲା, ତାକୁ କୌଣସି ମତେ ସେ ଦମନ କରିପାରିଲାନାହିଁ । ଏ ଘର ସେ ଘର, ୟାଡ଼େ ସ୍ୟାଡ଼େ ବୁଲି ବୁଲି ଦୈହିକ ପରିଶ୍ରମରେ ସେ ପ୍ରାଣ ସଞ୍ଚିତ ଆବେଗ ବ୍ୟୟ କରି ପକାଇବାକୁ ଚାହିଁଲା, କିନ୍ତୁ କାହିଁରେ କିଛି ଫଳ ହେଲା ନାହିଁ । ଏହିପରି ସମୟରେ ହେଡ଼ମାଷ୍ଟରଙ୍କ ସାନ ଝିଅ ଟେମ୍ପୀ ସଙ୍ଗରେ ନୂଆବୋଉ ଆସି ପହଞ୍ଚିଗଲେ । ଟେମ୍ପୀ ତାଙ୍କୁ ଛାଡ଼ି ଦେଇ ଚାଲିଗଲା-। ରଙ୍ଗୀ ଦେଖିଲା ନୂଆବୋଉଙ୍କର ଅପୂର୍ବ ବେଶ–ଓଲଟା ବାଗେ ଲୁଗା ପିନ୍ଧା ହୋଇଛି, କାନ୍ଧ ପାଖେ ସେପ୍‌ଟିପିନ୍ ମରା ହୋଇଛି–ଠିକ୍ ବଙ୍ଗାଳୁଣୀଙ୍କପରି । ନିଧିବାବୁ ଏପରି ବେଶରେ ଆଦୌ ପକ୍ଷପାତୀ ନୁହଁନ୍ତି ସେ ଏତକ ମନେ ମନେ ଭାବୁଁ ଭାବୁଁ କନକ ହସି ହସି ଆସି ତାକୁ ଧରି ଟାଣି ଟାଣି ନେଇ ଯାଉଁ ଯାଉଁ କହିଲା, ଚାଲିଲ, ଚାଲିଲ ନୂଆବୋଉ ଏଗୁରା ଟିକିଏ ଖୋଲିଖାଲି ଦବ, ଚାଲିଲ । ଭଲା ବଙ୍ଗାଳୀଘରର ଝିଅ ଗୁରାକ ଦେଖିଲଣି, କ’ଣ କରିଛନ୍ତି ! ଛି, ଛି, ମତେ ଯେଉଁ ଅଡ଼ୁଆ ନାଗୁଛି । ନୂଆ ପିନ୍ଧିଛି କି ନାଇଁ ମତେ ଜଣାପଡ଼ୁନାହିଁ ପରା । ତମ ଭାଇ ସାଆନ୍ତ ଆସିଲେ ପୁଣି ଟାଉଳି କରିବେ–’’ ଏହା କହି ନିଜ ଘର ଆଡ଼କୁ ଚାଲିଲା । ରଙ୍ଗୀ ଜାଣେ, ସେ ଘରେ ନୀଳୁ ଅଛି; ଅଥଚ ସଂକୋଚ ହେତୁରୁ କେଜାଣି ସେ କଥା ସେ କହିପାରୁନାହିଁ, ୟାଡ଼େ ନ ଯିବାର କାରଣ ଅନ୍ୟ ମଧ୍ୟ ଦେଖାଇ ନ ପାରି ପଛକୁ ଟାଣି ହେଉଛି-ଗୋଡ଼ ତା’ର ଚଳୁ ନାହିଁ ! ନ ଜାଣିଲା ପରି ସେଠାକୁ ଗଲେ ମଧ୍ୟ, ନୀଳୁ ବୁଦ୍ଧିମାନ–କ’ଣ ପୁଣି ପଚାରିବ କି କବୁଲେଇବ । ତା’ ଆଗରେ ତ ଆଉ ସେ ଛିଡ଼ା ହୋଇପାରିବ ନାହିଁ, କି କଥା ଶୁଣିପାରିବ ନାହିଁ ! କନକ ଘରଟି ଯେତେ ନିକଟ ହେବାକୁ ଲାଗିଲା, ରଙ୍ଗୀ ତେତିକି ପଛକୁ ପଛକୁ ଭିଡ଼ିବାକୁ ଲାଗିଲା । ସେ ଅନ୍ତରେ ଅନ୍ତରେ ସ୍ଥିର ବୁଝିଲା–ନାଃ, ସେ ଘରକୁ ତା’ର ଯିବା ହେବ ନାହିଁ । କନକ ତା’ ମନ୍ଦ ମନ୍ଦ ଭାବ ଦେଖି ପଚାରିଲା, ‘‘କିଗୋ, ଇମିତି କାହିଁକି ହଉଚି କି । ମଲା, ମୁହଁଟା ତ କାହିଁକି କଳା କାଠ ପଡ଼ିଗଲାଣି ! ଇୟେ କଣମ ? କାନ୍ଦୁଥିଲ କି ?’’ ରଙ୍ଗୀ ଭୋ କରି କାନ୍ଦି ଉଠି କୌଣସିମତେ କହିଲା, ‘‘ନାଇଁ, ନୂଆ’ଉ-ମୁଁ ସେ ଘରକୁ ଯିବି ନାହିଁ ।’’ ଏହା କହି ସେ ଫେରିଲା । କନକ ଆଉ ଯେତେ ଯାହା ପଚାରିଲା, ଯେତେ ଓଟରା ଝିଙ୍କା କଲା–ରଙ୍ଗୀ ଆଉ ନଶୁଣିଲା ! କନକ ଭାବିଲା ତା’ ଘରେ ନିଧିବାବୁ ଅବା ଥିବେ କିନ୍ତୁ କାନ୍ଦିବାର କାରଣ କ’ଣ ? ଗାଳି ମନ୍ଦ ଖାଇଥିବ ଅବା ! କହିଲା, ସେ ଘରେ ତମ ଭାଇ ଅଛନ୍ତି କି ?’’ ରଙ୍ଗୀ କିଛି କ୍ଷଣ କିଛି କହିଲା ନାହିଁ । କନକ ଭାବିଲା–ସେଇୟା ତ; କହିଲା, ‘‘ସେଇ କଥା କହୁନାହିଁ କାହିଁକି–କ’ଣ ଅଛି ଗାଳି ମନ୍ଦ କଲେ କି ?’’ ରଙ୍ଗୀ ଲୁହ ପୋଛି ପୋଛି ସାରିଥିଲା, କିପରି ଗୋଟାଏ ଦୁଷ୍ଟ ହସ ହସି କହିଲା, ‘‘ମୋ ଭାଇ ସେ ଘରେ ନାହିଁ ଯେ, ତମରି ଭାଇ ଅଛନ୍ତି । ନାଜ ନାହିଁ ସେଟାକୁ ଅଲାଜୁକ ଧିଟୁଟା–ସେଟା କାହିଁକି ଏଠିକି ଆସେ–ନିର୍ଲଜ୍ଜ ବେହିଆଟା ।’’ ସେ ଘରେ ନୀଳୁ ଭାଇ ଅଛି ଶୁଣି ଓ ରଙ୍ଗୀକୁ ଟିକିଏ ହସିବାର ଦେଖି କଥାଟା ଗୁରୁତର ନୁହେଁ ଭାବି କନକ ଯଥେଷ୍ଟ ଆଶ୍ୱସ୍ତ ହୋଇଥିଲା, କିନ୍ତୁ ଇୟେ କ’ଣ ରଙ୍ଗୀ, ସତକୁ ସତ ନୀଳୁ ଭାଇକୁ ଗାଳିଦେଲା ପରି ତ ବୋଧ ହେଉଛି–ଇୟେ ତ ଗେଲ ପରି ଜଣାଯାଉନାହିଁ ! କହିଲା, ‘‘କି ଗୋ ମୋ ଭାଇଙ୍କି ତେମେ ମୋ ଭାଇଙ୍କି ତେମେ କାହିଁକି ଏତେ ଗାଳିଦେଉଚ ! ମୋ ଭାଇ ତମର କ’ଣ କଲା କି !’’ ‘‘ସେଟା ମୋର କିଏ କି–ନିଆଁ ନା, ଚୁଲି ନା, ଗାତ ନା, କିଏ ! ମୋର ସେଟା କ’ଣ କରିବ ! ମରୁ ନେଇ ସେଟା–ମଲେ ମୋରି ଦକା ଯାଆନ୍ତା ପରା !’’ ଏହା ଅତି ତୀକ୍ଷ୍ମଣ ଭାବରେ କହି ରଙ୍ଗୀ ନିଜେ କାନ୍ଥରେ ମୁଣ୍ଡ ବାଡ଼େଇବାକୁ ଲାଗିଲା । କନକ ତ ତାଟଙ୍ଗା ! ନୀଳୁବାବୁ କନକ ପାଟି ଶୁଣି ବାହାରି ଆସି ଏ ଦୃଶ୍ୟ ଦେଖି କହିଲେ, ‘‘ଇୟେ କ’ଣ ହଉଚି ମ ? କଥା କ’ଣ ?’’ ରଙ୍ଗୀ ଶାନ୍ତ ହୋଇଗଲା, କିନ୍ତୁ କି ଗୋଟାଏ ଦୃପ୍ତ ତେଜରେ ନୀଳୁଙ୍କ ଆଡ଼କୁ ତୀବ୍ର କଟାକ୍ଷ ଦେଇ କହିଲା, ‘‘ଆପଣ ବୁଝିପାରିବେ ନାହିଁ–ଚାଲିଯାଆନ୍ତୁ ଏଠୁଁ !’’ କନକ ଭେଳକା ମାରିଲାପରି ହୋଇ ସେଠାରେ ଚୁପ୍ କରି ଛିଡ଼ା ହୋଇଥାଏ । ନୀଳୁ ବି ବିସ୍ମିତ ହୋଇଗଲେ, କିନ୍ତୁ ଟିକିଏ ମୁରବୀ ପଣିଆ କରି କହିଲେ, ‘‘ମଲା, ପାଠ ପଢ଼ି ପଢ଼ି ଏଟାର ମୁଣ୍ଡ ଖରାପ ହୋଇଗଲାଣି ରେ–ଯାଃ !’’ ଆହୁରି କ୍ରୁଦ୍ଧ ସ୍ଥିର ଗମ୍ଭୀର ସ୍ୱରରେ ରଙ୍ଗୀ କହିଲା, ତମରି ପରି, ନୁହେଁ ? ମୁଁ କହି ଦଉଚି, ତମେ ଏଇ ଲାଗେ ଏଠଉଁ ଯିବତ ଯା, ନ ହେଲେ ମୁଁ ବିଷ ଖାଇ ମରିବି–ବୁଡ଼ି ମରିବି; ନ ହେଲେ–’’ କନକ ଧାଇଁ ଆସି ଧରୁ ଧରୁ ରଙ୍ଗୀ ହଠାତ୍ ମୂର୍ଚ୍ଛିତ ହୋଇ ତଳେ ସଜୋରେ ପଡ଼ିଗଲା ! ନୀଳୁବାବୁ ତା’ ଅବସ୍ଥା ଦେଖି ମନେ ମନେ ଭୀତ ହୋଇ ‘‘ନିଧିବାବୁ, ନିଧିବାବୁ’’ ବୋଲି ଡକା ଛାଡ଼ିଲେ । ସ୍ୟାଡ଼ୁ ନିଧିବାବୁ ବି ଯୋଗକୁ ଆସି ପହଞ୍ଚିଗଲେ । ‘‘ରାମକୃଷ୍ଣ ଡାକ୍ତରଙ୍କୁ ଏଇଠୁ ଡାକି ଆଣୁଚି’’ ବୋଲି କହି ନୀଳୁ ଦୌଡ଼ି ପଳାଇଗଲେ । କନକ ଏଣେ ପାଣି ଆଣି ରଙ୍ଗୀ ମୁହଁରେ ଛଟାଛଟି କଲା, ଠିକା ଦାସୀଟା ପଙ୍ଖା କରି ବସିଲା । ନିଧିବାବୁ ତା ଆଖି ପତା ଓଲଟାଇ ଦେଇ ‘କିଛି ନୁହେଁ’ ବୋଲି କହି ସ୍ଥିର ଭାବରେ ସେହିଠାରେ ବସିପଡ଼ିଲେ । ଅଳ୍ପକ୍ଷଣ ଭିତରେ ସତକୁ ସତ ରଙ୍ଗୀର ଚେତା ଆସିଲା । ସେ ଆଖି ଖୋଲି ୟାଡ଼େ ସ୍ୟାଡ଼େ କାହାକୁ ଖୋଜିଲା ପରି ଚାହିଁଗଲା । ଥରେ ଦୁଇଥର ଉଠିବାକୁ ଚେଷ୍ଟା କଲା; କିନ୍ତୁ କନକ ତାକୁ ଜୋର କରି ଶୁଆଇରଖିଲା । ଭାଇଙ୍କ ଉପରେ ଆଖି ପଡ଼ିବାରୁ ରଙ୍ଗୀ ମୁଣ୍ଡରେ ଲୁଗା ଦେବାକୁ ଚେଷ୍ଟା କଲା, କିନ୍ତୁ କନକ ଦିଆଇଦେଲା ନାହିଁ । ପୁଣି ରଙ୍ଗୀ କାହାକୁ ଖୋଜିଲାପରି ଆଡ଼େ ସ୍ୟାଡ଼େ ଚାହିଁଲା, କିନ୍ତୁ ସଙ୍ଗେ ସଙ୍ଗେ ପୁଣି ନିରାଶା ହେଲା ପରି ଆଖି ବୁଜିଦେଲା ! କନକ ଓ ଦାସୀ ଦୁହେଁ ଧରାଧରି କରି ତାକୁ ଘର ଭିତରକୁ ନେଇଗଲେ ଓ ବିଛଣା ଉପରେ ଶୁଆଇ ଦେଲେ । ଇୟେ ସେହି ଘର–କନକର ଶୋଇବା ଘର, ଯେଉଁଠି ସନ୍ଧ୍ୟାବେଳେ ରଙ୍ଗୀର ନୀଳୁଙ୍କର ଦେଖା ହୋଇଥିଲା । ନିଧିବାବୁ କନକକୁ ଚୁପ୍ କରି ପଚାରିଲେ, କ’ଣ କାହିଁକି ଇମିତି ହେଲା ? କାହିଁ, ଫେର ତ ଚୁପ୍‌କରି ଆଖି ବୁଜି କରିରହିଗଲା–ଚେତା ଅଛି ତ, ଦେଖିବଟି ?’’ କନକ ଯାଇ ଲୁଗାତଳେ ହାତ ପୂରାଇ ରଙ୍ଗୀ ଛାତିରେ ହାତ ଦେଲା ମାତ୍ରକେ, ରଙ୍ଗୀ ଧଡ଼ପଡ଼ ହୋଇ ଉଠି ବସି ଛାତିରୁ ସଂପୂର୍ଣ୍ଣ ଲୁଗା କାଢ଼ିପକାଇ କହିଲା; ‘‘ଦେଖ, ଦେଖ, ମୋର କ’ଣ ହଉଚି ଲୋ !’’ ଏହା କହି ଭୋ ଭୋ କରି କାନ୍ଦି ଉଠିଲା ! କନକ ଧରି ଶୁଆଇ ଦେବାରୁ ସେ ଶୋଇ ରହିଲା । କନକ ତା’ ଆଖିରୁ ଲୁହ ପୋଛି ପୋଛି ଦେଲା–ରଙ୍ଗୀ ଶାନ୍ତ ଭାବରେ ଚମକି ପଡ଼ି କହିଲେ, ‘‘ଓଃ, ଭାରି ତାତି–ଏତେ ଜର କେତେବେଳେ ହେଲା !’’ ତାଙ୍କ ସ୍ପର୍ଶ୍ପରେ ରଙ୍ଗୀ ଆଖି ଖୋଲିଲା-ନ ଚିହ୍ନିଲା ପରି ନିଧିବାବୁଙ୍କୁ ଚାହିଁ କହିଲା–କିଛିକ୍ଷଣ ପରେ ହଠାତ୍ ପୁଣି ଉଠି ବସି ଠୋ ଠୋ କରି ହସି ଉଠି କହିଲା, ‘‘ମଲା ଲୋ ଲାଜ ! ଅ–ହ–ଅ, ସେଇଠି ତ ସେଇ ଝରକା ପାଖରେ-! ଆଲୋ, ମୁଁ ଅନେଇଚି ସେ ଆଡ଼କୁ ସିଏ ଆସୁଛି ଏ ଆଡ଼ୁ (ଦୁଆରକୁ ଦେଖାଇ) । ମଲା, ଆସିବୁ, ଯଦି, ସିଧା ଚାଲିଆ ଚୁଲିଟେ–ହଁ ହଁ, ନାଃ, ମୁଁ କାହିଁକି ୟା କହନ୍ତି ! ନାଃ, ମୁଁ କହି ନାହିଲୋ–’’ କହୁଁ କହୁଁ ରଙ୍ଗୀ ଆଖି ଛଳ ଛଳ ହୋଇ ଉଠିଲା-। ସେ ହଠାତ୍ ଚୁପ୍ କରି ରହି ଯାଇଁ ପୁଣି କାହାକୁ ଖୋଜିଲା ପରି ୟ୍ୟାଡ଼େ ସ୍ୟାଡ଼େ ଚାହିଁଲା ନିଧିବାବୁ ହଠାତ୍ ଗୋଟିଏ ବଡ଼ ପାଟି କରି କହିଲେ, ‘‘ରଙ୍ଗୀ ଏଇ, କ’ଣ କହୁଚୁ ତୁ–ଚୁପ୍ କରି ଶୁଅ-। ନ ହେଲେ ମାଡ଼ ଦେମି ! ଏହା କହି ଦାନ୍ତ କାମୁଡ଼ି ରଙ୍ଗୀକୁ ଭୟ ଦେଖାଇଲେ । ରଙ୍ଗୀ ଅତିଶୟ ଭୀତ ହେଲାପରି ନୂଆବୋଉଙ୍କୁ ପ୍ରାଣପଣେ କୁଣ୍ଢାଇ ଧରିଲା । ଠିକା ଦାସୀଟି କୁଆଡ଼େ ଥିଲା, ଏତିକିବେଳେ ଆସି କହିଲା, ‘‘ବାବୁ ତମେ ଟିକିଏ ବାହାରି ଯିବଟି ! ମୁଁ ଟିକିଏ ଦେଖେଁ ! ଏହା କହି ନିଧିବାବୁ ଆଡ଼େଇ ନ ହେଉଣୁ ବିଛଣା ପାଖକୁ ଆସି ରଙ୍ଗୀ ମୁହଁକୁ ଧରି ତା’ ଆଡ଼କୁ ବୁଲାଇ ଆଣି କହିଲା; ‘‘ମା’ ତମେ କେଉଁ ଠାକୁରାଣୀ ବିଜେ କରିଚ ମା’ ନିଧିବାବୁ ହସି କହିଲେ, ‘‘ଯା, ଯା, ଗୋଟାଏ ଢଙ୍ଗ ବାହାରିଲା–ଯା ପଳା !’’ କ୍ଷୂର୍ଣ୍ଣ ମନରେ ସେଠାରୁ ହଟି ଯାଇ ସେ କହିଲା, ‘‘ମା’କଥା ସିନା ଅପସନ୍ଦ କଲେ ବାବୁ, ନ ହେଲେ ମୁଁ କହି ଦଉଚି–ଇୟେ ନିଶ୍ଚେ ମା’ କାଳୀ ଇସୁକୁଲୁ ତ ଇୟେ ଯାଇଛନ୍ତି-ସେଇ କାଳୀଗଳିରେ ମୋ କଥା ଯଦି ମିଛ ହେଲା, ତାଙ୍କୁ ପଚାର ! ଇୟେ ନିଶ୍ଚେଁ ମା’ କାଳୀ, ବାବୁ ଫେରେ ବୁଝିବେ ନାହିଁକି ! ମୋରି ବୋହୂ କଥା ଶୁଣ, ଆଉ କଥା ତ ଯାଉ–’’ । ‘‘ଆରେ ଯା ଯାଃ, ତୁ ଯିବୁଟି ଏଠୁ ବାହାରି–’’ ସ୍ତ୍ରୀ ଲୋକଟିର ମନ ଚୂନା ହୋଇଗଲା–ସେ କ୍ଷୂର୍ଣ୍ଣ ଅଭିମାନରେ ସେଠାରୁ ବାହାରିଗଲା । ରଙ୍ଗୀ ଏଣେ ହଠାତ୍ ଉଠି ବସି କହିଲା, ‘‘ନା ନା ଯା ନେଇଁ-। ମୋ ମୁଣ୍ଡ ଖାଇବ ମୁଁ ରାଗରେ କ’ଣ କହିଲି ବୋଲି–ଦେଖିଲ ନା ଦେଖିଲ ନା–ଏଡ଼େ ହଟ ୟ୍ୟାର ! ସତକୁ ସତ–’’ । କନକ ଜୋର କରି ତାକୁ ଶୁଆଇ ତା’ ମୁହଁରେ ହାତ ଦେଇ ତାକୁ ବନ୍ଦ କଲା ଓ ନିଧିବାବୁଙ୍କୁ କହିଲା ‘‘ତମେ ସବୁ ଟିକଏ ଏଠଉଁ ବାହାରି ଯିବଟି ! ସେ ଟିକିଏ ଶାନ୍ତିରେ ଶୁଅନ୍ତୁ ଡାକ୍ତର ଆସିଲେ ପଛେ ନେଇକରି ଆସିବ-।’’ ନିଧିବାବୁ କହିଲେ,’’ ହଁ, ସତେ, ନୀଳୁ ସେତେବେଳୁ ଗଲାଣି, କାହିଁ କୁଆଡ଼େ ଗଲା–ମୁଁ ଦେଖେଁ-।’’ ଏହା କହି ସେ ଘରେ ଥିବା ସମସ୍ତଙ୍କୁ ତଡ଼ି ନେଇ ବାହାର କରି ଦୁଆର ଆଉଜାଇ ଦେଇ ଚାଲିଗଲେ । ହଠାତ୍ ଏଣେ ରଙ୍ଗୀ ଉଠି ବସିଲା, କହିଲା–‘‘ହଁ, ସେ ତ ଆସୁଥାଏ ! ଆରେ, ଏଇ ନୁହେଁ କି କଙ୍କି ନୂଆ’ଉ ! ଭଲା କହନି କଙ୍କି ତେମେ, ମୋର କି ଦୋଷ !’’ ‘‘ତମର କିଛି ଦୋଷ ନାହିଁ-ତମେ ଶୁଅ !’’ କିଛିକ୍ଷଣ ଚୁପ୍ କରି ଶୋଇ ପୁଣି ଧୀରେ ଧୀରେ କହିଲା, ‘‘ତୋର ବି ଦୋଷ କ’ଣ । ନାଃ–ଆଲୋ ସବୁ ଦୋଷ ତ ଇୟାରି, ଲୁଚି ଯାଉଚ କୁଆଡ଼େ !’’ ଏହା କହି କନକ ଆଡ଼କୁ ଦେଖାଇ ହୋ ହୋ କରି ହସି ଉଠିଲା, ପୁଣି ହଠାତ୍ ଗମ୍ଭୀର ହୋଇ କହିଲା, ‘‘ନା ଆଁ, ନା ଆଁ ! ନୂଆ ବୋଉଟି ତ ମୋର ଭଲ । ସେଇ ତ ତାକୁ ଶରଧା କରେ–ଆଉ କେଇ ନା, କେଇ ନା ! ହଁ ଫେରେ ଦୋଷ କାହାର ? ଓହୋ, ଭୁଲି ତ ଗଲି, ଯାଃ–ଆସଇ ବସନ୍ତ ଶିଶିର ଅନ୍ତେ ଦିଶଇ ଧରଣୀ ଚାରୁ କେମନ୍ତେ । ସୌନ୍ଦର୍ଯ୍ୟ–ତରଙ୍ଗେ ମହୀ ଭାସଇ–ନା ନା, ମାଷ୍ଟ୍ରେ–କାଲିକି ନିଶ୍ଚେ ନିଶ୍ଚେ କରି ଆଣିମି ! ମୋର କିଛି ଦୋଷ ନାହିଁ । ମୁଁ କ’ଣ ପଢ଼ିପାରୁଛି କି ଘରପାଖେ-ସେଇ ପରା ଖାଲି ଜଳଉଚି ମତେ ଦିବା ରାତି-’’

 

ଏହି ସମୟରେ ସାଡ଼ୁ ନୀଳୁଙ୍କ ପାଟି ନିଧିଙ୍କ ପାଟି ସଙ୍ଗରେ ଆଉ ଗୋଟିଏ ଅପରିଚିତ କଣ୍ଠସ୍ୱର ମିଶାମିଶି ହୋଇ ଶୁଣାଗଲା । ରଙ୍ଗୀ ହଠାତ୍ ଚମକିପଡ଼ି କହିଲା, ‘‘ହୋଇ, ହୋଇ, ଆସିଲାଣି ତ, ଆସିଲାଣି ତ–ଛାଡ଼, ନୂଆ’ଉ, ମୁଁ ଯାଏ, ପଳାଏଁ–କି ଗୋ ତମ ଭାଇଟା ପରା ଆସୁଛନ୍ତି–କେମିତି କାମ ! ସିଏ ତା’ର ଆସିଲେ ଆସୁ–ମୁଁ କେମିତି ଏଠି ରହିମି କୁହନି !’’ ଏହା କହି ଧଡ଼ପଡ଼ ହୋଇ ଉଠିବାକୁ ତିୟାର ! କିନ୍ତୁ ପାଂଶୁବର୍ଣ୍ଣ ମୁଖଟି ତା’ର ହଠାତ୍ ଉଜ୍ଜ୍ୱଳ ହୋଇଗଲା-। କନକ କୌଣସି ମତେ ତାକୁ ଧରି ରଖି କହିଲା, ‘‘ଚୁପ୍ କରି ଶୁଅ, ମୋ ମୁଣ୍ଡ ଖାଇବ, ପାଟିତୁଣ୍ଡ କର ନାହିଁ–ଡାକ୍ତର ଆସୁଚି ପରା ! ନିଧିବାବୁ ଧୀରେ ଧୀରେ ପ୍ରବେଶ କରି କହିଲେ, ‘‘ତମେ ସେ ଆଡ଼କୁ ମୁହଁ କରି ସେଇଟି ବସ–ନାଜ କ’ଣ ମ ? ଆଉ ତାକୁ ଗୋଟିଏ ଭଲକରି କ’ଣ ଘୋଡ଼େଇେଘାଡ଼େଇ ଦିଅ ।’’ କନକ ନିଧିବାବୁଙ୍କୁ ଚୁପ୍ କରି କହିଲା, ‘‘ନୀଳୁ ଭାଇଙ୍କି ମନାକର, ସେ ସେଇପଟେ ଥାଇ, ଏଠିକି ଯେମିତି ନ ଆସେ । ‘‘ନିଧିବାବୁ ସେହିପରି ଚୁପ୍ କରି କହିଲେ, ‘‘ହଁ, ହଁ, ଠିକ୍ କଥା !’’ ଏହା କହି ଦୁଆର ପାଖକୁ ଗଲେ । ରଙ୍ଗୀ କନକ ଆଡ଼କୁ କରୁଣ ଦୃଷ୍ଟିରେ ଚାହିଁଲା, ତା’ ଆଖିରୁ, ଲୁହ ଗଡ଼ିଲା ପରି ! କଷ୍ଟରେ କହିଲା ତେମେ ଏଡ଼େ ନିଷ୍ଠୁର ନା କଙ୍କି ! ଟିକିଏ ଏବେ ଆସିଥିଲେ କ’ଣ ହୋଇଥାନ୍ତା ! ମୁଁ ଟିକିଏ ଦେଖିଥାନ୍ତି ଖାଲି ଟିକିଏ ନୂଆ’ ଉ-ଟିକିଏ-!’’ ‘‘ଚୁପ୍, ଚୁପ୍ !’’ ‘‘ନାଃ, ମୁଁ ଦେଖିମି ନିଶ୍ଚେ–ଏତେ ନୂଚା ଚୋରା କାହିଁକି, କି !’’ ଏହା କହି କନକକୁ ଠେଲି ଦେଇ ରଙ୍ଗୀ ଯେମିତି ଉଠିଛି, ସେମିତି ପଡ଼ିଯାଇ ପୁଣି ଅଜ୍ଞାନ ହୋଇଗଲା–ଡାକ୍ତର ଓ ନିଧିବାବୁ ଦୁହେଁ ଧାଇଁ ଆସି ଧରି ପକାଇଲେ ! ନୀଳୁବାବୁ ଦୁଆର ଫାଙ୍କରୁ ତଥାପି ନାକ ଦେଖାଇଥାନ୍ତି ।

 

(୬)

 

ଅଳ୍ପ କ୍ଷଣ ପରେ ରଙ୍ଗୀର ଚେତା ପଶିଲେ ମଧ୍ୟ ସେ ସେହିପରି ୟାଡ଼ୁ ସ୍ୟାଡ଼ୁ ବକିବାକୁ ଲାଗିଲା । କେତେବେଳେ ସେ ଲଜ୍ଜାରେ ପଳାଇବାକୁ ଚାହେଁ, କେତେବେଳେ ଅଭିମାନରେ ମୁହଁ ମୋଡ଼ି ଦେଇ ସ୍ଥିର ହୋଇ ଶୁଏ; କେତେବେଳେ କାନ୍ଦି କାନ୍ଦି କାହା ଉଦ୍ଦେଶ୍ୟରେ ଅନୁତାପ-ଅନୁଶୋଚନାପୂର୍ଣ୍ଣ କରୁଣ ଦୃଷ୍ଟି ଘରର ଚାରିଆଡ଼େ ନିକ୍ଷେପ କରେ, କେତେବେଳେ ଅବା ହସି ହସି କାହାର କଳ୍ପିତ ଅସ୍ତିତ୍ୱ ଉପଲବ୍ଧି କରି ଆନନ୍ଦରେ ନୂଆବୋଉକୁ କୁଣ୍ଢେଇ ତାହାରି ପଛଆଡ଼େ ଲୁଚି ଲୁଚି ଯିବାକୁ ଚାହେଁ ! କନକ ସେତେବେଳକୁ ରଙ୍ଗୀର ହୃଦୟ ମନ ଅତି ପରିଷ୍କାର ଭାବରେ ଦେଖି ସାରିଲାଣି; ଜାଣିଲାଣି; ନୀଳୁଙ୍କ ପାଇଁ ହିଁ ତାହାର ଏ ଦଶା–ନୀଳୁଙ୍କ ପାଇଁ ବି ଏକା ନୁହେଁ, ସମାଜର ସଂକୀର୍ଣ୍ଣତା ଯୋଗୁଁ ହିଁ ତା’ର ଅଧିକ ଦୁଃଖ ! କନକ କ’ଣ ନିଜ କଥାକୁ ଜାଣିନାହିଁ, କେଡ଼େ ଭୟଙ୍କର ସେ ! ତା’ ନିଜ ବିବାହରେ ତା’ର ଯେଉଁ ମହତ୍ ଶିକ୍ଷା ହୋଇଥିଲା, ସେଟା ତ ତା ମନରୁ ଏତେ ଶୀଘ୍ର ଯାଇ ନାହିଁ ! କିନ୍ତୁ ତା’ କଥା, ରଙ୍ଗୀ କଥା ମଧ୍ୟରେ ଢେର ପ୍ରଭେଦ । ବିବାହ ପୂର୍ବରୁ ତାକୁ ଗୋଟାଏ ପରୀକ୍ଷାରେ ପଡ଼ିବାକୁ ହୋଇଥିଲା ସତ୍ୟ, କିନ୍ତୁ କନକ ବର୍ତ୍ତମାନ ବୁଝିଲା, ସେଟା ରଙ୍ଗୀ ପରୀକ୍ଷାରେ ଏକ ନବମାଂଶ ସଙ୍ଗେ ସମାନ ନୁହେଁ ! ସେ ତ ନୀଳୁବାବୁଙ୍କୁ ଆବାଲ୍ୟ ଭାଇ ବୋଲି ହିଁ ଜାଣି ଆସିଥିଲା, ସେହିପରି ସ୍ନେହ ମଧ୍ୟ କରିଥିଲା । ସେଟା ବିବାହ ବନ୍ଧନରେ ପର୍ଯ୍ୟବସିତ ନ ହେବାରୁ ତା’ର ଆତ୍ମବଳି ସେ ନାମର ଯୋଗ୍ୟ ମଧ୍ୟ ନୁହେଁ ! କିନ୍ତୁ ରଙ୍ଗୀ, ସେ ତ ନୀଳୁଙ୍କୁ ଜାଣି ନ ଥିଲା ତା’ର ପିଲାଦିନୁଁ ! କୈଶୋର ଯୌବନର ସନ୍ଧିସ୍ଥଳରେ କନକ ନିଜେ–ସେ ଏକା କାହିଁକି, ଆଉ ସମସ୍ତେ ମଧ୍ୟ ସେଥିରେ ଥିଲେ-ରଙ୍ଗୀର ନବ ପିପାସାର ଶୁଷ୍କ ଦୃଷ୍ଟି ସମ୍ମୁଖରେ ଆଣି ଥୋଇ ଦେଇଥିଲା ନୀଳୁଙ୍କୁ ! ବିବାହ–ପ୍ରସଙ୍ଗ ତଥା ରଙ୍ଗହସ୍ୟଦ୍ୱାରା ତା’ ମନରେ କ’ଣ ବଦ୍ଧମୂଳ କରାଇ ଦିଆଯାଇ ନ ଥିଲା ଯେ, ରଙ୍ଗୀ ନୀଳୁଙ୍କର ! ଏଥିରେ ରଙ୍ଗୀର କି ଦୋଷ, ଯଦି ସେ ପୂର୍ଣ୍ଣ ହୃଦୟ ଦେଇ ନୀଳୁଙ୍କ ପ୍ରଣୟାସକ୍ତ ହୋଇ ଉଠିଲା ! ସେମାନେ କ’ଣ ତା’ର କୋମଳ ହୃଦୟଟି ନେଇ ନିର୍ମମ ଖେଳଟିଏ ଖେଳି ନାହାନ୍ତି କି ? କିନ୍ତୁ ଆଉ କ’ଣ ଭଲା କରାଯାଇପାରିଥାନ୍ତା ? କରଣ ଘରେ ଆଉ କିଛି ଉପାୟ ତ ନାହିଁ; ତଥାପି କରଣ ଘରେ ପ୍ରେମ କରିବାର ସ୍ୱାଧିନତା ନ ଥିଲେ ସୁଦ୍ଧା ପ୍ରେମ କରିବାର ସୁବିଧାଟିକ ରଙ୍ଗୀକୁ ଦେବା କ’ଣ ବିଷମ ଭୁଲ୍ ହୋଇ ନାହିଁ ! ଅବଶ୍ୟ, ସେହିତା ହିଁ ତା’ର ଦୋଷ-ସମସ୍ତଙ୍କ ଦୋଷ ! ନାରୀ ହୃଦୟରେ ପ୍ରେମ ସଞ୍ଚାର କରାଇ, ତା’ ମୁହଁରେ ଯୋଡ଼ା ପଟି ଲଗାଇ, ତା’ ଅସ୍ତିତ୍ୱ ପର୍ଯ୍ୟନ୍ତ ଭୁଲିଯିବାଟା କ’ଣ ଅବିକଳ ହାତ ଗୋଡ଼ ବାନ୍ଧି ଜଣକୁ ନିଆଁ ବା ପାଣିକୁ ଠେଲି ଦେଲାପରି ନୁହେଁ କି ! ତା’ ପରେ ପୁଣି ନୀଳୁଙ୍କୁ ନେଇ ଦିନକୁ ଦିନ ଏ ରହସ୍ୟମୟ ଖେଳ !

 

କିନ୍ତୁ କନକ କୌଣସିମତେ ପୂର୍ଣ୍ଣ ଅନୁଭବ କରିପାରିଲା ନାହିଁ–କେତେ ଦୁଃଖରେ, କେତେ ଅଭିମାନରେ କେତେ ନିଭୃତ, ଅବ୍ୟକ୍ତ ଯନ୍ତ୍ରଣା ଭୋଗ କରି କରି ରଙ୍ଗୀର ଏ ଦଶା ଶେଷକୁ ହୋଇଅଛି; ପଳେ ପଳେ ଦଗ୍‌ଧ ହୋଇ ତା’ର ମସ୍ତିଷ୍କ ବିଗିଡ଼ି ଯାଇଛି, ହୃଦଯନ୍ତ୍ର ସେ ଦାହ ସହ୍ୟ କରି ନ ପାରି ଆଜି ତା’ର କ୍ଷୁଦ୍ର ପ୍ରାଣଟିକୁ ବାହାର କରିଦେବାକୁ ନିଜେ ନିଜେ ଦ୍ୱିଧା ହେବାକୁ ବସିଛି !

 

ଡାକ୍ତର ସେହିତା କହିଲା–କୌଣସି ଗଭୀର ଦୁଃଖର ଅବ୍ୟକ୍ତ ଯନ୍ତ୍ରଣା ରଙ୍ଗୀର ହୃଦରୋଗର କାରଣ । ହିଷ୍ଟିରିୟାର (ମୃଗୀ) ମୂଳ ଏଇଠି ।

 

ନିଧିବାବୁ ଓ କନକ ଦୁହେଁ ସେ ରାତି ସାରା ରଙ୍ଗୀକୁ ଜଗିବସି, ଏ ବିଷୟରେ ଗଭୀର ଗବେଷଣା କରି ସ୍ଥିର କଲେ ନୀଳୁଙ୍କୁ ଏବେ ସଫା ନ କହିଲେ ଚଳୁ ନାହିଁ–ନ କହିଲେ କ’ଣ, ରାଜି ନ କରାଇଲେ ବୋଲି କହିବାକୁ ହେବ । ନ ହେଲେ ତ ରଙ୍ଗୀର କଥା ଶେଷ ! ସମାଜ ପ୍ରତି ଆନ୍ତରିକ ଘୃଣା ସହିତ ନିଧି ବାବୁଙ୍କର ମନେ ହେଲା, ହାୟ ପାଶ୍ଚାତ୍ୟ ଶିକ୍ଷା ଏ ଦେଶକୁ ଆସିବା ପୂର୍ବରୁ ଯଦି ସମାଜସଂସ୍କାର ଆସିଥାନ୍ତା ! ସମାଜର ଏପରି ଅବସ୍ଥାରେ କୌଣସି ଲୋକର–ପୁରୁଷ ବା ନାରୀ–ପାଶ୍ଚାତ୍ୟ ଶିକ୍ଷା ପାଇବା କେବଳ ଦୁଃଖ ଯନ୍ତ୍ରଣାର ମୂଳ ତ ! ସମାଜର ସେ ସଂକୀର୍ଣ୍ଣତା ତା’ ମଧ୍ୟରେ କୂପମଣ୍ଡୁକ ହୋଇ ରହିବୁ ସଙ୍ଗେ ସଙ୍ଗେ ଆଲୋକ ମଧ୍ୟ ଆମ ଭିତର ବାହାର ଉଭୟ ଉଦ୍ଭାସିତ କରି ପକାଇବ–ଏଟା ତ ସ୍ୱାଭାବିକ ନୁହେଁ ! କି ବିଡ଼ମ୍ବନା !

 

ଏଣେ, ନୀଳୁବାବୁ ବଜାରରୁ ବରଫ ଇତ୍ୟାଦି କେତେକ ଆବଶ୍ୟକ ଜିନିଷ ଆଣି ଦେଇ, ବାହାର ଘରେ ଆଜିର ଘଟଣାବଳୀ ଭାବୁ ଭାବୁ ଗୋଟାଏ ଗଭୀର ଆଶ୍ୱସ୍ତିରେ ଆଚ୍ଛନ୍ନ ହୋଇ ବିଛଣାରେ ପଡ଼ି ରହିଛନ୍ତି–ଆଖିରେ ନିଦ ନାହିଁ, ପୁଣି ଯେତେ ଭାବିଲେ ବି କିଛି କୂଳକିନାରା ମିଳୁନାହିଁ । ଏ ସବୁ ଘଟଣା ଯେ ତାଙ୍କୁ ଉପଲକ୍ଷ୍ୟ କରି ଘଟିଗଲା, ୟାର ଅର୍ଥ କ’ଣ ? ସେ ଏ ସବୁରେ କୌଣସି ଭାବରେ ହେଲେ ଅଛନ୍ତି ନିଶ୍ଚୟ; ନ ଥିଲେ, ନିଜକୁ ନିଜେ ଅପରାଧୀ ବୋଲି ସେ ନ ଭାବି ରହିପାରନ୍ତେ ନାହିଁ କାହିଁକି ! ଆଉ, ରଙ୍ଗୀର ସେ ଭର୍ତ୍ସନାପୂର୍ଣ୍ଣ ଦୃଷ୍ଟି ଓ ଉଷ୍ଣ, ତୀବ୍ର କଥା ତାଙ୍କ ମନରୁ କୌଣସିମତେ ଯାଉ ନାହିଁ । ସେ ତ କେଭେଁ ପରିହାସ ମାତ୍ର ହୋଇ ନ ପାରେ-! କି ରହସ୍ୟ ସେଥିରେ ଅଛି ? ଆହୁରି ପୁଣି ରଙ୍ଗୀ ଯାହା କହୁଁ କହୁଁ ପ୍ରଥମେ ମୂର୍ଚ୍ଛା ଗଲା, ତା’ର ବା ଅର୍ଥ କ’ଣ ? ସେ ଏଠାକୁ ଆସିଲେ ରଙ୍ଗୀର କ’ଣ କ୍ଷତି–ଏତେଦୂର କ’ଣ ସେଥିରେ ରଙ୍ଗୀର ଅନିଷ୍ଟ ହେଉଛି, ଯେ ସେ ଆତ୍ମହତ୍ୟା କରିବ-। ସେ ଅଜ୍ଞାନରେ ସେତେବେଳେ ରଙ୍ଗୀ ଥିବା ଘର ଭିତରକୁ ପଶି ଯାଇଥିଲେ–ସେଥିଯୋଗେ କ’ଣ ? ନାଃ, ନାଃ, ତା ତ ହୋଇପାରେ ନାହିଁ-। ସେ ତ କିଛି କହିନାହାନ୍ତି, କି କରି ନାହାନ୍ତି ! ହଁ, ସେତେବେଳେ ମଧ୍ୟ ରଙ୍ଗୀ ଭର୍ତ୍ସନା ସ୍ୱରରେ ଯାହା ନୀଚ କଣ୍ଠରେ କହିଯାଇଥିଲା, ତାହାର ବା ଅର୍ଥ କ’ଣ ? ତାଙ୍କୁ କେଉଁ କଥାର ଲାଜ-? ନାଃ ୟା ଭିତରେ ନିଶ୍ଚୟ ଆଉ କିଛି ଅଛି !

 

ଏହିପରି ଭାବୁଁ ଭାବୁଁ ପାହାନ୍ତା ପହରକୁ ଟିକିଏ ତନ୍ଦ୍ରା ଆସିଛି, ଏହିପରି ସମୟରେ ନିଧିବାବୁ ଆସି ତାଙ୍କୁ ଉଠାଇଲେ ଓ କହିଲେ, ‘‘ନୀଳୁ ଭାଇ, ଟିକିଏ ଚାଲ ତମେ, ତମକୁ ଡାକୁଛି ।’’ ‘‘କିଏ କନକ ?’’ ‘‘ହଁ, ତମେ ଚାଲ ଆଗେ !’’ ନୀଳୁବାବୁ ଦେଖିଲେ ନିଧି ବାବୁଙ୍କ ମୁହଁ ଚିନ୍ତା ଓ ଅନିଦ୍ରାରେ ଶୁଖିଯାଇ କଳା ପଡ଼ିଗଲାଣି ଓ ତା’ ଉପରେ ମଧ୍ୟ ଭୟର ଛାୟା ପରି କ’ଣ ଟିକିଏ ଦିଶୁଛି ! ସେ ଧଡ଼ପଡ଼ ହୋଇ ଉଠି ଭିତରକୁ ବାହାରିଗଲେ । ନିଧିବାବୁ ତାଙ୍କ ନିଜ ଶୋଇବା ଘର ଭିତରକୁ ଦେଖାଇ ଦେଇ, ନିଜେ ବାହାରେ ରହିଲେ । ନୀଳୁବାବୁ କହିଲେ, ‘‘ତମେ ଆସୁ ନା, କଥା କ’ଣ ?’’

 

‘‘ନାଇଁ, ନାଇଁ, ତେମେ ଯା । ବଳେ ବୁଝିବ ଯା ।’’

 

ନୀଳୁ ଭିତରେ ପ୍ରବେଶ କରି ଦେଖିଲେ, ରଙ୍ଗୀ ଆଖିବୁଜି ଶୋଇଛି । ଉପରକୁ ମୁହଁ କରିଛି ଓ ହାତ ଦୁଇଟି ଛାତି ଉପରେ ଚିପି ଧରିଛି; କନକ ତା’ ମୁଣ୍ଡ ପାଖରେ ବସି ସାଶ୍ରୁନୟନରେ ତା’ ମୁହଁର ଭାବ ଲକ୍ଷ୍ୟ କରି ଦେଖୁଛି । ଧୀରେ ଧୀରେ ସେ କନକ ନିକଟକୁ ଯାଇ କହିଲେ, ‘‘କ’ଣ-?’’ କଥାଟି ଅତି ନିମ୍ନ ସ୍ୱରରେ କହିଥିଲେ ମଧ୍ୟ ରଙ୍ଗୀ ଆଖି ଖୋଲି ଚାହିଁଲା, ନୀଳୁଙ୍କୁ ଦେଖିଲା, ପୁଣି ଆଖି ବୁଜିଦେଇ ରହିଲା–ଆଉ କିଛି ବୈଲକ୍ଷଣ୍ୟ ଦେଖାଗଲା ନାହିଁ କନକ କହିଲା ‘‘ଟିକିଏ ନିଦ ହୋଇଥିଲା, ଏଇନାଗେ ଚେତା ଅଛି–ଆଉ ବକୁ ନାହିଁ ।’’ ‘‘ମୋତେ କାହିଁକି ଡାକିଲୁ-? ତୁ ଯିବୁ ଟିକିଏ ଶୋଇବୁ ? ମୁଁ ଏଠି ବସୁଚି, ତୁ ଯା !’’ ‘‘ନା ମ, ତା’ ନୁହେଁ । ସେଇ କହିଲା, ତତେ ଡାକିବାକୁ ।’’ ଏହିଠାରେ ରଙ୍ଗୀ ପୁଣି ଆଖି ଖୋଲି, କନକକୁ ବାଧା ଦେଇ କହିଲା, ‘‘ମୁଁ ଡାକିବାକୁ କହିଥିଲି ? ସତ କହୁଚ ନୂଆ’ ଉ ?’’

 

‘‘କି ଗୋ, କହିଲ ପରା ସେତେବେଳେ । ରାତିସାରା ‘ଦେଖିମି ଦେଖିମି’ ହଉଚ, ଫେରେ ୟା କହୁଚ ।’’

 

‘‘କାହିଁ, ମୁଁ ତ କହି ନାହିଁ, ମୋର ତ ମନେ ନାହିଁ । ତମ ଭାଇ ସାଙ୍ଗରେ ମୋର କ’ଣ ଅଛି ? ମୁଁ କାହିଁକି ତାଙ୍କୁ ଡାକିବାକୁ କହିମି !’’

 

‘‘ହଉ ହଉ, ତା’ ହେଲେ ତମେ ଟିକିଏ ଶୁଅ !’’

 

‘‘ତାଙ୍କୁ କହ, ସେ ଯାଆନ୍ତୁ, ମୁଁ ଶୋଉଛି ।’’

 

‘‘ନାଇଁ, ମୁଁ ପରା ଯାଉଛି ଟିକିଏ ଶୋଇମି–ସେ ଟିକିଏ ଏଇଠି ବସୁ ।’’

 

‘‘ନା, ସେ ଯାଆନ୍ତୁ ! ଭାଇ କାହିଁ ? ବୋଉକୁ ଆଣିଲା ? ନା, ନୂଆ’ଉ ତୁମକୁ ମୋ ରାଣ, ଆସ ମେତେ କୋଡ଼ରେ ପୂରେଇକରି ଶୁଅ । ନିଦରେ ଶୋଇପଡ଼–ମୁଁ ଚୁପ୍ କରି ଶୋଇମି । ଏଠି କେହି ରହିବା ଦରକାର ନାହିଁ !’’

 

ନିଧିବାବୁ ଧିରେ ଧିରେ ପ୍ରବେଶ କରିବାରୁ ରଙ୍ଗୀ ମୁହଁ ବୁଲେଇ ଚାହିଁଲା, ନୀଳୁଙ୍କ ଉପରେ ଆଖି ପଡ଼ିବାରୁ ଟିକିଏ ଲଜ୍ଜିତ ହୋଇ ପୁଣି ଆଖି ବନ୍ଦ କଲା । ନିଧିବାବୁ କୋମଳ ସ୍ୱରରେ କହିଲେ, ‘‘ରଙ୍ଗୀ ମୋ ସୁନା ଭଉଣୀଟି ପରା ! ଏଇ ନୀଳୁ ଭାଇ ଆସିଚି, କ’ଣ କହିବୁ ପରା !’’ ରଙ୍ଗୀ ଲଜ୍ଜାରେ ମୁହଁ ବୁଲାଇ ମୁଣ୍ଡ ହଲାଇ ନାହଁ କଲା । କନକ ଠାରି ଦେବାରୁ ନିଧିବାବୁ ପୁଣି ଚାଲିଗଲେ । କନକ ମଧ୍ୟେ ପଛେ ପଛେ ଉଠି ପଡ଼ୁଥିଲା, ରଙ୍ଗୀ ତା’ କାନିଧରି ପକାଇ କହିଲା, ‘‘ନୂଆ’ଉ ମୋ ମୁଣ୍ଡ ଖାଇବ, କୁଆଡ଼େ ଯା ନାହିଁ । ତେମେ ଏଠି ରହ, ଆଉ କେହି ରହିବା ଦରକାର ନାହିଁ । ଆଉ ତମ ଭାଇଙ୍କୁ କହ ସେ ଡରିବେ ନାହିଁ, ମୁଁ କେଭେଁ ତାଙ୍କୁ ବା’ ହବାକୁ ମଙ୍ଗିବି ନାହିଁ !’’ ଏହା କହି ଅତି ବିକଳ ଅଥଚ କଠିନ ଭାବରେ କନକକୁ କୁଣ୍ଢାଇ ଧଇଲା । ନୀଳୁବାବୁ କ’ଣ ବୁଝିଲେ, ହଠାତ୍ କନକ ମନା କରୁଁ କରୁଁ ସେଠାରୁ ବାହାରି ଚାଲିଗଲେ । ଥରେ ମାତ୍ର ପଛକୁ ଅନାଇ ଦେଖିଲେ, କି ବେଦନା କି ମିନତିପୂର୍ଣ୍ଣ କନକର ଦୃଷ୍ଟି ! କ୍ଷଣକେ ପୁଣି ମୁହଁ ମୋଡ଼ି ଦେଇ ଚାଲିଗଲେ ! କନକ ହତାଶ ହୋଇ ବସିପଡ଼ିଲା ! ରଙ୍ଗୀ ମଧ୍ୟ କନକ କୋଡ଼ରୁ ଉତ୍ସକୁ ନେତ୍ରରେ ମୁହଁକାଢ଼ି ଗମ୍ଭୀର ଭାବରେ ଘରୁ ବାହାରି ଯାଉଥିବା ନୀଳୁଙ୍କ ଆଡ଼କୁ ଥରେ ମାତ୍ର ଚାହିଁ, ହଠାତ୍ ଉଠି ବସି ଦୁଇ ହାତରେ ନିଜ ମୁଣ୍ଡକୁ ବାଡ଼େଇବାକୁ ଲାଗିଲା ! କନକ କୌଣସି ମତେ ତାକୁ ଧରି ନିଜ ଛାତି ଉପରକୁ ଆଉଜାଇ ଆଣିଲାରୁ ଅତି କରୁଣ, ଅନୁତାପ ଦଗ୍ଧ ସ୍ୱରରେ କହିଲା, ‘‘ନୂଆ’ଉ ମୁଁ ନମରି ଯାହା ବଞ୍ଚିଛି ! ଛି, ଛି, ! ଇଏ ଜଳଜଳା ଜୀବନ କ’ଣ ସହଜେ ଯିବ ?’’ କନକ ସାନ୍ତ୍ୱନା ଦେବାରୁ କହିଲା, ‘‘ସତେ କ’ଣ ‘‘ନୂଆ’ଉ, ମୁଁ ତାକୁ ଡାକୁଥିଲି ନା ? ଭାଇଙ୍କ ଆଗରେ ? ଛି, ଛି ଇଏ ପୋଡ଼ା ଜୀବନ ବାହାରି ଯାଉନାହିଁ କାହିଁକି ! ଏ ପୋଡ଼ାମୁହଁ ଆଉ ମୁଁ ଦେଖାଇବି କେମିତି !’’ ଏହା କହି ବିଚାରି ଅସ୍ଥିର ଅସଯଂତ ଭାବରେ ତା’ ସ୍ୱେଦସିକ୍ତ ପାଣ୍ଡୁର ମୁଖଟିକୁ ନୂଆବୋଉଙ୍କ କୋଡ଼ ଭିତରେ ପୂରାଇ ବିଛଣା ଉପରେ ଲୋଟି ହୋଇପଡ଼ିଲା । ମୁଣ୍ଡର ମୁକ୍ତ କେଶଦାମ ସାଙ୍ଗେ ସାଙ୍ଗେ ଚାରିଆଡ଼େ ମେଲି ଯାଇ ତାର ଗଭୀର ଲଜ୍ଜାକୁ ଘୋଡ଼ାଇଲା ପରା ।

 

ନିଧିବାବୁ ଥକା ହୋଇ କାନ୍ଥକୁ ଆଉଜି ପିଣ୍ଢାଟି ଉପରେ ଯେମିତି ବସି ପଡ଼ିଥିଲେ, ସେମିତି ବସିଥାନ୍ତି । ଅନେକକ୍ଷଣ ପରେ କନକ ରଙ୍ଗୀକୁ ଶୁଆଇ ଧିରେ ଧିରେ ଦୁଆର ଖୋଲି ବାହାରିଲା, ସେତେବେଳକୁ ପ୍ରାୟ ରାତି ଆସି ପାହିଲାଣି । ନିଧିବାବୁ ଝାଡ଼ି ଝୁଡ଼ି ହୋଇ ଉଠି ଅନିଶ୍ଚିତ ଭାବରେ ଛିଡ଼ା ହୋଇ ରହିଲେ-କନକ ଆଡ଼କୁ ଆଉ ଚାହିଁଲେ ନାହିଁ । କନକ ନିକଟକୁ ଯାଇ ନୌରାଶ୍ୟପୂର୍ଣ୍ଣ ସ୍ୱରରେ କହିଲା, ‘‘ନୀଳୁ ଭାଇ କୁଆଡ଼େ ଗଲା ?’’ ନିଧିବାବୁ ସ୍ଥିରଭାବରେ କହିଲେ, ‘‘ସେଥିରୁ କ’ଣ ପାଇବ । ସେ ଆଉ ଏଠିକି ଆସିବ ନାହିଁ ?’’ ‘‘ଆସିବ ନାହିଁ ? କି, କେମିତି ଜାଣିଲ ?’’ ‘‘ମୋତେ ସେ ସେତକ କହିକରି ଯାଇଚି ।’’ ସ୍ୱାମୀସ୍ତ୍ରୀ କିଛିକ୍ଷଣ ମୌନ ହୋଇ ରହିଲେ । କନକ ଏଇୟା ବି ଭୟ କରୁଥିଲା । ନିଧିବାବୁ ପଚାରିଲେ, ତମକୁ ସେ କ’ଣ କହିଲା କିଛି ?’’ କନକ ମନେ ମନେ ଗୋଟାଏ ଅନ୍ୟାୟ ଅଭିମାନ କରି କାନ୍ଦିବାର ଉପକ୍ରମ କରୁଥିଲା, ଏ କଥାରେ ଫୁଲି ଫୁଲି କାନ୍ଦି ଉଠିଲା । ନିଧିବାବୁ ସାନ୍ତ୍ୱନାର ଚେଷ୍ଟା ମାତ୍ର ନ କରି ଗମ୍ଭୀର ଭାବରେ କହିଲେ, ନୀଳୁର କିଛି ଦୋଷ ନାହିଁ ତ–ନା, ନା ! ହାୟ, ସେ ଯା ଆମ ଉପରେ ଏତେ ରାଗ ରଖିକରି ଗଲା !’’

 

କନକ କାନ୍ଦୁ କାନ୍ଦୁ ବାଧା ଦେଇ କହିଲା, ‘‘କାହାରି ଉପରେ ତା’ର ରାଗ ନାହିଁ । ମୁଁ ଜାଣେ, ଖାଲି ମୋରି ଉପରେ ତା’ର ସବୁ ରାଗ !’’ ନିଧିବାବୁଙ୍କ ଆଖିରେ କିପରି ଗୋଟାଏ ମଳିନ ଜ୍ୟୋତି ଦେଖାଗଲା । ସେ କହିଲେ ଗମ୍ଭୀର ଉନ୍ନତ ଭାବରେ–‘‘ତା’ର ରାଗିବାର କଥା ତ–ତମର ଯେଉଁ ବୁଦ୍ଧି !’’ କନକ ଆତ୍ମରକ୍ଷା ଛଳରେ କହିଲା, ‘‘କି, ନୀଳୁ ଭାଇ ମୋତେ ଏପରି ଠକିବ; ମୁଁ କ’ଣ ଜାଣିଥିଲି !’’ ନିଧିବାବୁ ହସି ଉଠି କହିଲେ, ‘‘ନୀଳୁ ଭାଇ ତମକୁ ଠକିଲା, ନାହିଁ ? ହା ହା ହା-!’’ ଏହା କହି ନିଧିବାବୁ ଅଧିକତର ବେଗରେ ହସିବାକୁ ଲାଗିଲେ ।

 

ଲଜ୍ଜିତ, ବ୍ୟଥିତ ହୋଇ କନକ ସେଠାରୁ ପଳାଇଗଲା ! ନିଧି ବାବୁଙ୍କ ହସ ସେଥିରେ ବି ବନ୍ଦ ହେଲା ନାହିଁ ।

Image

 

Unknown

ଚତୁର୍ଥ ଖଣ୍ଡ

ମନେ ମନେ

(୧)

 

ପନ୍ଦର କୋଡ଼ିଏ ଦିନ ମଧ୍ୟରେ ରଙ୍ଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଉଠିଲା । ଦେହର ପୂର୍ବ ଅବସ୍ଥା ଓ ବର୍ତ୍ତମାନ ଅବସ୍ଥା ଭିତରେ ପ୍ରଭେଦ ନାହିଁ କହିଲେ ଚଳେ, କିନ୍ତୁ ତା’ ମୁହଁଟିରେ ସ୍ୱାସ୍ଥ୍ୟର ଉଜ୍ଜ୍ୱଳ କାନ୍ତିଟିକ ନାହିଁ, ଆଖିଯୋଡ଼ିକର ସେ ଦୀପ୍ତି ନାହିଁ–ଗୋଟାଏ ଗଭୀର ଅବସାଦ ଯେପରି ତା’ ଅଙ୍ଗପ୍ରତ୍ୟଙ୍ଗକୁ ଢାଙ୍କି ରଖିଛି । ଦୃଷ୍ଟି ସବୁବେଳେ ତଳକୁ, ଅଙ୍ଗପ୍ରତ୍ୟଙ୍ଗରେ ସ୍ଫୁର୍ତ୍ତି ହୀନତା, ମନରେ ସଦା ଜାଗ୍ରତ ଗୋଟାଏ ଅନିଶ୍ଚିତ ଭୟ; କିପରି ଗୋଟାଏ, ଦୁର୍ବିଷହ ଭାର ଯୋଗୁଁ ତାର ମୁଣ୍ଡଟି ଯେପରି ଆଜି ଲଇଁ ପଡ଼ିଲାଣି । କିନ୍ତୁ ସବୁଥିରେ ଗୋଟାଏ ଦୃଢ଼ ସଂଯମ, ଗୋଟାଏ ସୁଗଠିତ ବର୍ମାବୃତ ଶକ୍ତିର ଆଭାସ ମିଳୁଅଛି ।

 

ପାଠକେ, ଘୋର ଝଡ଼ବେଳେ ଗୋଟାଏ ଉନ୍ନତ ବୃକ୍ଷର ଅବସ୍ଥା ପର୍ଯ୍ୟବେକ୍ଷଣ କରି ଦେଖିବେ–ସେ କିପରି ତାହାର ସ୍ୱଭାବଗାମ୍ଭୀର୍ଯ୍ୟ ଛାଡ଼ି, ବାତ୍ୟାବିତାଡ଼ିତ ହୋଇ ଛିନ୍ନ ଛିନ୍ନ ଅବସ୍ଥାରେ, କେତେବେଳେ ଧରାତଳର, କେତେବେଳେ ବା କ୍ଷୁଦ୍ର କ୍ଷୁଦ୍ର ନିର୍ବିଚାରରେ ନିକଟସ୍ଥ ବୃକ୍ଷଲତାର ଆଶ୍ରୟ ଘେନି ବୁଲୁଛି । ପୁଣି ଦେଖିବେ-ଝଡ଼ର ଅବସାନରେ ବୃକ୍ଷଟି କିପରି ବିକଳ ଭାବରେ ତାହାର ଲଜ୍ଜାନମ୍ର କ୍ଷତବିକ୍ଷତ ଅଙ୍ଗପ୍ରତ୍ୟଙ୍ଗକୁ ଗୋଟାଇ ଆଣି ତା’ର ସେହି କ୍ଷଣିକ ଅସଂଯମର ନିଭୃତ ପ୍ରାୟଶ୍ଚିତ କରୁଛି ! ଆକସ୍ମିକ ଉତ୍ତେଜନାର ଉଦ୍ଦାମ ଚାଞ୍ଚଲ୍ୟ ତାକୁ ଭୂତଳଶାୟୀ କରିପାରି ନାହିଁ–ତା’ର ଉଚ୍ଚ ଶିର ଉଚ୍ଚ ରହିଛି । ଅଧୁନା ତା’ର ଲଜ୍ଜାର ପରାଭବ, ତା’ର ଭୟର ଲଜ୍ଜା; ଉଭୟେ ମିଳି ତାକୁ ବଜ୍ର କରିବାକୁ ଚାହୁଁଛନ୍ତି ! ଆଉ ମିଳାଇ ଦେଖିବେ–ରଙ୍ଗୀର ଅବସ୍ଥା ଆଜି ଠିକ୍ ସେହିପରି ।

 

ରଙ୍ଗୀର ବର୍ତ୍ତମାନ ପ୍ରଧାନ ଭୟ–ନୀଳୁବାବୁ ତ ଏ ବସାକୁ ପୂର୍ବପରି ଆସିବ, ଯିବ, ଏଥିରେ ସେ ଏଠି ଚଳିବ କିପରି ! ତା’ର ମନେ ହେଉଛି, ନୀଳୁବାବୁର ଛାଇ ପଡ଼ିଲେ, କି ତା’ କଣ୍ଠସ୍ୱର ତା’ କର୍ଣ୍ଣକୁ ଆସିଲେ ସେ ଏଥର ନିଶ୍ଚୟ ମରିଯିବ । ତଥାପି କାହିଁ–ଆଜିକୁ ପଚିଶ ଦିନ ହୋଇଗଲା, ଦିନେ ହେଲେ ତ ନୀଳୁବାବୁ ଏ ବସାକୁ ଆସିଥିବାର ଆଭାସ ଟିକିଏ ହେଲେ ସେ ପାଇ ନାହିଁ । କେତେବେଳେ ଭାବୁଛି ଆସୁଥିବ ସେ ଜାଣିପାରୁ ନାହିଁ, ପୁଣି କେତେବେଳେ ଭୟ ସହିତ ଭାବୁଛି–ନାଇଁ, ଆସୁ ଆସୁ ନାହିଁ ପରା ! ନିଜ ମନକୁ ସେ ଯଥା ସମ୍ଭବ ଶାସନ କରୁଛି, କହୁଛି, ‘‘ସେ ଆସିଲେ କେତେ ନ ଆସିଲେ କେତେ–ତା’ର ସେଥିରେ କ’ଣ ଅଛି !’’ କିନ୍ତୁ ବାଇୟା ମନ କି ଭୁଲେ ! ଅତି ଦମ୍ଭରେ ସେ ନିଜ ବିଶ୍ୱାସଘାତକ ମନ ସହିତ ଯୁଦ୍ଧ କରି ବସେ, କିନ୍ତୁ ଅଜ୍ଞାତରେ କେତେବେଳେ ସେହି ନୀଳୁକଥା ହଁ ଭାବି ବସେ ଯେ, ପୁଣି ସେହି ଚିନ୍ତାରେ ମଗ୍ନ ! ସମୟ ସମୟରେ ଏପରି ବି ହୁଏ, ଯାହାର ଆସିବା ପାଇଁ ଏତେ ଭୟ ତାହାରି ଆସିବା ସମୟ ହେଲେ ସେ ଚକିତ ଉତ୍ସୁକ ଭାବରେ ଭୀତିବିହ୍ୱଳ ଆଶାନ୍ୱିତ ଚରଣରେ ଏଘର ସେଘର ବି ହେଉଥାଏ । ଚାହିଁ ଚାହିଁ ଯେତେବେଳେ ନିରାଶ ହୁଏ, ସେତେବେଳେ ମର୍ମାନ୍ତିକ ଅନୁତାପରେ ନିଜକୁ ତିରସ୍କାର କରେ, ଶାସନ କରେ ! ଏତିକି ସୌଭାଗ୍ୟ ତା’ର ଯେ, ତା’ର ଏ ମନୋଭାବ ବାହାରେ ପ୍ରକାଶ ହୋଇପଡ଼େ ନାହିଁ । ସେ ଯୋଗେ ସେ ଠକି ଶିଖିଲାରୁ ନିଜକୁ ନିଜେ ପ୍ରସ୍ତୁତ କରି ରଖିଛି, କିନ୍ତୁ ନୀଳୁ ଚିନ୍ତା ତାକୁ କୌଣସିମତେ ଛାଡ଼ିବାକୁ ନାହିଁ ।

 

ରଙ୍ଗୀ ଆଜି ବଡ଼ିସକାଳୁ ଉଠି, କାମଧନ୍ଦା ସାରି କନକ ଘରକୁ ଯାଇ ଦେଖିଲା–କନକ ଗୁମ୍ ହୋଇ ବସିଛି, ଗୋଟାଏ ହାତରେ ତା’ର ଖଣ୍ଡେ ଖୋଲା ଚିଠି, ଅନ୍ୟ ହାତରେ ଗୋଟିଏ ବନ୍ଦ ଲଫାପା–ଡାକରେ ଆସିଥିଲା ପରି ଲାଗିଲା ରଙ୍ଗୀକୁ ଦେଖି କନକ ଖୋଲା ଚିଠି ଖଣ୍ଡିକ ତା’ ହାତକୁ ବଢ଼ାଇ ଦେଲା । ରଙ୍ଗୀ ପଢ଼ି ଦେଖିଲା, ପୁରୀରୁ ଗଉରୀ ଅପା ଲେଖିଛି–ଆଜି ଦିନ ଗାଡ଼ିରେ ସେମାନେ ସମସ୍ତେ ଅର୍ଥାତ୍ ବୋଉ, ଗଉରୀ ନିଜେ ଓ ନିଧିବାବୁ ଆସି କଟକରେ ପହଞ୍ଚିବେ । ପଢ଼ିସାରି ରଙ୍ଗୀ ଭୟବିହ୍ୱଳ ହେଲା ପରି ସେହିଠାରେ ବସିପଡ଼ି, ଗଭୀର ନିଶ୍ୱାସଟିଏ ପକାଇ କହିଲା, ‘‘ନୂଆ’ଉ ମୁଁ କ’ଣ କରିବି !’’ କନକ ବି ଘୋର ଚିନ୍ତାରେ ବିଭୋର ଥିଲା, ସେ ରଙ୍ଗୀର କଥା ପ୍ରତି ଆଦୌ କର୍ଣ୍ଣପାତ କଲା ନାହିଁ, ଆହୁରି ଏକ ଧ୍ୟାନରେ ପୂର୍ବୋକ୍ତ ବନ୍ଦ ଚିଠିଟିର ଶିରୋନାମା ପ୍ରତି ଅନାଇ ରହିଲା । ରଙ୍ଗୀର ମଧ୍ୟ କନକର ମନୋଭାବ ଲକ୍ଷ୍ୟ କଲା ଭଳି ମନର ଅବସ୍ଥା ନ ଥିଲା । ସେ ବି ନିଜ ଚିନ୍ତାରେ ନିଜେ ବିଭୋଳ ହୋଇରହିଲା । କିଛିକ୍ଷଣ ପରେ କନକ ହଠାତ୍ ଉଠି ଲଫାଫାଟି ରଙ୍ଗୀ ହାତରେ ଦେଇ କହିଲା, ‘‘କହିଲ ନୂଆ’ଉ-ନା ନା, ରଙ୍ଗୀ ଏ ଚିଠି କୋଉଠୁ ଆସିଛି, କିଏ ଲେଖିଛି ?’’ ରଙ୍ଗୀ ଚିଠି ଖଣ୍ଡିକ ନେଇ ଏପଟ ସେପଟ ଦେଖି କନକ ହାତକୁ ଫେରାଇ ଦେଇ କହିଲା, ‘‘ମୁଁ ତ ଜାଣିପାରୁ ନାହିଁ, ନୂଆ’ଉ ଏଟା ତ ଭାଇଙ୍କ ନାଁରେ ଆସିଛି-। ହଁ ନୂଆ’ ଉ କିଏ ଦେଇଛି ?’’ କନକ ଅଳ୍ପ ଅଳ୍ପ ହସୁଥାଏ । କହିଲା, ‘‘ଚିହ୍ନିପାରିଲ ନାହିଁ ? ଏଟା ନା–ନାଇଁ, ନାଇଁ, କେହି ନା–ମୁଁ କେମିତି ଜାଣିବି !’’ ଏହା କହି କନକ ମନେ ମନେ ଜିଭ କାମୁଡ଼ି ରହିଲା ଓ ଚିଠି ଖଣ୍ଡିକ ନେଇ ଟେବୁଲ ଉପରେ ରଖିଦେଲା । ରଙ୍ଗୀ ମଧ୍ୟ ନିଜ ଅବସ୍ଥା–ଚିନ୍ତାରେ ବ୍ୟସ୍ତ ଥିବାରୁ କନକର ଏ ଭାବପରିବର୍ତ୍ତନ ଲକ୍ଷ୍ୟ କଲା ନାହିଁ, ନ ହେଲେ, ପ୍ରକୃତ ଘଟନାଟା ଜାଣିବାକୁ ତାକୁ ବିଳମ୍ବ ହୋଇ ନଥାନ୍ତା ।

 

ଚିଠି ଖଣ୍ଡିକ ନୀଳୁଙ୍କର ।

 

ବାସ୍ତବିକ୍, ନୀଳୁବାବୁ ସେ ଦିନଠୁ ଆଉ ଦେଖା ନାହାନ୍ତି–ଦେଖା ତ ଦୂରର କଥା, ତାଙ୍କର କୌଣସି ଖବର ବି କନକ ପାଇ ନାହିଁ । ସେ କଟକରେ ଅଛନ୍ତି, କି ଅନ୍ୟ କୁଆଡ଼େ ଗଲେଣି, ଏହା ବି କନକକୁ ଏପର୍ଯ୍ୟନ୍ତ ଜଣା ନ ଥିଲା । ଆଜି ଡାକରେ ତାଙ୍କ ହାତ ଲେଖା ଚିଠି ଖଣ୍ଡ ଦେଖି ସେ ଭାବୁଛି ଯେ, ସେ ଏଠାରେ ନାହାନ୍ତି । ଇତି ପୂର୍ବରୁ ଦିନକୁ ଶହେ ଥର ନୀଳୁଙ୍କ କଥା ତା’ରମନେ ପଡ଼ିଲେ ସୁଦ୍ଧା, ସେ କାହିଁକି କେଜାଣି ତାଙ୍କ ବିଷୟରେ କାହାରିକୁ କିଛି ପଚରାପଚରି କରିନାହିଁ । ସେଇ–ସେ ଦିନର ଘଟନା ପରଠୁଁ ଆଜିକୁ ପଚିଶି ଦିନ ହେଲା ନିଧିବାବୁଙ୍କ କଥା ତ ଛାଡ଼ିଦିଅ ଚାକରବାକର ପର୍ଯ୍ୟନ୍ତ ନୀଳୁବାବୁଙ୍କ ପ୍ରସଙ୍ଗରେ ପଦେ କଥା କହିବାକୁ ସୁଦ୍ଧା ସେ ସାହସ କରିନାହିଁ । କି ଗୋଟାଏ କ୍ଷୁଦ୍ରତା ଓ ନୂନ୍ୟତା ତା’ ମନକୁ ନୂଆଇଁ ଦେଇଯାଇଛି ଯେ, ସେ ସେହିଦିନଠାରୁ ନିଜକୁ ଘୋର ଅପରାଧୀ ବୋଲି ଭାବିଛି । କି ପ୍ରକାର ଯେ ତା’ର ଅପରାଧ, ସେ ନିଜେ ତାହା ବୁଝିନାହିଁ, ଅଥଚ ନୀଳୁଙ୍କ ବିଷୟରେ ସେ ଆଉ ପାଟି ଫିଟାଇବାକୁ ସାହସ କରୁ ନାହିଁ । ଏ ବିଷୟରେ ନିଧିବାବୁ ମଧ୍ୟ ସେହିଦିନ ଠାରୁ ଏକାବେଳକେ ମୂକ ହୋଇଯାଇ ଅଛନ୍ତି । ସେ ବୁଝିପାରିଛି ନିଧିବାବୁ ଓ ତା’ ମଧ୍ୟରେ ସେହିଦିନଠାରୁ ଗୋଟାଏ କି ବ୍ୟବଧାନ କ୍ରମେ ଘନୀଭୂତ ହୋଇ ଆସିଛି । ସେ ଦିନର ନିଧିବାବୁଙ୍କ ହସ ତା’ ମନରୁ ଯାଇନାହିଁ, ଏଣେ ତାଙ୍କର ତା’ ପରର ବ୍ୟବହାର ତା’ର ଆତ୍ମଗ୍ଲାନିକୁ ବଢ଼ାଇବା ସଙ୍ଗେ ସଙ୍ଗେ ତା’ ଆତ୍ମାଭିମାନକୁ ମଧ୍ୟ ଉଦ୍ଦୀପିତ କରିଦେଇଛି । ନୀଳୁବାବୁଙ୍କ ଉପରେ ତ ତା’ର ଷୋଳପଣ ଅଭିମାନ, ତା’ଉପରେ ପୁଣି ସ୍ୱାମୀଙ୍କର ଏ ବ୍ୟବହାରରେ ତା’ ମନରେ ଭୟ ସଙ୍ଗେ ସଙ୍ଗେ ଲଜ୍ଜା ଓ ଅଭିମାନ ଉଭୟ ଜାଗି ଉଠି, ବର୍ତ୍ତମାନ ଭୀଷଣ ଆକାର ଧାରଣ କରିପକାଇଛି । ଏ କେତେଦିନ ଦୁଇଜଣଙ୍କ ମଧ୍ୟରେ ଗାର୍ହସ୍ଥ୍ୟ ବ୍ୟାପାର ଛଡ଼ା ଅନ୍ୟ ବିଷୟରେ କଥାବାର୍ତ୍ତା ଆଦୌ ହୋଇନାହିଁ କହିଲେ ଚଳେ । ଫଳରେ ଆଜିକୁ ଦୁଇଦିନ ପୂର୍ବେ ନିଧିବାବୁ ପୁରୀ ଗଲାବେଳକୁ, ଦୁଇ ଜଣଙ୍କର ସାକ୍ଷାତ ହେବାର ମଧ୍ୟ ଆବଶ୍ୟକ ହୋଇନାହିଁ । ଆଉ ଆଜି ଗଉରୀଠାରୁ ଏ ପତ୍ର ଗଉରୀଠାରୁ ! ନିଧିବାବୁ ତ ସ୍ୱଚ୍ଛନ୍ଦରେ ସେହି ବିଷୟ ଲେଖିପାରିଥାନ୍ତେ । ସେଇଥିଯୋଗେ ଆଜି କନକ ନିଜକୁ ସ୍ୱାମୀଙ୍କ ନାମରେ ପତ୍ର ଲେଖିବାର ଅଧିକାରରୁ ବଞ୍ଚିତ ମନେ କଲା–ଯେଉଁ ପତ୍ର ପୁଣି ସେ ସ୍ପଷ୍ଟ ବୁଝିପାରୁଛି, ତାହାରି ନୀଳୁ ଭାଇଙ୍କ ଠାରୁ ହିଁ ଆସିଛି !

 

ଲଜ୍ଜାରେ, ଅପମାନରେ ତାକୁ ଆଜି ଜୀବନ ବିଷ ପରି ଲାଗୁଛି । କେବଳ ଗୋଟାଏ କଠିନ ଅଭିମାନ ତାକୁ ଟେକି ଧରି ଚଳାଇ ନେଉଛି ।

 

ରଙ୍ଗୀ ଏ ସବୁର କିଛି ଜାଣେ ନାହିଁ । ସେ ବା କିପରି ଜାଣିବ–ତା’ ନିଜ ଚିନ୍ତା ତ ତାକୁ ଖାଇ ଯାଉଛି ! ବୋଉ ଓ ଗଉରୀଅପା ସାଙ୍ଗରେ ଦିନେ ତ ନିଶ୍ଚୟ ଦେଖା ହେବ । ସେ ଯୋଗେ ସେ ନିଜକୁ ଆଗରୁ ଅନେକ ପ୍ରକାରେ ପ୍ରସ୍ତୁତ କରି ରଖିଥିଲେ ସୁଦ୍ଧା, ଆଜି ତାଙ୍କ ଆସିବା ଖବରରେ ତା’ ମୁଣ୍ଡରେ ବଜ୍ର ପଡ଼ିଲା ପରି ତାକୁ ବୋଧ ହେଲା । କିଛିକ୍ଷଣ ଚୁପ୍ ରହି ସେ ପୁଣି କନକକୁ ଧରି କହିଲା, ‘‘ନୂଆ’ଉ, ମୁଁ ଆଜି କ’ଣ କରିବି, ମୋତେ କହିଦିଅ !’’ କନକ ଟିକିଏ ହସି–ଏ ଅବସ୍ଥାରେ ତା’ ମୁହଁରୁ ହସ କିପରି କୁଆଡ଼ୁ ଆସିଲା କେଜାଣି, ହସିବାର ତ କୌଣସି କାରଣ ନ ଥିଲା–କହିଲା, ‘‘ତମ ଭାଇ ଆଗେ ବୋଉଙ୍କୁ କିଛି କହିଚନ୍ତି କି ନା, ଦେଖ !’’ ରଙ୍ଗୀ କହିଲା, ‘‘ଆଉ ଗଉରୀଅପା ?’’ ତାଙ୍କୁ ଏତେ କ’ଣ ଡର ?’’ ‘‘ମଲା, ତାକୁ ତ ମୋର ରାଇଜ ଡର, ବୋଉକୁ କ’ଣ ଏତେ ଡର କି ! ନ ହେଲେ–ଯା ଯା ! ନୂଆ’ଉ ମୁଁ କ’ଣ କରିବି ସତେ !’’ ‘‘ନା, ତମେ ଇମିତି ଛାନିଆ ହୁଅ ନାହିଁ । ଆସନ୍ତୁ ଆଗେ, କ’ଣ ହଉଚି ଦେଖାଯାଉ ।’’ ‘‘ନା, ନା, ତେମେ ଦେଖିବ; ସେ ସବୁ ଆସିଲା ବେଳକୁ ମୁଁ କେଉଁଠି ଥିମି ! ସେ କୁଠୁଳୀ ଘରେ କବାଟ ଦେଇକରି–’’ ‘‘ଯାଃ ଏତେ ଡର କାହିଁକି ମ ! କଉଁ କଥାକୁ ଏତେ ଡର ? କ’ଣ କଲ କି ତମେ–ଚୋରି, ନା ନାରୀ, ନା କ’ଣ ! ଦେଖୁନା–କେତେ ଡରୁଚି !’’ ଏହା କହି କନକ ନିଜ ଗର୍ବିତ କଥାରେ ନିଜେ ଫୁଲି ଉଠି ସେଠାରୁ ସଦମ୍ଭରେ ବାହାରି ଚାଲିଗଲା; ରଙ୍ଗୀ ଥକ୍‌କା ହେଲାପରି ତା’ ଆଡ଼କୁ ଅନାଇ ରହିଗଲା । ସେ କୌଣସିମତେ ହଠାତ୍ ବୁଝିପାରିଲା ନାହିଁ, କନକର ତାହା ପରି ଡରିବାର କ’ଣ କାରଣ ଅଛି । ସେ ଖାଲି ଆକୁଳ ହୋଇ ସେହି ବିଷୟ ଭାବିବାକୁ ଲାଗିଲା ।

 

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏ ମତାନ୍ତର ବିଷୟଟି ଟିକିଏ ଖୋଲି ନ କହିଲେ ଚଳିବ ନାହିଁ । ନିଧିବାବୁ ଓ କନକ ଏ ଦୁଇଜଣଙ୍କ ଗାର୍ହସ୍ଥ୍ୟ ଓ ଦାମ୍ପତ୍ୟ ଜୀବନ ବିଷୟରେ ଆଭାସ ମାତ୍ରା ଦିଆ ହୋଇଅଛି । କନକ ହୃଦୟରେ ନିଧି ବାବୁଙ୍କ ସ୍ଥାନ କେଉଁଠି ଏ ବିଷୟରେ ପାଠକେ ସନ୍ଦିହାନ ହେବା ସ୍ୱଭାବିକ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ କନକ ନିଜ ହୃଦୟକୂ ପ୍ରାଣପଣ ଯତ୍ନରେ ସ୍ୱାମୀପ୍ରେମ ଓ ସ୍ୱାମୀ ସେବାରେ ମଣାଇ ଥିଲା ଓ ଗୋଟାଏ ଆଦର୍ଶ ଉପରେ ଅଖଣ୍ଡ ବ୍ରତ ଧାରଣ କରି ସାମାନ୍ୟ କଥାରେ ମଧ୍ୟ ସେଥିରୁ ନିଜକୁ ବିଚଳିତ ହେବାକୁ ଦେଉ ନ ଥିଲା । ଆଉ ନିଧିବାବୁ–ସେ ତ କନକଗତପ୍ରାଣ ହୋଇ ଆଜିଯାଏଁ ବିବାହିତ ଜୀବନର ପ୍ରାୟ ଦେଢ଼ବର୍ଷ କାଳ କଟାଇଥିଲେ । ବିବାହର ଅତି ଅଳ୍ପ କାଳ ପରେ କନକର ନୀଳୁଙ୍କ ପ୍ରତି ମନୋଭାବ ତାଙ୍କର ସୁଗୋଚର ହୋଇଥିଲେ ସୁଦ୍ଧା, ସେ ଯୋଗେ କନକକୁ ଦୋଷ ଦେବା ତ ଦୂରେ ଥାଉ, ସେ ତାକୁ ହୃଦୟର ସହାନୁଭୂତି ଛଡ଼ା ଆଉ କିଛି ଦେଇନଥିଲେ ସେଥିଯୋଗେ । ତା’ ଛଡ଼ା ଅବ୍ୟକ୍ତ ଭାବରେ ଉଭୟଙ୍କ ମଧ୍ୟରେ ଗୋଟାଏ ସଂପୂର୍ଣ୍ଣ ବୁଝା ପଢ଼ା ହୋଇଯାଇଥିଲା । ନିଧିବାବୁ କନକର ସ୍ନେହ, ଯତ୍ନ, ଆଦର ଓ ସେବା ଯେଉଁ ପରିମାଣରେ ପାଉଥିଲେ, ସେଥିରେ ସେ ପରମ ପରିତୃପ୍ତ ହୋଇ ତା’ର ଚରିତ୍ରବଳକୁ ପ୍ରଶଂସା ନ କରି ରହିପାରୁନଥିଲେ । ଫଳରେ ଉଭୟଙ୍କ ଯତ୍ନ ଓ ଚେଷ୍ଟାରେ ଦାମ୍ପତ୍ୟ ପ୍ରେମର ଅନ୍ତରାୟ ସେହି ନୀଳୁଙ୍କୁ ଦୁହେଁ ମଝିରେ ରଖି ଏ କେତେ ଦିନ ଅବିଚ୍ଛିନ୍ନ ସୁଖ ଭୋଗ କରି ଆସିଥିଲେ ।

 

ଏହି ତାଙ୍କର ପ୍ରଥମ ମତାନ୍ତର ! ଇତି ପୂର୍ବରୁ କଳହ ତ ଦୂରର କଥା, ଉଭୟଙ୍କ ମଧ୍ୟରେ ସାମାନ୍ୟ ପ୍ରେମାଭିମାନ ପର୍ଯ୍ୟନ୍ତ ହୋଇ ନାହିଁ । ଏଥିର କାରଣ ସହଜରେ ଅନୁମେୟ । ଉଭୟେ ଧରି ବସିଥିଲେ କର୍ତ୍ତବ୍ୟର ମାପକାଠି, ଯାହା ଜଣକର ପ୍ରକୃତ ପ୍ରେମମୟ ହୃଦୟକୁ ଅନ୍ୟର ପୂର୍ବାଧିକୃତ ସହଜ ପ୍ରେମହୀନ ହୃଦୟ ସହିତ ଏକ ସମାନ କରି ଆସୁଥିଲା । ଏପରି କ୍ଷେତ୍ରରେ ମତାନ୍ତର ସମ୍ଭବ ନୁହେଁ, ଯେ ପର୍ଯ୍ୟନ୍ତ କେହି ସେ ମାପ କାଠିରେ ଦୋଷୀ ବୋଲି ପ୍ରମାଣିତ ନ ହୋଇଛନ୍ତି ।

 

ଅବଶ୍ୟ ନିଧିବାବୁ ସମୟ ସମୟରେ ଭାବୁଛନ୍ତି, ସେ ଠିକ୍ ସଚ୍ଚା ମାଲ୍‌ଟି ପାଇନାହାନ୍ତି ବୋଲି, କିନ୍ତୁ ସମସ୍ତ ଅବସ୍ଥା ବିଚାରରେ ଓ କର୍ତ୍ତବ୍ୟ ଦୃଷ୍ଟିରେ ଏପରି ଭାବକୁ ସେ ସହଜରେ ଦୂର କରି ଦେଇ ପାରିଛନ୍ତି । ମାର୍ଜିତ ଶିକ୍ଷିତ ମନରେ ତାଙ୍କର ଏଥିପାଇଁ କନକ ଉପରେ ଲେଶମାତ୍ର ବିରକ୍ତି ବା ଅଶ୍ରଦ୍ଧା ନ ଥିଲା । କିନ୍ତୁ ସେଦିନ ରଙ୍ଗୀର ସେ ଦୁର୍ଘଟଣା ଦିନ–ନୀଳୁ ଯେତେବେଳେ ସବୁ ଘଟନା ବୁଝିପାରି ଚାଲିଯିବାକୁ ବସିଲେ, ସେ ତାଙ୍କ ବ୍ୟବହାର ମର୍ମ ବୁଝିନପାରି ତାଙ୍କୁ ପଚାରିଲେ । ଇତି ପୂର୍ବରୁ ନିଧିବାବୁ ଓ କନକ ମଧ୍ୟରେ ନୀଳୁ ଓ ରଙ୍ଗୀ ବିଷୟରେ ଯେଉଁ ଚୁକ୍ତି, ଯେଉଁ ଅନୁକ୍ତ ବୁଝାପଢ଼ାଟି ହୋଇଥିଲା ସେ ବିଷୟର ଆଭାସ ପୂର୍ବରୁ ଦିଆଯାଇଅଛି । ସେ ଯୋଗେ ନିଧିବାବୁଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ, କନକ ଅବଶ୍ୟ ନୀଳୁଙ୍କୁ ରଙ୍ଗୀ ବିଷୟ ଅନେକ ଆଗରୁ କହି ସାରିଥିବ । କନକ ସେ ଭାର ନେଇଥିଲା ଏବଂ ତାର ମଧ୍ୟ କହିବା ଉଚିତ୍ ଥିଲା । କିନ୍ତୁ ନୀଳୁଙ୍କର ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞତା ସେ ଦିନ ତାଙ୍କୁ ଆଶ୍ଚର୍ଯ୍ୟନ୍ୱିତ କରିବା ସଙ୍ଗେ ସଙ୍ଗେ କନକ ପ୍ରତି ଗୋଟିଏ ସନ୍ଦିଗ୍ଧ ଅଶ୍ରଦ୍ଧା ତାଙ୍କ ମନରେ ଆଣି ଦେଇଥିଲା । ମାପ କାଠିର ସାହାଯ୍ୟରେ ତଥା ଆଦର୍ଶର ମହୀୟସୀ ଶକ୍ତି ବଳରେ ସେ ଯେଉଁ କ୍ଷୁଦ୍ରତା ଓ ନୀଚ ଧାରଣା ଆଜି ଯାଏଁ ତାଙ୍କ ମନରୁ ବିତାଡ଼ିତ କରିଦେଇପାରିଥିଲେ, ଆଜି ଆଉ ସେଟାକୁ ପରିହାର କରିପାରିଲେ ନାହିଁ । ବଳେ ବଳେ ତାଙ୍କ ମନରେ ଏହି ନୀଚ ଧାରଣାଟି ମୁଣ୍ଡଟେକି ଉଠିଲା ଯେ, ସେ ପ୍ରବଞ୍ଚିତ ହୋଇଛନ୍ତି ଏ କେତେ ଦିନ–କନକଦ୍ୱାରା ! ସମୟ ସମୟରେ ତାଙ୍କ ମନରେ କନକ ଏଡ଼େ ନୀଚ ହୋଇପାରେ, ଏ ବିଷୟରେ ଯଥେଷ୍ଟ ସନ୍ଦେହ ହେଉଥିଲା ପ୍ରଥମେ ପ୍ରଥମେ, କିନ୍ତୁ ନୀଳୁର ବ୍ୟବହାର ଓ ଶେଷ କଥାଗୁଡ଼ିକ ସେ ଯେତେ ଭାବିଲେ, କନକ ପ୍ରତି ଅଶ୍ରଦ୍ଧାରେ ତାଙ୍କ ମନ ତେତିକି ଭରି ଉଠିଲା ଓ ତାଙ୍କର ଆଉ ସନ୍ଦେହ ରହିଲା ନାହିଁ ଯେ, କନକ ଜାଣିଶୁଣି ନୀଳୁଙ୍କୁ ରଙ୍ଗୀ ବିଷୟରେ ଲେଶମାତ୍ର ସୂଚନା ଦେଇ ନାହିଁ । ଜାଣିଶୁଣି ! ଓଃ ଅବିଶ୍ୱାସିନୀ ନାରୀ ।

 

ଆଉ କନକ–ଯେ ଆଜି ସୁଦ୍ଧା ଜାଣିପାରି ନାହିଁ, ତା’ର ଦୋଷ କ’ଣ, କେଉଁଥିରେ ସେ ନିଧିବାବୁଙ୍କ ଚରଣରେ ଅପରାଧିନୀ ! ନୀଳୁବାବୁଙ୍କ ଅନ୍ତର୍ଦ୍ଧାନ ସଙ୍ଗେ ସଙ୍ଗେନ ନିଧିବାବୁଙ୍କର ଏ ଭାବବୈଲକ୍ଷଣ୍ୟ ସେ ଦେଖୁଛି ଓ ମନେ ମନେ ଭୟରେ, ଆତଙ୍କରେ ମୁହ୍ୟମାନ ହୋଇ ଉଠୁଛି ! ତା’ର ସମୟ ସମୟରେ ଏପରି ବି ମନେ ହେଉଛି ଯେ, ସେ ଟିକିଏ ସୁବିଧା ପାଇଲେ ସ୍ୱାମୀଙ୍କ ଗୋଡ଼ ଧରି କାନ୍ଦିକାଟି ପଚାରିବ–ତା’ର ଦୋଷ କ’ଣ; କିନ୍ତୁ ଅଜ୍ଞାତରେ କି ଗୋଟାଏ ଦୁର୍ଭେଦ୍ୟ ପ୍ରାଚୀର ଦୁହିଁଙ୍କ ମଧ୍ୟରେ ସେହିଦିନ ଠାରୁ କୁଆଡ଼ୁ ଆସି ଛିଡ଼ା ହୋଇଯାଇଛି ଯେ, ସେ ଭରସି କିଛି କହିପାରି ନାହିଁ, ନା କରିପାରି ନାହିଁ ! ବିଶେଷତଃ ନିଧିବାବୁଙ୍କର ଛାଡ଼ ଛାଡ଼ ଅଲଗା ଅଲଗା ଭାବ ଓ ଉଦାସ ଆଚରଣରେ ତା’ର ସମସ୍ତ ହୃଦୟଟିକୁ ଓଲଟପାଲଟ କରି ଜାଗି ଉଠିଛି ଗୋଟାଏ ଦୁର୍ଜୟ ଅଭିମାନ, ଯାହା ତାକୁ ତା’ର ସାଧୁ ସଂକଳ୍ପ ପଥରେ ଅଗ୍ରସର କରାଇ ଦେଇନାହିଁ । ଏକାଥିଲାବେଳେ ସେ ଧୀରସ୍ଥିର ଭାବରେ ଭାବେ ଯେ, କଥାଟା କ୍ରମେ ଖରାପ ହୋଇଆସୁଛି । ସଫା ସଫା ଖୋଲାଖୋଲି ହୋଇଯିବା ହିଁ ଭଲ; କିନ୍ତୁ ନିଧିବାବୁଙ୍କ ସମ୍ମୁଖକୁ ଆସିଲେ, ତାଙ୍କ ମୁହଁରେ ସେହି ଉଦାସ ନିର୍ମମ ଭାବଟିକ ଦେଖିଲେ, ତା’ର ସବୁ ସଂକଳ୍ପ, ସବୁ ପ୍ରତିଜ୍ଞା କୁଆଡ଼େ ଉଭେଇ ଯାଏ । ନିଧିବାବୁ ବି ସେ ପ୍ରସଙ୍ଗ ଉଠାଇବା ତ ଦୂରର କଥା, ଅନ୍ୟ କୌଣସି ବିଶେଷ କଥା ବି ସହଜ ଭାବରେ ତାକୁ ଆଜିସୁଦ୍ଧା କହି ନାହାନ୍ତି । ଫଳରେ ତାହାର ପୁଣ୍ୟ ସଂକଳ୍ପ ଗତିରୁଦ୍ଧ ଓ ବାଧାପ୍ରାପ୍ତ ହୋଇ ଅନେକବାର ବ୍ୟର୍ଥ ହୋଇଯିବାରୁ ଆଉ ସେ ସଂକଳ୍ପର ଲେଶମାତ୍ର ବି ଆଜି ତା’ ମନରେ ନାହିଁ । ସେ ବି ଅଜ୍ଞାତରେ ନିଜକୁ ଟାଣ ଟାଙ୍ଗର କରିପକାଇଲାଣି ।

 

ସେ ଆଜିସୁଦ୍ଧା ବୁଝିପାରିନାହିଁ ଯେ, ନୀଳୁଙ୍କୁ ରଙ୍ଗୀ ବିଷୟ ଆଗରୁ ନ କହିଥିବା ସ୍ୱାମୀଙ୍କ ଚକ୍ଷୁରେ ଏତେ ଦୂଷଣୀୟ ଏବଂ ସେଇଟା ହିଁ ତା’ର ଅପରାଧ ! ଅବଶ୍ୟ ସେ ମନେ ମନେ ନିଜକୁ ଧିକ୍‌କାର ଦେଇଛି–ରଙ୍ଗୀ ପାଇଁ, ନିଜ ପାଇଁ ଓ ନୀଳୁଙ୍କ ପାଇଁ କାହିଁକି ସେ ଆଗରୁ ନୀଳୁଙ୍କୁ ଏ ବିଷୟରେ ନ କହିଛି ବୋଲି । କିନ୍ତୁ ସେଇଥିଯୋଗେ ଯେ ନିଧି ବାବୁଙ୍କଠାରେ ବି ତାକୁ ଆହୁରି ଘୋରତର ଭାବରେ ଅପରାଧିନୀ ହେବାକୁ ହୋଇଛି, ସେଟା ତା’ କଳ୍ପନାର ଅତୀତ ! ସମସ୍ତଙ୍କ ଠାରେ ପକୃତରେ ସେ ଦୋଷୀ–ନିଧି ବାବୁ୍ଙ୍କ ଠାରେ ବି ସେହି ପରିମାଣରେ ଯେଉଁ ପରିମାଣରେ ଅନ୍ୟମାନଙ୍କ ଠାରେ–ରଙ୍ଗୀର ଦୁଃଖର କାରଣ ବୋଲି ! ଏଇଟା ଏଡ଼େ ବଡ଼ ଦୋଷ କିଛି ନୁହେଁ ଯେ, ସେଥିଯୋଗେ କେହି ତା’ ଉପରେ ଏଡ଼େ ରାଗ କରିବ ! ଦୋଷ କଲେ ଦଣ୍ଡ ଅଛି, ଦଣ୍ଡ ଗ୍ରହଣ କରିବାକୁ ତ ସେ ପ୍ରସ୍ତୁତ ଅଛି ! ଅସାବଧାନତା ଓ ଭ୍ରାନ୍ତିର ଏଡ଼େ ଦଣ୍ଡ କ’ଣ ହୁଏ ! ସ୍ୱାମୀ ତ ତା’ର ଏପରି ଅନ୍ୟାୟ ତା’ ପ୍ରତି କେଭେଁ କରି ନାହାନ୍ତି । ଏଡ଼େ ଅବିଚାରୀ ତ ସେ ନୁହଁନ୍ତି ମୂଳରୁ-!

 

ହଁ ତା’ର ସେଟା ବଡ଼ ଭୁଲ ହୋଇଯାଇଛି-ନୀଳୁଙ୍କୁ ଆଗରୁ ନ କହିବା ! ସେ ଯୋଗେ ସେ ନିଜକୁ ନିଜେ ମାର୍ଜନା କରିପାରୁ ନାହିଁ । ଏଡ଼େ ଭୁଲ୍‌ଟା କେଡ଼େ ସହଜରେ ହୋଇଯାଇଛି । ବିବାହ ପ୍ରସଙ୍ଗ ତ ଭାଙ୍ଗି ଯାଇଥିଲା । କଟକ ଆସି ନୀଳୁଙ୍କୁ ଯେତେବେଳେ ନିମନ୍ତ୍ରଣ କରି ଆଣି ଆଦର ଆପ୍ୟାୟନ କଲେ, ସେତେବେଳେ କ’ଣ ନୀଳୁଙ୍କୁ ପ୍ରାୟ ଏହି ଆଶ୍ୱାସନା ଦିଆଯାଇ ନାହିଁ ଯେ, ସେଟା ପ୍ରକୃତରେ ଚିରଦିନ ପାଇଁ ଭାଙ୍ଗିଯାଇଛି ବୋଲି । ସେତେବେଳେ କଥାରେ ନ ହେଉ, କାର୍ଯ୍ୟରେ ଓ ବ୍ୟବହାରରେ ତାଙ୍କୁ ତ ସ୍ପଷ୍ଟ ଜଣାଇ ଦିଆଯାଇଥିଲା ଯେ ଆଉ ରଙ୍ଗୀ ପ୍ରସଙ୍ଗ ଉଠିବ ନାହିଁ । ହଁ, ଏଇ କୌଶଳଟି ଜାଣିଶୁଣି ଅବଲମ୍ବନ କରିବାକୁ ପଡ଼ିଥିଲା, ନ ହେଲେ ସେ ଯେ ମୂଳରୁ ଆସି ନଥାନ୍ତା । ନୀଳୁ ଭାଇକୁ ତା’ର କ’ଣ ସେ ଚିହ୍ନି ନାହିଁ ! ନିଧିବାବୁ ବି ତ ଏ କଥା ଜାଣନ୍ତି । ଏଥିରେ ତାଙ୍କର ମୌନ ସମ୍ମତି ଥିଲା ବୋଲି ତା’ର ବିଶ୍ୱାସ ! କିନ୍ତୁ ତା’ ପରେ ମାସ ମାସ ଏପରି କେତେ ମାସ କଟିଗଲା । ସେହି ବିଶ୍ୱାସରେ ହିଁ ନୀଳୁବାବୁ ଯିବା ଆସିବା କରିବାକୁ ଲାଗିଲେ । ତାଙ୍କର ଏ ଭୁଲ୍ ବିଶ୍ୱାସ ତ ଶେଷ ପର୍ଯ୍ୟନ୍ତ ଭଙ୍ଗାଇ ଦିଆଯାଇନାହିଁ ! ଓଃ–କି ଭୁଲ ହଁ ସେଥିଯୋଗେ କନକ ହିଁ ଦାୟୀ ଓ ସେଥିଯୋଗେ ସେ ଅନୁତପ୍ତ ଓ ଦୁଃଖିତ; ତେବେ ସେ ଜାଣିଶୁଣି ଯେ ତାଙ୍କର ଏ ଭୁଲ ବିଶ୍ୱାସ–ତା’ର ଛଳନାର କୌଶଳର ସରଳ ବିଶ୍ୱାସ–ଭାଙ୍ଗି ନାହିଁ, ତାହା ବି ତ ନୁହେଁ !’ ଆଜି କହିବି’, କାଲି କହିବି’-ଏହିପରି କ୍ରମେ ମାସ ମାସ କଟିଗଲା ପରେ ତା ପୋଡ଼ାମନରୁ ସେ କଥା ବି ପୂରା ଭୁଲିଗଲା ! ୟା’ ଛଡ଼ା ନୀଳୁ ଓ ରଙ୍ଗୀ ମଧ୍ୟରେ ସ୍ୱତଃ ଆକର୍ଷଣ ଜନ୍ମାଇବା ହିଁ ଥିଲା ତାଙ୍କର ପୂର୍ବ ବନ୍ଦୋବସ୍ତ–ମୌଳିକ ପ୍ଲେଲନ ! ଆଉ ନୀଳୁଙ୍କ ଆସିବା ଯିବା ତା’ ପକ୍ଷରେ ଏଡ଼େ ସହଜ ଓ ସ୍ୱାଭାବିକ ହୋଇ ଉଠିଲା ଯେ, ସେ ପ୍ରକୃତରେ ଭୁଲିଗଲା ତା’ର କର୍ତ୍ତବ୍ୟ-

 

ସେହି କର୍ତ୍ତବ୍ୟ ସେ ତା’ ସ୍ୱାମୀଙ୍କ ପ୍ରତି ସମସ୍ତଙ୍କଠାରୁ ବଳିକରି ଏଇ ଏତକ ଅଭାଗୀ ବୁଝିପାରିନାହିଁ । ସେଇ ଯେ ଅବ୍ୟକ୍ତ ଚୁକ୍ତି ଦୁହିଁଙ୍କ ମଧ୍ୟରେ ହୋଇଥିଲା, ତାକୁ ହିଁ ଯେ ଭାଙ୍ଗି ବସିଛି, ଏହି କଥାଟି କେବଳ ତା’ର ଧାରଣାର ଅତୀତ । ସେଥିଯୋଗେ ସେ ନିଜକୁ ସମସ୍ତଙ୍କ ଠାରେ, ଯେତିକି, ନିଧି ବାବୁଙ୍କଠାରେ ମଧ୍ୟ ସେତିକି ପରିମାଣରେ ଦୋଷୀ ବୋଲି ଭାବିଛି-ବରଂ ରଙ୍ଗୀଠାରେ ହିଁ ସମସ୍ତଙ୍କ ଠାରୁ ବେଶି ଦୋଷୀ ବୋଲି ସେ ନିଜକୁ ଧରି ନେଇଛି ! ଯେଉଁ ନୀଚ ଅଭିଳାଷ ନିଧିବାବୁ ତା’ ପ୍ରତି ଆରୋପ କରି ଏଡ଼େ ଆଘାତଟା ପାଇଛନ୍ତି, ସେ ନୀଚତା ତା’ ହୃଦୟର ବହୁ ଦୂରରେ ବୋଲି ସେ କଥା ତ ସେ ମୂଳରୁ ଭାବିପାରି ନାହିଁ ।

 

ନିଧିବାବୁ ଧରି ନେଇଛନ୍ତି, କନକର ଚୁକ୍ତିଭଙ୍ଗ ପଛ ଆଡ଼େ ଗୋଟାଏ କୁତ୍ସିତ ନୀଚତା ରହିଛି, ଆଉ କନକ ଜାଣିନାହିଁ ଯେ, ସେ ସେଥିପାଇଁ ତାଙ୍କଠାରେ କିପରି ଦୋଷୀ ହୋଇପାରେ ! ଫଳରେ ସ୍ୱାମୀଙ୍କ ଅନ୍ୟାୟ ଆଚରଣରେ ବ୍ୟଥିତା ହୋଇ ସେ ଅଭିମାନ–ବର୍ମରେ ନିଜକୁ ଢାଙ୍କି ପକାଇଛି ! ଆଉ ଏଟାକୁ କନକର ଦର୍ପ ବୋଲି ଭାବି, ନିଧିବାବୁ ଆହୁରି କଠୋର ନିର୍ମମ ହୋଇ ଉଠି, ନିଜକୁ ତା’ ଠାରୁ ପ୍ରାୟ ସଂପୂର୍ଣ୍ଣ ତଫାତ୍ ରଖିବାକୁ ବସିଛନ୍ତି ।

 

(୨)

 

‘‘ତମ ନୀଳୁ ଭାଇ ଚିଠି ଦେଇଛନ୍ତି, ଦେଖିଚ ?’’

 

‘‘ହଁ, ନା–ମୁଁ କାହିଁକି ତମ ଚିଠି ଖୋଲିମି’’

 

ଅନେକ ଦିନ ପରେ ଆଜି ସ୍ୱାମୀସ୍ତ୍ରୀଙ୍କର ମୁହାଁମୁହିଁ କଥା ଏଇ ପ୍ରଥମ ! ନିଧିବାବୁ ରାତିରେ ଶୋଇବା ଘରକୁ ଆସି କନକକୁ ଅପେକ୍ଷା କରୁଥିବାର ଦେଖି, ତରବର ହୋଇ ଖଟ ଉପରକୁ ଯାଇ, କାନି ପାରି କାନ୍ଥ ଆଡ଼କୁ ମୁହଁ ବୁଲାଇ ଏ ପ୍ରଶ୍ନ କଲେ । କନକ ତଳେ ଯେଉଁଠି ଶୋଇଥିଲା, ସେଠାରୁ ଧଡ଼ପଡ଼ ହୋଇ ଉଠି, ଅନ୍ୟ ଆଡ଼କୁ ମୁହଁ ବୁଲାଇ ଏ ଉତ୍ତରଟି ଦେଲା-ଭରସି ଆଉ କିଛି କହିପାରିଲା ନାହିଁ । ପୁଣି ନିଧିବାବୁ ନୀରବ ହୋଇଯିବାରୁ ବାହା ଉପରେ ମୁଣ୍ଡ ଦେଇ ଭୂଇଁରେ ସେହିପରି ଗଡ଼ିଗଲା । ଆଉ ଆଖିରେ ତା’ର ନିଦ ପଶିଲା ନାହିଁ । ନୀରବରେ କେତେବେଳେ ବି ଟିକିଏ ଲୁହ ତା’ ଆଖିରୁ ଗଡ଼ିପଡ଼ିଲା । ନିଧିବାବୁ ବି ହୁଏତ ଶୋଇପାରୁ ନଥିଲେ, ହଠାତ ତା ବିଛଣାରେ ନିଦ ଭାଙ୍ଗିଗଲା ପରି ଉଠି ବସି ତଳକୁ ଚକିତରେ ଥରେ ଚାହିଁଦେଲେ । କ୍ଷଣକେ କନକ କରୁଣ ଛବିଟି ତାଙ୍କୁ କିପରି ଗୋଟାଏ ବ୍ୟସ୍ତ କରିପକାଇଲା । ବୋଧହୁଏ, ସେ ଜାଣିପାରିଲେ ସେ କାନ୍ଦୁଛି । ଘରେ ଆଲୁଅ ନ ଥିଲା–ଲଣ୍ଠନଟି କମାଇ ଦୁଆର ସେପଟେ ସେ ରଖି ଆସିଥିଲେ । ଖାଲି ଝରକାବାଟେ ଶାରଦୀୟ କୃଷ୍ଣନବମୀର ଅର୍ଦ୍ଧଚନ୍ଦ୍ର ଝଲକାଏ କିରଣ ଅଯତ୍ନରେ କନକର ମୁଣ୍ଡ ଦିହରେ ବୁଣି ଦେଇଥିଲେ । ଖଣ୍ଡି ଓଢ଼ଣା ଭେଦ କରି ଗୋଟାଏ ମେଞ୍ଚା ସେଥିରୁ ଯାଇଁ ପଡ଼ିଥିଲା ତାର ସ୍ଥିର, ସ୍ପୀତ ଅଧରୌଷ୍ଠଟି ଉପରେ-ଯେଉଁଥିରେ କନକ ଓଢ଼ଣାର ଗୋଟାଏ ପ୍ରାନ୍ତ ଚାପି ଧରି ମୁହଁଟିକୁ ଅଧେ ଆବୃତ୍ତ ରଖିଥିଲା । ନିଧିବାବୁ ଅଭିଭୂତ ହେଲା ପରି କ୍ଷଣେ କାଳ ସେହି ମୃଦୁ-କମ୍ପମାନ ପ୍ରିୟ ମୁଖଟି ଆଡ଼କୁ ଅନାଇ ରହିଲେ । କି ଗୋଟାଏ କରୁଣ ରସରେ ତାଙ୍କ ହୃଦୟ ଭରି ଉଠିଲା, ସେ ଧଡ଼ପଡ଼ ହୋଇ ବିଛଣାରେ ଉଠି ବସିଲେ । ଅନିଶ୍ଚିତ ଭାବରେ ୟାଡ଼େ ସ୍ୟାଡ଼େ ଥରେ ଅନାଇ, ଜୋର କରି କହିଲେ, ଅତି କୋମଳ ଆର୍ଦ୍ର କଣ୍ଠରେ, ‘‘କନକ; ତଳେ ଭୂଇଁଟାରେ କାହିଁକି ଶୋଇଚ ?’’ କନକ ନ ଶୁଣିଲା ପରି ପଡ଼ି ରହିଲା, ଭାବିଲା–ମୁଁ ମୋର ଶୋଇଲି, କି ମଲି ! ପୁଣି ନିଧିବାବୁ କହିଲେ, ‘‘ଛି, କନକ ଭୂଇଁଟାରେ କାହିଁକି ଶୋଇଛ !’’ କନକ କ’ଣ ଭାବିଲା, ହଠାତ୍ ଧଡ଼ପଡ଼ ହୋଇ ଉଠି ଗୃହ କୋଣରେ ଥିବା ସଉପ ମଶୁଣିଟିଏ ଆଣି ଧଡ଼କରି ତାକୁ ପକାଇ ଦେଇ ଏଥର ତା’ ଉପରେ ଶୋଇଗଲା ।

 

ପୁଣି ନୀରବ । ନିଧିବାବୁ କିନ୍ତୁ ଖଟ ଉପରେ ସେହିପରି ସିଧା ବସିଥାନ୍ତି । ହଠାତ୍ ପୁଣି ତାଙ୍କୁ ଜଣାଗଲା, ଯେପରି କନକ ପୁଣି କାନ୍ଦୁଛି । ସେ ଧୀରେଧୀରେ ଖଟରୁ ଓହ୍ଲାଇ, କନକର ମୁଣ୍ଡ ପାଖରେ ଯାଇ ଛିଡ଼ା ହେଲେ । କିଛିକ୍ଷଣ ମୌନ ଭାବରେ ସେହିଠାରେ ଛିଡ଼ା ହୋଇ କହିଲେ, ‘‘କନକ ମୁଁ ଏଇଠି ଟିକିଏ ସପ ଉପରେ ଶୁଏଁ ?’’ କନକ କିଛି ନ କହି, ଜାଗା ଛାଡ଼ି ଦେଇ ବୁଲି ଶୋଇଲା । ନିଧିବାବୁ ବସି ପଡ଼ିଲେ ଲମ୍ବ ହୋଇ ଶୋଇବାର ଆୟୋଜନ କଲାବେଳେ କନକ ଝଟ୍‌କରି ଉଠି ବସିଲା । ନିଧିବାବୁ କହିଲେ, ‘‘କି, ଉଠିଲ ଯେ ?’’ ‘‘ଗୋଟାଏ ତକିଆ ଆଣିଦିଏ’’ ବୋଲି କହି କନକ ଉଠି ପଡ଼ୁଥିଲା । ନିଧିବାବୁ ହଠାତ୍ ତା’ ହାତ ଯୋଡ଼ିକ ଧରିପକାଇ ତାକୁ କତିକି ଭିଡ଼ି ନେଲେ । କନକ ଅଧୋବଦନରେ ରହିଲା–ହୁଁ କି ନାହିଁ କିଛି କହିଲା ନାହିଁ । ଅଭିମାନରୁ ହେଉ ବା ଆଉ ଯାହା ହେଉ, ଗୋଟାଏ ଭାରି ବଡ଼ କୋହ ତା’ ଛାତିଟିକୁ ଫୁଲାଇ ଫୁଲାଇ ତା’ ତଣ୍ଟି ପର୍ଯ୍ୟନ୍ତ ଆସି, ବାହାରିବାର ପଥ ନ ପାଇ, ତାକୁ ବ୍ୟତିବ୍ୟସ୍ତ କରି ଦୋହଲାଇ ପକାଉଥାଏ । ନିଧିବାବୁ କନକର ହାତଟି ଧରିଥିବାରୁ ତା’ ଆନ୍ତରିକ ଯୁଦ୍ଧର ଆଭାସ ପାଇ, ନିଜେ ମଧ୍ୟ ବିଚଳିତ ହୋଇ କହିଲେ ‘‘କନକ, ଏଡ଼େ ପର ନା ମୁଁ ତୋର !’’ କନକ ଆଉ ସମ୍ଭାଳି ହୋଇ ରହିପାରିଲା ନାହିଁ-ନିଧିବାବୁଙ୍କ କୋଳରେ ଲୋଟି ହୋଇ ପଡ଼ି ତାଙ୍କ ପାଦକୁ ଅଶ୍ରୁଜଳରେ ଧୌତ କରୁଁ କରୁଁ କହିଲା, ‘‘ତେମେ କ’ଣ ଜାଣ ନାହିଁ, ତମେ ମୋର କିଏ !’’

 

ଆଲିଙ୍ଗନ ପାଶରେ ଆବଦ୍ଧ ରହି ଦୁହେଁ ନୀରବରେ ଅନେକ କ୍ଷଣ ଏହିପରି କଟାଇଲେ-। କନକ ଅନେକଦିନ ପରେ ଆଜି ତା’ର ହଜିଲା ଧନଟିକ ପାଇଛି–କି ଆନନ୍ଦ ତା’ ଛାତିଟିରୁ ଟିକି ଟିକି ହୋଇ ଅଶ୍ରୁଛଳରେ ରହି ରହି ବାହାରି ଯାଉଛି ! ନିଧିବାବୁ ମଧ୍ୟ ବିଚଳିତ ନୀରବ ଆବେଗରେ ତାକୁ ବକ୍ଷର ଆହୁରି କତିକୁ ଭିଡ଼ି ନେଇ, ତା’ର ଲୁହ ପୋଛି ଦେଉଁ ଦେଉଁ କି ଗୋଟାଏ ମଧୁର ଆବେଗରେ ଭରି ଯାଇ ନିଜେ ମଧ୍ୟ ଅଶ୍ରୁ ସମ୍ବରଣ କରିପାରୁ ନାହାନ୍ତି ! ଉଭୟେ ନୀରବ !

 

ଅନେକ କ୍ଷଣ ପରେ ନିଧିବାବୁ କନକର ମୁହଁଟିକୁ ତାଙ୍କ ବକ୍ଷ ଉପରୁ ଉଠାଇ ନିଜ ମୁଖର ସମ୍ମୁଖୀନ କରିବାର ପ୍ରୟାସ କରୁଁ କରୁଁ ଡାକିଲେ,’’ କନକ ! କନକ ଢଳ ଢଳ ଆଖିଯୋଡ଼ିକ୍ ତା’ର ତଳକୁ କରି, ପଣନ୍ତ କାନିରେ ମୁହଁକୁ ଚାପି ରଖି କହିଲା ‘‘ଉଁ’’ । ‘‘ମୋତେ ଭଲି କରି ଅନେଇଲୁ !’’ ବୋଲି କହି ନିଧିବାବୁ ପୁଣି ଥରେ ଜୋର କରି ତା’ ଓଠ ଧରି ମୁହଁଟିକୁ ଟେକି ଧରିଲେ । କନକ ଆଖିରୁ ଲୁହ ଶୁଖି ନାହିଁ । ସେ ଥରେ ମାତ୍ର ସଜଳ ଆଖିଯୋଡ଼ିକରେ ସ୍ନେହସଲଜ୍ଜ ହସଗୁଡ଼ିଏ ନେଇ ନିଧିବାବୁଙ୍କ ମୁହଁକୁ ଚାହିଁଲା । ଚାରି ଚକ୍ଷୁ ମିଳିତ ହେବା ମାତ୍ରକେ ହଠାତ୍ ଗୋଟିଏ ହସର ବେଗ ଉଠି ତାକୁ ଆଉ ସେପରି ଭାବରେ ଅନାଇ ହେଲା ନାହିଁ–ମୁଣ୍ଡ ତଳକୁ ଲଇଁ ହୋଇଗଲା ବଳେ ବଳେ । ଆଉ ସେ ହସୁ ହସୁ ପୁଣି କାନ୍ଦିପକାଇ, ନିଧିବାବୁଙ୍କ ବକ୍ଷରେ ମୁହଁ ଲୁଚାଇ ଦେଲା । ବଡ଼ ଆନନ୍ଦ ଆଜି ତା’ର ବଡ଼ ସୁଖ ! ତା’ର ସବୁ ଜ୍ୱାଳା, ଯନ୍ତ୍ରଣା, ଅଭିମାନ, ଦୁଃଖ କୁଆଡ଼େ ଧୋଇ ହୋଇ ସଫା ହୋଇଗଲାଣି ସେତେବେଳକୁ ।

 

ନିଧିବାବୁ ପୁଣି ଡାକିଲେ, ‘‘କନକ !’’ ତାଙ୍କରି ବକ୍ଷ ଭିତରୁ ଜବାବ ଆସିଲା, ‘‘କି ?’’ ‘‘କନକ ! ମୁଁ ଭାରି ପାଷଣ୍ଡ ଗୋଟା !’’ ‘‘କି ?’’ ମିଛରେ ତୋତେ ଖରାପ ବୋଲି ଭାବିଥିଲି, ରାଗିଥିଲି ତୋ ଉପରେ ।’’ କନକ ଝଟ୍ ତାଙ୍କ ଛାତିରୁ ଘୁଞ୍ଚି ଆସି ମୁହଁରେ ହାତ ଦେଇ ତାଙ୍କୁ ବନ୍ଦ କଲା, ‘‘ଛି–ଥାଉ !’’ ନିଧିବାବୁ ତା’ ହାତକୁ ଏଡ଼ିଦେଇ ଆବେଗ କମ୍ପିତ କଣ୍ଠରେ ପୁଣି କହିଲେ–‘‘ନା କନକ, ଶୁଣ, ମୁଁ ଯା କହୁଛି–ମୁଁ ବଡ଼ ନୀଚ, ବଡ଼ ହୀନ ! ତମକୁ ମୁଁ ସେହିପରି ହିଁ ଭାବିଥିଲି, କିନ୍ତୁ କନକ, ମୁଁ ତ ୟା ଆଗରୁ କେଭେଁ ଏପରି ଭାବିନାହିଁ । ଏଥର କାହିଁକି ଏପରି ଭାବିଲି କେଜାଣି !’’ କନକ ତାଙ୍କ କଥାକୁ ମୂଳରୁ ଖିଆଲ ନ କଲା ପରି କୌତୁକ ଭାବରେ ପଚାରିଲା, ‘‘କିପରି ? ନାଇଁ ନାଇଁ, ଥାଉ, ମୁଁ ଶୁଣିବି ନାହିଁ ଯା–ଯାହା ତ ହେବାର ହୋଇଗଲାଣି, ଆଉ ଶୁଣି କ’ଣ ହେବ ? ଖାଲି ଆହୁରି ଅଧିକ ମନ ଖରାପ ହେବ ।’’ ‘‘ନା, ଶୁଣ, କହେ !’’ ‘‘ନା, ନା, ମୁଁ ଶୁଣିପାରେ ନାହିଁ ଯା-। ସତ କହୁଚି, ସେଥିପାଇଁ ଆଉ ଟିକିଏ ବି କିଛି ମୋ ମନରେ ନାହିଁ । ମତେ ଅନ୍ତର କରିଦେଇଥିଲ, ଏବେ ପୁଣି ନେଲ–ଏଇ ତ ମୋର ଢେର । ଆଉ କିଛି ମୋର ଲୋଡ଼ା ନାହିଁ । ସେତେବେଳେ ମୁଁ ଭାବୁଥିଲି; ଏଡ଼େ ନିଷ୍ଠୁର କିମିତି ହେଲ ବୋଲି । ଏଇଛୁଣି–’’ ‘‘ହଁ, ମୁଁ ନିଷ୍ଠୁର ନିର୍ମମ ହେଇଛି । ନା, ନା, ମୋ କଥା ଶୁଣି ଯା ନ ଶୁଣିଲେ ଛାଡ଼ିବି ନାହିଁ ।’’ କନକ ଆଉ ତାଙ୍କୁ ରୋକିପାରିଲା ନାହିଁ-ସେ ଅନର୍ଗଳ ବକିଗଲେ ସେ ଶୁଣିଗଲା । କିପରି ସେ ଭାବିଥିଲେ ତାଙ୍କୁ ଅବିଶ୍ୱାସିନୀ ବୋଲି-ଚୁକ୍ତିଭଙ୍ଗ, ସେଥିରେ କନକର ଦାୟିତ୍ୱ । ତାଙ୍କର ଅସଲ ରାଗ ଓ ନୀଚ ଧାରଣା ଯେ, କନକ ତାଙ୍କୁ ମୂଳରୁ ଚାହେଁ ନାହିଁ ନୀଳୁଙ୍କୁ ହିଁ ଚାହେଁ ! ସେ ଯୋଗେ ଇଚ୍ଛା କରି ସେ ରଙ୍ଗୀ କଥା ନୀଳୁଙ୍କ ଠାରୁ ଲୁଚାଇ ରଖିଥିଲା । ଇତ୍ୟାଦି । କନକ ଶୁଣୁ ଶୁଣୁ କାଠ ହୋଇଗଲା; ନିଧିବାବୁଙ୍କ ବକ୍ଷରେ ମୁହଁ ଗୁଞ୍ଜି ଧଡ଼୍‌ପଡ଼୍ ହେଉଥାଏ । ନିଧିବାବୁ ତାକୁ ଜୋରେ ଭିଡ଼ି ଧରିଥାନ୍ତି । ହଠାତ୍ ସେ ବୁଝିପାରିଲା ତା’ର କେଉଁ ଦୋଷରୁ ସ୍ୱାମୀ ତାକୁ ଏତେ କଷଣ ଦେଇଛନ୍ତି । ସତେ ତ, ତାଙ୍କର ବା ଦୋଷ କ’ଣ । ତାଙ୍କର ୟା ଭାବିବା ତ ଅନ୍ୟାୟ ନୁହେଁ । ହଠାତ୍ କନକ ନିଜକୁ ତାଙ୍କ ବକ୍ଷରୁ ଛଡ଼ାଇ ନେଇ ତାଙ୍କ ଗୋଡ଼ ଧରି ପକାଇ କହିଲା, ‘‘ସବୁ ଦୋଷ ମୋର, ତମର କିଛି ଦୋଷ ନାହିଁ–କାହିଁକି ଆଉ ନାଜ ଦଉଚ ମତେ ! ତେବେ, ମୁଁ ଜାଣିଶୁଣି ୟା କରି ନାହିଁ ପରା’’ ‘‘ଦେଖ କନକ, ମୁଁ ବୁଝିଲିଣି, କେଡ଼େ ନୀଚ ମୁଁ । ମୋତେ ତମେ କ୍ଷମା କର ! ମୋର ଦୋଷ ନାହିଁ ? ସବୁ ଦୋଷ ମୋର ।’’ ନିଧିବାବୁ କନକର ହାତଯୋଡ଼ିକ ଧରି ପକାଇ ତାକୁ ଟାଣି ଆଣିଲେ ଆହୁରି ପାଖକୁ । କନକ ବାଲୁ ବାଲୁ ହୋଇ ଚାହିଁଥାଏ ୟାଙ୍କ ମୁହଁକୁ । ‘‘କି ଆଶ୍ଚର୍ଯ୍ୟ, ମୋର ହେଲା ସବୁ ଦୋଷ ପୁଣି କ୍ଷମା ଦେବି ମୁଁ ।’’ ନିଧିବାବୁ କହିଲେ, ‘‘କନକ, କହ ମୋତେ କ୍ଷମା କଲୁ ?’’ ‘‘କ’ଣ କ୍ଷମା ଦେମି ମୁଁ ?’’ ମୋର ତ ନିଜର ସବୁ ଦୋଷ ।’’ ଏହା କହି କନକ କାନ୍ଦି ପକାଇଲା । ନିଧିବାବୁ କହିଲେ ‘‘ମୋର କ’ଣ କିଛି ଦୋଷ ନାହିଁ ? ମୁଁ ଯେ ତତେ ଏଡ଼େ ଖରାପ ବୋଲି ଭାବିଲି–’’ ‘‘ମୁଁ ତ ଖରାପ !’’ ‘‘ନାଇଁ ତୁ କ’ଣ କଲୁ କି ?’’ ‘‘କି, ନୀଳୁ ଭାଇକି ଆଗରୁ ନ କହିବା କ’ଣ ମୋର ଠିକ୍ ?’’ ‘‘ଆରେ ବାଃ, ନୀଳୁଭାଇଙ୍କୁ ତୁ ନ କହିଲୁ ଫେରେ କେମିତି । ଏଇ ନିଜେ ନୀଳୁ ଭାଇ ଲେଖିଛି, ସେ ଆଗରୁ ଜାଣିଥିଲା ।’’ ଏହାକହି ନିଧିବାବୁ ଖଣ୍ଡେ ଚିଠି କାଢ଼ି କନକ ହାତକୁ ବଢ଼ାଇ ଦେଲେ । କନକ ତାକୁ ନେଇ ଉତ୍କଣ୍ଠା ଓ ଆଗ୍ରହ ସହିତ ଘରୁବାହାରି ଗଲା; ଦୁଆର ସେପଟେ ଲଣ୍ଠନଟିକୁ ଟିକିଏ ତେଜି ଦେଇ ପଢ଼ି ବସିଲା ।

 

ଏଣେ ନିଧିବାବୁ ବିଛଣାରେ ପଡ଼ି ଛଟପଟ ହେଉଥାନ୍ତି । କ୍ରମେ ଅଧଘଣ୍ଟାଏ ହୋଇଗଲା, କନକର ଆଉ ସୋର ଶବଦ ନାହିଁ । ନିଧିବାବୁ ଉଠିଆସି ଦୁଆର ଖୋଲି ବାହାରୁ ବାହାରୁ କହିଲେ, ‘‘କି ପଢ଼ୁଥିବ କି ବସି ?’’ କିନ୍ତୁ ଶୁଣୁଛି କିଏ ? କନକ ଖୋଲା ଚିଠି ଖଣ୍ଡିକ ଆଗରେ ପକାଇ କାନ୍ଥକୁ ଆଉଜି କାଠି ପିତୁଳାଟି ପରି ବସିଛି–ଯେପରି ଚେତା ନାହିଁ । ନିଧିବାବୁ ଯାଇ ତାକୁ ହଲାଇ ଦେଲାରୁ ଧଡ଼୍‌ପଡ଼୍ ହୋଇ ଉଠି ଠିଆ ହୋଇ କନକ ହଠାତ୍ ଭୋ ଭୋ କରି କାନ୍ଦି ଉଠିଲା ।

 

ନିଧିବାବୁ କିଛି ବୁଝିପାରିଲେ ନାହିଁ; କନକକୁ ଗୋଟାଏ ହାତରେ ଧରି ଭିଡ଼ି ଭିଡ଼ି ନେଇଗଲେ ଘର ଭିତରକୁ । ଖଟ ଉପରେ ନିଜେ ବସି, ତାକୁ ଉପରକୁ ଆଣିବାକୁ ଚାହିଁଲେ; କିନ୍ତୁ କନକ ମାନିଲା ନାହିଁ, ନା ଶୁଣିଲା ନାହିଁ–ହଠାତ୍ ତାଙ୍କ ବାହୁପଣା ଛଡ଼ାଇ, ତାଙ୍କ ଗୋଡ଼ ଧରି ଭୂଇଁରେ ବସି ପଡ଼ି ଉଚ୍ଛ୍ୱସିତ ଭାବରେ କାନ୍ଦିବାକୁ ଲାଗିଲା ! ‘‘କ’ଣ, କଥା କ’ଣ ! କ’ଣ ହେଲା ?’’ ବୋଲି ପଚାରି ଆଶ୍ଚର୍ଯ୍ୟାନ୍ୱିତ ନିଧିବାବୁ କେଡ଼େ ଆଦରରେ ତାକୁ ଶାନ୍ତ କରିବାକୁ ଚେଷ୍ଟା କଲେ, କିନ୍ତୁ କିଛି ଫଳ ହେଲା ନାହିଁ । ଟିକିଏ କ୍ରନ୍ଦନ ବେଗ ପ୍ରଶମିତ କରି ତାଙ୍କ ଦୁଇ ଗୋଡ଼ ସନ୍ଧିରୁ କନକ ମର୍ମଦଗ୍‌ଧ ସ୍ୱରରେ କହିଲା, ‘‘ଆହେ, ଦୋଷ ମୋର–ସବୁ ଦୋଷ ମୋର । ନୀଳୁ ଭାଇ ମିଛ କଥା ଲେଖିଛି । ମୁଁ ତାକୁ ମୂଳରୁ କହି ନାହିଁ ରଙ୍ଗୀ କଥା ! ଆହେ, ମୁଁ ତୁମକୁ ଠକି ପାରିବି ନାହିଁ । ତମେ ମୋତେ କ୍ଷମା କର । ମୋର ଭୁଲ ହୋଇଯାଇଥିଲା । ମୁଁ ଜାଣିଶୁଣି ୟା କରିନି କେଭେଁ । ଆହେ, ମୁଁ କେମିତି ତମକୁ ଠକନ୍ତି । ! ନା, ନା, ନା, ମୋରି ସବୁ ଦୋଷ । ମୋତେ କ୍ଷମାକର ।

 

ନିଧିବାବୁ ଚମକି ଉଠିଲେ । ଦୁନିଆଟା ସାରା କ’ଣ ତେବେ ଠକ, ମିଛୁଆ ନୀଳୁ କେଡ଼େ ଭଲେଇ ହୋଇ ଲେଖିଛି–ଆ-ହା–‘‘ମୋର ଆଗରୁ କଟକ ଛାଡ଼ି ଚାଲିଆସିବା ଉଚିତ୍ ଥିଲା । ଜାଣିଶୁଣି ସେଠାରେ ରହିବାଦ୍ୱାରା ସମସ୍ତଙ୍କୁ ତ ଠକିଛି, ନିଜେ ନିଜକୁ ମଧ୍ୟ ଠକିଛି !’’ ଆହା, ଫେରେ କ’ଣ ନା–‘‘କନକ କହିଲେ ମଧ୍ୟ ମୁଁ ଯେ ରଙ୍ଗୀକୁ ବାହାହୋଇପାରିବି ନାହିଁ, ଏକଥା ମୁଁ ତ ବେଶ୍ ଭଲ ରୂପେ ଜାଣିଥିଲି; ତେବେ କି ବୋକାମି କଲି–କାହିଁକି ଦି’ ଦିନ ଆଗରୁ ଏଇୟାଟି ନ କଲି ! + + + ରଙ୍ଗୀପାଇଁ ମୁଁ ଯେତିକି ଦୁଃଖିତ, କନକ ପାଇଁ ମଧ୍ୟ ତେତିକି ! ସେ ବିଚାରୀର କିଛି ଦୋଷ ନାହିଁ । ମୁଁ ଯେ ତା’ କଥା ନ ମାନିବି, ସେ କିପରି ଜାଣନ୍ତା ! ସେ କହିବ ସିନା,–ଆଉ ତା’ ହାତରେ କ’ଣ ଅଛି । + + + ନା, ନା, ସବୁ ଦୋଷ ମୋରି । ମୋହାନ୍ଧ ହୋଇ ଏତେ ଲୋକଙ୍କର ଦୁଃଖର କାରଣ ହୋଇଛି ମୁଇଁ ସିନା !’’ ନାଃ, ସମସ୍ତେ ଠକ-ଦୁନିଆସାରା ସ ଅ ମ ସ୍ତେ ।

 

ଗୋଟିଏ ଅମିତ କୁଣ୍ଠା ଓ ଘୃଣାରେ ନିଧିବାବୁଙ୍କ ମନ ଭରିଗଲା । ବଡ଼ କରି ବାଧିଲା ତାଙ୍କୁ ଏଇ କଥାଟି ଯେ, ସେ ତାଙ୍କ ସ୍ତ୍ରୀଦ୍ୱାରା ହିଁ ପ୍ରତାରିତ ନାଃ ଇୟେ ବି ଗୋଟାଏ ଛଳନା କନକର । ଯଦି ନୀଳୁକଥା ମିଛ, କନକ ନିଶ୍ଚେ ଜାଣିଶୁଣି ନୀଳୁଙ୍କୁ ଏ ବିଷୟରେ କହି ନାହିଁ–ଜାଣିଶୁଣି ଲୁଚାଇଛି ଓ ତାଙ୍କୁ ପ୍ରବଞ୍ଚିତ କରିଛି ! ତେବେ–ତେବେ, ଆଜି ପୁଣି ଏ କ୍ଷମା ଭିକ୍ଷା କାହିଁକି-? ଅନୁତାପ ନା ଛଳନା ? ଏଡ଼େ ବିକଳ ହୋଇ କ୍ଷମା ଭିକ୍ଷା କରୁଛି ! ହାୟ, କନକ–ମୋ ରାଣୀ, କାହିଁକି ମୋତେ ଠକିଲୁ, କାହିଁକି ପୁଣି ଠକୁଚୁ ! କ୍ଷମା, କ୍ଷମା, ନା, ସେଟା ମୋ ଠାରେ ସମ୍ଭବ ନୁହେଁ-। ହଁ, କନକ ତ ଦୋଷ ସ୍ୱୀକାର କରୁଛି ନିଜେ, ନୀଳୁଙ୍କ କଥାକୁ ମିଛ ବୋଲି ଜାହିର କରି । ତେବେ, ତେବେ କ’ଣ ସତ କନକ ଭୁଲି ଯାଇଥିଲା, ନା ଜାଣିଶୁଣି ୟା କରିଥିଲା ।

 

ହଠାତ୍ ନିଧିବାବୁ କନକକୁ ଧରି ବଳପୂର୍ବକ ତାକୁ ଖଟ ଉପରକୁ ଭିଡ଼ି ନେଇ କହିଲେ, ‘‘ସତ କହୁଚ କନକ, ନୀଳୁ କଥା ମିଛ ? ତେମେ ତାକୁ ରଙ୍ଗୀ ବିଷୟ ଆଗରୁ କହି ନାହଁ ? ‘‘ହଁ, ସତ କହୁଚି–ଏଇ ତମ ଗୋଡ଼ ଛୁଇଁ କହୁଛି । ଆହୁରି ବି ଶୁଣ–ମୁଁ ଭୁଲିଯାଇଥିଲି, ହେଳାରେ କହି ନାହିଁ-ଜାଣିଶୁଣି ନୁହେଁ ।’’ ନିଧିବାବୁ କ୍ଷଣେ ମାତ୍ର ଆଉ ଦ୍ୱିଧା କଲେ, ପରକ୍ଷଣରେ କନକକୁ ଉଠାଇ ଏକାବେଳକେ ଛାତି ଉପରକୁ ନେଇ ବାହୁବନ୍ଧନରେ ଭିଡ଼ି ଧରୁ ଧରୁ ପୁଣି ହଠାତ୍ କି ଗୋଟାଏ ବିପରୀତ ଭାବରେ ତାଡ଼ନାରେ କନକକୁ ଦୂରକୁ ହଟାଇ ଦେଇ, ଧଡ଼ପଡ଼ ହୋଇ ବିଛଣାରୁ ଉଠି ସେ ଘରୁ ପାଂଶୁ ମୁଖରେ ଦୃଢ଼ ପ୍ରତିଜ୍ଞା ଭାବର ଏକଦମ୍ ବାହାରି ଚାଲିଗଲେ । କନକ ଏ କଠୋର ଆଚରଣରେ ସ୍ତମ୍ଭିତ ହୋଇ ରହିଗଲା ।

 

(୩)

 

‘‘ନିଧି, ଏଡ଼େ ବାୟା ନା ତୁ ? ଛି, ଛି !

 

‘‘କି କ’ଣ ହେଲା କି ଅପା ?’’

 

‘‘କ’ଣ ହେଲା ! ତୁ ଏଠି ଦାଣ୍ଡୁଟାରେ କାହିଁକି ଶୋଉଚୁ କହନି ।’’

 

‘‘ଘର ଭିତରେ ତମୁକୁ ସବୁ ଜାଗା ଅଣ୍ଟୁ ନାହିଁ । ବର୍ଷାପାଣି ଦିନ । ମୁଁ ବଡ଼ ଘରଟିରେ ଶୋଇଲେ ତୁମେ ସବୁ କେଉଁଠି ପଡ଼ିବ କହନି !’’

 

‘‘ମଲା, ଆମେ ତ ଫେରେ ଏଇଠି ସିମିତି ଚଳୁଥିଲୁଁ ନା–’’

 

‘‘ମଲା, ସେତେବେଳେ କ’ଣ ଇମିତି ବର୍ଷା ଝଡ଼ି ହଉଥିଲା ? ଯା, ଯା, ଅପା, ତୁ ତା’ କତିରେ ଶୋଇଚୁ ବୋଉ ରଙ୍ଗୀ କରି କୋଠରି ଘରେ ଶୋଇବେ, ମୁଁ ଏଇଠି ଶୋଇବି ଯା !’’

 

‘‘ନିଧି, ତୁ ମତେ ପାଠ ପଢ଼େଇବୁ; ନୁହେଁ ? ମୁଁ କ’ଣ ଜାଣିପାରି ନାହିଁ, ତୁ ବୋହୂଟା ଉପରେ ଅକାରଣେ ରାଗିଛୁ । ପିଲାଟା କାନ୍ଦି କାନ୍ଦି ସାରା ହେଲାଣି–ତୋର ଇୟେ କି କଥା । ଛି, ଛିଃ ହଁ ଦୋଷ କରିଚି ଯଦି, ଦଣ୍ଡ ଦବୁ ତ ଦବୁ । ଦିନେ ଗଲା ଦି’ ଦିନ ଗଲା ତିନିଦିନ ଗଲା–ଆଉ କେତେଦିନ ତାକୁ ଇମିତି କରିବୁ କହନି । ତୋତେ ମୋ ରାଣ, ଘକୁ ଯା’ ।’’

 

ରାଣ ପକା ନା କହି ଦଉଚି, ଅପା, ମିଛୁଟାରେ । ମୁଁ କେଭେଁ ଯିବି ନାହିଁ ସେ ଘରକୁ । ମୁଁ ଗୋଟେ ରାଗିବି କାହିଁକି କା’ ଉପରେ ! ତୁ ଯା ଶୋଇବୁ, ଯା ।’’

 

‘‘ସତ କହୁଚୁ ତୁ ରାଗି ନାହୁଁ ନିଧି ? ହଉ, ମୁଁ ବି ଆଜି ବୋହୂକୁ ପଚାରୁଚି ରହିଥା ସଫା କରି ? ଆଉ ତେବେ କାହିଁକି ଘରକୁ ଯାଉ ନାହୁଁ ଶୋଇବାକୁ ?’’

 

‘‘କହିଲି ପରା ଲୋ–ଜାଗା ହଉ, ନାହିଁ ତମକୁ !’’

 

‘‘ହଉ, ତା’ ହେଲେ ମୁଁ ତ ଏଠି ନ ରହିନେ ଗଲା । ମୁଁ କାଲି ତାହେନେ ମୋର ଯାଉଛି-!’’

 

ଏହା କହି ଗଉରୀ ମହାରାଗ ହୋଇ ନିଧିବାବୁ ପଛଆଡ଼ୁ ଡାକୁ ଡାକୁ ସେଠାରୁ ଚାଲିଗଲା । ନିଧିବାବୁ ‘‘କାଲି ଦେଖାଯିବ । ସମସ୍ତେ ଜାଣିଲେ ଜାଣିବେ, ଏବେ ଆଉ କ’ଣ କରିମି-।’’ ବୋଲି ମନେ ମନେ କହି ପୁଣି ଶୋଇବାର ଆୟୋଜନ କରୁଛନ୍ତି, ଗଉରୀ ସିଆଡ଼ୁ ପୁଣି ଆସି କହିଲା, ‘‘ଧନ୍ୟ ତୋ ବିଲୁଆ ବିଚାର ! ବୋହୂଟିକି ନିହାତି ଭଲ ଦେଖି ତୁ ବି ଇମିତି ହେଲୁ ନିଧି ? ଛି-ଛି’’ ‘‘ମୋ ବିଲୁଆବୁଦ୍ଧି ମୋର ଥାଉ–ତୁ-ଯା-ମୁଁ ଶୁଏ !’’ ଗଉରୀ ହସି ହସି କହିଲା–‘‘ହଉ, ଏଇଠି ଯଦି ଶୋଇବୁ, ଶୁଅ, ବୋହୂକୁ ମୁଁ ଛାଡ଼ି ଦେଇ ଯାଉଚି ଏଠି ! ହଁ, ସେତେବେଳେକୁ ମୁଣ୍ଡ ହଲାଉଥା ବସିକରି । ମୁଁ ନିଶ୍ଚେ ଆଜି ବୋହୂକୁ ଏଠି ଛାଡ଼ି ଦେଇ ଯିମି, ତୁ ଯାହା କହ । ମୁଁ ତ କାଲି ଯିମି । ତା’ ଆଗରୁ–’’

 

‘‘ନା, ଅପା, ମୋ ରାଣ, ତୁ ଇମିତି କହ ନା ! ହ, ତତେ ଛାଡ଼ିଲେ ଯିବୁ ନା, କିମିତି ଯାଉଚୁ ଦେଖିବା ନେଇଁକି ! ‘‘ଆଚ୍ଛା–ମୁଁ ଆସେ ରହିଥାଏ ଯାଏଁ ବୋହୂକୁ ନେଇ ଆସେ ।’’

 

ଯାଉଁ ଯାଉଁ ଫେରିପଡ଼ି ଗଉରୀ କହିଲା ‘‘ନିଧି–ତୁ ବାୟା ! ତୁ ଯେ ବୋହୂର ଦୋଷ ଦଉଛୁ–ତୁ ନିଜେ ନୀଳୁଙ୍କୁ ନ କହିଥିଲୁ କାହିଁକି ଭାବି ଦେଖିଲୁ ! ତୋର କ’ଣ ଆଶା ଥିଲା ମନେ ନାହିଁ ? ତୁ ପରା ଭାବିଥିଲୁ ରଙ୍ଗୀକୁ ପାଠ ପଢ଼ାଇ ଯୋଗ୍ୟ କଲେ ନୀଳୁ ବଳେ ତାକୁ ବାହାହବାକୁ ମଙ୍ଗିବ ? ତୁ ବି କହିଲୁ ନାହିଁ–ଆମେ ବି କହିଲେ ନାହିଁ–ବୋହୂ ବି କହି ନାହିଁ–ଏଥିରେ ବୋହୂର ଏକା ଦୋଷ ହେଲା ?

 

ଏହା କହି ଗଉରୀ ହସି ହସି ସେଠାରୁ ବାହାରି ଚାଲିଗଲା । ନିଧିବାବୁ କିଛିକ୍ଷଣ ସେହିପରି ମୌନ ହେଇ କ’ଣ ଭାବିଲେ । କ୍ରମେ ଅଧଘଣ୍ଟାଏ ଚାଲିଗଲା, ଗଉରୀର ଦେଖା ନାହିଁ କି କନକର ବି ଦେଖା ନାହିଁ । ମନେ ମନେ ଟିକିଏ ନିରାଶ ହୋଇ ସେ ପୁଣି ଶୋଇବାର ଆୟୋଜନ କରୁଛନ୍ତି । ଏହିପରି ସମୟରେ ସେ ଆଡ଼ୁ ଅଳ୍ପ ଅଳ୍ପ ମଲଶବ୍ଦ ଶୁଭିଲା । ହଠାତ୍ ଉଠିବସି ନିଧିବାବୁ ଘର ଭିତରେ ବୁଲିବାକୁ ଲାଗିଲେ । ମନରେ କିପରି ଗୋଟାଏ ଦ୍ୱିଧା ଜାଗି ତାଙ୍କୁ ଆଉ ସ୍ଥିର କରିଦେଉ ନ ଥିଲା । ମଲଶବ୍ଦ ଦୁଆର ନିକଟରୁ ଆସିଲା ମାତ୍ରକେ ନିଧିବାବୁ ହଠାତ୍ ସଂକଳ୍ପ ସ୍ଥିର କରିନେଇ ଝଟ୍ ଯାଇଁ ଭିତରୁ ଜଞ୍ଜିର ଲଗାଇ ଦେଲେ !

 

ଗଉରୀ ଯେତେବେଳେ କନକର ଶୋଇଲା ଘରକୁ ଯାଇ ତାକୁ ନିଧି ବାବୁଙ୍କ ପାଖକୁ ଯିବାକୁ କହିଲା, ସେ ମୂଳରୁ ମଙ୍ଗିଲା ନାହିଁ । ଗଉରୀ ଯେତେ ବୁଝାଇଲା, ଯେତେ ଗାଳି ଦେଲା, କାହିଁରେ କିଛି ହେଲାନାହିଁ । ଶେଷରେ ଗଉରୀ ଅଭିମାନରେ କହିଲା ଯେ ତା’ ହେଲେ କନକ ରାଗିଛି ନିଧି ବାବୁଙ୍କ ଉପରେ–ଆଉ କିଛି ନୁହେଁ ! କନକ ସବୁବେଳେ ରାଗରୁଷା କଥା ମିଛ ବୋଲି ଉଡ଼ାଇ ଦେଉଛି ଇତି ପୂର୍ବରୁ । ଏହିଲାଗେ ଗଉରୀ ହାତ ଧରି କହିଲା, ‘‘ନାହିଁ; କେଭେଁ ନୁହେଁ’’–ତା’ ମନରେ କିଛି ରାଗ ନାହିଁ । ତେବେ ନିଶ୍ଚେ ଯିବାକୁ ହେବ ! ସ୍ୱାମୀ ରାଗିଛନ୍ତି; ନ୍ୟାୟରେ ହେଉ କି ଅନ୍ୟାୟରେ ହେଉ, ତାଙ୍କୁ ଶାନ୍ତ କରିବାକୁ ହେବ ! ଦରକାର ପଡ଼ିଲେ ତାଙ୍କ ଗୋଡ଼ ବି ଧରିବାକୁ ହେବ ! ପତି ଦେବତା ! କନକ କୌଣସିମତେ ଗଉରୀକୁ ବୁଝାଇପାରିଲା ନାହିଁ ଯେ; ଏଟା ଇମିତି ସିମିତି ରାଗ ନୁହେଁ–ସେ ଆଉ ତା’ ମୁହଁ ଚାହିଁବେ ନାହିଁକି କ’ଣ; ଏଇପରି ଧାରଣା ତା’ର ଆମୂଳଚୂଳ ସବୁ ଘଟନା ଶୁଣି, ଗଉରୀ ଉପରେ ଉପରେ ହସି ଉଡ଼ାଇଦେଲା ସବୁ । ଶେଷରେ କହିଲା, ‘‘ମୋ ମୁଣ୍ଡ ଖାଇବୁ–ଚାଲେ; ତୋତେ ଛାଡ଼ିଦେଇ ଆସେ । ମୋରି ପାଇଁ, ମୁଁ କହୁଚି ବୋଲି ଖାସେ, ତୁ ଚାଲେ ।’’ କନକ ଆଉ ଗଉରୀକୁ ଏଡ଼ି ଦେଇପାରିଲାନାହିଁ ! ତା’ ମନରେ ବି ଗୋଟାଏ ଭାରି ଅଶାନ୍ତି ରହିଛି ସେହିଦିନୁଁ । ସେ ମୂଳରୁ ବୁଝିପାରୁ ନାହିଁ, କାହିଁକି ନିଧିବାବୁ ତାକୁ ଏପରି ଭାବରେ ପକେଇ ଦେଲେ । ସେ ତ ତା’ ଦୋଷ ସ୍ୱୀକାର କଲା, କ୍ଷମା ଭିକ୍ଷା କଲା, ଅତି ବିକଳ ଭାବରେ; ତେବେ ଆଉ ତା’ର ଦୋଷ କ’ଣ ! ଏତକ ଜାଣିବା ପାଇଁ ତା’ର ଆଗ୍ରହ ଏ କେତେ ଦିନରେ ଯେତିକି ବଢ଼ିଛି, ତା’ ସଙ୍ଗେ ସଙ୍ଗେ ଗୋଟାଏ ଦୁର୍ଜୟ ଅଭିମାନ ବି ତାକୁ ତେତିକି ପାଷାଣ–କଠିନ କରିଦେଇଛି । ଆଉ ସୁବିଧା ବି ଆଦୌ ଘଟି ନାହିଁ ସ୍ୱାମୀଙ୍କ ସହିତ ଭେଟ ହେବାର ସେ ଯୋଗେ ଆଜି କନକ ସ୍ଥିର କଲା–ସେ ଯିବ । ଗଉରୀ କହିଲା, ତାକୁ ନେଇ ସେ ଘରେ ଛାଡ଼ି ଆସିବ ବୋଲି; କିନ୍ତୁ କନକ କହିଲା, ସେ ନିଜେ ଚାଲିଯିବ–ତା’ର ଯିବାର ଦରକାର ନାହିଁ । ସଂକଳ୍ପ ଥରେ ସ୍ଥିର ହୋଇ ଗଲାଠୁ ଆଉ ହଟିବାର ଭୟ କ’ଣ ? ଆଉ ସେ ମଧ୍ୟ ଏ ଘରେ ନୂଆ ବୋହୂଟିଏ ନୁହେଁ ।

 

ଦୁହିଁଙ୍କୁ ଦୁହେଁ ଏ ଅବସ୍ଥାଟି ମୋଟେ ଭାବିପାରି ନାହାନ୍ତି ଯେ ନିଧିବାବୁ ଦୁଆର ଲଗାଇ ଦେଇଥିବେ ବା ଦେବେ ! କନକ ଯେତେବେଳେ ତା’ କର୍ତ୍ତବ୍ୟ ପାଳନ ପାଇଁ ମନ୍ଦ ମନ୍ଦ ଭାବରେ ଅଗ୍ରସର ହେଉଥିଲା ବାହାର ଘରଦୁଆର ଆଡ଼କୁ ସେତେବେଳେ ତା’ ମନରେ ଗୋଟାଏ କୁଣ୍ଠା, ଗୋଟାଏ ଆହତ ଅଭିମାନର ଅସୀମ ଲଜ୍ଜା ରହି ଜାଗି ଉଠୁଥିଲା; କିନ୍ତୁ ସେତେବେଳେ ସେ ଦ୍ୱାରର ସମ୍ମୁଖୀନ ହେଲାମାତ୍ରକେ ଦୁଆର ଭିତରୁ ବନ୍ଦ ହୋଇଗଲା, ସେତେବେଳେ ତା’ର ସବୁ ବୃଦ୍ଧିବୃତ୍ତି ଏକାବେଳେକେ କୁଆଡ଼େ ଲୋପ ପାଇଗଲା । ଗୋଟାଏ ଭାରି ବଡ଼ କୋହ ତା’ ଛାତିକୁ ରୁନ୍ଧି ପକାଇଲା । ସେ କିଛିକ୍ଷଣ ଅନିଶ୍ଚିତ ଭାବରେ ସେହିଠାରେ ଠିଆ ହୋଇ, ରହିବ କି ଫେରିବ ଏ ବିଷୟ ଚିନ୍ତା କଲା । ରହି ବା କରିବ କ’ଣ, ଫେରିବ ବା କିପରି ! ରହିଲେ ଡାକିବା ତ ଅସମ୍ଭବ-ଫେରିଲେ, କେଭେଁ ସେ ଗଉରୀ ମୁହଁକୁ ଚାହିଁପାରିବ ନାହିଁ । ପୁଣି, ଗଉରୀ ଜାଣିଲେ ସେ ନିଶ୍ଚୟ ଆସି ଡକାହକା କରିବ–ଗୋଟାଏ ଗୋଳମାଳ ହେବ । ତା’ର ଆଉ ସେଥିକି ଇଚ୍ଛା ନାହିଁ ସେ ତ ବଳେ ବଳେ ଆସିଥିଲା । ସେଥିରେ ଯଦି ଏ ବ୍ୟବହାର ତା’ ହେଲେ ଅନ୍ୟଙ୍କଦ୍ୱାରା ଜୋର କରି ଦୁଆର ଖୋଲାଇ ଭିତରକୁ ଗଲେ ବା କେଉଁ ଲାଭ । ଅଜଣାରେ କନକ ଆଖିରୁ ଲୁହଧାର ଗଡ଼ିପଡ଼ିଲା । ନିଜ ଉପରେ ତା’ର ଭାରି ରାଗ ହେଲା, ସେ କାହିଁକି ଗଉରୀ କଥାରେ; ଭୁଲି ଏ ଅପମାନର ବୋଝ ବଳେ ପଶି ନିଜ ମଥାରେ ନେଲା ବୋଲି ? ତାଙ୍କୁ ଟାଣ ହୋଇ ଆସେ, ତାକୁ କ’ଣ ଆସେ ନାହିଁ । ବିନା ଦୋଷରେ ଏତେ ଦଣ୍ଡ କାହିଁକି, ସେ ବା ଏଡ଼େ କୋହଳ ହେଲା କିପରି !

 

ଶେଷରେ ଯେତେବେଳେ ଦେଖିଲା ଯେ, ଘରକୁ ଫେରି ଯିବା କଥା ହେବ ନାହିଁ, କନକ ଥକ୍‌କା ହୋଇ ସରୁ ପିଣ୍ଡାଟି ଉପରେ ଦୁଆର ଦୁଆର ପାଖକୁ ଆଉଜି ବସି ପଡ଼ିଲା । ବସିଲାବେଳେ ଆଉ ଯେପରି ଶବ୍ଦ ନ ହୁଏ, ସେଥିପ୍ରତି ଯଥେଷ୍ଟ ଲକ୍ଷ୍ୟ ରଖି ବସିଥିଲେ ହେଁ, ଯୋଗକୁ ତା’ ଗୋଡ଼ ଛନ୍ଦି ହୋଇ ମଲର ଭାରି ଗୋଟାଏ ବଡ଼ ଶବ୍ଦ ହେଲା । ନିଜେ ସେ ଶବ୍ଦରେ କନକ ଚମକି ଉଠି ସମ୍ଭାଳି ହେଉ ହେଉ, ପୁଣି ମଲର ଶବ୍ଦ, ଚୁଡିର ଶବ୍ଦ–ଏହିପରି ଅନେକ ପ୍ରକାର ଶବ୍ଦ ହୋଇଉଠିଲା । ନିଧିବାବୁ କାଳେ ଭାବୁଥିବେ ଯେ ସେ ଇଚ୍ଛା କରି ଶବ୍ଦ କରୁଛି ତାଙ୍କୁ ଜଣାଇବା ଲାଗି; ଏହି ଲଜ୍ଜାରେ ନିଜେ ବିରକ୍ତ ହୋଇ ପୁଣି କନକ ଉଠି ପଡ଼ିଲା ଓ ଅପେକ୍ଷାକୃତ ଅଧିକ ଶବ୍ଦ କରି ସେଠାରୁ ବାହାରିଚାଲିଲା । ତା’ର ଇଚ୍ଛା ନିଧିବାବୁ ଜାଣନ୍ତୁ ଯେ, ସେ ଚାଲିଗଲାଣି ବୋଲି । କିଛି ଦୂରକୁ ଯାଇ ମଲଯୋଡ଼ିକ ସଯତ୍ନରେ ଆଣ୍ଠୁ ପର୍ଯ୍ୟନ୍ତ ଭିଡ଼ି ଦେଇ ଟିକିଏ ବସିଲାଭଳି ଆଶ୍ରୟ ଖୋଜି ଖୋଜି ଥକିଲା, କିନ୍ତୁ ଆଉ କାହିଁ ଟିକିଏ ଥାନ ମିଳିଲା ନାହିଁ । ଝଡ଼ ଅନ୍ଧାର, ଝୁପୁଝୁପୁ ବର୍ଷା ବି ହେଉଛି–ଶୀତ ଶୀତ ଲାଗୁଛି । ବିଜୁଳି ମାରିଲା ବେଳକୁ କନକ ଥରି ଉଠୁଛି ଭୟରେ । ଘଡ଼ଘଡ଼ିଟାଏ ମାରିଲାବେଳକୁ ଏକାବେଳକେ ସେ କାନ୍ଥ ଦିହରେ ମିଶିବାର ଚେଷ୍ଟା କରୁଛି ! କାହିଁ ଆଉ ତାକୁ ଟିକିଏ ବୋଲି ଆଶ୍ରା ମିଳିଲା ନାହିଁ । ଘରକୁ ତ ଫେରିବାର ନାହିଁ !

 

ଦେହ ରଖିବାକୁ, ମୁଣ୍ଡ ଗୁଞ୍ଜିବାକୁ ତ ଟିକିଏ ଆଶ୍ରା ମିଳିଲା ନାହିଁ । ତା’ର ନିଜର ସର୍ବାଙ୍ଗୀନ ଅସହାୟତା, ନିରାଶ୍ରୟତା ଯେପରି ମୂର୍ତ୍ତିମତୀ ହୋଇ ତା’ ଆଗରେ ବିକଟ କରାଳ ବେଶରେ ଠିଆହୋଇ ଗଲା ସେହି ଅନ୍ଧକାର ଝଡ଼ିବରଷା ରାତିରେ ! ସେ ଆକୁଳ ହୋଇ ଚାରିଆଡ଼କୁ ଚାହିଁଲା–ଟିକିଏ ଆଲୋକ, ଟିକିଏ ସାହସ, ଟିକିଏ ସାମାନ୍ୟ ଆଶ୍ରୟ ପାଇଁ; କିନ୍ତୁ ତାକୁ ଆଉ କାହିଁ କାହିଁ ଦିଶିଲାନାହିଁ, ନା ଯୋଡ଼ିଲା ନାହିଁ । ଅଭାଗୀର ବାହାରେ ଯେଉଁ ଅନ୍ଧାରକୁ ଭିତରେ ସେହି ଅନ୍ଧାର ! ମନରେ ତା’ର ଗୋଟାଏ ଧିକ୍‌କାର ଜାଗି ଉଠିଲା ନିଜ ପ୍ରତି-ନିଜ ଜୀବନ ପ୍ରତି !

 

ଜୀବନ ତାକୁ ଏକାବେଳେକେ ବିଷମୟ ପରି ବୋଧ ହେଲା । ଗଭୀର ବିତୃଷ୍ଣାର ଚରମ ଅବସ୍ଥାରେ ପହଞ୍ଚି ବିଚାରୀ ମନେ ମନେ ଭାବିଲା–ଆଉ ଏ ଜୀବନ ରଖିବି ନାହିଁ ! ଆଜି ତାକୁ କିଏ ଅଟକାଇବ । ବିବାହ ପୂର୍ବରୁ ଥରେ ସେ ଏହି ପ୍ରକାର ସଂକଳ୍ପ କରିଥିଲା-ଆତ୍ମହତ୍ୟାର ସଂକଳ୍ପ ! କାହିଁକି ସେତେବେଳେ ତାହା କଲା ନାହିଁ ! ହଁ, ସେତେବେଳେ ମରି ଯାଇଥିଲେ ଏତେ ଦହଗଞ୍ଜ ଫେରେ କିଏ ହୋଇଥାନ୍ତା ! ତା’ର ମନେପଡ଼ିଲା, ସେ କିପରି ତା’ ସଂକଳ୍ପରୁ ଅବ୍ୟାହତ ପାଇଥିଲା ନୀଳୁ ଭାଇ କଥା ଭାବି । ସେତେବେଳେ ସେ ଭାବିଥିଲା, ବାହା ହେଲେ ନୀଳୁ ଭାଇ ସହିତ ତା’ର ସମ୍ବନ୍ଧର ଅଣୁମାତ୍ର ତାରତମ୍ୟ ହେବ ନାହିଁ । ସ୍ନେହର ଅବସାନ ତ ହେବ ନାହିଁ, ତା’ ଛଡ଼ା ବିବାହଦ୍ୱାରା ତା’ର ଓ ନୀଳୁ ଭାଇର ଯେଉଁ ସମ୍ବନ୍ଧ, ସେଥିରେ କୌଣସି ପରିବର୍ତ୍ତନ ବି ହେବ ନାହିଁ । ଏହି ବିଶ୍ୱାସରେ ସିନା ସେ ସହଜେ ମୃତ୍ୟୁକୁ ଛାଡ଼ି ବିବାହକୁ ବରି ନେଇଥିଲା । ଆଜି ତା’ର ମନେ ହେଲା, ଯଦି ବିବାହ ପରା ମୃତ୍ୟୁ ସେ ସ୍ନେହର କିଛି କରି ନାହିଁ, ତା’ ହେଲେ ଅସଲ ମରଣ ବି ତା’ର କିଛି କରିପାରିବ ନାହିଁ ତ ! ତେବେ ସେ ବୃଥା ଏ ଜୀବନ ଆଉ ରଖିବ କାହିଁକି । ହଠାତ୍ ତା’ ଆଖିରୁ ଲୁହ ଶୁଖିଗଲା, ସ୍ଥିର ଆଖିରେ ଗୋଟାଏ ବିଦ୍ୱେଷୀ ଦ୍ୟୁତି ଖେଳିଗଲା ଆଉ ସଙ୍ଗେ ସଙ୍ଗେ ଦେହରେ ଅମାନୁଷିକ ବଳ ଜାତ ହୋଇଗଲା !

 

(୪)

 

କନକକୁ ବିଦାୟ କରିଦେଇ ଗଉରୀ ବିଛଣାରେ ପଡ଼ି ଭାବିବାକୁ ଲାଗିଲା, ଯାହା ସେ କନକ ଠାରୁ ଶୁଣିଲା ଏହିଲାଗେ–ସ୍ୱାମୀସ୍ତ୍ରୀଙ୍କର ମତାନ୍ତର ବିଷୟରେ । ସେଥିର ଆଭାସ ସେ ନିଧିଙ୍କଠାରୁ ପୁରୀରେ ଆଗରୁ ପାଇ ସାରିଥିଲା । କନକର ଯେ ଏହିପରି କ’ଣ ଗୋଟାଏ ଗୁପ୍ତ କଥା ଅଛି, ଏ ସନ୍ଦେହ ତା’ ମନରେ ଅନେକ ଦିନରୁ ଜାଣିଥିଲେ ସୁଦ୍ଧା, ନୀଳୁ ଓ ତା’ ମଧ୍ୟରେ ଯେଉଁ ଗଭୀର ସ୍ନେହ ଅଛି, ତାକୁ ମଧ୍ୟ ଭଲ ରୂପେ ବୁଝିଥିଲେ ସୁଦ୍ଧା, ଦୁଇ କଥାକୁ ଯୋଡ଼ି ଗୋଟାଏ ମତରେ ଉପନୀତ ହେବାକୁ ସେ ଦେଇ ନ ଥିଲା ନିଜକୁ ଆଜିଯାଏଁ । ଆହୁରି ମଧ୍ୟ ଏଠାକୁ ଆସିଲା ଦିନ ନିଧିର କନକର ଭେଟ ହୋଇଥିବାରୁ–ରାତିରେ ଦୁହେଁ ଏକତ୍ର ଶୋଇଥିବାରୁ, ତା’ ମନରୁ ଚିନ୍ତା ଅନେକ ପରିମାଣରେ ହ୍ରାସ ପାଇଯାଇଥିଲା । ପରେ ଯେତେବେଳେ ସେ ସ୍ପଷ୍ଟ ବୁଝିପାରିଲା ଯେ କଥାଟା ଆହୁରି ବଢ଼ି ଗଲାଣି ବୋଲି, ସେ ତା ପ୍ରାଣପଣେ ସମସ୍ତଙ୍କୁ ବଞ୍ଚାଇ ଦୁହିଁଙ୍କ ମଧ୍ୟରେ ପୂର୍ବଭାବଟିକୁ ଫେରାଇ ଆଣିବାର ଅନେକ ଚେଷ୍ଟା କଲେ ସୁଦ୍ଧା, କେଭେଁ ସେ ମୁହଁ ଘେନି କନକକୁ ପଚାରିପାରି ନାହିଁ–ଏ ମତାନ୍ତର କାରଣ କ’ଣ ବୋଲି ଆଜି କନକ ଠାରୁ ସବୁ ହାଲ ଶୁଣି ସେ ସ୍ତମ୍ଭିତ ହୋଇଗଲା ଓ କନକ ପାଇଁ ତା’ର ଦୁର୍ଭାବନାର ଅନ୍ତ ରହିଲା ନାହିଁ । ସେ ତ କନକକୁ ଭଲରୂପେ ଚିହ୍ନିଛି, ତେଣୁ କନକର କଥାରେ ସେ ଆଦୌ ଅବିଶ୍ୱାସ କରିପାରିଲା ନାହିଁ ।

 

ଆବେଗ, ଉତ୍କାଣ୍ଠାରେ ତାକୁ ନିଦ ହେଲା ନାହିଁ । ସେ ବିଛଣାରେ ପଡ଼ି ଛଟପଟ ହେଉ ହେଉ ଭାବିବାକୁ ଲାଗିଲା–କନକ କଥା, ନୀଳୁକଥା, ନିଧିକଥା, ରଙ୍ଗୀକଥା ଓ ତା’ ସଙ୍ଗେ ସଙ୍ଗେ ନିଜ କଥା ମଧ୍ୟ । ସମସ୍ତଙ୍କ ଦୁଃଖ ସେ ନିଜର କରି ଭାବିବାକୁ ଲାଗିଲା; ସମସ୍ତଙ୍କ ଦୁଃଖ ମଧ୍ୟ ବୁଝିଲା । ଏତେ ଅଡ଼ୁଆ କ’ଣ ଖାସ୍ ଏ ସମାଜ ଯୋଗେ, ନା ଆଉ କିଛି ଅଛି ୟା ଭିତରେ । ସେ କିଛି ସ୍ଥିର କରିପାରିଲା ନାହିଁ ସମାଜକୁ ବଦଳାଇ ଦେଲେ କ’ଣ ସଂସାରରୁ ଦୁଃଖ ଉଠିଯିବ ? ଦୁଃଖୀ ଦୁଃଖିନୀ ନ ଥାଇ ସଂସାର ଚଳିପାରେ–ଏପରି ସମାଜ ହୋଇପାରେ କି ? ନା ନିଶ୍ଚେ ସେଥିରେ ଆଉ କ’ଣ ଅଛି ! ତା’ରି ନିଜ କଥା-ସେ ଜାଣି ବିଧବା ଅଭାଗୀ, ସମାଜର ନିୟମାନୁସାରେ ତା’ର ଆଉ ବିବାହ ନାହିଁ-ଜୀବନରେ ଆଉ ସୁଖ ନାହିଁ । ସମାଜରେ ଯଦି ବିଧବା ବିବାହ ଥାଆନ୍ତା, ତା’ ହେଲେ ସେ କରିଥାଆନ୍ତି କି ? ନାଇଁ ପରା, ନା ନା–କେଭେନା ! ଏହିପରି କେତେ ବିଧବା–ଏ କାରଣ ହେଉ, ସେ କାରଣ ହେଉ–କିଛି ନା କିଛି ଗୋଟାଏ କାରଣରୁ ତଥାପି ବାହାହୋଇ ପାରନ୍ତେ ନାହିଁ ବା ହୁଅନ୍ତେ ନାହିଁ ! ତେବେ ସମାଜରେ ବିଧବା ବିବାହ ନାହିଁ ତ, ହେଲା କ’ଣ ! ସେ ବା କାହିଁକି ଅଭାଗୀ ହେବ । ତେବେ ବିଧବା ବିବାହ ସମାଜରେ ଚଳିବା ଉଚିତ୍ ପରା-ଅନ୍ୟମାନେ; ଯେଉଁମାନେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ସେମାନଙ୍କ ପାଇଁ । ଗଉରୀର ମନେ ପଡ଼ିଗଲା ତା’ର ମୃତ ସ୍ୱାମୀଙ୍କ ବିଷୟ । ସେ ଭାବି ବସିଲା–ସେ ତାର କେତେ ଦିନର ଚିହ୍ନା, କେତେ ଦିନର ବାଞ୍ଛିତ ! ସେ ଭାବି ଭାବି ଆକୁଳ ହେଲା କିନ୍ତୁ କିଛି ସ୍ଥିର କରିପାରିଲା ନାହିଁ ସେ କେବେ, କେବେ ଯାଇଁ ତାଙ୍କର ତାର ଭେଟ ଏ ଜୀବନରେ ନୁହେଁ ପରା-ଅନନ୍ତକାଳ ପୂର୍ବରୁ କି କ’ଣ ! କେବେ କେବେ ତାର ହୃଦୟଟି ସେ ଦେଇ ପକାଇଲା ତାଙ୍କୁ, ତା’ର ସେଟା ବି ମନେପଡ଼ିଲା ନାହିଁ ।

 

ଏପରି ଅନେକଥର ସେ ଏସବୁ କଥା ଭାବିଛି, କିନ୍ତୁ କେବେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିନାହିଁ । ଆଜି ମଧ୍ୟ ତାର ସବୁ ଚେଷ୍ଟା ପରାସ୍ତ ହୋଇଗଲା । ଫଳରେ ତା ମନରେ ରହିଗଲା ଖାଲି ଗୋଟାଏ ଅସୀମତାର ଛାୟା, ତା’ର କ୍ଷୁଦ୍ର ହୃଦୟରେ ମେଲିଗଲା ଗୋଟାଏ ଅନନ୍ତ ଜାଗରଣ, ଗୋଟାଏ ଦିଗନ୍ତବ୍ୟାପୀ ପୂର୍ଣ୍ଣତା–ଯାହା ଇହକାଳ, ପରକାଳ ଭେଦ କରି କୁଆଡ଼େ ଶୂନ୍ୟରେ ମିଶିଯାଇଛି । ତା’ର ନା ଅଛି ଏ ପାଖରେ ଠିକଣା, ନା ସ ପାଖର ଅନ୍ତ !

 

ଅବାରିତ ପ୍ରସାରିତ ହୃଦୟରେ ତା’ର ବଡ଼ କରି ବାଜିଲା ତା’ ନିକଟତମ ଏଇ କେତୋଟି ହୃଦୟର ଆନ୍ତରିକ ଦୁଃଖ । ସହାନୁଭୂତିରେ ଭରିଯାଇ ସେ ଭାବି ବସିଲା, ୟାର ସମାଧାନ କେଉଁଠି । ଏଇ ଯେ ନୀଳୁ କନକ–ଦୁହେଁ ଦୁହିଁଙ୍କର ପ୍ରିୟ ବାଞ୍ଛିତ, ଯଦି ବିବାହ ହେଲା ହୃଦୟର ସବୁ ଖେଳର ଶେଷ ନିଷ୍ପତ୍ତି, ତେବେ ଏ ଦୁହେଁ ତ ଆଉ ସମାଧାନର ଗଣ୍ଠି ଭିତରେ ନାହାନ୍ତି ! ରଙ୍ଗୀ ନୀଳୁଙ୍କ ମଧ୍ୟରେ ଏ ନିଷ୍ପତ୍ତି ସମ୍ଭବ ହୋଇଥାନ୍ତା; ଯଦି ନୀଳୁ ବିବାହକୁ ତା’ର ଶେଷ ନିଷ୍ପତ୍ତି ବୋଲି ନ ଭାବନ୍ତା । ନ ଭାବିବ ବା କିପରି ? ହଁ, ସତେ କ’ଣ ବିବାହଟା ଏଡ଼େ ପଦାର୍ଥ ? ସତେ କ’ଣ ଖାଲି ବିବାହରେ ହୃଦୟ ତା’ର ବାଞ୍ଛିତର ଠିକଣା ପାଏ ? ନାଃ, ଅସମ୍ଭବ । ତେବେ ନିଧି କନକର ବିବାହଟା କ’ଣ ? ଏଟା ଏ ସମାଜରେ ଦୋଷ ନା’ ଆଉ କିଛି ? ବିବାହରେ ଅନ୍ୟାୟ ମିଳନ ଓ ବ୍ୟର୍ଥ ପ୍ରେମ କ’ଣ ଆଉ କେଉଁ ସମାଜରେ ନାହିଁ ତେବେ ? କେଜାଣି । ତେବେ କାହିଁକି ମନେହୁଏ ଯେପରି ବିବାହଟା କିଛି ନୁହେଁ ବୋଲି ! ନାଃ ନିଶ୍ଚୟ ବିବାହଟା ଗୋଟାଏ ଅନୁଷ୍ଠାନ ଛଡ଼ା କିଛି ନୁହେଁ; ନିଶ୍ଚୟ ବିବାହ ହୃଦୟ ରାଜ୍ୟର ସମାଧାନର ଶେଷ ନୁହେଁ । ସମାଜର ବିବାହ ଯେ ସମାଜର–ସମାଜର ନରନାରୀ ସେଥିରେ ସୁରଧ୍ୱନୀ ଖୋଜିଲେ ପାଇ ପାରନ୍ତି, ପ୍ରେମର ଅନନ୍ତ ବିଶ୍ରାମ ଖୋଜିଲେ ପାଇ ପାରନ୍ତି; କିନ୍ତୁ ତା’ ବୋଲି ସେହି ବିବାହ ସୁରଧୁନୀ ବା ସର୍ବସନ୍ତାପହାରିଣୀ, ୟା କିପରି ହୋଇପାରେ ! ନାଃ, ସବୁ ଏଇ ହୃଦୟରେ ହିଁ ଅଛି ।

 

ହଁ ଏଇ କଥାଟି ନୀଳୁ କାହିଁକି ବୁଝିଲେ ନାହିଁ । ତା’ ହେଲେ ହୁଏ ତ ରଙ୍ଗୀକୁ ବିବାହ କରିବାକୁ ରାଜି ହୋଇଥାନ୍ତେ, ତା’ ହେଲେ ଏ ସବୁ ଅଡ଼ୁଆ ମେଣ୍ଟି ଯାଇଥାନ୍ତା ପରା !

 

ଏହିପରି କେତେଜଣ ଭାବୁଁ ଭାବୁଁ କେତେବେଳେ ଗଉରୀକୁ ନିଦ ଲାଗିଗଲା । ଆଜି ନିଜେ ଭାବି ଭାବି ସମାଧାନ ସାରା କରିବାକୁ ଯାଇ ଶୋଇବା ପୂର୍ବରୁ ସେ ତା’ ଠାକୁରଙ୍କୁ ଆଉ ଡାକିପାରିଲା ନାହିଁ ।

 

ଏଣେ ନିଧିବାବୁ ଦୁଆର ବନ୍ଦ କରିଦେଇ ଅନିଶ୍ଚିତ, ଭୟରେ ଚଞ୍ଚଳ, ଅସ୍ଥିର ହୋଇ ଶୋଇବା ତ ଦୂରେ ଥାଉ ସେହି ଘରେ ୟାଡ଼େ ସ୍ୟାଡ଼େ ବୁଲି ବୁଲି ଭାବିବାକୁ ଲାଗିଲେ । ଦୁଆର ବନ୍ଦ କରିଦେବା ଯାଏଁ ତାଙ୍କର ସେ ଧାରଣା ମାତ୍ର ନ ଥିଲା; ବନ୍ଦ କରିଦେଇ ସାରି ତାଙ୍କ ମନ ଅଧେ ଦବିଗଲା । ଭାବିଲେ, ବୋଧହୁଏ ଠିକ୍ ହେଲା ନାହିଁ । ଯେତେବେଳେ କନକର ଅଳଙ୍କାରର ଆହ୍ୱାନ ତାଙ୍କ କାନରେ ପଡ଼ିଲା, ସେ ବ୍ୟସ୍ତ ହୋଇ ଉଠିଗଲେ ଦ୍ୱାର ଖୋଲି ଦେବାକୁ । ଜଞ୍ଜିର ଉପରେ ହାତ ଦେଲା ମାତ୍ରକେ ପୁଣି ତାଙ୍କୁ କିଏ ପଛକୁ ଓଟରି ଆଣିଲା । ନିଜ ପ୍ରତି ଧିକ୍‌କାର ଦେଇ କହିଲେ, ‘‘ପୁଣି ଦୁର୍ବଳତା !’’ ସେ ଫେରି ଆସି ଖଟ ଉପରେ ବସି ପଡ଼ିଲେ । କେଜାଣି କାହିଁକି ତାଙ୍କ ଆଖିରୁ ଲୁହ ଝର ଝର ହୋଇ ଗଡ଼ି ପଡ଼ିଲା । ଦୁର୍ବଳତା ପୁଣି ମାଡ଼ିଆସୁଛି ଭାବି, ଉଠି ଅଧିକତର ବେଗରେ ଧାଁ-ଦଉଡ଼ କରିବାକୁ ଲାଗିଲେ । ଏତିକିବେଳେ ତାଙ୍କ କାନକୁ ଆସିଲା କନକର ଚଞ୍ଚଳ ପଦଶଦ୍ଦ । ଚାଲିଯାଉଛି ଜାଣି ଦୁଆର ପାଖକୁ ସନ୍ତର୍ପଣରେ ଆସି ଫାଙ୍କ ବାଟେ ତାଙ୍କୁ ଥରେ ଦେଖିନେବାର ଲୋଭ ସମ୍ବରଣ କରିପାରିଲେ ନାହିଁ, କିନ୍ତୁ କିଛି ମାତ୍ର ଦେଖାଗଲା ନାହିଁ । ବର୍ଷା ଅନ୍ଧାର ଯୋଗେ । ପୁଣି ଦୁର୍ବଳତା, ପୁଣି ଅଶ୍ରୁଧାର ! ଏଥର ଅନେକ ଦୂରରୁ କନକର ପଦଶବ୍ଦ, ଅଳଙ୍କାର ସିଞ୍ଜିତ କ୍ଷୀଣ ହୋଇ ଶୁଭୁଥାଏ । ହଠାତ୍ ନିଧିବାବୁ ଦ୍ୱାର ଖୋଲି ପକାଇଲେ, ଭାବିଲେ–ଯାଏ; ଫେରାଇ ଆଣେ । ଘରୁ ବାହାରି ପଡ଼ିଲା ମାତ୍ରକେ ତାଙ୍କୁ ଭେଟିଲା ଗୋଟାଏ ବିରାଟ ଅନ୍ଧକାର । ପୁଞ୍ଜିଭୂତ ହୋଇ ! କେଜାଣି କାହିଁକି ନିଧିବାବୁ ପୁଣି ଦବିଗଲେ ସେତେବେଳକୁ କନକର ଆଉ ସୋର ଶବ୍ଦ ନାହିଁ । ଆଉ ପଦ ତାଙ୍କର ଚାଲିଲା ନାହିଁ । ସେ ଭାବିଲେ, କନକ ଚାଲିଗଲାଣି ବୋଧ ହୁଏ । ନିଜଠାରେ ନିଜେ ଲଜ୍ଜିତ ହୋଇ, ଆହତ ଆତ୍ମସମ୍ମାନ ଘେନି ପୁଣି ଫେରି ଆସିଲେ ଭିତରକୁ । ଦୁଆର ଆାଉଜାଇ ଦେଲା ମାତ୍ରକେ ହାତ ସ୍ୱତଃ ଚାଲିଗଲା ଜଞ୍ଜିର ପାଖକୁ । କିନ୍ତୁ ନିଧିବାବୁ ଆଉ ଜଞ୍ଜିର ଲଗାଇଲେ ନାହିଁ–ଭାବିଲେ, ସେ ତ ଚାଲିଗଲାଣି । ଆଉ କ’ଣ ! ଅଥବା ଦୁର୍ବଳ ନିର୍ଲଜ୍ଜ ମନରେ ପୁଣି ଟିକିଏ ଆଶା ରହିଲା, ଯଦି ଫେରି ଆସେ ।

 

କିନ୍ତୁ କନକ ଆଉ ଆସିଲା ନାହିଁ, ମୋହର ଆଚ୍ଛନ୍ନ ହେଲାପରି ନିଧିବାବୁ ବିଛଣାଟିରେ ପଡ଼ିରହିଥାନ୍ତି । ନିଦ ହୋଇନାହିଁ କି ସଂପୂର୍ଣ୍ଣ ଜାଗ୍ରତ ବି ନାହାନ୍ତି । ମନରେ ଗୋଟାଏ ଘୋର ବିକାରଭାବ–ଯାହା ଆଗରୁ ରହିଯାଇଥିଲା, ସେଟା ଅର୍ଦ୍ଧ ଜାଗ୍ରତ ଅବସ୍ଥାରେ ଟିକିଏ ଲଇଁ ଯାଇଛି, ଆଉ ଭିତରର ଯେଉଁ ଆଶାର ଆଲୋକଟିକ ସେଥିରେ ଭସ୍ମାବୃତ ବହ୍ନିପରି ଢାଙ୍କି ହୋଇରହିଥିଲା, ସେଟା ବର୍ତ୍ତମାନ ସ୍ୱାଧିନ ଭାବରେ ମୁଣ୍ଡ ଟେକି ଉଠିଛି । ଏହିପରି ପ୍ରାୟ ଘଣ୍ଟାଏ କାଳ ଚାଲିଯାଇଥିବ, ତା’ ପରେ ନିଧିବାବୁ ଟିକିଏ ଟିକିଏ କରି କ୍ରମେ କେତେ ସ୍ୱପ୍ନ ଦେଖିବାକୁ ଲାଗିଲେ-। ବର୍ତ୍ତମାନ ତାଙ୍କ ମନରେ ସବୁ ବୃତ୍ତି ଶାନ୍ତ ହୋଇଯାଇରହିଛି ଖାଲି ଗୋଟିଏ ଚଞ୍ଚଳ ଉଦ୍‌ବିଗ୍ନତା-ଯାହା ତାଙ୍କୁ ରହି ରହି ଚମକିତ କରିଦେଉଛି । ସେହି ଯେ ଆଶାଟିକ ମନରେ ତାଙ୍କର ଜାଗି ଉଠୁଛି ମୁକ୍ତ ସ୍ୱାଧିୀନ ଭାବରେ, ସେହି ଆଶାର ହିଁ ସେ ଉତ୍କଣ୍ଠା ! ହଠାତ୍ ଉଠିପଡ଼ି ଅସଂଯତ ଭାବରେ, ଘର ଚାରିଆଡ଼କୁ ଚାହିଁ କେତେବେଳେ କେତେବେଳେ ପୁଣି ଦ୍ୱାର ପର୍ଯ୍ୟନ୍ତ ଯାଇ, ଦୁଆର ପର୍ଯ୍ୟନ୍ତ ଅନାଇ ଦେଖୁଛନ୍ତି, ପୁଣି ନିରାଶ ହୋଇ ଆସି ସେହି ସ୍ୱପ୍ନ ରାଜ୍ୟରେ ନିଜକୁ ବିସର୍ଜନ ଦେଉଛନ୍ତି । ଏହିପରି କେତେଥର କଲେଣି, ତା’ର ସୀମା ନାହିଁ ।

 

ଥରେ ଏହିପରି ଯାଇ ବିଧିମତେ ଶୋଇବାର ପ୍ରତିଜ୍ଞା କରି ବାବୁ ବିଛଣାରେ ପଡ଼ିଗଲେ-। ଟିକିଏ ଗାଢ଼ତର ଭାବରେ ଏଥର ମୋହ ତାଙ୍କୁ ଘାରି ପକାଇଲା । ସେ ସ୍ୱପ୍ନ ଦେଖିବାକୁ ଲାଗିଲେ । ଅନିୟମିତ ଭାବରେ ଏକଥା ସେ କଥା ପରେ ହଠାତ୍ ତାଙ୍କୁ ଦେଖାଗଲା–ଗୋଟିଏ ସରୁ ଗୋହିରି ବାଟ, ଦୁଇ ପାଖରେ କଣ୍ଟାବାଡ଼ ଅଙ୍କାବଙ୍କା ହୋଇ ବାଟ ଉପରକୁ ମାଡ଼ି ମାଡ଼ି ଆସିଛି; ସଞ୍ଜ ଅନ୍ଧାର ତା’ ଉପରେ ପୁଣି ଝଡ଼ି ପବନ ପରି ଶୁଖିଲା ବତାସ ଗୋଟାଏ ଧୂଳିଗୁଡ଼ାଏ ଉଡ଼ାଇ ଆହୁରି ଅନ୍ଧାରିଆ କରିପକାଇଛି । ସେହିବାଟେ ସେ ନିଜେ ଲୁଗାପଟା ସମ୍ଭାଳି ଧିରେ ଧିରେ ଚାଲିଛନ୍ତି । ୟାଡ଼େ ସ୍ୟାଡ଼େ ଅନାଇ ଅନାଇ ଅତି ଶଙ୍କିତ ଚରଣରେ । କ୍ରମେ ପବନବେଗ ଟିକିଏ ମାନ୍ଦା ପଡ଼ିଗଲା, ଅନ୍ଧାର ଆହୁରି ଘନ ହୋଇଗଲା, ତାଙ୍କ ନାକ ସଳଖରେ ଯେଉଁ କ୍ଷୁଦ୍ର ତାରାଟି ଏଇଲାଗେ ଦପଦପ ହୋଇ ଜଳୁଥିଲା ସେଟା ଆଉ ବାରି ହେଲାନାହିଁ, ତେବେ ବିଜୁଳି ଚମକିବାରୁ ଆଲୁଅ ଟିକିଏ ଟିକିଏ ହେଲା । ହଠାତ୍ ଗୋଟିଏ ଘଡ଼ଘଡ଼ି ବିଜୁଳି ହେଲା ଯେ ସେ ସେହିଠାରେ ଥକ୍‌କା ହୋଇ ଛିଡ଼ାହୋଇଗଲେ ଦଣ୍ଡେକାଳ । ପୁଣି ଯେତେବେଳେ ଆଖି ଖୋଲିବାକୁ ସାହାସ କଲେ, ସେତେବେଳେ ଦେଖନ୍ତି ତ ସିଏ ଆଉ ସେ ଗୋହିର ବାଟରେ ନାହାନ୍ତି, ଝଡ଼ି ନାହିଁ, ବର୍ଷାନାହିଁ, ପବନ ନାହିଁ, ପାଣିନାହିଁ,–ତାଙ୍କର ଅନ୍ତରବାହାର ଗୋଟିଏ ମଧୁମୟ ହସରେ ଭରି ଯାଇଛି । ସେ ମଧ୍ୟ ଏକା ନାହାନ୍ତି, କିଏ ଗୋଟିଏ ତାଙ୍କ ଗାଢ଼ ଆଲିଙ୍ଗନରେ ରହି କ୍ରମେ ତାଙ୍କରିଠାରେ ଅଧିକରୁ ଅଧିକ ମିଶିମିଶି ଯାଉଛି–ହୁଏତ ସିଏ କନକ ! ଏହିପରି ସମୟରେ ହଠାତ୍ ପୁଣି ପାଣି ଟପ୍‌ଟପ୍ ପଡ଼ିଲା ପରି ତାଙ୍କୁ ଲାଗିଲା–ପଟା ଉପରେ ବର୍ଷା ହେଲେ ଯେପରି ଶବ୍ଦ ହୁଏ ଠିକ୍ ସେହିପରି । ସେ ଟିକିଏ ମୁଣ୍ଡ ଟେକି ୟାଡ଼େ ସ୍ୟାଡ଼େ ଚାହିଁଲେ । ଏତିକିବେଳେ ତାଙ୍କର ମନେ ହେଲା, କିଏ ଯେପରି କୋମଳ ହସ୍ତରେ ତାଙ୍କ ପିଠି ଆଉଁସି ଦେଉଛି-। ଚେଷ୍ଟା କରି ସୁଦ୍ଧା ଆଉ ସେ ବୁଲି କରି ଚାହିଁପାରିଲେ ନାହିଁ । ବିକଳ ନିଶ୍ଚେଷ୍ଟ ଭାବରେ କିଛି କ୍ଷଣ ପଡ଼ି ରହିଲା ପରେ ତାଙ୍କୁ ପୁଣି ଜଣାଗଲା, ଯେପରି ଇଏ ଗୋଟିଏ ସେହିପରି ଧିର ଭାବରେ ତାଙ୍କ ପାଦରେ ହାତ ବୁଲାଉଛି । ପୁଣି ସେ ଚେଷ୍ଟା କଲେ ନିଜ ପାଦ ଆଡ଼କୁ ଅନାଇ ଦେଖିବାପାଇଁ-। କିନ୍ତୁ ତାଙ୍କର ସବୁ ଚେଷ୍ଟା ବ୍ୟର୍ଥ ହେଲା । ଏତିକିବେଳେ ତାଙ୍କ କୋଳରୁ ତକିଆଟା କିପରି ଖସିଯାଇ ଖଟ ତଳକୁ ଗଳିପଡ଼ିବାରୁ ଗୋଟାଏ ଶବ୍ଦ ହେଲା, ଆଉ ତାଙ୍କୁ ଜଣାଗଲା ଯେପରି ଆହୁରି ଗୋଟିଏ ବଡ଼ ଶବ୍ଦ ତାଙ୍କରି ଛାତି ଭିତରୁ ବାହାରୁଛି ! ନିଧିବାବୁ ଧଡ଼ପଡ଼ ହୋଇ ଉଠି ବସିଲାବେଳକୁ ବି ସେ ଶବ୍ଦ ମିଳାଇଯାଇନାହିଁ–ବରଂ ଗୋଟାଏ ଭାରି ପଦାର୍ଥ ପାଣିରେ ପଡ଼ିଲେ ଯେପରି ଶବ୍ଦ ହୁଏ; ସେହିପରି ଗୋଟିଏ ବଡ଼ ଶବ୍ଦ ସେହିକ୍ଷଣି ଦ୍ୱାର ଫାଙ୍କବାଟେ ତାଙ୍କ କର୍ଣ୍ଣ ଗୋଚର ହେଲା । ସ୍ୱପ୍ନ କି ସତ୍ୟ, ଏହି ତା’ ଭାବୁ ଭାବୁ ଅଦୂରରେ ଶୁଣାଗଲା ମଲ ଓ ଅନ୍ୟାନ୍ୟ ଅଳଙ୍କାରର ରୁଣୁଝୁଣୁ ଶବ୍ଦ ଚାପି ହେଲାପରି । ତଥାପି ବୁଝାଯିବା ଭଳି । ଏଥର ନିଶ୍ଚୟ ସ୍ୱପ୍ନ ନୁହେଁ ବୋଲି ଭାବି ନିଧିବାବୁ ଲଣ୍ଠନ ଟାକୁ ତେଜିଦେଇ, ହାତରେ ଧରି ବାହାରିପଡ଼ିଲେ । ଦ୍ୱାର ପାଖକୁ ଆସି ଦେଖିଲେ, ଦ୍ୱାରଟା ଖୋଲାଅଛି । ସେ ମେଲା ରଖିଥିଲେ କି ଆଉଜାଇ ଦେଇଥିଲେ, ଏକଥା ଭାବିବା ପୂର୍ବରୁ ପୁଣି ସେହି ଅଳଙ୍କାର–ଶବ୍ଦ ନିକଟରୁ ଅଥଚ କିପରି ଦୂରରୁ ଆସିଲା ପରି ତାଙ୍କୁ ଶୁଭିଲା । ସେ ବ୍ୟସ୍ତ ହୋଇ ସିଧା ଚାଲିଲେ ଭିତରଆଡ଼କୁ । ସେ ଶବ୍ଦ ତାଙ୍କ କାନ ପାଖରେ ହୋଇ କରି ଶୁଭୁଥାଏ, ଅଥଚ ଯେପରି ଦୂରର ଶବ୍ଦ–କୁଆଡ଼ୁ ଆସୁଛି; କିଛି ଠଉରେଇ ହେଉନାହିଁ ।

 

ସେତେବେଳକୁ ବର୍ଷା ଥମିଗଲାଣି; ଆକାଶ ଗୋଟାକ ଭାରି ଅସଂଖ୍ୟ ତାରା ଦାଉ ଦାଉ ଜଳୁଛନ୍ତି । ନିଧିବାବୁ ପିଣ୍ଡା ପିଣ୍ଡା ଯାଇଁ ମଝି ବାହାର ପାରିହୋଇ, ଭିତର ଖଞ୍ଜା ଦୁଆରେ ପହଞ୍ଚିଲେ । ଅଳଙ୍କାର ରୁଣୁଝୁଣୁ ତାଙ୍କ କାନରେ ସେହିପରି ବାଜୁଥାଏ । ପହଞ୍ଚି ଦେଖିଲେ ଦୁଆର ଭିତରୁ ବନ୍ଦ । ଫେରିଲେ, ସେହି ମଝି ବାହାର ପଟେ ଆସିଲାବେଳକୁ ତାଙ୍କୁ ଜଣାଗଲା ଯେପରି ସେ ଶବ୍ଦଟା ଆହୁରି ନିକଟରେ ତାଙ୍କର । ଅଥଚ କେଉଁଠୁ ଆସୁଛି ଠିକ୍ ସେ ଧରିପାରିଲେ ନାହିଁ । ପୁଣି ବାହାରଘର ପିଣ୍ଡାକୁ ଆସି କୁଆଡ଼େ ଯିବେ, କ’ଣ କରିବେ ଭାବୁଛନ୍ତି । ଏତିକିବେଳେ ପାଣିରେ ଭାରି ଜିନିଷ କିଛି ବାଡ଼େଇ ହେଲା ଯେପରି ଶବ୍ଦ ହୁଏ, ସେହିପରି ଶବ୍ଦଟାଏ ଲାଗେ ଲାଗେ ତିନିଚାରିଥର ତାଙ୍କର କାନ ପାଖରେ ହୋଇକରି ବାଜିଗଲା । ଚମକି ପଡ଼ି ନିଧିବାବୁ ଚାରିଆଡ଼କୁ ଚାହିଁଲେ । କାହିଁ କୁଆଡ଼େ ତ କିଛି ନାହିଁ । ଅଗଣା ମଝାମଝିରେ ଯେଉଁ ପକ୍‌କା କୂଅଟା, ସେଇଟା ଖାଲି ତରା ଆଲୁଅରେ ଧଳା ହୋଇ ଦିଶୁଛି । ହଠାତ ନିଧିବାବୁଙ୍କ ମନରେ ଗୋଟିଏ ଅନିଶ୍ଚିତ ଭୟ ପଶିଗଲା । ସେତିକିବେଳେ ବି ଚାରିଆଡ଼େ ଶୂନ୍‌ଶାନ୍ ନିସ୍ତବ୍ଧ ହୋଇଗଲା-। ଆଉ କିଛି ବୋଲି କିଛି କୁଆଡ଼ୁ ଶୁଭୁ ନାହିଁ । ନିଧିବାବୁ ତ୍ରସ୍ତପଦରେ ଭିତର ଖଞ୍ଜା ଦ୍ୱାରା ପର୍ଯ୍ୟନ୍ତ ଧାଇଁ ଧାଇଁ କମ୍ପିତ ହସ୍ତରେ କବାଟରେ ହାତ ମାରି ଡାକିବାକୁ ଲାଗିଲେ । ସେ ମନେ ମନେ ସଂଯତ ଭାବରେ ହିଁ କବାଟରେ ହାତ ମାରୁଛନ୍ତି ଓ ଯଥାସମ୍ଭବ ବଡ଼ ପାଟିରେ ‘ବୋଉ, ବୋଉ’ ବୋଲି ଡାକୁଛନ୍ତି, କିନ୍ତୁ ପ୍ରକୃତରେ କବାଟ ଭାଙ୍ଗିଲା ଭଳି ଦୈହିକ ବଳ ପ୍ରୟୋଗ କରୁଛନ୍ତି ଧକ୍‌କା ମାରିଲାବେଳେ, ଏଣେ ମୁହଁରୁ ଭାଷା ବାହାରିବାକୁନାହିଁ । କଥା କହିଲା ଭଳି, ଡାକିଲା ଭଳି ମୁହଁ କରୁନଥିଲେ ସୁଦ୍ଧା ଗୋଟାଏ ବୋଲି ଶବ୍ଦ ତାଙ୍କ ମୁହଁରୁ ଉଚ୍ଚାରିତ ହେଉ ନାହିଁ ।

 

ଯାହାହେଉ, କବାଟଟି ଭାଙ୍ଗିଯିବା ପୂର୍ବରୁ ହିଁ ଗଉରୀ ଉଠିଆସି, ଦୁଆର ଖୋଲୁଁ ଖୋଲୁଁ ସେପଟୁ କହିଲା, ‘‘ଏଡ଼େ ନିର୍ବୁଦ୍ଧିୟାଣୀ ନା ଲୋ ତୁ ବୋହୂ, ଏଡ଼େ ହେଁ କବାଟ ବାଡ଼ଉଛୁ ।’’ ଏହା କହି ଗୋଟାଏ ବଡ଼ ହାଇ ମାରି, ଗଉରୀ ଦୁଆର ଖୋଲିଦେଇ ଡିବିଟି ହାତରେ ଧରି ଆଡ଼ ହୋଇ ଛିଡ଼ା ହେଲା, କନକ ଭିତରକୁ ଯିବ ବୋଲି । କିନ୍ତୁ କାହିଁ କନକ ! ଏ ଯେ ନିଧି ! ଏଣେ ନିଧିବାବୁ ଗଉରୀ କଥା ଶୁଣି ସ୍ତମ୍ଭିତ ହୋଇଯାଇଥିଲେ–କନକ କାହିଁ ତା’ ହେଲେ ? ପ୍ରଶ୍ନ କଲାପରି ବାଲୁ ବାଲୁ ହୋଇ ଗଉରୀ ମୁହଁକୁ କିଛିକ୍ଷଣ ଚାହିଁ ରହି, ନିଧିବାବୁ ଶେଷରେ ଅତି କଷ୍ଟରେ କହିଲେ, ‘‘କନକ ?’’ ‘‘କି ରେ ବୋହୂପରା ତୋରି ପାଖକୁ ଆସିଥିଲା !’’ ବୋଲି କହି ଗଉରୀ ନିଧିବାବୁଙ୍କ ଆଡ଼କୁ ଭଲ କରି ଏତେବେଳେ ଏଇ ପ୍ରଥମ ଅନାଇଲା । ନିଧିବାବୁଙ୍କୁ ଦେଖି ତା’ ଗୋଡ଼ଠାରୁ ମୁଣ୍ଡଯାଏଁ ଖାଲି କଞ୍ଚାପାଣି ହୋଇଗଲା ! ଏ କ’ଣ ସେହି ନିଧି ଯାହାକୁ ସେ ଶୋଇଲାବେଳେ ଦେଖି ଯାଇଥିଲା ।

 

ଏଣେ ନିଧିବାବୁ ସବୁ ବୃଦ୍ଧିବୃତ୍ତି ଫେରି ପାଇଲା ପରି ଝାଡ଼ିଝୁଡ଼ି ହୋଇ କହିଲେ, ‘‘ଅପା, ମୁଁ ତ ଦୁଆର ଦେଇଥିଲି ତୁ ଯିମିତି ଆସିଲୁ । ସେ ଦୁଆର ପାଖକୁ ଯାଇଥିଲା, ହଁ–ଫେର୍ ଫେରି ଆସିଲା ତ ଭିତରକୁ ।’’ ‘‘ଆରେ ଇଏ କ’ଣ, କୁଆଡ଼େ ଗଲା !’’ ଗଉରୀ ମଧ୍ୟ ଅନିଶ୍ଚିତ ଭୟରେ ଥରି ଉଠିଲା ! ଭେଲ୍‌କା ମାରିଲା ପରି ଦୁହେଁ ଦୁହିଁଙ୍କ ମୁହଁକୁ ଅନାଇ କିଛିକ୍ଷଣ ସେହିଠାରେ ରହିଲେ । ହଠାତ୍ ଏତିକିବେଳେ ସେହିଠାରୁ କେଉଁଠୁ ନିକଟରୁ ଗୋଟାଏ ଶବ୍ଦ ଆସି ଦୁହିଁଙ୍କୁ ଏକାବେଳକେ ଚମକାଇ ଦେଲା । ଯେପରି କିଛି ଗୋଟାଏ ପାଣିରେ ବାଡ଼େଇ ହେଉଛି, ଏହିପରି ଶବ୍ଦ ! ସାଙ୍ଗେ ସାଙ୍ଗେ ଗଉରୀ ଆଖି ଆଗରେ ଘଟନାଟା ସଫା ହୋଇ ଖେଳିଗଲା ! ସେ ନିଧିଙ୍କୁ ଠେଲିଦେଇ କହିଲା, ‘‘ଆରେ ଓଲୁ, ଦେଖ ସେଇ କୂଅ ଭିତରେ କିଏ ପଡ଼ିଛି ! ବୋଉ ବୋଉ–’’ ଦୁହେଁ କୂଅ ପାଖକୁ ଧାଇଁଗଲେ । ଦୁଇଟି ଯାକ ଆଲୁଅ ଭିତରକୁ ଦେଖାଇ ଝୁଙ୍କି ପଡ଼ି ଦୁହେଁଯାକ ଚାହିଁଲେ । ପ୍ରଥମେ କିଛି ଦେଖାଗଲା ନାହିଁ, ପରେ ଗୋଟାଏ ଧଳା ଲୁଗା ବୁଜୁଳା ପରି ଫୁଲି ରହିଥିବାର ଓ କୂଅ ଭିତରେ ୟାଡ଼େ ସ୍ୟାଡ଼େ ଘୂରି ବୁଲୁଥିବାର ଦେଖାଗଲା । ନିଧିବାବୁ ଲଣ୍ଠନଟାକୁ କୂଅ ଉପରେ ଥୋଇଦେଇ ଲୁଗାଭିଡ଼ି ଭିତରକୁ ପଶିବା ପାଇଁ ଓହ୍ଲାଇ ପଡ଼ିଲେ ।

 

(୫)

 

ନୀଳୁବାବୁଙ୍କ ସହିତ ପାଠକ ପାଠିକାଙ୍କର ଅନେକ ଦିନରୁ ସାକ୍ଷାତ ହୋଇ ନାହିଁ । ଏଡ଼େ ଅଘଟନ ଘଟାଇ ସେ କୁଆଡ଼େ ଚାଲିଯାଇଛନ୍ତି, ସେ ଦିନୁ ତା’ର ବି ଖବର ନାହିଁ । ସେହିଦିନ ଠାରୁ ଯେଉଁଦିନ ରଙ୍ଗୀର ସେ ଦୁଦ୍ଦର୍ଶା ଘଟିଥିଲା–ତାଙ୍କ ଗତିବିଧି ଟିକିଏ ଉଲ୍ଲେଖ ନ କଲେ ଆଉ ଚଳୁ ନାହିଁ ।

 

ପୂର୍ବରୁ ବୋଲା ଯାଉଅଛି ଯେ, ନୀଳୁବାବୁଙ୍କୁ ଶେଷ ପର୍ଯ୍ୟନ୍ତ ଜଣା ନ ଥିଲା ଯେ; ରଙ୍ଗୀ ପାଇଁ ହିଁ ନିଧିବାବୁଙ୍କ ଘରେ ତାଙ୍କର ଏତେ ଆଦର ଓ ଅବାଧଗତି । ବରଂ ପ୍ରଥମେ ଯେତେବେଳେ ଏମାନେ କଟକ ଆସିଲେ, ସେତେବେଳେ ତାଙ୍କୁ ପ୍ରକାରାନ୍ତରରେ ସମଝାଇ ଦିଆଯାଇଥିଲା ଯେ, ରଙ୍ଗୀ ପ୍ରସଙ୍ଗ ଚିର ଦିନ ପାଇଁ ଭାଙ୍ଗି ଦିଆଯାଇଅଛି । ସେଦିନ ତାଙ୍କୁ ଉପଲକ୍ଷ୍ୟ କରି ଯେ ଏତେଗୁଡ଼ିଏ ଘଟନା ଘଟିଗଲା, ଏହା ତାଙ୍କ ନିକଟରେ ପ୍ରହେଳିକା ଭଳି ରହିଥିଲା–ଯେ ପର୍ଯ୍ୟନ୍ତ ଭିତରୁ ତାଙ୍କ ଡାଙ୍କର ଡାକ ଆସି ନ ଥିଲା । ଭିତରକୁ ଆସି ରଙ୍ଗୀକୁ ତଦବସ୍ଥ ଦେଖି ତାଙ୍କ ହୃଦୟ ମନ ଗୋଟାଏ ଗଭୀର କରୁଣାରେ ଭରି ଉଠିଥିଲା । ପୁଣି ଯେତେବେଳେ କଥା କଥାକେ ସେ ଜାଣିଲେ ଯେ, ରଙ୍ଗୀ ହିଁ ତାଙ୍କୁ ଦେଖିବାକୁ ଡାକିଥିଲା । ସଜ୍ଞାନରେ ବା ଅଜ୍ଞାନରେ ହେଉ–ସେତେବେଳେ ଆଉ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ । ସମସ୍ତ ଅବସ୍ଥା ବିଚାରରେ ଅବଶ୍ୟ ରଙ୍ଗୀ ପ୍ରତି ତାଙ୍କର ସହାନଭୂତି ଛଡ଼ା ଆଉ କିଛି ଭାବମନରେ ହେଲାନାହିଁ, କିନ୍ତୁ ସଙ୍ଗେ ସଙ୍ଗେ ସମାଜ ପ୍ରତି ଗୋଟିଏ ବିତୃଷ୍ଣା ଓ ଘୃଣାରେ ତାଙ୍କ ମନ ନିଜର ଅସହାୟତା ଉପଲବ୍ଧି କରି ହଠାତ୍ କଠିନ ହୋଇଉଠିଲା । ଗୋଟିଏ ମୂହୂର୍ତ୍ତରେ ପୂର୍ବାପର ସମସ୍ତ ଘଟନା ଛାୟାଚିତ୍ର ପରି ସ୍ପଷ୍ଟ ହୋଇ ତାଙ୍କ ଆଖି ଆଗରେ ଖେଳିଗଲା । ବର୍ତ୍ତମାନ ସବୁଥିର ଅର୍ଥ ସେ ସୁସ୍ପଷ୍ଟ ହୃଦୟଙ୍ଗମ କରିପାରିଲେ-। ଯେତିକି ସେ ସବୁକଥା ଭାବିଲେ ସେତିକି ରଙ୍ଗୀର ଅସହାୟତା ଉପଲବ୍ଧି କଲେ ସୁଦ୍ଧା ତାଙ୍କ ମନ ଟଳିଲା ନାହିଁ, ହୃଦୟ ତରଳିଲା ନାହିଁ–କେଉଁଠାରେ କି ଗୋଟିଏ ଅବରୁଦ୍ଧ କଠିନତା ପୁଞ୍ଜୀଭୂତ ହୋଇ ତାଙ୍କୁ ସ୍ୱାଭାବିକ ସମସ୍ତ କୋମଳ ପ୍ରବୃତ୍ତିର ବହୂ ଦୂରରେ ନେଇ ଥୋଇଦେଲା, ଗୋଟାଏ ଅଭିମାନର ଭାଷାହୀନ ଆଲୋଡ଼ନରେ ତାଙ୍କ ମନ ଅସ୍ଥିର ହୋଇ ରହି ରହି ତାଙ୍କୁ ଆପାଦମସ୍ତକ ଦୋହଲାଇ ଦେବାକୁ ଲାଗିଲା । ସେ କରୁଣରୁ କରୁଣତାର ଦୃଶ୍ୟଟି ସମ୍ମୁଖରେ ଯେଉଁ ଅଶ୍ରୁ ତାଙ୍କ ସ୍ଥିର ନେତ୍ରରୁ ଗଡ଼ିପଡ଼ିବାକୁ ବସୁଥାଏ, ସେଟା ଯେତେ କରୁଣାର ନୁହେଁ, ତେତେ କ୍ରୋଧର ! କାହାପ୍ରତି ଯେ ଅକ୍ଷମ ଅସହାୟ କ୍ରୋଧ, ସେ ନିଜେ ବି ହଠାତ୍ ବୁଝିପାରି ନାହାନ୍ତି । ଯେତେବେଳେ କନକ ତାର ଅଶ୍ରୁଭରା ଆଖି ଯୋଡ଼ିକ ଆଶା ଓ ମିନତିରେ ପୂର୍ଣ୍ଣ କରି ତାଙ୍କରି ମୁହଁ ଉପରେ ଶଙ୍କିତ ଭାବରେ ଥରକୁ ଥର ସ୍ଥାପନା କଲା, ସେତେବେଳେ ତାଙ୍କ ଆପାଦ ମସ୍ତକ ପ୍ରକମ୍ପିତ କରି ଯେଉଁ ବିଜୁଳି ଖେଳିଗଲା, ସେଥିରେ ସେ ବିଶ୍ୱବ୍ରହ୍ମାଣ୍ଡ ଭୁଲି ଯାଇ ଦେଖିଲେ କେବଳ ନିଜକୁ ଓ କନକକୁ–ହୃଦୟରେ ରଙ୍ଗୀ ପାଇଁ ସୋରିଷ ପରିମାଣ ସ୍ଥାନ ବି ରହିଲା ନାହିଁ । ଏଣେ କନକର ଅନ୍ୟାୟ ଆଶାର ଦୁଃସାହସ ତାର ମୂଳରୁ ଶେଷ ପର୍ଯ୍ୟନ୍ତ ଅବିହିତ ଆଚରଣର ଚରମ ସାକ୍ଷୀ ହୋଇ ତାଙ୍କୁ ଆହୁରି କ୍ରୋଧରେ ଅଧିର କରିପକାଇଲା । ତାର ଅବ୍ୟକ୍ତ ଅନୁରୋଧ ବା ଯାଚଜ୍ଞା ବୁଝିପାରି ତାଙ୍କ ମୁଣ୍ଡଠାରୁ ଗୋଡ଼ଯାଏଁ ଏକାବେଳକେ ଜଳି ଉଠିଲା ! ରଙ୍ଗୀପ୍ରତି ଅନୁକମ୍ପା ତଥା ସମାଜପ୍ରତି ବିଶ୍ରଦ୍ଧା ସବୁକୁ ଡୁବାଇ ପକାଇ ତାଙ୍କ ମନ ସମ୍ମୁଖରେ ଲେଖିହୋଇଗଲା ଏହି କଥାଟି ଯେ କନକ ହିଁ ଏ ସବୁର ମୂଳ; କନକ, ଯାହା ଠାରୁ ସ୍ୱପ୍ନରେ ସୁଦ୍ଧା ସେହି ଏ ପ୍ରତ୍ୟାଶା କରିନାହାନ୍ତି–ଆଉ କେହି ନୁହେଁ, ତାଙ୍କରି କନକ, ନିଜେ !

 

କ୍ଷଣକ ମଧ୍ୟରେ ସଂକଳ୍ପ ସ୍ଥିର କରିନେଇ କିଛି ନ କହି ସେ ସେଠାରୁ ବାହାରିଗଲେ । ବାହାରେ ନିଧିବାବୁଙ୍କ ସଙ୍ଗେ ଦେଖା ହେଲାରୁ ଯେଉଁ କଥାଭାଷା ହୋଇଥିଲା, ତାହାର ଆଭାସ ପାଠକେ ପାଇଛନ୍ତି । ଆଉ ଯେ କେଭେଁ ସେ ସେଠାକୁ ଆସିବେ ନାହିଁ, ଏଇ କଥାଟି ହିଁ ସେ ଭିନ୍ନ ଭିନ୍ନ ପ୍ରକାରରେ ସେହି ରାଗ ମୂହୂର୍ତ୍ତରେ ନିଧି ବାବୁଙ୍କୁ ଜଣାଇ ଦେଇଗଲେ । ନିଧିବାବୁଙ୍କୁ ସେତିକିବେଳେ ସ୍ପଷ୍ଟ ଜଣାଗଲା ଯେ, ବିଚାରାକୁ ଆଗରୁ ରଙ୍ଗୀ ପ୍ରସଙ୍ଗ ଆଦୌ କୁହାଯାଇନାହିଁ ।

 

ଏଣେ ନୀଳୁବାବୁ ସଳଖେ ଚାଲିଲେ କଲେଜ ହଷ୍ଟେଲକୁ । ସେଠାରେ କୌଣସିମତେ ପ୍ରବେଶ ଲାଭ କରି ଛଟପଟ ହୋଇ ରାତ୍ରିର ଶେଷ ଘଣ୍ଟାକ କଟାଇ, ସଖାଳ ହେବା ମାତ୍ରକେ ପ୍ରିନିସପାଲ ସାହେବଙ୍କ ସଙ୍ଗେ ସାକ୍ଷାତକାରେ କରିବାକୁ ବାହାରିଗଲେ । ତାଙ୍କର ସଂକଳ୍ପ କେତେବେଳୁଁ ସ୍ଥିର ହୋଇ ସାରିଥିଲା–ଆଉ କଟକରେ ରହିବାକୁ ହେବ ନାହିଁ, କଲିକତାରେ ଯାଇ ପଢ଼ିବେ ନ ହେଲେ ଆଉ କିଛି କରିବେ । କଟକରେ ରହିବା ଆଉ ହେବ ନାହିଁ, ଏଇଟା ଠିକ୍ । ଏଫ୍. ଏ. ରେ ସ୍କଲାର ସିପ୍ ପାଇଁ ବି.ଏ. ପଢ଼ିଲାବେଳେ କଲିକତା ଯାଇ ପ୍ରେସିଡେନ୍‌ସି କଲେଜରେ ଭର୍ତ୍ତି ହବା କଥା ଆଗରୁ ଉଠିଗଲା । ଆହୁରି ଭଲ କରିପାରିବେ ସେଠି ବୋଲି ଅନେକ ତାଙ୍କୁ ସେ ଉପଦେଶ ଦେଇଥିଲେ । କିନ୍ତୁ ସେତେବେଳେ ସେ ରାଜି ହୋଇ ନଥିଲେ ବର୍ତ୍ତମାନ ସେହି କଥା ହିଁ ସାର ହେଲା ।

 

ଫଳରେ ସେହିଦିନ ଦିନଗାଡ଼ିରେ ଆଉ କାହାରିକୁ କିଛି ନ କହି ନୀଳୁବାବୁ ବାହାରିଗଲେ କଲିକତାକୁ । ଭଦ୍ରକ ଷ୍ଟେସନ ପାଖରେ ଥରେ ଓହ୍ଲାଇ ହରିବାବୁଙ୍କୁ ଦେଖାକରି ଯିବାର ଲୋଭ ସମ୍ବରଣ କରିପାରିଲେ ନାହିଁ । ସମସ୍ତେ ତାଙ୍କୁ ଜୋର କରି କଲିକତା ପଠାଇଲେ ବୋଲି ସମସ୍ତଙ୍କୁ ସହଜରେ ବୁଝାଇ ଦେଇ, ପୁଣି ରାତିଗାଡ଼ିରେ ସେ ବିଦାୟ ହୋଇଗଲେ । କଟକ ପ୍ରିନିସପାଲ୍ ସାହେବଙ୍କ ଦୟାରେ ପ୍ରେସିଡେନ୍‌ସି କଲେଜରେ ଓ ହଷ୍ଟେଲରେ ଭର୍ତ୍ତି ହେବାକୁ ତାଙ୍କୁ କିଛିମାତ୍ର କଷ୍ଟ ପଡ଼ିଲାନାହିଁ ।

 

ସଂକଳ୍ପର ଉଦ୍ୟମ ଉତ୍ସାହରେ ଓ ଆହତ ଅଭିମାନର ଏକମୁଖୀ ବେଗରେ ଭଲମନ୍ଦ ବିଚାର କରିବାର ଶକ୍ତି, ସମୟ ବା ସୁବିଧା ଆଜିଯାଏଁ ନୀଳୁଙ୍କର ହୋଇ ନ ଥିଲା । କଲିକତା କଲେଜରେ ଭର୍ତ୍ତି ହୋଇ ନୂତନତ୍ୱର ମୋହ ଟିକିଏ କଟିଗଲା ଠଉଁ, ପୁଣି ସବୁ କଥା ଓଲଟ ପାଲଟ ହୋଇ ତାଙ୍କ ମନରେ ଉଣ୍ଡି ଉଣ୍ଡି ବୁଲିବାକୁ ଲାଗିଲା । ଏ ପର୍ଯ୍ୟନ୍ତ ସେ ନିଜ କଥା ହିଁ ଭାବି ଆସିଲେ–ଅନ୍ୟ କଥା ଭାବିବାକୁ ଅବସର ମଧ୍ୟ ତାଙ୍କର ନ ଥିଲା । ଏବେ କିନ୍ତୁ ବାଧ୍ୟହୋଇ ତାଙ୍କୁ ସବୁକଥା ପୁଣି ନୂଆ କରି ବାରମ୍ବାର ଭାବିବାକୁ ପଡ଼ିଲା । ରାଗ, ଅଭିମାନ ଛାଏଁ ଟିକିଏ ନରମ ହୋଇଗଲାରୁ ନ୍ୟାୟ ଓ ଅନ୍ୟାୟ ବିଚାରର ସହଜ ଶକ୍ତି ମଧ୍ୟ ତାଙ୍କର ଫେରି ଆସିଲା । କନକ ଓ ନିଜ ମଧ୍ୟରେ ଏହି ଯେ ବଡ଼ ବଡ଼ ବ୍ୟବଧାନ ଭିତର ବାହାର ଉଭୟତଃ ସୃଷ୍ଟି ହୋଇଗଲା, ସେଇଟାର ମୂଳ କେଉଁଠି, ସେ କଥା ଭାବିବା ପୂର୍ବରୁ ତାଙ୍କ ହୃଦୟରୁ ନ୍ୟାୟ ପକ୍ଷର ଆଣ୍ଟଟିକ କେତେବେଳେଯେ କୁଆଡ଼େ ଉଭେଇ ଗଲା; ସେ ଆଉ ତା’ର ଠିକଣା ପାଇଲେନାହିଁ । ମନରେ ରହି ରହି ଗୋଟାଏ ସଂକୋଚ ଜାଗିବାକୁ ଲାଗିଲା ଯେ, ହୁଏତ ସେ ଭୁଲ ବୁଝିଛନ୍ତି ବା ଭୁଲ କରିଛନ୍ତି, ହୁଏତ କନକର ଦୋଷ ଏଡ଼େ ବଡ଼ କିଛି ନୁହେଁ । ସଂକୋଚ ଓ ଦ୍ୱିଧା ଅନୁଶୋଚନାରେ ପରିଣତ ହେବାକୁ ବେଶି ସମୟ ଲାଗିଲା ନାହିଁ ଫଳରେ ନୀଳୁବାବୁ ନିଜକୁ ସବୁଠାରୁ ବେଶୀ ଦୋଷୀ ବୋଲି ସ୍ଥିର ଜାଣି ଏବେ ଅହରହ ଆତ୍ମଗ୍ଲାନି ଓ ପଶ୍ଚାତାପରେ ଦଗ୍‌ଧ ହେବାକୁ ଲାଗିଲେ-

 

କନକକୁ ସେଦିନ ଶେଷଥର ସେ ଯେପରି ଦେଖିଥିଲେ, ସେପରି ଆଉ କେବେ ଜୀବନରେ ଦେଖିନାହାନ୍ତି କି ? ସେ କି ବିକଳ ତାଙ୍କୁ ବ୍ୟସ୍ତ ଆକୁଳ କରିଦେଉଛି ଅଥଚ ଆଜି ତାଙ୍କର ମନେପଡ଼ୁଛି ସ୍ଥିର ଭାବରେ ଭାବିଲା ବେଳକୁ ନିଃସନ୍ଦେରେ ତାଙ୍କର ମନେପଡ଼ୁଛି ତା’ର କରୁଣ ମିନତିଭରା ଦୃଷ୍ଟି ଭିତରେ ରହି ରହି ଗୋଟିଏ କଠୋର ନିର୍ଦ୍ଦେଶ ମଧ୍ୟ ପ୍ରକାଶ ପାଇବାକୁ ବସୁଥିଲା ଯାହା ସେ ତତ୍କାଳୀନ ମୋହରେ ଉପଲବ୍ଧି କରିପାରି ନଥିଲେ–ଯେଉଁ ଚାହାଣିର ଜ୍ୟୋତି ସେ ଦିନ କନକ ଆଖିରେ ଦେଇଥିଲେ ତା’ ବିବାହ ସମୟରେ ଯେଉଁ ଚାହାଣିର ମୂକ ଆବେଗ ସେ ସାଗ୍ରହେ ଗ୍ରହଣ କରି ‘ନୀଳୁ ଭାଇ’ ହୋଇଥିଲେ ସେହିଦିନଠାରୁ ଯାହାର ପ୍ରଭାବରେ ସେ ସ୍ୱତଃପ୍ରବୃତ୍ତ ହୋଇ ତ’ ପାଇଁ ବରଧରାରେ ଗଲେ ! ଚାହାଣିର ନିର୍ଦ୍ଦେଶ ସେ ଏଥର ଗ୍ରହଣ କରିନାହାନ୍ତି–ବୁଝିପାରି ନାହାନ୍ତି ଆଦୌ ସେତେବେଳେ ! ଛି–ଛି–କେଡ଼େ ଭୁଲ୍ ସେ କରିନାହାନ୍ତି ! ଦୋଷ ତାଙ୍କରି ନିଜର ଭାଇଭଉଣୀ ଭାବକୁ ଦୂରରେ ପକାଇ ସେ ନିଶ୍ଚୟ ଅନ୍ୟ ଭାବରେ ବିଭୋର ଥିଲେ ଅନ୍ୟ ଆଶା ଅନ୍ୟ କାମନା ତାଙ୍କ ମନକୁ ପ୍ରଭାବିତ କରିଥିଲା ନିଶ୍ଚୟ । ତା’ ନ ହେଲେ ସେ ଅବଶ୍ୟ ବୁଝିଥାନ୍ତେ ଓ ନିର୍ଦ୍ଦେଶ ଗ୍ରହଣ କରିପାରିଥାନ୍ତେ । ତାଙ୍କର କନକ ସହିତ ସମ୍ବନ୍ଧ ଯେ ଭାଉଭଉଣୀରେ ନିବଦ୍ଧ ସେ ବା ଭୁଲିଥିଲେ କିପରି ? ଏତେକାଳ ପରେ ଏ ପୁଣ୍ୟ ସମ୍ବନ୍ଧଟି ଆହୁରି ପୁରୁଣା, ଆହୁରି ଟାଣ ହେବା ପରିବର୍ତ୍ତେ ତାଙ୍କ ପାପମନର ଦୁଷ୍ଟ କାମନା ତାଙ୍କୁ ମୋହ ଜାଲରେ ଜଡ଼ିତ କରି କି ଭୀଷଣ ବ୍ୟୁତ୍ପାତ ସୃଷ୍ଟି କଲା ସତେ ! ବିଚାରୀ କନକ–ତାଙ୍କୁ ବିବାହ ପାଶରେ ଆବଦ୍ଧ କରିବାକୁ କି ଆଗ୍ରହ ଦେଖାଇଛି, କେତେ ଅନବରତ ଚେଷ୍ଟା ବା ନ କରିଛି ! ସେ କାହିଁକି ସେଥିରେ ସମ୍ମତ ନ ହେଲେ ବା ହୋଇ ନ ପାରିଲେ ? କନକ ନିଜେ କି ସାହସରେ ନିଜେ ବିବାହ କରିଗଲା, ସେ କାହିଁକି ସେ ଆଦର୍ଶ ଗ୍ରହଣ କରି ନପାରିଲେ ? ତାଙ୍କ ପାପର ପ୍ରାୟଶ୍ଚିତ କାହିଁରେ ହେବ ? ହାୟ–ବିଚାରୀ କନକ କିପରି ଅପସ୍ତୁତ ହୋଇ ନଥିବ ସେ ଦିନ ! ଓଃ-ତା’ ପରେ ତା’ର କ’ଣ ହୋଇଥିବ କେଜାଣି–ସେ ତ ପଳାଇ ଆସିଛନ୍ତି ବୀରପଣ ଦେଖାଇ । ଛି ଛି–

 

କନକକୁ ଶେଷଥର ସେ ଯେପରି ଦେଖିଥିଲେ ସେପରି ଆଉ କେଭେଁ ଜୀବନରେ ଦେଖିନଥିଲେ । ସେ କି ବିକଳ, କି କରୁଣ ଚାହାଣି ! କି ବ୍ୟଗ୍ର, ଆଶା-ଆଶଙ୍କାପୂର୍ଣ୍ଣ ସେ ମୁଖମଣ୍ଡଳ ! କନକମୁଖରେ ଶେଷବେଳକୁ ଯେଉଁ ଭିକ୍ଷାର କରୁଣ ଆବେଗଟିକ ଲେଖି ହୋଇଯାଇଥିଲା । ଯାହା ସେ ମୂହୁର୍ତ୍ତରେ ତାଙ୍କୁ ସମ୍ପୂର୍ଣ୍ଣ ଆତ୍ମହରା କରିଦେଇଥିଲା–ତାକୁ ଆଉ ନୀଳୁବାବୁ ଭୁଲି ପାରୁନାହାନ୍ତି ! ତା’ର ସେତେବେଳର କରୁଣ ଛବିଟି ରହି ରହି ତାଙ୍କୁ ଏ ପର୍ଯ୍ୟନ୍ତ ବ୍ୟସ୍ତ, ଆକୁଳ କରିଦେଉଛି ।

 

ନୀଳୁବାବୁ କଲିକତା ଆସିବାର କୋଡ଼ିଏ ପଚିଶ ଦିନ ହୋଇଗଲାଣି, ତଥାପି ସେ ନିଧିବାବୁ ବା କନକ କାହାରିକୁ କୌଣସି ସମ୍ବାଦ ଦେଇନାହାନ୍ତି । ହରିବାବୁଙ୍କୁ ଯେଉଁ ଠିକଣା ଦେଇ ଆସିଥିଲେ, ସେହି ଠିକଣାରେ ତାଙ୍କଠାରୁ ରୀତିମତ ଚିଠିପତ୍ର ଆସିଥିଲେ ହେଁ ସେ ତା’ର ମଧ୍ୟ କୌଣସି ଉତ୍ତର ଦେଇନାହାନ୍ତି । ପ୍ରଥମେ ସେ ସ୍ଥିର କରିଥିଲେ, କାହାରିକୁ କିଛି ଖବର ଦେବେ ନାହିଁ; ହରିବାବୁଙ୍କୁ ଦେଲେଦେଇପାରନ୍ତି, କିନ୍ତୁ ନିଧିବାବୁ ବା କନକକୁ ତ କେଭେଁ ନା; କିନ୍ତୁ ସେ ସଂକଳ୍ପ ଅଜଣାରେ କୁଆଡ଼େ ଭାସିଗଲାଣି । ନିଧିବାବୁଙ୍କ ଠାରେ ଯେ ସେ ଏକାନ୍ତ ଅପରାଧୀ, ଏହି କଥାଟି ମନରେ ବଦ୍ଧମୂଳ ହୋଇଯାଇଥିବାରୁ ସେ ଆଜି ବସିଛନ୍ତି ତାଙ୍କ ଠାକୁ ପତ୍ର ଲେଖି କ୍ଷମା ଭିକ୍ଷା କରିବାକୁ । ଇତିପୂର୍ବରୁ ଥରେ ଦି’ ଥର ଏ ଚେଷ୍ଟା କରିଥିଲେ ହେଁ ସେ କୌଣସିମତେ ଭଲ କରି ମନମାଫିକେ ଖଣ୍ଡେ ପତ୍ର ଲେଖି ଉଠିପାରି ନ ଥିଲେ । ଆଜି ସ୍ଥିରପ୍ରତିଜ୍ଞ ଭାବରେ ଲେଖି ବସିଲେ; କିନ୍ତୁ ଲେଖା ସରିବା ପୂର୍ବରୁ ହଠାତ୍ ନିଜର ଅପରାଧଗୁଡିକ ଯାହା ସେ ଅମାୟିକ ଉଦାରତାରେ ଲିପିବଦ୍ଧ କରିସାରିଥିଲେ, ଆଖି ଆଗରେ ଏପରି ସ୍ପଷ୍ଟ ଭାବରେ ବିବୃତ୍ତ ଦେଖି, ନିଜେ ଚମକି ଉଠି ଲେଖା ବନ୍ଦ କରିଦେଲେ । ହୃଦୟର ପ୍ରତିବିମ୍ବ ସ୍ୱରୂପ ଏହି ଯେ ସ୍ୱହସ୍ତଲିଖିତ ପତ୍ରଖଣ୍ଡି ତାଙ୍କର, ସେ ଯେପରି ତାଙ୍କ ଉଦାରତା ଓ ମହାନୁଭବତାକୁ ଉପହାସ କରିବାକୁ ଲାଗିଲା-। ଅବଶ୍ୟ ସେହି ପତ୍ରଲିଖିତ ସବୁ କଥା ତାଙ୍କ ନିଜର ଲେଖା-ତାଙ୍କରି ହୃଦୟ ମନରୁ ତା’ର; ଜନ୍ମ ତଥାପି, ମନରେ ଭାବିବା ଏକରକମ, ଲେଖାଟାଏ ପଢ଼ିବା ଅନ୍ୟ ରକମ । ମନ ଭିତରେ ତନ୍ନ ତନ୍ନ କରି ସବୁ ଭାବିଥିଲେ ସୁଦ୍ଧା ଏପରି ସ୍ପଷ୍ଟ ଭାବରେ ଏକାଧାରାରେ ତାଙ୍କର ସବୁ ଗ୍ଲାନି ଓ ପାପ ତାଙ୍କ ଆଖିରେ କେଉଁ ଦୃଶ୍ୟମାନ ହୋଇ ନ ଥିଲା । ସେ ଭାବିଥିଲେ, ସେ ଏପରି ଭାବରେ ସବୁ ଦୋଷ ସ୍ୱୀକାର କରିନେବେ ଯେ କନକଠାରେ ଆଉ ଆଞ୍ଚଟି ପର୍ଯ୍ୟନ୍ତ ଲାଗିବ ନାହିଁ-। ଏହି ହିସାବରେ ନିଜକୁ ମହତ୍ କାର୍ଯ୍ୟରେ ଆତ୍ମପ୍ରସାଦ ଚଖାଉଁଚଖାଉଁ ଖୋଳିତାଡ଼ି ସେ ନିଜର ଦୋଷଗୁଡିକ ନିର୍ବିକାରରେ ବ୍ୟାଖା କରି ଯାଇଥିଲେ । ଏତେଗୁଡ଼ାଏ ଦୋଷର ଭାଗୀ ଯେ ସେ ନୁହନ୍ତି ଏହି ଧାରଣାଟି ମନ କୋଣରେ ନିଭୃତ ପୋଷଣ କରି ! କିନ୍ତୁ ଯେତେବେଳେ ସେ ନିଜର ଲିପିବଦ୍ଧ ପାପର କାହାଣୀ ମନେ ଥରେ ପଢ଼ିଗଲେ, ସେତେବେଳେ ତାଙ୍କୁ ଚମକି ପଡ଼ିବାକୁ ହେଲା-! ଆରେ; ଇଏ ତ ସବୁ ସତ ପରି ବୋଧ ହେଉଛି । କନକ ପ୍ରତି କି ଦୟାଟା, ତା’ର କି ଉପକାରଟା ଆଉ ସେ କରୁଛନ୍ତି । ଏଗୁରା ସବୁ ଯେ ଅବିକଳ ସତ’’ ! ହାୟ ନୀଳୁ, ଚିଠିଖଣ୍ଡ ଯେପରି ସହଜରେ ପଢ଼ିପାରୁଛ ସେହିପରି ସହଜରେ ନିଜକୁ ପଢ଼ିବାର ଶକ୍ତି ଯଦି ଈଶ୍ୱର ଦେଇଥାନ୍ତେ ମନୁଷ୍ୟକୁ ... !

 

ଲେଖା ବନ୍ଦ କରି ନୀଳୁବାବୁ ଭାବିବାକୁ ଲାଗିଲେ–ଚିଠିରେ ଯାହା ଲେଖା ହୋଇଛି, ସବୁ ଅକ୍ଷରେ ଅକ୍ଷରେ ସତ୍ୟ । ସେ ଅନ୍ଧ, ସେ ବୁଦ୍ଧିହୀନ-ଠିକ୍ ତ ! କନକ ଅବଶ୍ୟ କଥାରେ କିଛି କହି ନାହିଁ । ସେଥିଯୋଗେ କ’ଣ ତାଙ୍କର ଦେଖିବାର ବୁଝିବାର ଉଚିତ୍ ନ ଥିଲା । ଯେଉଁ ମୋହ ତାଙ୍କୁ ଘେରି ରଖିଥିଲା, ସେଟା ତ ବାସ୍ତବିକ୍ ନିହାତି ଅଳୀକ, ନିହାତି ଗର୍ହିତ ! ସେ କାହିଁକି କନକର ନିର୍ଦ୍ଦେଶ ନ ମାନିଲେ ? ସେଟା ତ ପ୍ରକୃତରେ ତାଙ୍କର ଲଘୁତାର ପରିଚାୟକ । କନକ ଜାଣିଶୁଣି କାହିଁକି ବାହାହେଲା, ସେ ବା କାହିଁକି ବାହା ହେବାକୁ ଅମଙ୍ଗ ହେଲେ ? ହଁ, ସେଇ କଥାଟି ବି ସାରା କରି ଦେବାକୁ ହେବ ଆଜି ! କନକ ସମାଜକୁ ମାନି ଚଳିଲା–ସେ ସେଟାକୁ ନିହାତି ଅପମାନ ସୂଚକ ମନେ କରନ୍ତି ! କୁତ୍ସିତ ଓଡ଼ିଆ ସମାଜକୁ ମାନି ଚଳିବା ଗୋଟେ ଅସୀମ ଲଜ୍ଜା ! ଆଚ୍ଛା, କନକ ସତେ କ’ଣ ସମାଜକୁ ମାନି ଚଳିଲା ନା ଆଉ କିଛି ? ଏକ ପକ୍ଷରେ ସମାଜକୁ ମାନିଲା ସତ୍ୟ, କିନ୍ତୁ ଅନ୍ୟ ପକ୍ଷରେ–ନା ଅଦ୍ଧପୁଷ୍ଟା ବାଳିକା, ପୁଣି ଅଶିକ୍ଷିତା, ସେ ଏତେଦୂର କ’ଣ ଭାବିପାରିଥିବ ! ତେବେ–ତେବେ ସେହି ଯେ ଦୃଷ୍ଟି, ସେହି ଯେ ମନେ ମନେ ଆଦର୍ଶର ବିନିମୟ ହୋଇଥିଲା ସେଦିନ ତାଙ୍କ ସଙ୍ଗରେ, ତା’ ବିବାହ ଦିନେ ଦୁଇଦିନ ପୂର୍ବରୁ ସେଟା କୁଆଡ଼ୁ ଆସିଲା ? ତେବେ କ’ଣ ସେ ସବୁ ସତ୍ୱେ ହୃଦୟଟାକୁ ହିଁ ବଡ଼ କରି ଚିହ୍ନିଥିଲା, ଚିହ୍ନିଛି ! ୟା କି ସମ୍ଭବ ? ସାମାନ୍ୟ ଅଶିକ୍ଷିତା ବାଳିକା, ତା’ର ଏଡ଼େବଡ଼ ମନ । ହୃଦୟ ରାଜ୍ୟରେ ବିବାହ ଯେ କୌଣସି ପ୍ରକାରେ ହସ୍ତକ୍ଷେପ କରିପାରେ ନାହିଁ, ଏଟା ତ ସହଜ କଥା ନୁହେଁ ଭାବିବାକୁ–ସେ ଅନୁସାରେ କାର୍ଯ୍ୟ କରିବା ତ ଦୂରର କଥା । ! ହଁ, ଏଥିରେ ତ ତିଳେ ସନ୍ଦେହ ନାହିଁ ଯେ କନକର ସ୍ନେହ ତାଙ୍କ ପ୍ରତି ଅକ୍ଷୂର୍ଣ୍ଣ ରହିଛି ଆଜି ଯାଏଁ ! ବିବାହଦ୍ୱାରା କନକର କି ପରିବର୍ତ୍ତନ ହୋଇଛି ତାଙ୍କ ପ୍ରତି ବ୍ୟବହାରରେ ବା ଅନ୍ତରରେ–ନା କିଛି ତ ନୁହେଁ ! ତେବେ ? ସମାଜ କ’ଣ କଲା ? ବିବାହ ବା କି କ୍ଷତିଟା କଲା ? କନକର ହୃଦୟ କ’ଣ ଏଡ଼େ ଉଚ୍ଚ ତା’ ହେଲେ ! ଅଶିକ୍ଷିତା ବାଳିକା ସିଏ । ସେ ପୁଣି ଏଡ଼େ ବଡ଼ ତଥ୍ୟ ଏଡ଼େ ସହଜରେ ହୃଦୟଙ୍ଗମ କରି ତଦନୁଯାୟୀ କାର୍ଯ୍ୟ କରିପକାଇଲା । ଆଉ ସେ ଉଚ୍ଚ ଶିକ୍ଷିତ ଯୁବକ ଦର୍ଶନଶାସ୍ତ୍ରର ପୋଥିଘାଣ୍ଟିବାକୁ ଏଇମାତ୍ର ଆରମ୍ଭ କରିଛନ୍ତି !

 

ମୂଢ଼ ଯୁବକ ! ମୂଢ଼ ପୁରୁଷ ! ଶିକ୍ଷା, ଶିକ୍ଷା ଯେ କରୁଛ . ତମ ଶିକ୍ଷା ଯେ, କେଡ଼େ ତୁଚ୍ଛ କେଡ଼େ ନଗଣ୍ୟ-ନାରୀ ହୃଦୟର ସହଜ ଶିକ୍ଷା ସମକ୍ଷରେ, ତମ ନ୍ୟାୟ, ଦର୍ଶନ ଶାସ୍ତ୍ର ଯେ ନାରୀର ପଦପଦକ କଥାରେ ଗୋଟାଏ ଗୋଟାଏ ଅକିଞ୍ଚିତ୍‌କର କାର୍ଯ୍ୟରେ ପରାସ୍ତ ହୋଇ ପୋଥିକୁ ଆଶ୍ରୟ କରିବାକୁ ବାଧ୍ୟ ହୁଏ, ଏଇଟା କାହିଁକି ବୁଝୁ ନାହଁ ! ପ୍ରକୃତିର ପୋଥିରୁ ଶିକ୍ଷା ନିଅ, ଯଦି ଶିକ୍ଷାର ବଡ଼ାଇ କରିବାକୁ ଚାହଁ ! ଆଉ ସମାଜ–ସମାଜ ପ୍ରତି ଯେ ଏଡ଼େ ବିଦ୍ୱେଷ ପୋଷଣ କରୁଛ, ତା’ର ଦୋଷଟା କେଉଁଠି, ତା’ ଭାବିଛ କେବେ ? ସମାଜଟା କେଉଁଠି, କେହି ଦେଖାଇପାରିବ ନାହିଁ, କେହି ଚିହ୍ନାଇ ଦେଇପାରିବ ନାହିଁ । ସମାଜ ବାହାରେ ନା ତମ ଭିତରେ ? ଦେଖ ଭଲ କରି ବୁଝ !

 

ନିଜକୁ ଚିହ୍ନ, ତମର ଚରିତ୍ର ବଳ ନାହିଁ; ହୃଦୟବଳ ନାହିଁ । ବୋଧହୁଏ ହୃଦୟ ବି ନାହିଁ କି କ’ଣ ଏହି ଯେ ଚିତ୍କାର ଫୁତ୍କାର କରାଯାଉଛି, ସ୍ୱାଧିନ ପ୍ରେମ ଏ ସମାଜରେ ଅସମ୍ଭବ–ଏଡ଼େ ସଂକୀର୍ଣ୍ଣତାଟା ଶରୀରରେ କେଉଁଠି ବିରାଜମାନ, ଟିକିଏ ଦେଖାଇ ଦେଇପାରିବ ? ସମାଜରେ ? ସମାଜର ମୁଣ୍ଡରେ ନା ଗୋଡ଼ରେ ? ହାୟ, ତମ ହୃଦୟ ଯଦି ପ୍ରେମ ବୁଝିଥାନ୍ତା, ସ୍ୱାଧିନତା ଖୋଜିଥାନ୍ତା ବା ଖୋଜନ୍ତା, କିଏ ସେଥିରେ ବାଧା ଦେବାକୁ ଅଛି ? କିଏ ତମକୁ ମନା କରୁଛି ପ୍ରେମ ପାଇଁ ମରିଯିବାକୁ, ଆତ୍ମଘାତୀ ହେବାକୁ, ଦେଶାନ୍ତରୀ ହେବାକୁ ? ଆଉ କେତେଟା ୟା କରୁଛ ତେମେ ? ହୃଦୟ ଯଦି ତମର ଥାନ୍ତା, ଚରିତ୍ରବଳ ଯଦି ଥାନ୍ତା, ତେବେ ଦେଶ ବିଦେଶର ଅସନା ସମାଜ ପ୍ରତି; ଧର୍ମ ପ୍ରତି ଲୋଲୁପ ଦୃଷ୍ଟି ଦେଇ ଏପରି ହାସ୍ୟକର ଭାବରେ ଦୁଇ ନାହାରେ ଗୋଡ଼ ଦେଲାପରି ଅବସ୍ଥାରେ ପହଞ୍ଚି ନଥାନ୍ତ ଆଜି ! ଆଉ ସ୍ତ୍ରୀ-ସ୍ୱାଧିନତା, ସ୍ତ୍ରୀ-ଶିକ୍ଷା-ଏସବୁ କାହିଁକି ଲୋଡ଼ା ପଡ଼ିଛି ? ସେମାନେ ଗୋଟାଏ ନାଆରେ ଦୁଇ ଗୋଡ଼ ଦେଇ ଦମ୍ଭ କରି ବସିଛନ୍ତି, ଏଇଥିପାଇଁ ତ ? ଯେଉଁ ପୁରୁଷ ସ୍ତ୍ରୀ ଶିକ୍ଷା ସପକ୍ଷରେ, ତାଙ୍କୁ ମୁଁ କହେ-ଲାଙ୍ଗୁଳକଟା ଶିଆଳ, ସେଇ ଯେ ଆହୁରି ଗୋଟାଏ ଜମ୍ବୁକାଗ୍ରହଣୀ ନୀଳବର୍ଣ୍ଣ ଧାରଣ କରିଥିଲା, ତାହାରି ଗଳ୍ପ ବି ଏ ପ୍ରସଙ୍ଗରେ ମୋର ମନେ ପଡ଼େ । ଆଉ ଯେଉଁ ସ୍ତ୍ରୀରତ୍ନମାନେ ଆଲୋକ ଓ ଶୃଙ୍ଖଳମୁକ୍ତି ପାଇଁ ଆଗଭର ହୋଇ ବାହାରୁଛନ୍ତି, ସେମାନଙ୍କୁ ବି ମୁଁ କହେ–ଅନ୍ଧାର ଛଡ଼ା ଆଲୁଅ ନାହିଁ, ଶୃଙ୍ଖଳା ଛଡ଼ା ମୁକ୍ତି ନାହିଁ । ଆଲୋକ ବୋଲି ଯାହାକୁ ବୋଲା ଯାଉଛି, ସେଟା ଆଲୋକ ହେଉ ବା ନ ହେଉ, ନିଜଠାରେ ଯେଉଁ ଆଲୋକ ରହିଛି ସେହିଟା ହିଁ ସବୁଠାରୁ ବଡ଼ । ସେହିଟାକୁ ହିଁ ଚିହ୍ନିଲେ ଓ ପାଇଲେ, ଅନ୍ୟ ଆଲୋକର ପ୍ରୟୋଜନ ନାହିଁ । ହୃଦୟର, ଅନ୍ତରର ଆଲୋକ କଥା କହୁଛି–ଯାହାକୁ ଥରେ ପାଇଲେ ସର୍ବପ୍ରକାର ଆଲୋକ ବଳେ ବଳେ ମିଳେ, ଯାହାର ଅଭାବ ହିଁ ଆମ ସମାଜର ଯାବତୀୟ କୁସଂସ୍କାର, ସଂକୀର୍ଣ୍ଣତା ଓ କ୍ଷୁଦ୍ରତାର ମୂଳରେ । ସ୍ତ୍ରୀ ଶିକ୍ଷା, ସ୍ତ୍ରୀ ସ୍ୱାଧିନତା ଇତ୍ୟାଦି ଯାହା ଉପରେ ସମ୍ଭବ ଓ ସୁପ୍ରତିଷ୍ଠିତ ହୋଇପାରେ, ଆଉ ଶୃଙ୍ଖଳା-ମୁକ୍ତି, ସେଟା ଉଚ୍ଛୁଙ୍ଖଳତାର ନାମାନ୍ତର ନ ହେଲେ ସୁଦ୍ଧା ହେବା ଅତି ସହଜ ଯଦି ହୃଦୟର ଆଲୋକ ନାହିଁ ! ସେଥିଯୋଗେ ମୁଁ କହେ–ଶିକ୍ଷା ସମାଜ, ଧର୍ମ ଯୁଆଡ଼େ ଯାଉଛି ଯାଉ, ତୁମକୁ ଯୁଆଡ଼େ ନେଉଛି ନେଉ, ତେମେ ସମସ୍ତେ ସ୍ତ୍ରୀ-ପୁରୁଷ ହୃଦୟକୁ ଚିହ୍ନ, ତାହାରି ଶିକ୍ଷାରେ ମହୀୟାନ ହୁଅ, ତାହାରି ସମାଜର ପୃଷ୍ଟ ହୁଅ, ତାହାରି ଧର୍ମରେ ଦୀକ୍ଷିତ ହୋଇ ତାହାରି ମୁକ୍ତି, ତାହାରି ଆଲୋକ, ତାହାରି ନିର୍ବେଦ ନିର୍ବାରଣ ଭାଗୀ ହୁଅ ! ଏହି ଏକମାତ୍ର ଆଲୋକ କଥା ମୁଁ କହୁଛି ।

 

ନୀଳୁବାବୁ ନିଜ ହୃଦୟର ସ୍ୱରୂପ ନିଜ ହାତରେ ନିଜ ଆଗରେ ରଖି ନିଜର ଦୈନ୍ୟଦୁର୍ବଳତା ଓ କ୍ଷୁଦ୍ରତାରେ ନିଜେ ଚମକୃତ ହୋଇଗଲେ । ହଠାତ୍ ତାଙ୍କର ମନେ ହେଲା, ସେ ତ କେବଳ ଦେଶ ସଂସାର; ନିଧିବାବୁ ହରିବାବୁ ଏଇମାନଙ୍କ ଠାରେ ଦୋଷୀ ନୁହଁନ୍ତି । ସେ କନକଠାରେ ତହୁଁ ବଢ଼ିକରି ଦୋଷୀ, ନିଜଠାରେ ଆହୁରି ବେଶି । ପ୍ରେମର, ହୃଦୟର ଆଦର୍ଶ ଯାହା, ସେ କନକ ଠାରୁ ମନେ ମନେ ପାଇ, ପାଇନଥିଲେ । ତାହାରି ମାପକାଠିରେ ମାପି ବସିଲାବେଳକୁ ସେ ଦେଖିଲେ, କନକ ଯେଉଁଠି, ସେ ତାହାଠାରୁ ଢେର ଢେର ତଳେ ! ସେ ଆଦର୍ଶକୁ ସେ ଅନେକ ଦିନରୁ ଆଖି ଆଗରେ ରଖିଥିଲେ ହେଁ, ତାକୁ ସମ୍ୟକ ଅନୁଧାବନ, ହୃଦୟଙ୍ଗମ କରିପାରିନଥିଲେ । ଆଜି ବୁଝିଲେ-ସେଟା କେତେ ଉଚ୍ଚ, କେତେ ମହତ । ସଙ୍ଗେ ଏହା ମଧ୍ୟ ବୁଝିବେ ଯେ, କନକ ସାମାନ୍ୟ ଅଶିକ୍ଷିତା ବାଳିକା ହୋଇ ଯାହା ଅତି ସହଜ ଭାବରେ ନଜାଣିଲା ପରି କରିଛି, ତାହା ତାଙ୍କ ଶିକ୍ଷିତ ମାର୍ଜିତ ଯୁବକ ହୃଦୟ ପକ୍ଷରେ ଅତି ଦୁଷ୍କର ! କନକ ତ ତାଙ୍କୁ ସେହି ଆଦର୍ଶ ପଥର ପଥିକ କରାଇବାକୁ ଆଜି ସୁଦ୍ଧା ଚୂଡ଼ାନ୍ତ ଚେଷ୍ଟାର ତ୍ରୁଟି କରିନାହିଁ । ତେବେ ତାର ଦୋଷ କ’ଣ ! ନିଜ ପ୍ରତି ଘୃଣାରେ ମନତିକ୍ତ ହୋଇଉଠିଲା । ଆଉ ସଙ୍ଗେ କନକ ପ୍ରତି ଶ୍ରଦ୍ଧାରେ ହୃଦୟ ଭରିଯାଇ ସେଠାରେ ପୂଞ୍ଜୀଭୂତ ସବୁ ତିକ୍ତ କ୍ଷାରକୁ ଧୋଇ ନିର୍ମଳ କରିଦେଲା !

 

ନୀଳୁବାବୁ ଅପୂର୍ଣ୍ଣ ଚିଠିଟିର ଶେଷ ଆଡ଼କୁ ଅନ୍ତରର ସହିତ କେତେଗୁଡ଼ିଏ ଛତ୍ର ଯୋଗକରି ଏକମୁହାଁ ହୋଇଯାଇ ଚିଠିଟି ଡାକଘରେ ଦେଇଆସିଲେ । ସେହି ପତ୍ରର କିୟଦଂଶ ପୂର୍ବରୁ ଉଦ୍ଧୃତ କରାଯାଇଛି ।

 

ଚିଠିଖଣ୍ଡକ ଡାକଘରେ ଦେଇ ଫେରିଆସିଲା ବେଳୁ ନୀଳୁଭାବୁ ଭାବୁଛନ୍ତି, ଖାଲି ଭାବୁଛନ୍ତି–ବର୍ତ୍ତମାନ କର୍ତ୍ତବ୍ୟ କ’ଣ ? ଫେରିଯିବି ? ଫେରିଗଲେ ତ ଯିବି, ଆଗେ ଏ ଚିଠିର ଉତ୍ତର ଆସୁ । କନକ ନିଶ୍ଚୟ ଏଥର ପତ୍ରଦ୍ୱାରା ରଙ୍ଗୀକୁ ବାହାହେବା ପାଇଁ ଅନୁରୋଧ ବା ଆଦେଶ କରିବ । ବାହା ହେବି ତ ନିଶ୍ଚୟ, କିନ୍ତୁ ଯଦି ସେ ରାଗିଥାଏ ମୋ ଉପରେ ! କନକ ରାଗ କଥା ତ ମୁଁ ଜାଣେ ! ତାହାହେଲେ’ ସେ ତ କେଭେ ଲେଖିବ ନାହିଁ ! ମୁଁ କାହିଁକି ସେ ଚିଠିରେ ଲେଖି ନ ନେଲି ଯେ, ମୁଁ ରଙ୍ଗୀକୁ ବାହାହେବାକୁ ପ୍ରସ୍ତୁତ ବୋଲି ! ହାଏ, ସେ କଥା ସେ ଯେ ମୋର ସେତେବେଳେ ଆଦୌ ମନ ନାହିଁ । ନ ଲେଖିଲେ କ’ଣ ହେବ । ସେଥିରେ ଶେଷଆଡ଼କୁ ମୁଁ ଯାହା ଲେଖିଛି ସେଥିରୁ କ’ଣ ତା’ର ସ୍ପଷ୍ଟ ଆଭାସ ମିଳିବ ନାହିଁ କି ? ନିଶ୍ଚୟ ମିଳିବ; ନିଧିବାବୁ ବୁଝିପାରିବେ ଯେ ! କିନ୍ତୁ କନକ – ତାଙ୍କୁ ତ କିଛି ଲେଖା ହୋଇନାହିଁ–ନ ହେଲେ ବି ସେ ବୁଝିବ–ନିଶ୍ଚୟ ବୁଝିବ । ମନେ ମନେ ତା’ ନୀଳୁ ଭାଇକୁ ସେ ନିଶ୍ଚୟ ବୁଝିବ ।

 

ଆଶାରେ ଆଶାରେ ଦୁଇଦିନ କଟିଗଲା, ତଥାପି ଉତ୍ତର ଆସିଲା ନାହିଁ । ତିନିଦିନ ଯେତେବେଳେ ଡାକଘରୁ ନିରାଶ ହୋଇ ଫେରିଲେ, ସେତେବେଳେ ନୀଳୁଙ୍କ ମନରେ ହଠାତ୍ ଗୋଟାଏ ଭୟ ପଶିଗଲା କ’ଣ ହେଲା କି ଆଉ ! ସେତିକିବେଳୁ ତାଙ୍କର ଆଉ କାହିଁରେ ମନ ଲାଗିବାକୁ ନାହିଁ ! ଗୋଟାଏ ଅନିଶ୍ଚିତ ଭୟରେ ପ୍ରାଣ ରହି ରହି ଯେପରି ଚମକି ଉଠୁଛି ! ପାଠରେ, ଖେଳରେ, ସଙ୍ଗମେଳରେ–କାହିଁରେ ମନ ନ ଲାଗିଲା କେଭେଁ । କ୍ରମେ ସନ୍ଧ୍ୟା ହେଲା, କଲେଜ ପିଲାମାନେ ଦଳ ଦଳ ହୋଇ ବୁଲି ବାହାରିଲେ । ନୀଳୁବାବୁ ମଧ୍ୟ ଗୋଟାଏ ଦଳର ଅନୁସରଣ କରି କରି ଯନ୍ତ୍ରଚାଳିତ ପରି ଇଡେନ୍ ଗାର୍ଡନରେ ଯାଇଁ ପହଞ୍ଚିଲେ । ୟାଡ଼େ ସ୍ୟାଡ଼େ ଅନିଶ୍ଚିତ ଭାବରେ ବୁଲୁଁ ବୁଲୁଁ ସେ ଗୋଟାଏ ନିର୍ଜନ ସ୍ଥାନରେ ଖଣ୍ଡିଏ ବେଞ୍ଚ ଉପରେ ଅବସନ୍ନ ଭାବରେ ବସି ପଡ଼ିଲେ । ଆଉ ଭାବିବାକୁ ତାଙ୍କ ମନରେ ବଳ ନାହିଁ, ଭାବିବେ ବା କ’ଣ ? ଗୋଟାଏ ଅଜଣା କାରଣରୁ ତାଙ୍କ ହୃଦୟ ଉପରେ କିପରି ଗୋଟାଏ ବଡ଼ ଭାରି ବୋଝ ଥୁଆ ହେଲାପରି ତାଙ୍କୁ ଲାଗୁଛି । କାର୍ଯ୍ୟକ୍ଷମ ସବୁ ପ୍ରବୃତ୍ତି ତାଙ୍କର ଏହିଲାଗେ ଅବସନ୍ନ ହେଲା ପରି ଆଉ କାର୍ଯ୍ୟ କରିବାକୁ ମଙ୍ଗୁନାହାନ୍ତି ! ଫଳରେ ବସୁବସୁ କେତେବେଳେ ସେହିଠାରେ ପଡ଼ିଗଲେ ଓ କେତେବେଳେ ନିଦ ଲାଗିଗଲା, ତାଙ୍କୁ ଆଉ ଜଣାନାହିଁ । କେତେବେଳଯାଏଁ ଏହିପରି ଶୋଇଛନ୍ତି; ତାହା ବି ତାଙ୍କୁ ଜଣା ନାହିଁ । ଯେତେବେଳେ କିଛି ବୁଝିପାରିବାର ଶକ୍ତି ହେଲା, ସେତେବେଳେ ତାଙ୍କୁ ଲାଗିଲା ଯେପରି କିଏ ଗୋଟିଏ ପ୍ରବୀଣ ପକ୍ୱକେଶ ଗମ୍ଭୀରମୂର୍ତ୍ତି ଇଂରାଜ–ସମ୍ଭବତଃ ତାଙ୍କ କଲେଜର ପ୍ରିନ୍ସପାଲ୍–ତାଙ୍କ ମୁଣ୍ଡ ପାଖରେ ଛିଡ଼ା ହୋଇ କୋମଳ କଣ୍ଠରେ କହୁଛନ୍ତି, ‘‘କ୍ଳାନ୍ତ ଯୁବକ କ୍ଳାନ୍ତି ଦୂର କର; ଆଳସ୍ୟ ତ୍ୟାଗକର ! ଅଳସ ଶେଯରେ ପଡ଼ି ରହିବାର ସମୟ ଇୟେ ନୁହେଁ ତୁମ୍ଭର–ଉଠ ! ଜୀବନରେ କ’ଣ ତମର କିଛି କର୍ତ୍ତବ୍ୟ ନାହିଁ ? ଏତିକିରେ ନୀଳୁବାବୁ ଧଡ଼ପଡ଼ ହୋଇ ଉଠି ବସିଲେ । ଦେଖିଲେ, ଢେର ରାତି ହୋଇଗଲାଣି । ସତକୁ ସତ, ଜଣେ ବୃଦ୍ଧ ଇଂରାଜ ପ୍ରିନ୍ସିପାଲ ନୁହଁନ୍ତି–ଯଷ୍ଟିରେ ଭରା ଦେଇ ଅଦୂରରେ ଦଣ୍ଡାୟମାନ–ମୁଖରେ ତାଙ୍କର କରୁଣ ହାସ୍ୟର ରେଖା ! ବୃଦ୍ଧ ପଚାରିଲେ, ‘‘ବୋଧ ହୁଏ ତୁମେ ଜଣେ ଛାତ୍ର । ଛାତ୍ର ଜୀବନରେ ଏ ଆଳସ୍ୟ କାହିଁକି ? କର୍ତ୍ତବ୍ୟ କ’ଣ ତମର କିଛି ନାହିଁ ? ସେ ଶୁଏ; ଯାହାର କର୍ତ୍ତବ୍ୟ ଶେଷ ହୋଇଯାଇଛି !’’

 

‘‘ଆଜ୍ଞା, ମୋର କର୍ତ୍ତବ୍ୟ ଢେର ପଡ଼ି ରହିଅଛି । ଗୋଟିଏ ବିଷୟରେ କର୍ତ୍ତବ୍ୟ ସ୍ଥିର କରି ନ ପାରି ତ ଭାବି ଭାବି କ୍ଳାନ୍ତ ହୋଇ ଶୋଇ ପଡ଼ିଥିଲି !’’

 

‘‘ଦେଖ, ତମେ ତମ କର୍ତ୍ତବ୍ୟବିଚ୍ୟୁତ ହେବାରୁ ଆଜି, ମୋର ମଧ୍ୟ କର୍ତ୍ତବ୍ୟରେ ବାଧା ପଡ଼ିଲା ।’’

 

‘‘କିପରି ମହାଶୟ ?’’

 

ଯେଉଁ ବେଞ୍ଚ ବେଞ୍ଚ ଉପରେ ତମେ ଶୋଇ ପଡ଼ିଥିଲ, ସେହି ବେଞ୍ଚଟିରେ ଠିକ୍ ରାତି ୭ଟା ଠାରୁ ୮ଟା ପର୍ଯ୍ୟନ୍ତ ବସିବା ମୋର ଗୋଟିଏ ନିତ୍ୟ ପୁଣ୍ୟ କର୍ତ୍ତବ୍ୟ, ଯାହା ମୁଁ ଆଜିକୁ ୨୭ ବର୍ଷ ହେଲା ପାଳି ଆସୁଅଛି ! ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ । କର୍ତ୍ତବ୍ୟ-କର୍ତ୍ତବ୍ୟ ! ଜାଣ, ଯୁବକ, ଏହି ସ୍ଥାନରେ ହିଁ ମୋର ପରଲୋକଗତା ପ୍ରାଣର ଲରାକୁ ପ୍ରଥମେ ଦେଖିଥିଲି । ସେ ଆଜିକୁ ୫୯ ବର୍ଷ ପୂର୍ବର କଥା । ଏହିଠାରେ ହିଁ ବିବାହ ପୂର୍ବରୁ ଦୁହେଁ ପାଞ୍ଚ ବର୍ଷ କାଳ ପ୍ରତିଦିନ ନିୟମିତ ରୂପେ ୭ ଟାରୁ ୮ଟା ପର୍ଯ୍ୟନ୍ତ ଆଳାପ କରିଥିଲୁ । ଏହିଠାରେ ହିଁ ବିବାହ ପରେ ୧୮ ବର୍ଷ କାଳ ନୀତି ସନ୍ଧ୍ୟାରେ ସେହି ନିୟମରେ ବସି ଆସିଥିଲୁ; ଯେଉଁଦିନ ଭଗବାନ ତାକୁ ନେଇଗଲେ–’’

 

ବୃଦ୍ଧ ଆଉ କହିପାରିଲେ ନାହିଁ–ବାଷ୍ପଜଡ଼ କଣ୍ଠ ସଫା କରି ଦେଉଁ ଦେଉଁ ଅବଶ ହୋଇ ବସିପଡ଼ିଲେ । ଆଖିରେ ସମ୍ଭ୍ରମ ଓ ଶ୍ରଦ୍ଧା ନେଇ ନୀଳୁବାବୁ ତାଙ୍କୁ ଅନେଇ ରହିଲେ । ହଠାତ୍ ବୃଦ୍ଧର ଆଖି ଜଳି ଉଠିଲାପରି ଦିଶିଲା । ସେ କହିଲେ, ଯୁବକ’’, ମତେ ତମେ ପ୍ରଶଂସା ନେତ୍ରରେ ଦେଖୁଛ ବଡ଼ ଅନ୍ୟାୟ ! ମୋର କର୍ତ୍ତବ୍ୟ ମୁଁ କରୁଛି ! ଦେଖ, ତାଙ୍କୁ ଇଶ୍ୱର ନେଇଗଲା ପରେ ମୁଁ ଏଠାକୁ ଆସି ନଥାନ୍ତି, ବରଂ ଏ ସ୍ଥାନ ତ୍ୟାଗ କରି ଯାଇଥାନ୍ତି; କିନ୍ତୁ ମରିବା ପୂର୍ବ ମୂହୁର୍ତ୍ତରେ ମୋ ଲରା କହିଲେ–ତାଙ୍କୁ ଏହି ସ୍ଥାନକୁ ନେଇ ଆସିବାକୁ । ବହୁ କଷ୍ଟରେ ତ ତାଙ୍କୁ ନେଇ ଆସିଲି; କିନ୍ତୁ ଠିକ୍ ଏହିଠାରେ, ଠିକ୍ ଏହି ବେଞ୍ଚ ଉପରେ ତାକୁ ନୁଆଁଇ ଦେଲା ମୁହୁର୍ତ୍ତରେ ହିଁ –’’ ଏତକ କହି ଏଥର ବୃଦ୍ଧ ବାଳକ ପରି ଭୋ ଭୋ କରି କାନ୍ଦିଉଠିଲେ । କିଛି କ୍ଷଣ ପରେ ସେ ଶାନ୍ତ ହୋଇ କହିଲେ, ‘‘ଦେଖ ଯୁବକ, ପ୍ରେମ କ’ଣ ତମେ ବୁଝିନା । ଯଦି କେବେ ପ୍ରେମ କର, ଏହି କଥାଟି ମୋର ମନେରଖିଥିବ । ପ୍ରେମିକାର ଇଚ୍ଛା ହିଁ ପ୍ରେମିକର ଆଇନ, ଶାସ୍ତ୍ର, ଧର୍ମ ସବୁର ଶେଷ ! ମୁଁ ଯେ ଏହି ୨୭ ବର୍ଷ କାଳ ଏ କର୍ତ୍ତବ୍ୟ ଟିକ କେଭେଁ ଭୁଲିନାହିଁ, ତା’ର କାରଣ ମୁଁ ଗର୍ବକରି କହିପାରେ, ମୁଁ ମୋ ଲରାକୁ ପ୍ରକୃତରେ ପ୍ରେମ କରେ ! ପ୍ରେମର ପଥ, କର୍ତ୍ତବ୍ୟର ପଥ ଦୁଃଖମୟ, କିନ୍ତୁ ସେଥିଯୋଗେ ଯେଉଁ ଦୁଃଖ ହୁଏ, ତା’ର ସ୍ୱାଦ ସବୁ ସୁଖରୁ ବଳି ସୁଖ ! ଜାଣ ଯୁବକ, ଦିନେ ଯଦି ଏଠାକୁ ଆସି ଠିକ୍ ସମୟରେ ଘଣ୍ଟାଟିଏ ନ କାନ୍ଦିବି ମୁଁ ସେହିଦିନ ନିଶ୍ଚୟ ମରିବି !’’

 

ନୀଳୁଙ୍କ ଅପାଦମସ୍ତକ ପ୍ରକମ୍ପିତ କରି ଗୋଟାଏ ବାଷ୍ପାଚ୍ଛ୍ୱାସ ଉଠି କ୍ରମେ ମିଳାଇଗଲା । ସେ ହଠାତ୍ ଭୂଲୁଣ୍ଠିତ ହୋଇ ବୃଦ୍ଧଙ୍କ ପାଦତଳେ ପଡ଼ି ପାଦ ଧାରଣ କରିବାକୁ ଗଲାବେଳେ ବୃଦ୍ଧ ଦୂରକୁ ହଟିଯାଇ କହିଲେ, ‘‘ଯୁବକ, ମୁଁ ଜାଣିପାରୁଛି, ତମେ ଗୋଟିଏ ଭଲ ପ୍ରେମିକ ହେବ । କିନ୍ତୁ ଏ ଦୈନ୍ୟ ତୁମଠାରେ ଶୋଭାପାଏ ନାହିଁ । ଯଦି ପ୍ରକୃତରେ ତୁମ୍ଭେ ମୋ କଥା ହୃଦୟଙ୍ଗମ କରିଛ ତ ଯାଅ, ଏହି ଦଣ୍ଡରେ ପ୍ରକୃତ କର୍ତ୍ତବ୍ୟର ପରିଣତି ପାଇଁ ଅଗ୍ରସର ହୁଅ । ଯାଅ, ଆଉ ବିଳମ୍ବ କର ନାହିଁ । ଦେଖୁ ନାହଁ–ମୋ କର୍ତ୍ତବ୍ୟରେ ବାଧା ଘଟୁଛି ।

 

ନୀଳୁବାବୁ ବିତାଡ଼ିତ ହୋଇ ସେଠାରୁ ଧୀରେ ଧୀରେ ପ୍ରସ୍ଥାନ କଲେ । ହୋଷ୍ଟେଲରେ ପହଞ୍ଚିଲା ବେଳକୁ ପ୍ରାୟ ଆଠଟା । ରାତି ଦଶୁଟାରେ କଟକ ଗାଡ଼ି ।

 

(୬)

 

କନକ ଯେତେବେଳେ ତା’ର ସମସ୍ତ ମାନସିକ ଶକ୍ତି ପ୍ରୟୋଗ କରି କମ୍ପମାନ ଦେହଟିକୁ ବଶକୁ ଆଣି କୂଅ ଭିତରକୁ ଗଳିପଡ଼ିଲା, ସେତେବେଳେ ଭୂତ, ଭବିଷ୍ୟତ, ବର୍ତ୍ତମାନ ଓ ନିଧି, ନୀଳୁ, କାହାରି କଥା ବା କୌଣସି କଥା ତା’ ମନରେ ନ ଥିଲା । କେବଳ ଯେଉଁ କାର୍ଯ୍ୟଟି କରିବାକୁ ସେ ସଂକଳ୍ପ କରିଥିଲା, ସେହି କାର୍ଯ୍ୟରେ ହିଁ ତା’ ମନରେ ନ ଥିଲା । କେବଳ ଯେଉଁ କାର୍ଯ୍ୟଟି କରିବାକୁ ସେ ସଂକଳ୍ପ କରିଥିଲା, ସେହି କାର୍ଯ୍ୟରେ ହିଁ ତା’ମନ ଏକାବେଳକେ ଡୁବି ରହିଥିଲା । ତାହାର ଅସୀମ ଧୈର୍ଯ୍ୟ ଓ ସାହାସ ସେହି ମୁହୁର୍ତ୍ତରେ କୁଆଡ଼େ ଉଭେଇ ଯାଇଥିଲା–ଗୋଟାଏ ଅନିଶ୍ଚିତ ଆଶଙ୍କା ହଠାତ୍ ତା’ ମନଟିକୁ ଅଧିକାର କରି ପକାଇଥିଲା । ୟାର କାରଣ ସେ କିନ୍ତୁ ବୁଝିପାରିଲା ନାହିଁ । ଘୋର ଅନ୍ଧକାର ଭିତରକୁ ଜାଣିଶୁଣି ଗୋଡ଼ ବଢ଼ାଇଲାବେଳେ ଯବନିକା ସେ ପାଖର କଥା ଭାବିବା ଭଳି ଅବସ୍ଥା ତା’ର ନ ଥିଲା ସେତେବେଳେ । ତଥାପି ଗୋଟାଏ ଭୌତିକ ଭୟ ତାକୁ ଅଜଣାରେ ଅଭିଭୂତ କରି ପକାଇବାକୁ ଚାହିଁଲା । ସେ ତାହାର ସମସ୍ତ ଶକ୍ତି ପ୍ରୟୋଗ କରୁଥିଲା ସେହି ଭୟଟିକୁ ଦୂରରେ ରଖିବାକୁ । ସେ ଏହିମାତ୍ର ନିଧିବାବୁଙ୍କୁ ସନ୍ତର୍ପଣରେ ଥରେ ଦେଖି ଆସିଥିଲା । ଶେଷ ଦେଖାରେ ତା ଆଖିରୁ ଲୁହ ବହି ନ ଥିଲା । ସବୁ ହିସାବ ନିକାଶ କରି ଆସିଥିଲା ସେ-ନିଧିବାବୁଙ୍କ ମୁଣ୍ଡ ଓ ଗୋଡ଼ ଉପରେ ହାତ ଦେଇ ସେ କାତର ଭାବରେ ମନାସି ଥିଲା ତାଙ୍କର ଭବିଷ୍ୟତ୍ ସୁଖ, ଭବିଷ୍ୟତ ଜୀବନର ଦାମ୍ପତ୍ୟ ସୌଭାଗ୍ୟ । ତାଙ୍କ ଚରଣଧୂଳି ନେଇ ମୁଣ୍ଡରେ ଲଗାଇ ସେ ପ୍ରାର୍ଥନା କରିଥିଲା, ତା’ର ସବୁ ଜଣାଅଜଣା ଦୋଷ ଯେପରି ମାଫ୍ ହୁଏ । ଏତକ କରିସାରି ତା’ର ଗୋଟାଏ ଗଭୀର ସ୍ୱସ୍ତି ମନରେ ଜାତ ହୋଇଥିଲା । ସେ ଭାବିଲା, ଏ ସଂସାରରେ ତା’ ର ସବୁ ଦେଣା ପାଉଣାର ହିସାବ ନିକାଶ ହୋଇଗଲା; ଏଥର ତାର ବଡ଼ ଦୁଃଖର ଅହସ୍ୟ ଯନ୍ତ୍ରଣା ପ୍ରଶମିତ ହୋଇ ସାରିଥିଲ । ତାର ସ୍ଥିର ସଂକଳ୍ପରୁ ଜାତ ମୁକ୍ତିର ଆନନ୍ଦ ଚାଖୁଁ ଚାଖୁଁ ସେ କୂପ ପାଖକୁ ଆସିଥିଲା । ସେହିଠାରେ ତା’ ଜୀବନର ଗୋଟିଏ ମାତ୍ର ମୂହୁର୍ତ୍ତ ବାକିଥାଇ, ସେ ହଠାତ୍ ଭୟରେ ଅଭିଭୂତ ହୋଇପଡ଼ିଲା ।

 

ତା’ ଦେହଟି ପାଣିରେ ପଡ଼ି ଯେତେବେଳେ ଗୋଟାଏ ବିକଟ ଶବ୍ଦ ତା’ ଚାରିଆଡ଼େ ଗୁମୁରି ଉଠିଲା, ସେତେବେଳେ ତାର ମନେ ପଡ଼ିଗଲା ନୀଳୁ କଥା । ତା’ ସାଙ୍ଗରେ ତ ତାର ହିସାବ ନିକାଶ ହୋଇପାରିନାହିଁ ! ସେ ଭାବିଥିଲା, ସଂସାରରେ ସେ କିଛି ପକାଇ ରଖି ଯାଉନାହିଁ ବୋଲି–ତାର ତ କିଛି ଛାଡ଼ିଯିବା ଭଳି ନାହିଁ ! କିନ୍ତୁ ବର୍ତ୍ତମାନ ତାର ମନେ ହେଲା, ତା’ର ସବୁ ପଛରେ ପଡ଼ିରହିଲା । ହେଉ ପଛକେ ! କିନ୍ତୁ ନୀଳୁ, ସେ କଣ କରିବ–ତା’ର ତ କିଛି ସେ କରି ଆସିପାରିଲା ନାହିଁ ! ସେ ଯଦି ତାର ଅନୁସରଣ କରେ ! ସେତିକିବେଳେ ପାଣି ତାକୁ କ୍ରମେ ଅଭିଭୂତ କରିପକାଇଲା । ସେ ଦୁଇହାତ ଦେଇ ପଙ୍କ ମଧ୍ୟରେ ଗୋଟିଏ ସ୍ଥୂଳ ପଦାର୍ଥ ଖୋଜି ବୁଲିଲା, ଆଶ୍ରୟ ଭାବରେ ଧରି ଆତ୍ମରକ୍ଷା କରିବାକୁ–ହଁ ଆତ୍ମରକ୍ଷା କରିବାକୁ ! ଆତ୍ମରକ୍ଷାର ସହଜ ଆଗ୍ରହ–ଯାହା ଜୀବନର ଏକମାତ୍ର ବର୍ମ ତାକୁ ବ୍ୟାକୁଳ କରିପକାଇଲା । ପାଣି ଗୁଡ଼ାଏ ପିଉଁ ପିଉଁ ସେ ବିକଳ ଭାବରେ ଆଉକିଛି ନ ପାଇ ଶେଷରେ ଅଦମ୍ୟ ଚେଷ୍ଟାରେ ଥରେ ଉପରକୁ ଉଠିବାର ଚେଷ୍ଟା କରି କୌଣସି ମତେ ନିଜକୁ ପଙ୍କରୁ ଉଠାଇ ନେଲା ଓ ଅଧବାଟରେ ବାମ୍ଫୀର ପାବଛର କରଟାଏ ଧରି ପକାଇ ଭାବିଲା–ବଞ୍ଚିଗଲି ! କିନ୍ତୁ ସେତିକିବେଳେ ତାର ଚେତା ବୁଡ଼ିଗଲା ।

 

କେତେ ସମୟ ପରେ କେଜାଣି–କନକକୁ ଯୁଗ ଯୁଗ ପରି ଲାଗିଲା–ସେ ଆଖି ମେଲି ଚାହିଁଲା; କିନ୍ତୁ ପ୍ରଥମେ କିଛି ବୁଝିପାରିଲା ନାହିଁ । ନିଧିବାବୁ, ଗଉରୀ, ରଙ୍ଗୀ ପ୍ରଭୃତିଙ୍କ ମୁହଁକୁ ସେ ବାଲୁ ବାଲୁ କରି ଚାହିଁଲା କିଛି ଣ । ଗୋଟିଏ ଭଦ୍ରଲୋକ ତାକୁ ଆଖି ଖୋଲିବାର ଦେଖି ତା’ ଉପରେ’ ପାଖକୁ ଧାଇଁ ଆସିଲେ ଓ ଆସି ଗୋଟିଏ କ’ଣ ତା’ ପାଟିରେ ଢାଳିଦେଲେ । କନକ ଥରେ ଆଖିବୁଜି ଭାବିବାର ଚେଷ୍ଟା କଲା । ବିଶେଷ କିଛି ଭାବିବା ପୂର୍ବରୁ ପୁଣି ଆଖି ଖୋଲି ଚାହିଁଲା । ଚାହିଁବା ମାତ୍ରକେ ନିଧିବାବୁଙ୍କର ତ୍ରସ୍ତ ଚକିତ, ଆଗ୍ରହପୂର୍ଣ୍ଣ ଆଖି ଯୋଡ଼ିକ ତା’ ମୁହଁ ଉପରେ ବ୍ୟାକୁଳ ଉତ୍କଣ୍ଠାରେ ସ୍ଥାପିତ ଦେଖିଲା । ହାତ ଦି’ ଟା ତା’ର ଥରିଉଠିଲା, ତା’ ଆଖିରେ ଗୋଟିଏ ଆଗ୍ରହ ଲେଖିହୋଇଗଲା । କିନ୍ତୁ’ ହାତ ସେହିପରି ଅଚେଷ୍ଟା ହୋଇ ପଡ଼ିରହିଲା । ହଲିଲା ନାହିଁ, ନା ଉଠିଲା ନାହିଁ । କନକ ନିଧିବାବୁଙ୍କୁ ଚିହ୍ନିଲା, ଆଉ ସମସ୍ତଙ୍କୁ ମଧ୍ୟ ଚିହ୍ନିପାରିଲା; କିନ୍ତୁ କଥା କହିବାର ବା ଅନ୍ୟ କୌଣସି ପ୍ରକାରେ ସେଟା ଜଣାଇବାର ଶକ୍ତି ତାର ନାହିଁ । ପୁଣି ସେ ଆଖି ବୁଜିଲା । ଫେର୍ ଆଖି ଖୋଲିଲା ବେଳକୁ ତାକୁ ଭେଟିଲା ଛଳ ଛଳ ଉତ୍କଣ୍ଠାପୂର୍ଣ୍ଣ ଆଖି ଯୋଡ଼ିକ ରଙ୍ଗୀର । ଏଥର କନକ ଟିକିଏ ହସିବାକୁ ଚେଷ୍ଟା କଲା–ମୁଖ ବିକୃତିରୁ ଆଉ ଯେ ଯାହା ବୁଝୁ, ରଙ୍ଗୀ ବୁଝିଲା, କନକ ତାକୁ ଚିହ୍ନି ହସିଲା ବୋଲି । ରଙ୍ଗୀ ହଠାତ୍ କଇଁ କଇଁ ହୋଇ କାନ୍ଦି ଉଠିଲା । ଗଉରୀ ସେତିକିବେଳେ ତାକୁ ପଛଆଡ଼କୁ ଭିଡ଼ି ଅନ୍ୟ ଆଡ଼କୁ ନେଇଗଲା । କନକ ମୁହଁରୁ କଥା ଆଉ କୌଣସିମତେ ବାହାରିଲା ନାହିଁ । ଡାକ୍ତର ସାରା ରାତି ଜଗିରହିଲେ–ଆଉ ସମସ୍ତେ ମଧ୍ୟ ସେହିପରି ।

 

ଠିକ୍ ପାହାନ୍ତା ବେଳକୁ କନକ ପୁଣି ଆଖି ଖୋଲି ଚାହିଁଲା, ଚାରିଆଡ଼କୁ ବହୁ କଷ୍ଟରେ ଉତ୍ସୁକ ଦୃଷ୍ଟି ନିକ୍ଷେପ କରି ଜଣାଇଲା, ଯେପରି ସେ କାହାରିକୁ ଖୋଜୁଛି । ସମସ୍ତେ ସେଠାରେ ଥିଲେ–ଅଥଚ କନକ ଆଖି କାହାରି ଉପରେ ନ ରହି ଅପ୍ରତିଭ ହୋଇ ପୁଣି ବନ୍ଦ ହୋଇଗଲା । ହଠାତ୍ ଗଉରୀ ଉଠିଆସି ନିଧିବାବୁଙ୍କୁ କହିଲା; ‘‘ନିଧି ନୀଳୁକୁ ଗୋଟିଏ ତାର କର । ‘‘ନିଧିବାବୁ ବ୍ୟସ୍ତ ହୋଇ କହିଲେ’’ ଠିକ୍ ଠିକ୍ ! କିନ୍ତୁ ତା’ ଠିକଣା ? ହଁ ହଁ ତା’ର ଚିଠିରେ ଅଛି-ଦେଖେଁ ।’’ ନିଧିବାବୁ ଖୋଜି ଖୋଜି ସେ ଚିଠିଖଣ୍ଡକ ଆଉ ପାଇଲେ ନାହିଁ । ଏତିକିବେଳେ ବାହାର ଦ୍ୱାରରେ ଗୋଟିଏ ଗାଡ଼ି ଆସି ରହିଲା । ସେ ଶବ୍ଦ ସଙ୍ଗେ ସଙ୍ଗେ କବାଟରେ ହାତ ମାରିବାର ଶବ୍ଦ ମଧ୍ୟ ଶୁଣାଗଲା ଖୁବ୍ କ୍ଷୀଣ ହୋଇ । କନକ ସେହିପରି ଆଖି ବୁଜିଥିଲା । ହଠାତ୍ ଆଖି ଖୋଲି ଅମିତବଳ ପ୍ରୟୋଗ କରି କର ଲେଉଟାଇ ଦ୍ୱାର ଆଡ଼କୁ ଚାହିଁ ପଡ଼ିରହିଲା । ଏକା ଗଉରୀ ଜାଣିଲା କେତେ ଉଦ୍‌ବେଗ ଉତ୍କଣ୍ଠା ତା’ ଆଖିରେ ନେଇ କନକ କାହାର ପ୍ରତୀକ୍ଷା କରୁଛି । ରଙ୍ଗୀ ମଧ୍ୟ ସେହିଠାରେ ଥିଲା । କନକ ଫେର ତା’ ଆଡ଼କୁ ଚାହିଁ କରୁଣ ହସ ଟିକିଏ ହସିଲା-ମୁଖ ବିକୃତିରୁ ରଙ୍ଗୀ କନକର ମନୋଭାବ ବୁଝି ଅଧୋବଦନରେ ରହିଲା । ଗଉରୀ କହିଲା, ‘‘କିଏ ଆସିଲା, ଦେଖିବୁରେ ନିଧି !’’ ନିଧିବାବୁ ନିଜ ଚିନ୍ତାରେ ନିଜେ ବିଭୋଳ ଥିଲେ, ଚମକି ପଡ଼ି ଉଠି ଗଉରୀ କଥା ଶୁଣି ବାହାରି ଗଲେ । ଦ୍ୱାର ଦେଇ ଯାଉଁ ଯାଉଁ କନକର ଦୃଷ୍ଟି ତାଙ୍କ ଉପରେ ପଡ଼ିଲାବେଳେ ତା’ ମୁହଁ ଉପରେ ଗୋଟାଏ ନୂଆ ଭାବ ଖେଳିଗଲା କ୍ଷଣକ ପାଇଁ; ପୁଣି ସେହି ବ୍ୟାକୁଳ ପ୍ରତୀକ୍ଷାର ନିର୍ନିମେଷ ଦୃଷ୍ଟି !

 

କିଛିକ୍ଷଣ ପରେ ଦୀର୍ଘନିଶ୍ୱାସଟିଏ ପକାଇ କନକ ଆଖି ବୁଜିଲା କିନ୍ତୁ ଛନ୍ନ ଛନ୍ନ ଭାବ ତା’ ଦିହରୁ ଗଲା ନାହିଁ । ହଠାତ୍ ନୀଳୁବାବୁ ବ୍ୟସ୍ତ ସମସ୍ତ ହୋଇ ନିଧି ବାବୁଙ୍କ ସାଙ୍ଗେ ସେ ଘରେ ପ୍ରବେଶ କରି ତା’ ବିଛଣା ପାଖକୁ ଧାଇଁ ଆସି; ସେହିଠାରେ ଥକ୍‌କା ହୋଇ ମୂକ ନିଶ୍ଚଳ ପରି ଛିଡ଼ା ହୋଇଗଲେ-ଦୃଷ୍ଟି କନକର ସୁପ୍ତିପୂର୍ଣ୍ଣ ଉଜ୍ଜ୍ୱଳ ମୁଖଟି ଉପରେ । ହଁ, କନକ ମୁହଁ ହଠାତ୍ କାହିଁକି ଉଜ୍ଜ୍ୱଳ ହୋଇ ଉଠିଲା ! ସେ ଆଉ ଆଖି ଖୋଲିଲା ନାହିଁ; ଅଥଚ କିଏ ଯେ ଆସି ତା’ ମୁଣ୍ଡ ପାଖରେ ଛିଡ଼ା ହୋଇଛି, ଏ କଥା ସେ ଭଲ ବୁଝିପାରିଥିଲା ପରି ଜଣାଗଲା । ତା’ର ଅଧରକୋଣରେ ଦିବ୍ୟ ହସ ଟିକିଏ ସେତିକିବେଳୁ ଲାଖି ହୋଇ ରହିଲା । ହଠାତ୍ ନୀଳୁ ଜାଗ୍ରତ ହେଲାପରି ଉଠି କନକ ମୁଣ୍ଡ ପାଖରେ ବସିପଡ଼ି ଡାକିଲେ–‘‘କଙ୍କି; କନକ-ମତେ ଶୁଣି ଯା ।’’ କିଏ ଉତ୍ତର ଦେଉଛି ! ସେହି ହସଟିକ ଖାଲି ଶେଷ ଉତ୍ତର ପରି କନକ ମୁହଁରେ ଲାଗି ରହିଥାଏ । ନୀଳୁ ବ୍ୟାକୁଳ ହୋଇ କନକ ମୁଣ୍ଡରେ ହାତ ଦେଇ କହିଲେ, ‘‘କଙ୍କି, ମୁଁ ତୋ ପାଇଁ ନିମନ୍ତ୍ରଣ ନେଇ ଆସିଛି କନକ, ଥରେ ଶୁଣ–ମୁଁ ବାହା ହେବି ! ତୁ କହିଥିଲୁ ମୋ ବାହାଘରକୁ ତୋତେ ନେବି ବୋଲି-ଏଇ ତତେ ନେବାକୁ ଆସିଛି ପରା ! କନକ-’’ କନକ କପାଳ ଉପରେ ନୀଳୁଙ୍କ ଶୀତଳ ସ୍ପର୍ଶ ବୋଧହୁଏ ଏତେବେଳେ ତା’ ଅନୁଭବ ଭିତରେ ଆସିଲା । ହଠାତ୍ କନକ କଷ୍ଟରେ ଆଖି ଖୋଲି ଚାହିଁଲା ଓ ନୀଳୁଙ୍କୁ ଦେଖି ତା’ର ସମସ୍ତ ମୁଖମଣ୍ଡଳ, ସମସ୍ତ ଦେହଲତା କି ଗୋଟାଏ ମଧୁର କମ୍ପନରେ ଥରି ଥରି ଉଠିଲା । ସେ ଅପଲକ ନେତ୍ରରେ ନୀଳୁଙ୍କ ମୁହଁକୁ କିଛିକ୍ଷଣ ଦୂରଦୃଷ୍ଟିରେ ଚାହିଁ, କ’ଣ କହିବାକୁ ଚାହିଁଲା–ମୁହଁରୁ କିନ୍ତୁ କଥା ବାହାରିଲା ନାହିଁ; ଖାଲି ରହିଗଲା, ଗୋଟିଏ ହାସ୍ୟରେଖା ଆହୁରି ଟିକିଏ ପରିସ୍ପୁଟ ହୋଇ । ସେ ଅନ୍ୟ ହାତ ଟେକି ଠାରିଲା–ରଙ୍ଗୀକୁ ନିକଟକୁ ଆସିବାକୁ; ଗଉରୀ ରଙ୍ଗୀକୁ ସବଳେ ଟାଣି ଆଣିଲା ବେଳକୁ ରଙ୍ଗୀ କନକର ଗୋଡ଼ଟାଏ ଧରି ରହିଗଲା–ସେଠାରୁ ଘୁଞ୍ଚିବାକୁ ଚାହିଁଲା ନାହିଁ; କିନ୍ତୁ କନକ ପୁଣି ବାଁ ହାତଟି କଷ୍ଟରେ ଟେକି ତାକୁ ଦେଖାଇଦେଲା–ବୁଲିଆସି ନୀଳୁ କତିରେ ଛିଡ଼ା ହେବାକୁ । ଗଉରୀ ରଙ୍ଗୀକୁ ଆଣି ଠିଆ କଲାରୁ କନକ ନୀଳୁ ହାତ ସହିତ ନିଜର ଡାହାଣ ହାତଟି ତା’ ଆଡ଼କୁ ପ୍ରସାରିତ କରି ଠାରଦ୍ୱାରା ତା’ର (ରଙ୍ଗୀର) ହାତ ବି ନିଜ ହାତକୁ ନେବାକୁ ଚାହିଁଲା । ଗଉରୀ ପଛଆଡ଼ୁ ରଙ୍ଗୀର ଦକ୍ଷିଣ ହସ୍ତଟି କନକ ହାତରେ ନୀଳୁ ହାତ ସଙ୍ଗରେ ରଖି ଦେଇ ଘୁଞ୍ଚି ଗଲା । କନକ ଦୁଇ ହାତକୁ ସବଳେ ଏକ ସଙ୍ଗରେ ଚାପି ଧରି, ଉତ୍କଣ୍ଠିତ ଆଖି ଯୋଡ଼ିକ ଟେକି ଥରେ ନୀଳୁଙ୍କ ମୁହଁକୁ ଓ ଥରେ ରଙ୍ଗୀ ମୁହଁକୁ ଚାହିଁଲା । ରଙ୍ଗୀ ନୀରବରେ କାନ୍ଦୁଥାଏ, ନୀଳୁ କିନ୍ତୁ ଏଥର ପିଲାଙ୍କ ପରି କାନ୍ଦି ଉଠି କହିଲେ ‘‘କଙ୍କି, କଙ୍କି,’’ ସେଇ ସ୍ଥିର ଅପାର୍ଥିବ ହସ ଟିକ ନେଇ କନକ ଖରଦୃଷ୍ଟିରେ ଥରେ ତାଙ୍କ ମୁହଁକୁ ଚାହିଁଦେଲା । ସେ ଗୋଟାଏ ଅତୀତ କାଳର ଗୋଟାଏ ଶତସ୍ମୃତିଯୁକ୍ତ ଦୃଷ୍ଟିର ତୀକ୍ଷ୍ମ ଆଦେଶ ନେଇ ନୀଳୁକୁ ସ୍ତମ୍ଭିତ କରିଦେଲା । ନୀଳୁ କିଛିକ୍ଷଣ ଚୁପ୍ ରହି ଗଦ୍ ଗଦ୍ ଜଡ଼ିତ କଣ୍ଠରେ କହିଲେ ‘‘କଙ୍କି, ଠକ କିଏ–ତୁ ନା ମୁଁ ?’’ ଚମକି ଉଠିଲା ପରି ହୋଇ କନକ ପୁଣି ଥରେ ତାଙ୍କ ଆଡ଼କୁ ଅନାଇଲା’’, କିଛି କ୍ଷଣ ପରେ କି ଗୋଟାଏ ଦୁଃଖର ବେଗରେ ଦୃଷ୍ଟି ଫେରାଇ ଆଣିଲା । ନୀଳୁ ଓ ରଙ୍ଗୀଙ୍କ ହାତଯୋଡ଼ିକୁ ଥରେ ଆଗ୍ରହରେ ଚିପି ଦେଇ, କଷ୍ଟରେ ନିଜ ହାତଟି ନିଜ ମୁଣ୍ଡ ପର୍ଯ୍ୟନ୍ତ ନେଇ, ନିଜ କପାଳରେ ତିନିଥର ସ୍ପର୍ଶ କରି ଜଣାଇଲା ପରା–କିଏ ଠକ ! କନକର ଆଖି ଛଳ ଛଳ ହୋଇ ଆସୁଥିଲା । ସେ ହଠାତ୍ ବଳ ସଞ୍ଚୟ କରି ନେଇ କପାଳରୁ ହାତଟି ଧିରେ ଧିରେ ଉଠାଇ ନେଇ ଅନ୍ୟ ପାଖରେ ନିଧିବାବୁଙ୍କ ଗୋଡ଼ ଆଡ଼କୁ ଦରାଣ୍ଡି ବଢ଼ାଇଲା । ସେତିକିବେଳେ ତା’ର ପ୍ରାଣର ସମସ୍ତ ସଞ୍ଚିତ ଆବେଗ ପ୍ରୟୋଗ କରି ତା’ ମୁଣ୍ଡ ଓ ଛାତି ଥରେ ବିଛଣାରୁ ଉପରକୁ କେତେଦୂର ଉଠିପଡ଼ିଲା କାହାକୁ ଆଗ୍ରହରେ ଥରେ ଗ୍ରହଣ କରିବା ପାଇଁ । କିନ୍ତୁ ନିଧିବାବୁ ଦୁଇ ବାହୁରେ ତାକୁ କୁଣ୍ଢାଇ ଧରୁଁ ଧରୁଁ ଦେହ ତାର ନିଶ୍ଚେଷ୍ଟ ହୋଇ ପୁଣି ବିଛଣାରେ ଲୋଟି ହୋଇପଡ଼ିଲା ।

Image